କଟକ,୧୩ା୫(ପ୍ରଭୁକଲ୍ୟାଣ ପାଲ୍): ବୃଦ୍ଧ କାଳେ ଯୌନ ପୀପାସୁ ହେବା କାଳ। ଚକୋଲେଟ୍ ଦେଇ କରିଥିଲେ ନୃଶଂସତା। ନାବାଳିକାଙ୍କୁ ବଳାତ୍କାର ମାମଲାରେ ୬୧ ବର୍ଷୀୟ ଆସମୀକୁ ସଜା ଶୁଣାଇଲେ କଟକ ସ୍ବତନ୍ତ୍ର ଫାଷ୍ଟଟ୍ରାକ୍-୨ ଅଦାଲତ। ଅଭିଯୁକ୍ତ ଅଶୋକ କୁମାର ବେହେରାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସଜା ଶୁଣାଇଛନ୍ତି କୋର୍ଟ। ଜରିମାନା ବାବଦ ୨୦,୦୦୦ ଟଙ୍କା ନିର୍ଦେଶ ଦେଇଛନ୍ତି କୋର୍ଟ। ଏହାବ୍ୟତୀତ ଜରିମାନା ଅନାଦେୟ ଦୁଇ ବର୍ଷ ଅଧିକ କାରାଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ବାବଦ ନାବାଳିକାଙ୍କୁ ୩ ଲକ୍ଷଟଙ୍କା ଦେବା ପାଇଁ ଜିଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ମାମଲାରୁ ପ୍ରକାଶ ଯେ, ୨୦୨୫ ଡିସେମ୍ବର ୧୫ରେ କଟକ ବାଦାମବାଡ଼ି ଅଞ୍ଚଳରେ ଘଟିଥିଲା ଏହି ସମ୍ବେଦନଶୀଳ ଘଟଣା। ମାତାପିତାଙ୍କ ଅନୁପସ୍ଥିତ ସମୟରେ ନାବାଳିକା ଘରେ ଖେଳୁଥିଲାବେଳେ ତାଙ୍କ ଘରୁ ଚତୁରତାର ସହ ନେଇ ନିଜ ଘରେ ବଳାତ୍କାର କରିଥିଲା ଆସାମୀ। ଏହାପରେ ଘରେ ଖୋଜାଖୋଜି କରିବା ପରେ ନାବାଳିକା ଆସାମୀ ଘରୁ ଉଦ୍ଧାର ହୋଇଥିଲେ। ଧିରେଧିରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଏହା ବଳାତ୍କାର ବୋଲି ସ୍ପଷ୍ଟ ହୋଇଥିଲା। ଏହାପରେ ପରିବାର ଲୋକେ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ତଦନ୍ତ ଆଧାରରେ ଅନେକ ପ୍ରମାଣ ହସ୍ତଗତ କରିଥିଲା ପୋଲିସ। ଏହା ପରେ ସିଧାସଳଖ ଅଭିଯୁକ୍ତ ଅଶୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ଆଜି ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଆସାମୀ ଅଶୋକ କୁମାର ବେହେରାଙ୍କୁ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ମିହିର ଶେଖର ସାହୁ ମାମଲା ପରିଚାଳନା କରୁଥିଲେ।