ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା, ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନ ଥିଲା ଏବଂ ଡିଜିଟାଲ ଶିକ୍ଷାର କଳ୍ପନା ମଧ୍ୟ ନ ଥିଲା, ସେତେବେଳେ ଗୁରୁ, ଜ୍ଞାନୀ ଓ ଅନୁଭବୀ ବ୍ୟକ୍ତିଙ୍କ ନିକଟରୁ ମଣିଷ ଜ୍ଞାନ ଆହରଣ କରୁଥିଲା। ମଣିଷ ଅନୁଭବରୁ ଅଗ୍ନିର ବ୍ୟବହାର, କୃଷି, ଚିକିତ୍ସା, ଭାଷା ଓ ସଂସ୍କୃତି ବିଷୟରେ ଶିକ୍ଷାଲାଭ କରି ସେହି ଜ୍ଞାନ ପରବର୍ତ୍ତୀ ପିଢ଼ିକୁ ଦେବା ଦିନରୁ ଶିକ୍ଷାର ଆରମ୍ଭ। ଗୁହାଚିତ୍ରଠାରୁ ଲିପି, ମୁଦ୍ରଣ ଯନ୍ତ୍ରଠାରୁ ଇଣ୍ଟରନେଟ୍‌, ମହାକାଶ ଅନୁସନ୍ଧାନଠାରୁ ଆନୁବଂଶିକ ବିଜ୍ଞାନ(ଜେନେଟିକ୍ସ) ଓ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ପର୍ଯ୍ୟନ୍ତ ମାନବ ସଭ୍ୟତାର ପ୍ରତ୍ୟେକ ଅଗ୍ରଗତି ପଛରେ ଶିକ୍ଷାର ଶକ୍ତି ରହିଛି। ତେଣୁ ଆଜି ଶିକ୍ଷାକୁ ଭାରତୀୟ, ଏସୀୟ, ଆଫ୍ରିକୀୟ, ଇଉରୋପୀୟ କିମ୍ବା ଆମେରିକୀୟ ସୀମାରେ ନୁହେଁ, ସମଗ୍ର ପୃଥିବୀର ସାଧାରଣ ମାନବ ସମ୍ପଦ ଭାବେ ଦେଖିବା ଆବଶ୍ୟକ।
ପ୍ରାଚୀନ ବିଶ୍ୱର ବିଭିନ୍ନ ସଭ୍ୟତା ନିଜସ୍ବ ଅନୁଭବରେ ନିଜ ଶିକ୍ଷାବ୍ୟବସ୍ଥାର ଭିତ୍ତିଭୂମି ଗଠନ କରିଥିଲେ। ଭାରତର ଗୁରୁକୁଳ, ତକ୍ଷଶିଳା ଓ ନାଳନ୍ଦା ଜ୍ଞାନ ସହିତ ଚରିତ୍ର, ନୀତି, ଶୃଙ୍ଖଳା ଓ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇଥିଲେ। ଚାଇନା ନୀତି, ସାମାଜିକ ଦାୟିତ୍ୱ ଓ ଶୃଙ୍ଖଳାକୁ, ଗ୍ରୀସ୍‌ ଦର୍ଶନ, ତର୍କ ଓ ପ୍ରଶ୍ନ କରିବାର ପରମ୍ପରାକୁ ସମୃଦ୍ଧ କରିଥିଲା। ଆଫ୍ରିକାରେ ମୌଖିକ ପରମ୍ପରା, ସାମୁଦାୟିକ ଶିକ୍ଷା ଓ ପ୍ରକୃତି ସହ ସମନ୍ବୟର ଜ୍ଞାନ ବିକଶିତ ହୋଇଥିଲା। ଇସ୍ଲାମିକ୍‌ ଜଗତ ଗଣିତ, ଚିକିତ୍ସା, ଖଗୋଳ ଓ ଦର୍ଶନରେ ଅମୂଲ୍ୟ ଅବଦାନ ଦେଇଥିଲା। ମାୟା, ଇଙ୍କା ଓ ଅନ୍ୟାନ୍ୟ ସଭ୍ୟତା କୃଷି, ପ୍ରକୃତି ଓ ଗଣିତଜ୍ଞାନରେ ନିଜସ୍ବ ପଥ ଗଢ଼ିଥିଲେ। ଏହିପରି ଭାବରେ ବିଶ୍ୱ ଜ୍ଞାନବୃକ୍ଷର ମୂଳ ଅନେକ ଭୂଖଣ୍ଡରେ ପରିବ୍ୟାପ୍ତ, କିନ୍ତୁ ତାହାର ଫଳ ସୁମଧୁର ଏବଂ ସମଗ୍ର ମାନବଜାତିର।
କାଳକ୍ରମେ ମୁଦ୍ରଣ ଶିଳ୍ପର ବିକାଶ ଜ୍ଞାନକୁ ବହୁଳ ଭାବରେ ପ୍ରସାରିତ କରିଥିଲା, ବୈଜ୍ଞାନିକ ଗବେଷଣା କ୍ଷେତ୍ରର ପ୍ରଗତି ପ୍ରମାଣ ଓ ଯୁକ୍ତିର ମହତ୍ତ୍ୱ ବଢ଼ାଇଲା ଏବଂ ଶିଳ୍ପ ବିପ୍ଳବ ଗଣଶିକ୍ଷାର ଆବଶ୍ୟକତା ସୃଷ୍ଟି କଲା। ସ୍କୁଲ୍‌, ବିଶ୍ୱବିଦ୍ୟାଳୟ, ଗବେଷଣା ଓ ବୃତ୍ତିଗତ ଶିକ୍ଷା ବିକଶିତ ହୋଇ ଶିକ୍ଷା ଧୀରେ ଧୀରେ ସୀମିତ ବର୍ଗର ସୁବିଧାରୁ ସମସ୍ତଙ୍କର ଅଧିକାରରେ ପରିଣତ ହେଲା। ତଥାପି ଦାରିଦ୍ର୍ୟ, ଯୁଦ୍ଧ, ବିସ୍ଥାପନ, ଲିଙ୍ଗଗତ ଅସମାନତା, ଜାତିଗତ ବିଭେଦ, ଭୌଗୋଳିକ ଦୂରତା, ଅଶିକ୍ଷା ଓ ସମ୍ପଦର ଅଭାବ ଆଜି ମଧ୍ୟ ସମାନ ଶିକ୍ଷା ସୁଯୋଗ ପ୍ରତି ଆହ୍ବାନ ସୃଷ୍ଟି କରୁଛି।
ଏକବିଂଶ ଶତାବ୍ଦୀରେ ଇଣ୍ଟରନେଟ୍‌, ଅନ୍‌ଲାଇନ୍‌ କ୍ଲାସ୍‌, ଡିଜିଟାଲ ଲାଇବ୍ରେରୀ, ଭର୍ଚୁଆଲ୍‌ ଲାବରେଟୋରୀ, ଖୋଲା ଶିକ୍ଷା ସମ୍ପଦ ଓ ମୁକ୍ତ ଶିକ୍ଷାର ଭୌଗୋଳିକ ସୀମାରେଖାକୁ ଲିଭେଇ ଦେଇଛି। ଆଫ୍ରିକାର ଜଣେ ଛାତ୍ର ଏସିଆର ଶୈକ୍ଷିକ ସମ୍ପଦ ବ୍ୟବହାର କରିପାରେ, ଭାରତୀୟ ଛାତ୍ର ଇଉରୋପ କିମ୍ବା ଆମେରିକାର ଅଧ୍ୟାପକଙ୍କଠାରୁ ଶିକ୍ଷାଲାଭ କରିପାରେ ଏବଂ ଲାଟିନ୍‌ ଆମେରିକାର ଛାତ୍ର ଭାରତୀୟ ଯୋଗ, ଦର୍ଶନ କିମ୍ବା ସଙ୍ଗୀତ ଶିଖିପାରେ। ଏହିପରି ଭାବରେ ପୃଥିବୀ ଧୀରେଧୀରେ ଏକ ବିଶାଳ ଶ୍ରେଣୀକକ୍ଷରେ ପରିଣତ ହେଉଛି। କିନ୍ତୁ ଡିଜିଟାଲ ଶିକ୍ଷାର ଏହି ଉଜ୍ଜ୍ୱଳ ଚିତ୍ରର ଅନ୍ୟ ଏକ ଦିଗ ମଧ୍ୟ ରହିଛି। ପୃଥିବୀର ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଖରେ ସମାନ ଭାବରେ ବିଦ୍ୟୁତ୍‌, ଇଣ୍ଟରନେଟ୍‌, ସ୍ମାର୍ଟଫୋନ୍‌, କମ୍ପ୍ୟୁଟର, ଡିଜିଟାଲ ସାମଗ୍ରୀ ଓ ପ୍ରଶିକ୍ଷିତ ଶିକ୍ଷକ ନାହାନ୍ତି। ଯଦି ପ୍ରଯୁକ୍ତି କେବଳ ସମୃଦ୍ଧ ଶ୍ରେଣୀର ଶିକ୍ଷା ସୁଯୋଗକୁ ବଢ଼ାଏ, ତେବେ ଡିଜିଟାଲ ବିପ୍ଳବ ଅସମାନତା କମାଇବା ପରିବର୍ତ୍ତେ ତାହାକୁ ଆହୁରି ଗଭୀର କରିପାରେ। ଡିଜିଟାଲ ଶିକ୍ଷାର ଯାତ୍ରା ଏବେ ମଧ୍ୟ ଅସମ୍ପୂର୍ଣ୍ଣ। କାରଣ ପ୍ରଯୁକ୍ତି ନିଜେ ଶିକ୍ଷା ନୁହେଁ। ସ୍ମାର୍ଟବୋର୍ଡ ଜଣେ ଭଲ ଶିକ୍ଷକଙ୍କ ସ୍ଥାନ ନେଇପାରିବ ନାହିଁ। ଏକ ଡିଜିଟାଲ ପୁସ୍ତକ ସୂଚନା ଦେଇପାରେ, କିନ୍ତୁ ଜଣେ ଭଲ ଗୁରୁ ସୂଚନାକୁ ଜ୍ଞାନ ଓ ଜ୍ଞାନକୁ ବିବେକରେ ପରିଣତ କରିବାର ଦିଗ ଦେଖାନ୍ତି।
ଏହି ପରିବର୍ତ୍ତନଶୀଳ ଶିକ୍ଷାଜଗତରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଆଗାମୀ ବିପ୍ଳବର ଦ୍ୱାର ଖୋଲୁଛି। ଏଆଇ ଜଣେ ଛାତ୍ରର ଦକ୍ଷତା, ଦୁର୍ବଳତା, ଆଗ୍ରହ ଓ ଆବଶ୍ୟକତା ବୁଝି ବ୍ୟକ୍ତିଗତ ଶିକ୍ଷଣ ସାମଗ୍ରୀ ଦେଇପାରେ; ପ୍ରଶ୍ନ ତିଆରି କରିପାରେ, ତ୍ରୁଟି ଚିହ୍ନଟ କରିପାରେ, ଅଭ୍ୟାସ କରାଇପାରେ, ତୁରନ୍ତ ପ୍ରତିକ୍ରିୟା ଦେଇପାରେ ଓ ବହୁଭାଷାରେ ଜ୍ଞାନ ପହଞ୍ଚାଇପାରେ। ଭବିଷ୍ୟତରେ ଦୂରଦୂରାନ୍ତରରେ ଜଣେ ଛାତ୍ର ନିଜ ମାତୃଭାଷାରେ ଏକ ବୁଦ୍ଧିମାନ ଡିଜିଟାଲ ଶିକ୍ଷା ସହାୟକଙ୍କ ସହ ଆଲୋଚନା କରି ଶିକ୍ଷାଗ୍ରହଣ କରି ପାରିବ। ତଥାପି ଏଆଇ କେବେ ପ୍ରକୃତ ଶିକ୍ଷକଙ୍କ ମାନବୀୟ ଭୂମିକାର ପୂର୍ଣ୍ଣ ବିକଳ୍ପ ହୋଇପାରିବ ନାହିଁ। ଏଆଇ ଉତ୍ତର ଦେଇପାରେ, କିନ୍ତୁ ଶିକ୍ଷକ ଛାତ୍ରର ମନୋଭାବ ବୁଝିପାରନ୍ତି; ଏଆଇ ତଥ୍ୟ ଦେଇପାରେ, କିନ୍ତୁ ଶିକ୍ଷକ ପ୍ରେରଣା ଦେଇପାରନ୍ତି; ଏଆଇ ଅଭ୍ୟାସ କରାଇପାରେ, କିନ୍ତୁ ଶିକ୍ଷକ ଚରିତ୍ର ଗଠନ, ନୈତିକତା ଓ ମାନବିକ ମୂଲ୍ୟବୋଧ ଇତ୍ୟାଦି ଶିଖାଇପାରନ୍ତି। ତେଣୁ ଭବିଷ୍ୟତର ଶିକ୍ଷା ବ୍ୟବସ୍ଥାରେ ଏଆଇ ଶିକ୍ଷକଙ୍କ ବିକଳ୍ପ ନ ହୋଇ, ଶିକ୍ଷକଙ୍କୁ ଅଧିକ ସକ୍ଷମ, ସୃଜନଶୀଳ ଓ ଦକ୍ଷ କରିବା ପାଇଁ ବ୍ୟବହୃତ ହେବ।
ଭବିଷ୍ୟତର ଶିକ୍ଷାର୍ଥୀ କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ନୁହେଁ, ସମଗ୍ର ବାସ୍ତବ ଜୀବନ ପାଇଁ ଶିକ୍ଷିତ ହେବ। ସେ ପ୍ରଶ୍ନ କରିବା, ସୂଚନାର ସତ୍ୟତା ଯାଞ୍ଚ କରିବା, ଭ୍ରାନ୍ତ ଖବର ଚିହ୍ନଟ, ସୃଜନଶୀଳ ଚିନ୍ତନ, ସମସ୍ୟା ସମାଧାନ, ସହଯୋଗ ଓ ଯୋଗାଯୋଗ ଇତ୍ୟାଦିର କଳା ଶିଖିବ। ସୃଜନଶୀଳତା, ସମାଲୋଚନାତ୍ମକ ଚିନ୍ତନ, ଭାବନାତ୍ମକ ବୁଦ୍ଧି, ଏଆଇ ଓ ଡିଜିଟାଲ ସାକ୍ଷରତା, ନୈତିକ ବିଚାର, ଉଦ୍ୟମୀ ମନୋଭାବ ଏବଂ ଜୀବନବ୍ୟାପୀ ଶିକ୍ଷା ତାହାର ମୁଖ୍ୟ କ୍ଷମତା ହେବ। ଶିକ୍ଷାର ଲକ୍ଷ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରୁ ଜୀବନକୁ ବୁଝିବା ଓ ଭବିଷ୍ୟତ ଗଢ଼ିବାରେ ପରିବର୍ତ୍ତିତ ହେବ। ପାରସ୍ପରିକ ଶିକ୍ଷା ହିଁ ଏକ ସଫଳ ବିଶ୍ୱ ଶିକ୍ଷା ବ୍ୟବସ୍ଥା ଗଢ଼ିବାରେ ସହାୟକ ହେବ।
ଭବିଷ୍ୟତର ଶିକ୍ଷାବ୍ୟବସ୍ଥାକୁ ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା, ଯୁଦ୍ଧ ଓ ଶାନ୍ତି, ଦାରିଦ୍ର୍ୟ, ଅସମାନତା, ମହାମାରୀ, ଭ୍ରାନ୍ତ ସୂଚନା ଓ ସାଇବର ସୁରକ୍ଷା ଭଳି ନୈତିକ ପ୍ରଶ୍ନର ସମାଧାନ ପାଇଁ ମଣିଷକୁ ପ୍ରସ୍ତୁତ କରିବାକୁ ହେବ। ନିଜ ଭାଷା, ସଂସ୍କୃତି ଓ ଦେଶକୁ ଭଲପାଇବା ସହିତ ଅନ୍ୟ ସଂସ୍କୃତିକୁ ସମ୍ମାନ କରିବା ଏବଂ ପୃଥିବୀ ପ୍ରତି ଦାୟିତ୍ୱବାନ ହେବା ବିଶ୍ୱ ନାଗରିକତାର ମୌଳିକ ଶିକ୍ଷା ହେବ। ଶେଷରେ, କେବଳ ସ୍ମାର୍ଟ ସ୍କୁଲ, ଦ୍ରୁତ ଇଣ୍ଟରନେଟ୍‌ କିମ୍ବା ଶକ୍ତିଶାଳୀ ଏଆଇ ଦ୍ୱାରା ଭବିଷ୍ୟତ ଶିକ୍ଷାର ମୂଲ୍ୟାୟନ କରାଯାଇପାରିବ ନାହିଁ। ପ୍ରକୃତ ସଫଳତା ସେତେବେଳେ, ଯେତେବେଳେ ସହର କିମ୍ବା ଗ୍ରାମ, ଧନୀ କିମ୍ବା ଗରିବ, ଉତ୍ତର କିମ୍ବା ଦକ୍ଷିଣ, ପୂର୍ବ କିମ୍ବା ପଶ୍ଚିମ ପ୍ରତ୍ୟେକ ଶିଶୁ ନିଜ ପ୍ରତିଭାର ବିକାଶ ନିମନ୍ତେ ସମାନ ସୁଯୋଗ ପାଇବ। ଶିକ୍ଷାଦ୍ୱାରା ଜ୍ଞାନ ସହ ବିବେକ, ବିଜ୍ଞାନ ସହ ମାନବିକତା, ପ୍ରଯୁକ୍ତି ସହ ନୈତିକତା ଏବଂ ଜାତୀୟ ପରିଚୟ ସହ ବୈଶ୍ବିକ ଦାୟିତ୍ୱବୋଧକୁ ମଧ୍ୟ ଯୋଡ଼ିବାକୁ ହେବ। ‘ଏକ ପୃଥିବୀ, ଏକ ମାନବଜାତି ଓ ଏକ ସାଧାରଣ ଭବିଷ୍ୟତ’ ଭଳି ମହତ୍‌ ତଥା ଉଦାର ଭାବଧାରାରେ ବିଶ୍ୱର ଆଗାମୀ ଭବିଷ୍ୟତ ଗଢ଼ିବାର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ହେଉଛି ଶିକ୍ଷା। ଆଜି ଆମେ ଯେପରି ଶିକ୍ଷା ଦେବୁ, ଆସନ୍ତାକାଲିର ପୃଥିବୀ ସେହିପରି ହେବ। ସେଥିପାଇଁ ସମସ୍ତଙ୍କ ପାଇଁ ଉତ୍ତମ ତଥା ଗୁଣାତ୍ମକ ଶିକ୍ଷା, ପ୍ରଯୁକ୍ତି ସହ ମାନବିକତା ଏବଂ ସମଗ୍ର ମାନବଜାତି ପାଇଁ ଏକ ଶାନ୍ତିମୟ, ସମାନ ଓ ଉଜ୍ଜ୍ୱଳ ଭବିଷ୍ୟତ ଆମର ସାମୂହିକ ସଙ୍କଳ୍ପ ହେଉ।
ମୋ: ୯୭୭୭୦୧୧୯୬୮

Dharitri – Odisha’s No.1 Odia Daily