ଗୋଲାପି ପର୍ଦ୍ଦା

ଭାରତବର୍ଷରେ ଚାହିଦାଠାରୁ ଅଧିକ ରାଜନୈତିକ ଦଳ ଗଢ଼ିଉଠୁଛନ୍ତି ବୋଲି ଅନେକ ଦିନରୁ ଶୁଣୁଛୁ। ଏବେ ସେହି ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନାହିଁ। ଅନ୍ୟପଟେ ସାଧାରଣ ଲୋକଙ୍କୁ ଆକର୍ଷିତ କରିବା ପାଇଁ ମାଗଣାରେ ଅନେକ ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ସବୁଦଳରୁ ଦେଖିବାକୁ ମିଳୁଛି। ଏହା ଯେତିକି ମାରାତ୍ମକ ନୁହେଁ, ତାହାଠାରୁ କାହିଁ ଅଧିକ ବିପଜ୍ଜନକ ହେଉଛି ପ୍ରାୟ ଅଧିକାଂଶ ଦଳ ଏବେ ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟକ୍ଷରେ ଏକପ୍ରକାର ନୀତି ପ୍ରଚଳନ କରିବାରେ ଲାଗିପଡ଼ିଛନ୍ତି। ସମସ୍ତେ ଭାବୁଥିଲେ ଭାରତୀୟ ଜନତା ପାର୍ଟି (ଭାଜପା)ର ପୁରୁଷପ୍ରାଧାନ୍ୟ ରାଜନୀତି ସହିତ ହିନ୍ଦୁତ୍ୱ ମିଶିଗଲେ ଭାରତକୁ ସବୁବେଳେ କବ୍‌ଜା କରି ରଖିବା ସହଜ ହେବ। ଏବେ ସେହି ଦୌଡ଼ରେ ଅନ୍ୟ ଦଳ ସାମିଲ ହେବାକୁ ପଛାଉ ନାହାନ୍ତି। ଦିଲ୍ଲୀରେ ଶାସନ କରୁଥିବା ଅରବିନ୍ଦ କେଜରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ଉଦାହରଣ ଭାବେ ଦେଖାଯାଉ। ଚିନ୍ତା କରାଯାଉଥିଲା ଯେ ଏହି ଦଳ ଆଧୁନିକ ଚିନ୍ତାଧାରା ସହିତ ଉଦାର ମୂଲ୍ୟବୋଧ ଦ୍ୱାରା ପରିଚାଳିତ ହେବ। ଏବେ ଦେଖାଯାଉଛି ତାହା ସମ୍ପୂର୍ଣ୍ଣ ଭ୍ରାନ୍ତ ଧାରଣା ଥିଲା। ନିକଟ ଅତୀତରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ଏକ ନୂଆ କାର୍ଯ୍ୟକ୍ରମ ହାତେଇଛି। ଦିଲ୍ଲୀ ସହରରେ ଥିବା ପ୍ରାୟ ୨୫୦ ଓ୍ବାର୍ଡରେ ମହିଳାମାନଙ୍କ ପାଇଁ ‘ସ୍ବତନ୍ତ୍ର ପିଙ୍କ୍‌ ପାର୍କ’ ବା ଗୋଲାପି ପ୍ରମୋଦ ଉଦ୍ୟାନ କରାଯିବ ବୋଲି ଘୋଷଣା କରାଯାଇଛି। ଏକ ସମୟରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେଶନ ତରଫରୁ ଘୋଷଣା କରାଯାଇଛି ଯେ, ମହିଳାଙ୍କ ସୁରକ୍ଷା ସକାଶେ ଭୂତଳ ରେଳ ଗାଡ଼ିଗୁଡ଼ିକରେ ଅଧିକ ସାଦା ପୋଷାକଧାରୀ ପୋଲିସ ନିୟୋଜିତ ହେବେ।
ଉପରଠାଉରିଆ ଭାବେ ଦେଖିଲେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ପାର୍କ, ଯେଉଁଥିରେ ପୁରୁଷଙ୍କ ପ୍ରବେଶ ନିଷିଦ୍ଧ ହେବ ଏବଂ ମେଟ୍ରୋରେ ଅଧିକ ପୋଲିସ ରହିବା ଘୋଷଣା ମହିଳାଙ୍କ ସୁରକ୍ଷା ଦିଗରୁ ସ୍ବାଗତଯୋଗ୍ୟ। ଏହି ଘୋଷଣା ପାଇଁ ହୁଏତ ବିଭିନ୍ନ ମହଲରୁ ପ୍ରଶଂସାର ସ୍ରୋତ ବୋହିବ। କିନ୍ତୁ ଏଭଳି ପଦକ୍ଷେପ ଏକ ବିପଦ ଆଡିକି ଟାଣି ନେଉଛି ବୋଲି ଏବେ ବୁଝିବା କଷ୍ଟକର। ବିଶେଷକରି ଦିଲ୍ଲୀରେ ମହିଳାମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଓ ଅତ୍ୟାଚାରର କାହାଣୀ ଦେଶ ବିଦେଶର ଗଣମାଧ୍ୟମରେ ସବୁବେଳେ ପ୍ରକାଶ ପାଇଆସୁଛି। ଏହା ଆରମ୍ଭ ହୋଇଥିଲା ନିର୍ଭୟା ଘଟଣାରୁ, ଆଜି ମଧ୍ୟ ତାହା ହ୍ରାସ ପାଉନାହିଁ।
ଏଭଳି ପଦକ୍ଷେପ ପଛରେ ଥିବା ଚିନ୍ତାଧାରା କାହିଁକି ବିପଦ ସୃଷ୍ଟି କରିବ ତା’ ସମ୍ପର୍କରେ ଭାବିବା ଦରକାର। ମହିଳାମାନେ ଘରୁ ବାହାରକୁ ବାହାରିଲେ କେବଳ ପାର୍କରେ ଯାଇ ବସନ୍ତି ନାହିଁ। ସ୍କୁଲ, କଲେଜ, କାର୍ଯ୍ୟାଳୟଠାରୁ ଆରମ୍ଭ କରି ଟ୍ରେନ, ବସ୍‌, ହସ୍ପିଟାଲ ଓ ହୋଟେଲ ଇତ୍ୟାଦିରେ ମହିଳାଙ୍କ ଉପସ୍ଥିତି ପରିଲକ୍ଷିତ ହୋଇଥାଏ। ଯେତେବେଳେ ସୁରକ୍ଷା ନାମରେ କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳରେ ମହିଳାଙ୍କୁ ଆବଦ୍ଧ କରି ରଖିବାର ଚିନ୍ତାଧାରା ସୃଷ୍ଟି ହେବ, ତାହା ନିଶ୍ଚିତ ଭାବେ ଅତ୍ୟନ୍ତ ପଶ୍ଚାତପଦ ଭାବନା ବୋଲି କହିହେବ। ଫଳରେ ମହିଳାଙ୍କ ସ୍ବାଧୀନତା ଉପରେ ଆଞ୍ଚ ଆସିବ। ଏମିତି ବି ହୋଇପାରେ ଯେ ପିଙ୍କ୍‌ ପାର୍କ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମହିଳାଙ୍କୁ ଦେଖିଲେ କେହି ପ୍ରଶ୍ନ କରିପାରନ୍ତି ଯେ ପୁରୁଷଙ୍କ ପାର୍କରେ କାହିଁକି ଜଣେ ମହିଳା ଉପସ୍ଥିତ ଅଛନ୍ତି। ଏଠାରେ ଆଫଗାନିସ୍ତାନର ତାଲିବାନ ନୀତିକୁ ଦେଖାଯାଉ। ୧୫ ଅଗଷ୍ଟ ୨୦୨୧ଠାରୁ ଆଫଗାନିସ୍ତାନ ଉପରେ ଶାସନ କରିଆସୁଥିବା ତାଲିବାନ ସବୁ କଥାରେ ମୁସଲମାନଙ୍କ ଶାରିଆ ଆଇନକୁ ପ୍ରୟୋଗ କରୁଛି। ଘର ବାହାରକୁ ଜଣେ ମହିଳା ପାଦ ରଖିବା ମାତ୍ରକେ ସେ ପର୍ଦ୍ଦା ବ୍ୟବସ୍ଥାରେ ଯାତାୟାତ କରିବାକୁ ବାଧ୍ୟ। କୌଣସି ମହିଳା ଏକୁଟିଆ ଘର ବାହାରକୁ ବାହାରିପାରିବେ ନାହିଁ। ଜଣେ ମହିଳାଙ୍କ ସହିତ ବାଧ୍ୟତାମୂଳକ ଭାବେ ପରିବାରର ଜଣେ ପୁରୁଷ ଯିବାକୁ ପଡୁଛି। କଚେରିରେ ଉଭୟ ବିଚାରପତି ଏବଂ ଓକିଲାତି କରୁଥିବା ମହିଳାମାନେ ତାଙ୍କ ପେସା ହରାଇ ସାରିଲେଣି। ଦୀର୍ଘ ଦିନ ଧରି ଝିଅପିଲାଙ୍କ ପାଠପଢ଼ାକୁ ବନ୍ଦ କରିଦିଆଯାଇଛି। ଏହିଭଳି ଆହୁରି ଅନେକ କଠୋର ପଦକ୍ଷେପ ଆଫଗାନିସ୍ତାନରେ ନିଆଯାଇଛି ଏବଂ ଏହିସବୁର ଏକମାତ୍ର ଆଳ ହେଉଛି ମହିଳାଙ୍କ ସୁରକ୍ଷା।
ଭାରତରେ ଆମେ ମୁସଲମାନ ଆଇନକୁ ନାପସନ୍ଦ କରି ଭାବିଥିଲୁ ହିନ୍ଦୁ ଧର୍ମର ଉଦାରତା ଅଧିକ ଗୁରୁତ୍ୱ ପାଇବ। ଏବେ ଦେଖାଯାଉଛି ହିନ୍ଦୁ ଧର୍ମ ମଧ୍ୟରୁ ଉପୁଜିଥିବା ମୌଳ ହିନ୍ଦୁତ୍ୱବାଦୀ ଚିନ୍ତାଧାରା କୌଣସି ଭାବେ ଶାରିଆ ଆଇନଠାରୁ ଭିନ୍ନ ନୁହେଁ। ବିଶେଷକରି ମହିଳାଙ୍କ ସମ୍ପର୍କରେ ଉଭୟ ଚିନ୍ତାଧାରାର ଆଭିମୁଖ୍ୟ ପ୍ରାୟତଃ ଏକପ୍ରକାର ରହୁଛି। ଆଜି ମହିଳାଙ୍କ ପାଇଁ ଭିନ୍ନ ପାର୍କ ସୃଷ୍ଟି କଲେ, କାଲି ସ୍କୁଲ, କଲେଜ ଓ କାର୍ଯ୍ୟସ୍ଥଳୀରେ ମହିଳାଙ୍କ ସୁରକ୍ଷା ନାମରେ ସେମାନଙ୍କୁ ନିଶ୍ଚିତ ଭାବେ ଅଲଗା କରାଯିବ। କ୍ରମଶଃ ଏହା ଏକପ୍ରକାର ଗୋଲାପି ପର୍ଦ୍ଦା ଆଡ଼କୁ ଭାରତୀୟ ସମାଜକୁ ମୁହଁାଇ ନେଉଥିବା ଭଳି ମନେହେଉଛି।
ସେହିଭଳି ମେଟ୍ରୋରେ ଅଧିକ ପୋଲିସ ମୁତୟନ ହେବେ ବୋଲି ଶୁଣି ଆମେ ସମସ୍ତେ ଖୁସି ହୋଇପାରୁ। କିନ୍ତୁ ଧୈର୍ଯ୍ୟର ସହିତ ଚିନ୍ତା କଲେ ସ୍ପଷ୍ଟ ବୁଝାପଡୁଛି ଯେ, ଭାରତର କୌଣସି ପୋଲିସ ବଳ କେବେହେଲେ ଅସହାୟଙ୍କୁ ସାହାଯ୍ୟ କରେ ନାହିଁ। ଯଦି କୌଣସି ଯୁବକ ଜଣେ ଯୁବତୀଙ୍କୁ ହଇରାଣ କରୁଥିବାର ଦେଖାଯାଏ, ତେବେ ପୋଲିସ ସାହାଯ୍ୟ କରିବା ପରିବର୍ତ୍ତେ ସେହି ଯୁବତୀ କିଛି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିଥିବେ ବୋଲି ଧରିନିଅନ୍ତି। ଏଭଳି ମାନସିକତାରେ ଦିଲ୍ଲୀ ପୋଲିସ କୌଣସି ଭାବେ ଊଣା ନୁହେଁ।
ମହିଳାଙ୍କୁ ଭିନ୍ନ ସ୍ଥାନରେ କଣ୍ଟାବାଡ଼ ପକାଇ ଅଲଗା ରଖିଲେ ତାହା କେବେହେଲେ ତାଙ୍କୁ ସୁରକ୍ଷା ଦେବ ବୋଲି କୁହାଯାଇ ପାରିବ ନାହିଁ। ସେଭଳି ପଦକ୍ଷେପ କେବଳ ପ୍ରମାଣ କରୁଛି ଯେ, ପ୍ରଶାସନ ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥା ନିଜର ଦାୟିତ୍ୱ ପୂରଣ କରିବାରେ ଅସମର୍ଥ ହେଉଥିବାରୁ ଏଭଳି ନୀତି ପ୍ରଣୟନ ହେଉଛି। ମହିଳାଙ୍କୁ ସୁରକ୍ଷା ନାମରେ ବନ୍ଦୀ କରିଦେଲେ ଭବିଷ୍ୟତର ଭାରତୀୟ ସମାଜ ଆହୁରି ଅଧିକ ବିକୃତ ହୋଇଯିବ। ସେଥିପାଇଁ ମହିଳାଙ୍କୁ ବନ୍ଦୀ କରିବା ପରିବର୍ତ୍ତେ ପୁରୁଷଙ୍କୁ ପିଲାଦିନରୁ ଶିକ୍ଷା ବ୍ୟବସ୍ଥାରେ ମହିଳାଙ୍କୁ ସମ୍ମାନ ଦେବାର ଶିଖାଯିବା ଦରକାର। ପୋଲିସକୁ ବ୍ୟବହାର କରି ମହିଳାଙ୍କ ସମ୍ମାନ ସୁରକ୍ଷିତ ରଖିବାର ପ୍ରଚେଷ୍ଟା ଭାରତୀୟ ସମାଜକୁ ତାଲିବାନୀ କରିଦେବାର ସବୁ ସଙ୍କେତ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri