Categories: ଖେଳ

ଏକମାତ୍ର ଟେଷ୍ଟ: ବାଂଲାଦେଶ ସ୍ଥିତି ଦୃଢ଼

ହରାରେ,୧୦।୭: ଜିମ୍ବାଓ୍ବେ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ବାଂଲାଦେଶ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରି ସ୍ଥିତି ଦୃଢ କରିଛି। ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ଚାଲିଥିବା ଏହି ଟେଷ୍ଟରେ ଟସ୍‌ ଜିତି ବାଂଲାଦେଶ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମ ଇନିଂସରେ ମହମୁଦୁଲ୍ଲାଙ୍କ ଅପରାଜିତ ୧୫୦ ରନର ଅପରାଜିତ ବୃହତ୍‌ ଶତକୀୟ ଇନିଂସ, ଅଧିନାୟକ ମୋମିନୁଲ ହକଙ୍କ ୭୦ ରନ, ଲିଟନ ଦାସଙ୍କ ୯୫ ରନ ଓ ତାସ୍କିନ ଅହମ୍ମଦଙ୍କ ୭୫ ରନର ଅର୍ଦ୍ଧଶତକୀୟ ପାଳି ବଳରେ ୧୨୬ ଓଭରରେ ୪୬୮ ରନକରି ଅଲଆଉଟ ହୋଇଥିଲା। ଜବାବରେ ଜିମ୍ବାଓ୍ବେ ପ୍ରଥମ ଇନିଂସ ଆରମ୍ଭ କରି ୧୧୧.୫ ଓଭରରେ ୨୭୬ ରନକରି ଆଉଟ ହୋଇଥିଲା। ଫଳରେ ବାଂଲାଦେଶ ପ୍ରଥମ ଇନିଂସରେ ୧୯୨ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବାଂଲାଦେଶ ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୭ ଓଭରରେ ବିନା କୌଣସି କ୍ଷତିରେ ୪୫ ରନ ସଂଗ୍ରହ କରିଛି। ଫଳରେ ୧୦ ଉଇକେଟ ହାତରେ ରଖି ବାଂଲାଦେଶ ଏବେ ମୋଟ ୨୩୭ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍‌ ଅପସାରଣ ବେଳକୁ ଶଦମାନ ଇସ୍‌ଲାମ ୨୨ ଓ ସୈଫ ହାସନ ୨୦ ରନକରି ଅପରାଜିତ ରହିଛନ୍ତି।
ଦ୍ୱିତୀୟ ଦିବସର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୧୪/୧ରୁ ଖେଳ ଆରମ୍ଭ କରି ଜିମ୍ବାଓ୍ବେ ଅଲ୍‌ଆଉଟ ହୋଇଥିଲା। ଭଲ ଆରମ୍ଭ କରିଥିଲେ ମଧ୍ୟ ଜିମ୍ବାଓ୍ବେ ମିଡଲ ଅର୍ଡର ଓ ଟେଲ ଏଣ୍ଡରମାନେ ବିଫଳ ହୋଇଥିଲେ। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ତାକୁଡଜ୍ୱାନାସେ କାଇଟାନୋ ୩୩ ଓ ଅଧିନାୟକ ବ୍ରେଣ୍ଡନ ଟେଲର ୩୭ ରନରୁ ଖେଳ ଆରମ୍ଭ କରି ଯଥାକ୍ରମେ ୮୭ ଓ ୮୧ ରନକରି ଆଉଟ ହୋଇଥିଲେ। ଏହାପରେ ଡିଅନ ମିୟର୍ସ ୨୭ ଓ ରେଗିସ୍‌ ଚକବଭା ଅପରାଜିତ ୩୧ ରନ ସଂଗ୍ରହ କରିଥିଲେ। ପୂର୍ବରୁ ଓପନର ମିଲଟନ ଶୁମ୍ବା ୪୧ ରନ କରି ଆଉଟ ହୋଇଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ମେହିଦି ହାସନ ମିରାଜ ସର୍ବାଧିକ ୫, ଶକିବ ଅଲ ହାସନ ୪ ଓ ତାସ୍କିନ ଅହମ୍ମଦ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ପ୍ରଥମ ଇନିଂସ- ୧୨୬ ଓଭରରେ ୪୬୮ ଅଲଆଉଟ।
ଜିମ୍ବାଓ୍ବ ପ୍ରଥମ ଇନିଂସ- ୧୧୧.୫ ଓଭରରେ ୨୭୬ ଅଲଆଉଟ
(କାଇଟାନୋ- ୮୭, ଟେଲର- ୮୧, ମିଲଟନ- ୪୧, ମିୟର୍ସ- ୨୭, ମିରାଜ- ୫/୮୨, ଶକିବ- ୪/ ୮୨, ତାସ୍କିନ- ୧/୪୬)।
ବାଂଲାଦେଶ ଦ୍ୱିତୀୟ ଇନିଂସ- ୧୭ ଓଭରରେ ବିନା କ୍ଷତିରେ ୪୫
(ଶଦମାନ-୨୨, ସୈଫ୍‌- ୨୦)।
କ୍ୟାପଶନ: ୫ ଉଇକେଟ ହାସଲ କରି ଜିମ୍ବାଓ୍ବେର ବିପର୍ଯ୍ୟୟ ଘଟାଇଥିବା ବାଂଲାଦେଶ ଅଫ୍‌ ସ୍ପିନର ମେହିଦି ହାସନ ମିରାଜ ।

Share