ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର ମୂର୍ତ୍ତି ଅଛି। ସେ ତାଙ୍କର ୧୦ଟି ମୁଣ୍ଡ ମଧ୍ୟରୁ ଅନେକ କାଟି ଅଗ୍ନିରେ ଆହୁତି ଦେଉଥିବା ଦେଖାଯାଏ। ଏହି ଦୃଶ୍ୟ ବାଲ୍ମୀକି ରାମାୟଣରୁ ଆସିନାହିଁ, ବରଂ ପରବର୍ତ୍ତୀ ରଚାନାତ୍ମକ ଭାବନାରୁ ସୃଷ୍ଟି ହୋଇଛି। ମହାଭାରତର ‘ରାମୋପାଖ୍ୟାନ’ରେ ବ୍ରହ୍ମାଙ୍କୁ ଏହା ସମର୍ପଣ କରାଯାଇଥିବା ଉଲ୍ଲେଖ ରହିଛି ଏବଂ ପରବର୍ତ୍ତୀ ଆଞ୍ଚଳିକ ସଂସ୍କରଣଗୁଡ଼ିକରେ ଶିବଙ୍କୁ ଉତ୍ସର୍ଗ ହୋଇଥିବା କୁହାଯାଇଛି। ଏହି ନିର୍ଦ୍ଦିଷ୍ଟ ମୂର୍ତ୍ତି ପ୍ରାୟ ୧୦୦୦ ଖ୍ରୀଷ୍ଟାବ୍ଦର। ସେହି ଅଞ୍ଚଳରେ ଏହାର ଅବସ୍ଥାନ ମହତ୍ତ୍ୱପୂର୍ଣ୍ଣ, ଯାହାକୁ ପ୍ରାଚୀନ ଗ୍ରନ୍ଥଗୁଡ଼ିକ ଦକ୍ଷିଣ କୋଶଳ ବୋଲି ନାମିତ କରିଥିଲା। ଏହାର ଉତ୍ତରରେ ରାମଙ୍କ ମାତୃଭୂମି ଉତ୍ତର କୋଶଳ ଅବସ୍ଥିତ। ଏହାର ପୂର୍ୱ ଦିଗରେ ଯେଉଁ ଅଞ୍ଚଳ ଥିଲା ତାହା ପରେ ପଶ୍ଚିିମି (ପଶ୍ଚିମ) ଲଙ୍କା ନାମରେ ପରିଚିତ, ଯାହାକୁ ଏବେ ଓଡ଼ିଶା କୁହାଯାଉଛି। ଏହାର ଦକ୍ଷିଣରେ ଘଞ୍ଚ ଦଣ୍ଡକାରଣ୍ୟ ବ୍ୟାପିଥିଲା। ବାଲ୍ମୀକିଙ୍କ ରଚନାତ୍ମକ ଧାରଣା ବା ସୃଜନାତ୍ମକ କଳ୍ପନାରେ ଏହା ଥିଲା ସୁଦୂର ଦକ୍ଷିଣର ଅଂଶ। ଏହି ଭୌଗୋଳିକ ଭୂମିକୁ ଚାରୋଟି ବୃହତ୍ ନଦୀ ଘେରି ରହିଛି। ଉତ୍ତରରେ ଗଙ୍ଗା, ଦକ୍ଷିଣରେ ଗୋଦାବରୀ, ପୂର୍ୱରେ ମହାନଦୀ ଏବଂ ପଶ୍ଚିମରେ ନର୍ମଦା। ଏହି ଅଞ୍ଚଳରେ ଘନ ଶାଳ ଜଙ୍ଗଲ ଅଛି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ବାଲ୍ମୀକି ରାମାୟଣରେ ବାରମ୍ୱାର ଶାଳଗଛ ବିଷୟରେ କୁହାଯାଇଛି। ହେଲେ ଦକ୍ଷିଣ ଭାରତର ଜଙ୍ଗଲରେ ଶାଳଗଛ ବଢ଼େ ନାହିଁ। ଶାଳଗଛ କେନ୍ଦ୍ରୀୟ ଏବଂ ପୂର୍ୱ ଭାରତରେ ଅର୍ଥାତ୍ ଛତିଶଗଡ଼ର ଉତ୍ତରରେ ଏବଂ ହିମାଳୟ ପାଦଦେଶ ପାଖାପାଖି ଅଞ୍ଚଳରେ ବଢ଼େ। ତେବେ ରାମ ଯେଉଁ ଜଙ୍ଗଲରେ ପ୍ରବେଶ କରିଥିଲେ ତାହା ତାମିଲନାଡୁ କିମ୍ୱା କେରଳ ନୁହେଁ।
ଏହା ହେଉଛି ଏହି କେନ୍ଦ୍ର ଭାରତର ଜଙ୍ଗଲ କ୍ଷେତ୍ର।
ବିଶେଷକରି ଓଡ଼ିଶାର ଆର୍ଦ୍ର ପାର୍ୱତ୍ୟ ଅଞ୍ଚଳରେ ଶାଳ ଗଛ ସହିତ ଅଶୋକ ଗଛ ବି ଭଲ ବଢ଼େ। ଏହି ଅଞ୍ଚଳ ଏବେ ମହେନ୍ଦ୍ରଗିରି ଭାବରେ ଜଣାଶୁଣା। ଅଶୋକ ଗଛ ହେଉଛି ଓଡ଼ିଶାର ରାଜ୍ୟ ବୃକ୍ଷ। ସୀତା ଅଶୋକ ଗଛରେ ପରିପୂର୍ଣ୍ଣ ବଗିଚାରେ ବନ୍ଦୀ ହୋଇ ରହିଥିବା କଥା ରାମାୟଣରେ ଉଲ୍ଲେଖ ରହିଛି। ଏହା ପୁନର୍ୱାର ପୂର୍ୱ-କେନ୍ଦ୍ରୀୟ ଭାରତର ଏକ ପରିବେଶକୁ ସୂଚିତ କରେ। ଯେତେବେଳେ ବାଲ୍ମୀକି ମର୍କଟଙ୍କ ଦେଶ କିସ୍କିନ୍ଧା ଏବଂ ରାକ୍ଷସଙ୍କ ଭୂମି ଲଙ୍କା ବିଷୟରେ କହିଛନ୍ତି, ସେତେବେଳେ ଏହା ଦକ୍ଷିଣାଞ୍ଚଳ ବିଶେଷକରି ଆର୍ଯ୍ୟାବର୍ତ୍ତର ଦକ୍ଷିଣ, ସମ୍ଭବତଃ ଏକ ନଦୀର ଟାପୁ ବା ଦ୍ୱୀପାଞ୍ଚଳ ବୋଲି ତାଙ୍କ ମନରେ ରହିଥାଇପାରେ। ଆଜି ଆମେ ଶ୍ରୀଲଙ୍କା ବୋଲି ଯାହାକୁ କହୁଛେ ତାହା ସେହି ଦ୍ୱୀପାଞ୍ଚଳ ନୁହେଁ, ବରଂ ତାହା ବାସ୍ତବରେ ହେଉଛି କେନ୍ଦ୍ର ଭାରତର ଜଙ୍ଗଲ ଏବଂ ଖଣିଜ ସମ୍ପଦଭରା ଅଞ୍ଚଳ।
ରତନପୁର ଏଭଳି ଏକ ଅଞ୍ଚଳରେ ରହିଛି ଯାହା ବିଷୟରେ ରାମାୟଣ କଥାର ପ୍ରାଥମିକ ସ୍ତରରେ ଉଲ୍ଲେଖ ରହିଛି। ଆଜି ଆମେ ରାମାୟଣକୁ ଏକ ଜାତୀୟ କାବ୍ୟ ବୋଲି କହୁଛୁ, କିନ୍ତୁ ଏହା ଯେଉଁ ଜଗତ ସମ୍ପର୍କରେ ବର୍ଣ୍ଣନା କରେ ତାହା ବହୁ ପୁରାତନ। ଏହା ପାଖାପାଖି ୩୦୦୦ ବର୍ଷ ପୁରାତନ, ବୈଦିକ ସମୟର ଘଟଣାଗୁଡ଼ିକ ସମ୍ପର୍କରେ ବର୍ଣ୍ଣନା କରେ; ଯଦିଓ ଏହି କାବ୍ୟ ପ୍ରାୟ ୨,୦୦୦ ବର୍ଷ ପୂର୍ୱେ ରଚନା କରାଯାଇଥିଲା, ଯାହା ମୌର୍ଯ୍ୟ ଏବଂ ଗୁପ୍ତ ସାମ୍ରାଜ୍ୟ ମଧ୍ୟରେ ସଙ୍କଳିତ ହୋଇଥିଲା।
ଶାଳ ଏବଂ ଅଶୋକ ଗଛଗୁଡିକ ବୌଦ୍ଧଧର୍ମ ସହିତ ଗଭୀର ଭାବରେ ଜଡ଼ିତ ଥିଲା। ବୁଦ୍ଧ ଦୁଇଟି ଶାଳଗଛ ମଧ୍ୟରେ ଦେହତ୍ୟାଗ କରିଥିଲେ। ସେ ମଧ୍ୟ ଅଶୋକା ଗଛ ତଳେ ଜନ୍ମ ହୋଇଥିଲେ। ତେଣୁ, ଏହି ଦୁଇଟି ଗଛ ସହିତ ରାବଣର ଲଙ୍କାକୁ ଜଡ଼ିତ କରାଯାଇପାରିବ ନାହିଁ। ଏହା ଅଶୋକଙ୍କ ପରବର୍ତ୍ତୀ ସମୟରେ ବ୍ରାହ୍ମଣ-ବୌଦ୍ଧଧର୍ମର ବିଚାରଗତ ବିରୋଧାଭାଷକୁ ପ୍ରତିଫଳିତ କରେ। ତେବେ ୧୦୦୦ ଖ୍ରୀଷ୍ଟାବ୍ଦ ପରେ କିଛି ନାଟକୀୟ ଘଟଣା ଘଟିଛି। ଶ୍ରୀଲଙ୍କାର ରାଜାମାନଙ୍କ ସହିତ ଚୋଳ ବଂଶ ରାଜାଙ୍କର ସବୁବେଳେ ଯୁଦ୍ଧ ଲାଗି ରହିଥିଲା। ମନ୍ଦିରର ମୂର୍ତ୍ତି ଓ ଅନ୍ୟ ଉପକରଣ ତଥା କଳାକୃତି ପାଇଁ ଆବଶ୍ୟକ ତମ୍ୱା ଉପରେ ନିର୍ଭର କରୁଥିବା ଚୋଳ ରାଜାମାନେ ଶ୍ରୀଲଙ୍କାକୁ ରାବଣର ଲଙ୍କା ବୋଲି ନାମିତ କରିଛନ୍ତି। ଅନୁରାଧପୁର ଭଳି ସହରଗୁଡ଼ିକ ଲୁଣ୍ଠିତ ହୋଇଛି ଏବଂ ସିଂହଳଦ୍ୱୀପକୁ ରାକ୍ଷସ ରାଜ୍ୟ ସହିତ ସମାନ ହୋଇଛି। ଏହି ଧାରଣାକୁ ମହାଯାନ ବୌଦ୍ଧ ଗ୍ରନ୍ଥ ଲଙ୍କାବତାର ସୂତ୍ରରେ ଦୃଢ଼ କରାଯାଇଛି। ବୁଦ୍ଧ ଲଙ୍କା ପରିଦର୍ଶନ କରି ରାବଣଙ୍କୁ ଶିକ୍ଷା ଦେଇଥିବା ବିଷୟ ଏଥିରେ ଉଲ୍ଲେଖ ଅଛି। ଏହି ଗ୍ରନ୍ଥରେ ଉଲ୍ଲେଖ ଥିବା ଲଙ୍କା ସାଙ୍କେତିକ ଏବଂ ଦାର୍ଶନିକ, ହେଲେ ଭୌଗୋଳିକ ଶ୍ରୀଲଙ୍କା ନୁହେଁ। କିନ୍ତୁ ନାମଗୁଡ଼ିକ ରହିଛି ଏବଂ ଏହା ସହ ଜଡ଼ିତ ଭାବନା ସମୟକ୍ରମେ ବଦଳିଛି।
ପ୍ରାୟ ୧୫୦୦ ଖ୍ରୀଷ୍ଟାବ୍ଦରେ, ବିଜୟନଗର ସାମ୍ରାଜ୍ୟରେ ମାଧବ ବ୍ରାହ୍ମଣଙ୍କ ପ୍ରଭାବରେ ଡେକାନ୍ ବା ନର୍ମଦା ନଦୀ ଦକ୍ଷିଣରେ ଥିବା ଅଞ୍ଚଳରେ ଅନେକ ଶହ ହନୁମାନ ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ଅଞ୍ଚଳ ମାଙ୍କଡ଼ଙ୍କ ଦେଶ କିସ୍କିନ୍ଧା ଭାବେ ଜଣାଶୁଣା, ଯାହା ଛତିଶଗଡ ଏବଂ କେନ୍ଦ୍ରୀୟ ଭାରତର ଦଣ୍ଡକାରଣ୍ୟର ପୌରାଣିକ ତଥା ଐତିହାସିକ ମହତ୍ତ୍ୱକୁ କ୍ଷୀଣ କରେ। ତଥାପି ଚିହ୍ନଗୁଡିକ ରହିଯାଇଛି। ସୁବର୍ଣ୍ଣରେଖା ଭଳି ନଦୀ ନାମ, ସୋନପୁର ଏବଂ ରତନପୁର ଭଳି ସହର ଏବଂ ସ୍ଥାନୀୟ କିମ୍ୱଦନ୍ତୀ ରାବଣର କଥାକୁ ଦୋହରାଇଛି। ଏହି ଅଞ୍ଚଳର ମଧ୍ୟଯୁଗୀୟ ଗୋଣ୍ଡ ରାଜବଂଶର ରାଜାମାନେ ରାଜପୁତ ବଂଶରୁ ନିଜକୁ ପୃଥକ୍ କରିବାକୁ ଆଗ୍ରହୀ ଥିଲେ, ନିଜେ ରାବଣର ପୂର୍ୱଜ ପୁଲସ୍ତ୍ୟଙ୍କଠାରୁ ଆସିଥିବା ଦାବି କରୁଥିବା ମୁଦ୍ରା ପ୍ରଚଳନ କରିଥିଲେ। ପ୍ରାୟ ୧୫ ଏବଂ ୧୬ ଶତାବ୍ଦୀରେ ଏହା ଘଟିଥିଲା।
ଅନେକ ମୁଣ୍ଡ ଥିବା ରାବଣଙ୍କ ଛବି ଅନ୍ୟ ଏକ ତୁଳନାତ୍ମକ କଥାକୁ ଉଜାଗର କରେ। ପ୍ରାୟ ୫୦୦ ଖ୍ରୀଷ୍ଟାବ୍ଦରୁ, ମହାଯାନ ବୌଦ୍ଧଧର୍ମ ଏକାଧିକ ମୁଣ୍ଡ ଏବଂ ବାହୁ ବିଶିଷ୍ଟ ବୋଧିସତ୍ତ୍ୱ (ଅବଲୋକିତେଶ୍ୱର)ଙ୍କ ସମ୍ପର୍କରେ ବର୍ଣ୍ଣନା ଆରମ୍ଭ କରିଛି। ପ୍ରାରମ୍ଭିକ ବୁଦ୍ଧ ମୂର୍ତ୍ତିିଗୁଡ଼ିକ ଦୁଇ ବାହୁ ବିଶିଷ୍ଟ ଏବଂ ଶାନ୍ତ ମୁଦ୍ରାର ଥିଲା। ହିନ୍ଦୁ ପ୍ରଭାବରେ ବୌଦ୍ଧ କଳାରେ ଅନେକ ଭିନ୍ନତା ପ୍ରବେଶ କରିଛି। ଫଳରେ ପୁରୁଷ ଏବଂ ଦିବ୍ୟ ମାନବୀୟ ଧାରଣାକୁ ଆଧାର କରି ସେମାନଙ୍କୁ ଅନେକ ମୁଣ୍ଡ ଏବଂ ଅନେକ ଅଙ୍ଗ ସହିତ ପ୍ରକାଶ କରାଯାଇଛି। ଯେତେବେଳେ ଆମେ ରାମାୟଣ ଅଧ୍ୟୟନ କରୁ ଏବଂ ରତନପୁରର ରାବଣ ମୂର୍ତ୍ତିକୁ ଅନୁଧ୍ୟାନ କରୁ, ସେତେବେଳେ ଆମେ ପୁରାତନ ଲେଖା ଜାଗାରେ ନୂଆ ଲେଖା ଦେଖିବାକୁ ପାଉ। ଆଧୁନିକ ରାଜନୈତିକ କାହାଣୀଗୁଡିକରେ ଜଙ୍ଗଲ, ନଦୀ, ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱାସ,ଭୌଗୋଳିକ ପରିବର୍ତ୍ତନ ଏବଂ ସମୟକ୍ରମେ ପରିବର୍ତ୍ତିତ ଦେବତାଙ୍କର ପୁରାତନ ସ୍ମୃତି ରହିଛି। ମହାକାବ୍ୟ ସ୍ଥିର ହୋଇ ରହିନାହିଁ, ସେଥିରେ ପରିବର୍ତ୍ତନ ହେବା ଲକ୍ଷ୍ୟ କରାଯାଇଛି। ଆମେ ଯାହା ଭୁଲିଯିବାକୁ ଚାହିଁିଛୁ ତାହାକୁ ସେ ଧରି ରଖିଛି।
-devduttofficial@gmail.com