ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ ସମସ୍ତ ନଗରବାସୀଙ୍କୁ ବିନମ୍ରତାପୂର୍ବକ କହିଲେ – ”ହେ ମହାମତ୍ନ୍‌ ! ରାମ କେବଳ ରାଜା ହୋଇ ସିଂହାସନରେ ବସିଗଲେ ରାମରାଜ୍ୟର ପରିକଳ୍ପନା ଫଳପ୍ରସୂ ହେବନାହିଁ ପରନ୍ତୁ ଏଥିପାଇଁ ଲୋଡ଼ା ଉପଯୁକ୍ତ ଶାସନ ବ୍ୟବସ୍ଥା। ତେଣୁ ମୁଁ ମୁକ୍ତକଣ୍ଠରେ ଘୋଷଣାକରୁଛି ଯେ ରାଜ୍ୟଶାସନ କଲାବେଳେ ଯଦି କେବେ କିଛି ନୀତିବିରୁଦ୍ଧ କର୍ମକରେ ବା କହେ ତେବେ ବିନା ଶଙ୍କା ଓ ସଙ୍କୋଚରେ ଯିଏ ମୋର ଅନୀତି ବିରୁଦ୍ଧରେ ସ୍ବରଉତ୍ତୋଳନ କରି ଦୃଢ଼ପ୍ରତିବାଦ କରିବ ସେ ହେବ ମୋର ଅତ୍ୟନ୍ତ ପ୍ରିୟପ୍ରଜା । କାରଣ ରାମରାଜ୍ୟରେ ପ୍ରଜାମାନେ ହିଁ ସର୍ବସ୍ବ ଓ ରାଜା ସେବକମାତ୍ର“। ପ୍ରଭୁ ରାମଙ୍କର ଏ କଥା ଶୁଣି ସ୍ବତଃ ନଇଁଗଲା ସମସ୍ତଙ୍କର ମଥା ଓ ଉଦ୍‌ଘାଟନ ହେଲା ସର୍ବଜନହିତାୟ ରାମରାଜ୍ୟର ଅଭିଯାତ୍ରା। ରାମରାଜ୍ୟର ଘୋଷଣା ଖାଲି କଥାରେ ସୀମିତ ରହିଲା ନାହିଁ ବରଂ ପ୍ରଭୁ ତାକୁ କାମରେ କରିଦେଖାଇଦେଲେ, ଯେଉଁଦିନ ରଜକ ଓ ରଜକୀଙ୍କର ବାପଘରକୁ ଯିବାନେଇ ଯୁକ୍ତିତର୍କ ପ୍ରଭୁଙ୍କ କାନରେ ବାଜିଲା। ସୀତା ମାଆଙ୍କୁ ନେଇ ପ୍ରଜାଙ୍କର ଆକ୍ଷେପ ସେଦିନ ଦୋହଲାଇ ଦେଇଥିଲା ରାଜା ରାମଚନ୍ଦ୍ରଙ୍କର ମୂଲ୍ୟବୋଧର ମୂଳଦୁଆକୁ। ଫଳତଃ ପ୍ରଜାଙ୍କର ଟିପ୍ପଣୀକୁ କଠୋରତାର ସହ ଗ୍ରହଣକରି ସେ ନିର୍ଦ୍ଦୋଷ ସୀତାଠାକୁରାଣୀଙ୍କୁ ଦେଲେ ନିର୍ବାସନ ଦଣ୍ଡ। କେବଳ ମଣିଷ ପ୍ରତି ନୁହେଁ, ରାମରାଇଜରେ ଶ୍ୱାନପରି ଇତରପଶୁର ମନକଥାକୁ ବୁଝି ଉଚିତ ନ୍ୟାୟଦେବାରେ ମଧ୍ୟ ଧୁରୀଣ ଥିଲେ ରାମଚନ୍ଦ୍ର। ପାଠକେ! ଏହା ଥିଲା ରାମରାଇଜର ଅମଳିନ ଗାଥା। ଏବେ ଆସନ୍ତୁ ରାମରାଇଜରୁ ଆମେ ଟିକେ ଆମରାଇଜକୁ ଯିବା।
ଆମ ସମାଜରେ ନିତିପ୍ରତି ଘଟୁଥିବା ଅନ୍ୟାୟ ଅତ୍ୟାଚାର ଘଟଣାମାନ ପଢ଼ିଲେ ବା ଦେଖିଲେ ମନେହେଉଛି ସତେଯେପରି ନୀତି, ଆଦର୍ଶ, ସଂସ୍କାରସବୁ ପ୍ରାୟତଃ ନିରୁଦ୍ଦିଷ୍ଟ ହୋଇଗଲେଣି। ନୈତିକତାଘରେ ତାଲା ଝୁଲିଲାଣି। ଯେଉଁ ସମାଜରେ ପେଟର ଭୋକପାଇଁ ମାଆ ତା’ ପିଲାକୁ ବଜାରରେ ବିକିବାକୁ ପାଦକାଢ଼େ, ଯେଇଁଠି ତୁଣ୍ଡଖୋଲିଲେ ମୁଣ୍ଡଗଡ଼େ, କ୍ଷମତାପାଇଁ ବିବେକର ବଳି ପଡ଼େ ସେଠାରେ ଆମ ରାଇଜ କେତେ ଶୃଙ୍ଖଳିତ ତାହା ବେଶ୍‌ ଅନୁମେୟ। ମନରେ ପ୍ରଶ୍ନ ଆସେ ତେବେ ଆମେ ଏବେ କେଉଁ ରାଇଜରେ? ରାମରାଇଜରେ ନା ରାବଣପୁରୀରେ? ପ୍ରଭୁରାମଙ୍କ ପରି ରାବଣର ପାରିବାପଣିଆ ମଧ୍ୟ କିଛି କମ୍‌ ନ ଥିଲା। କିନ୍ତୁ ଏତେ ସାମର୍ଥ୍ୟ ସତ୍ତ୍ୱେ ରାବଣର ଶାସନବିଧି ଥିଲା ବଡ଼ ବିଚିତ୍ର ଓ ବିଷାକ୍ତ। ରାବଣ ଦାମ୍ଭିକତାପୂର୍ବକ ଘୋଷଣା କଲା ”ଯେ ମୋ ସମ୍ମୁଖରେ ଛିଡ଼ାହୋଇ ମୋ ଶାସନବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାର ଦୁର୍ବାର ସାହସକରିବ ତା’ର ପୁରସ୍କାର ହେବ ମୃତ୍ୟୁଦଣ୍ଡ ନ ହେଲେ କାରାଦଣ୍ଡ; ପଦାଘାତ ନ ହେଲେ ପକ୍ଷଚ୍ଛେଦ। ମୁଁ ଯାହା କହିଦେବିି ତାହା ହିଁ ନ୍ୟାୟ, ଯାହା କରିଦେବି ତାହା ହିଁ ନୀତି କାରଣ ଏ ବିଶାଳଭୂଖଣ୍ଡର ମୁଁ ହିଁ ଏକମାତ୍ର ପ୍ରଭୁ ଓ ସମସ୍ତପ୍ରଜା ମୋର କିଙ୍କର“। ରାବଣ କେବଳ ଏହା ଉଚ୍ଚାରଣ କଲାନାହିଁ ବରଂ ଆଚରଣରେ କରିଦେଖାଇଦେଲା। ନିଜର ଭିଣୋଇ ବିଦ୍ୱୁତ୍‌ଜିହ୍ବା ରାବଣର ଦୁର୍ନୀତି ବିରୋଧରେ ପ୍ରତିବାଦ କରିବାରୁ ତାକୁ ମିଳିଲା ମୃତ୍ୟୁଦଣ୍ଡ। ସମସ୍ତ ଗ୍ରହମାନଙ୍କୁ ବଳପୂର୍ବକ ଦେଲା କାରାଦଣ୍ଡ। ଭାଇ ବିଭୀଷଣକୁ କଲା ପଦାଘାତ। ପକ୍ଷୀ ଜଟାୟୁର ପକ୍ଷଚ୍ଛେଦ କଲା । ଏହା ହିଁ ଥିଲା ରାବଣର ଶାସନବ୍ୟବସ୍ଥା। ବଡ଼ ପରିତାପର ବିଷୟ ସମ୍ପ୍ରତି କେତେକ କ୍ଷମତାଲିପ୍ସୁଙ୍କର ଚକ୍ରାନ୍ତ ଓ ଆକ୍ରାନ୍ତରେ ଭାରାକ୍ରାନ୍ତ ହେଲାଣି ଆମ ସମାଜ, ଯେଉଁଠି ପ୍ରଜାକୁଳ ସଂକୁଳ ଓ ଜୀବନ ଡହଳବିକଳ। ଏପରି ପରିସ୍ଥିତିରେ ରାମରାଇଜର ପରିକଳ୍ପନା ହାସ୍ୟାସ୍ପଦ ନୁହେଁ କି? ଅତଏବ୍‌ ଏ ମହାମାରୀର ଉପଚାର ହେଉଛି ‘ସ୍ବଧ୍ୟାୟ’ ବା ଆମତ୍ଅନୁଶୀଳନ କରିବା। ବୈଦିକ ଋଷିମାନେ ଆଜ୍ଞା ଦେଲେ ‘ସ୍ବାଧ୍ୟାୟାନ୍‌ ମା ପ୍ରମଦ’। ତେଣୁ ଏ ପଙ୍କିଳ ପରିବେଶରୁ ମୁକ୍ତି ପାଇବାକୁ ହେଲେ ହାତରେ ଦର୍ପଣଟିଏ ଧରି ନିଜକୁ ଦେଖିବା ବା ଆମତ୍ଅନୁଶୀଳନ କରିବା ଉଚିତ। ଦର୍ପଣ ପାଖରେ ମିଛ ପ୍ରତିଶ୍ରୁତି କି ପ୍ରିୟାପ୍ରୀତି ନ ଥାଏ ବରଂ ଏହା ଏକ ନିରପେକ୍ଷ ବିଚାରବୋଧର ଆଧାରଟିଏ। ସେଥିପାଇଁ ତ ରାଜ ସଭାରେ ଥାଇ ମଧ୍ୟ ରାଜା ଦଶରଥ ହାତରେ ଦର୍ପଣଟିଏ ଧରି ଦେଖୁଥିଲେ ନିଜକୁ। ଏହି ଦର୍ପଣ ହିଁ ଦଶରଥଙ୍କୁ ଦେଲା ଅଭିନବଜ୍ଞାନ ଆଉ ଶିଖାଇଲା ଗଭୀର ଜୀବନଦର୍ଶନ।
ତେଣୁ ଆଜିର ସମାଜରେ ରାଜଗାଦିରେ ବସି ରାଜ୍ୟ ସମ୍ଭାଳୁଥିବା ପ୍ରତ୍ୟେକ ରାଜା ନିଜହାତରେ ଦର୍ପଣଟିଏ ଧରିବା ନିହାତି ଲୋଡା। ତେବେଯାଇ ସେମାନେ ଉପଲବ୍ଧି କରିପାରିବେ ତାଙ୍କର ଶାସନବ୍ୟବସ୍ଥା ଲୋକକଲ୍ୟାଣକାରୀ ନା ଉପଦ୍ରବକାରୀ, ସେମାନେ କ୍ଷମତା ପାଇଁ ଲାଳାୟିତ ନା ସେବାପାଇଁ ସମର୍ପିତ। ପାଠକେ! ଅଯୋଧ୍ୟାରେ ଥିଲେ ଦଶରଥ ଆଉ ଲଙ୍କାରେ ଥିଲା ଦଶମୁଖ। ଦଶରଥ ଥିଲେ ରାଜା ଆଉ ରାବଣ ଥିଲା ରାଜା। କିନ୍ତୁ ପାର୍ଥକ୍ୟ ହେଉଛି ଦଶରଥଙ୍କର ରଥ ଥିଲା ନିୟନ୍ତ୍ରଣଯୁକ୍ତ ତେଣୁ ସେ ହେଲେ ପ୍ରଜାବତ୍ସଳ ସୁଶାସକ। ହେଲେ ଦଶମୁଖର ମୁଖଥିଲା ଇନ୍ଦ୍ରିୟଲାଳସାଯୁକ୍ତ, ତେଣୁ ସେ ହେଲା ବିଷୟୀ ଓ ପ୍ରଜାସୁଖର ବାଧକ। ତେଣୁ ‘ନିଜ ସ୍ବାର୍ଥତେଜି ପରଜା ପାଳିଲେ ରାଜା ତ ପରମାରାଧ୍ୟ’। ଅତୀତକୁ ଟିକେ ମନେପକାଇଲେ। ସେଦିନ ଅଜ୍ଞାତସାରରେ ଶ୍ରବଣକୁମାରକୁ ଶରବିଦ୍ଧ ହୋଇଗଲା ବୋଲି ନିଜକୁ ଅପରାଧୀ ମଣି ପ୍ରଜାଙ୍କର ଅଭିଶାପକୁ ମୁଣ୍ଡେଇ ନେଲେ ରାଜା ଦଶରଥ। ଭୋକିଲା ପ୍ରଜାର ଭୋକର ଜ୍ୱାଳାକୁ ବୁଝିପାରିଥିଲେ ବୋଲି ଟେକାକୁ ଗୌରବରଟିକା କରିନେଲେ ପାବକେଶରୀ ରଣଜିତ। ଚିନ୍ତାନାୟକ ବାଇମୁଣ୍ଡିର ଟଙ୍କାଥଳି ଓ ଭାବଭରା ଅଳିକୁ କଳିପାରିଥିଲେ ବୋଲି ପ୍ରଜାଙ୍କ ଆଦର୍ଶପାଖରେ ଢଳିଯାଇଥିଲେ ମର୍କତକେଶରୀ ନରନାଥ। ଆଜି କୁଆଡ଼େଗଲା ସେ ମହନୀୟତା ଓ ଆଦର୍ଶ? ଏହା ହିଁ ବିଡ଼ମ୍ବନା। ତେଣୁ ଆମ ନୈତିକତାର ଉତରଣ ଘଟୁ। ହାହାକାର ନୁହେଁ ବରଂ ହାର୍ଦ୍ଦିକତାରେ, କ୍ଷମତାରେ ନୁହେଁ ବରଂ ମମତାରେ, କାରୁଣ୍ୟ ନୁହେଁ ବରଂ କରୁଣାରେ, ଫିଟିଯାଉ ଏ ଅନ୍ଧାରଗଳିରୁ ରାମରାଇଜକୁ ରାସ୍ତା।
ଅଧ୍ୟାପକ, ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକ
ମୋ: ୯୪୩୭୧୧୩୧୬୨

Odisha’s No.1 Odia Daily