Categories: ଖେଳ

ବ୍ରିସ୍‌ବେନ୍‌ରେ ଆଘାତ ସମସ୍ୟା ଜର୍ଜରିତ ଭାରତୀୟ ଦଳର ଅଭ୍ୟାସ

ବ୍ରିସ୍‌ବେନ୍‌,୧୪।୧(ପି.ଟି.): ଆଘାତ ସମସ୍ୟା ଜର୍ଜରିତ ଭାରତୀୟ କ୍ରିକେଟ ଦଳ ବୁଧବାର ବ୍ରିସ୍‌ବେନ୍‌ରେ ଅଭ୍ୟାସ କରିଛି। ସ୍ଥାନୀୟ ଗାବା ଗ୍ରାଉଣ୍ଡରେ ଦଳର ପ୍ରଥମ ଟ୍ରେନିଂ ସେସନରେ ଭାରତୀୟ ଖେଳାଳିମାନେ ବେଶ୍‌ ଝାଳ ବୁହାଇଥିଲେ। ଚଳିତ ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ନିର୍ଣ୍ଣାୟକ ମ୍ୟାଚରେ ଭାରତ ୧୧ଜଣ ଫିଟ୍‌ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ବୋଲି ଆଶା ରଖିଛି।
ଆବଡୋମିନାଲ ଷ୍ଟ୍ରେନ୍‌ କାରଣରୁ ଏହି ଟେଷ୍ଟରୁ ବାଦ୍‌ ପଡିସାରିଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ମଧ୍ୟ ଦଳ ସହ ରହି ଟ୍ରେନିଂ ସେସନରେ ଭାଗ ନେଇଥିଲେ। ସେହିପରି ଏଥିରେ ନିଜର ଟ୍ରେନିଂ କିଟ୍‌ ସହ ରୋହିତ ଶର୍ମା, ଶୁବମନ ଗିଲ୍‌, ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଅଭ୍ୟାସ କରି ନ ଥିଲେ ମଧ୍ୟ ବୁମ୍‌ରା ବୋଲିଂ କୋଚ୍‌ ଭରତ ଅରୁଣଙ୍କ ସହ ଆଲୋଚନା କରୁଥିବାର ଦେଖାଯାଇଥିଲା।
ସିଡ୍‌ନୀ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରିବା ପରେ ଖେଳାଳିମାନେ ପୁଣି ଥରେ ଏକାଠି ହୋଇଛନ୍ତି। ଗାବାରେ ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଛୁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ଟୁଇଟର ହ୍ୟାଣ୍ଡଲ୍‌ରେ ସୂଚନା ଦେଇଛି। ନେଟ୍ସରେ ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ ବୋଲିଂ କରୁଥିବାର ଦେଖାଯାଇଥିଲା। ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇଞ୍ଜୁରି କାରଣରୁ ଦଳରୁ ବାଦ୍‌ ପଡିଥିବା ବେଳେ ତାଙ୍କ ସ୍ଥାନରେ କୁଲଦୀପ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି ଦ୍ରୁତ ବୋଲଣ ଶାର୍ଦ୍ଦୁଳ ଠାକୁର ଓ ଅଲ୍‌ରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ମଧ୍ୟ ଟ୍ରେନିଂରେ ସାମିଲ ହୋଇଥିଲେ। ବୁମ୍‌ରାଙ୍କ ସ୍ଥାନରେ ଶାର୍ଦ୍ଦୁଳ କିମ୍ବା ଟି. ନଟରାଜନ ଚତୁର୍ଥ ଟେଷ୍ଟ ପାଇଁ ଦଳରେ ସାମିଲ ହେବେ। ଫଳରେ ନବଦୀପ ସଇନି ଓ ମହମ୍ମଦ ସିରାଜଙ୍କ ସମେତ ଭାରତୀୟ ବୋଲିଂ ବିଭାଗକୁ ନୂଆ ରୂପରେ ଦେଖିବାକୁ ମିଳିବ। ସିଡ୍‌ନୀ ଟେଷ୍ଟ ଖେଳିବା ଅବସରରେ ବୁମ୍‌ରା ଆବଡୋମିନାଲ ଷ୍ଟ୍ରେନ୍‌ର ଶିକାର ହୋଇଥିଲେ। ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଟ୍ରେନିଂ ପ୍ରକ୍ରିୟା ଉପରେ ନଜର ରଖିଥିଲେ ଓ ଦଳକୁ ସମ୍ବୋଧିତ କରିଥିଲେ। ବାକି ସପୋର୍ଟ ଷ୍ଟାଫ୍‌ଙ୍କ ସହିତ ମଧ୍ୟ ଶାସ୍ତ୍ରୀ ଆଲୋଚନା କରିଥିଲେ। ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର, ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧର ଓ ଭରତଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ବାର୍ତ୍ତାଳାପ କରିଥିଲେ।
ଚଳିତ ଅଷ୍ଟ୍ରେଲିଆ ସିରିଜରେ ଭାରତ ଇଞ୍ଜୁରି ନେଇ ସାଂଘାତିକ ସମସ୍ୟାରେ ପଡିଛି। ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଦ୍ରୁତ ବୋଲିର ଈଶାନ୍ତ ଶର୍ମା ଓ ଭୁବନେଶ୍ୱର କୁମାର ଦଳରୁ ବାଦ୍‌ ପଡିସାରିଥିଲେ। ପ୍ରଥମ ଟେଷ୍ଟ ପରେ ମହମ୍ମଦ ସାମି ସିରିଜରେ ଖେଳିପାରି ନ ଥିଲେ। ସେହିପରି ସମକାରଣ ଯୋଗୁ ଉମେଶ ଯାଦବ ମଧ୍ୟ ଶେଷ ଦୁଇଟି ଟେଷ୍ଟରୁ ବାଦ୍‌ ପଡିଥିଲେ। ସିଡ୍‌ନୀ ଟେଷ୍ଟର ହିରୋ ରବିଚନ୍ଦ୍ରନ ଅଶ୍ୱିନ ଓ ହନୁମା ବିହାରୀ ଆହତ ହୋଇଛନ୍ତି। ଏମାନେ ଅନ୍ତିମ ଟେଷ୍ଟ ଖେଳିବା ନେଇ ଆଶଙ୍କା ରହିଛି। ତୃତୀୟ ଟେଷ୍ଟ ୯୭ ରନର ସାହସିକ ତଥା ଦ୍ରୁତ ଇନିଂସ ଖେଳିଥିବା ରିଷଭ ପନ୍ତ ମଧ୍ୟ କହୁଣିରେ ଆଘାତ ପାଇଥିଲେ। ଦ୍ୱିତୀୟ ଇନିଂସରେ ଉଇକେଟ କିପିଂ କରିପାରି ନ ଥିଲେ ମଧ୍ୟ ସେ ବ୍ୟାଟିଂକରି ଏହି ଐତିହାସିକ ଇନିଂସ ଖେଳିଥିଲେ।

Share