ନଦୀ ପାଣି ପିଉଛନ୍ତି ଶାଇଁସଶାସନବାସୀ

ନିମାପଡ଼ା,୧୦।୩(ଡି.ଏନ୍‌.ଏ.): ଗ୍ରୀଷ୍ମଋତୁ ଆରମ୍ଭରୁ ନିମାପଡ଼ା ବ୍ଲକରେ ପାନୀୟଜଳ ସଙ୍କଟ ଦେଖାଦେଇଛି। ଏହି ବ୍ଲକ ଅଧୀନ ଶାଇଁସଶାସନ ପଞ୍ଚାୟତରେ ଗତ କିଛିଦିନ ହେବ ପାନୀୟଜଳ ନ ପାଇ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପଞ୍ଚାୟତର ତୋରିଆବନ୍ଧ ଗ୍ରାମରେ ଥିବା ପମ୍ପହାଉସରେ ବିଦ୍ୟୁତ୍‌ ସଂଯୋଗ କଟିଯାଇଥିବାରୁ ତାହା ଏବେ ଅଚଳ ହୋଇପଡ଼ିଛି। ଫଳରେ ୪ଦିନ ହେବ ଏହି ପଞ୍ଚାୟତର ୯ନଂ., ୧୦ନଂ., ୧୧ନଂ. ଆଦି ୩ ଓ୍ବାର୍ଡର ତୋରିଆବନ୍ଧ, ପ୍ରଧାନସାହି, ରାବଣାସାହି, ତେଲି ସାହି, ମଠ ସାହି, ମାଳି ସାହି, ତୋଟାସାହି ଆଦି ୮ଗ୍ରାମକୁ ପାଇପଲାଇନ ଜଳଯୋଗାଣ ବନ୍ଦ ରହିଛି। ଗ୍ରୀଷ୍ମଦିନ ଆରମ୍ଭରୁ ଖରାର ପ୍ରଖର ବଢ଼ିଯାଇଥିବା ବେଳେ ପାଇପଲାଇନ ଯୋଗାଣ ବନ୍ଦ ଯୋଗୁ ଗଁାଗଣ୍ଡା ସାହିର ମହିଳାମାନେ ବାଧ୍ୟ ହୋଇ ଅଧ କିଲୋମିଟର ଦୂର ନଦୀକୁ ଯାଇ ପାଣି ଆଣିବା ସହ ସେହି ଜଳକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି। ଆଖପାଖରେ କୌଣସି ପାଇପ କିମ୍ବା ନଳକୂପ ନ ଥିବାରୁ ଏତେ ଦୂର ଯାଇ ନଦୀରୁ ପାଣି ଆଣିବା ମହିଳାଙ୍କ ପାଇଁ କଷ୍ଟସାଧ୍ୟ ହୋଇଛି। ପଞ୍ଚାୟତ ପକ୍ଷରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରି ନ ଥିବାରୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ପମ୍ପହାଉସର ବିଦ୍ୟୁତ୍‌ ଲାଇନ ସଂଯୋଗ କାଟିଦିଆଯାଇଛି। ଏଥିଯୋଗୁ ଶାଇଁସଶାସନ ପଞ୍ଚାୟତର ଉପରୋକ୍ତ ୩ଟି ଓ୍ବାର୍ଡରେ ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ଏ ସମସ୍ୟା ସମ୍ପର୍କରେ ନବନିର୍ବାଚିତ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ସମିତିସଭ୍ୟା ସନ୍ଧ୍ୟାରାଣୀ ରଥ ପ୍ରମୁଖ ବିଡିଓ ଓ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପରୋକ୍ତ ୩ଟି ଓ୍ବାର୍ଡର ୮ଟି ସାହିକୁ ଯୁଦ୍ଧକାଳୀନ ଭିତ୍ତିରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରା ନ ଗଲେ ଓ୍ବାର୍ଡବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବେ ବୋଲି ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ବିଡିଓ ବସନ୍ତ କୁମାର ମଲ୍ଲିକ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ପ୍ରବୀର କୁମାର ବଳଙ୍କୁ ପଚାରିବାରେ ତୁରନ୍ତ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିବାକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଉଭୟେ କହିଛନ୍ତି।