ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ, ୩୧ା୩:ଓଡ଼ିଶା ହାଇକୋର୍ଟଙ୍କ ଏକ ରାୟ ବିରୋଧରେ ରାଜ୍ୟ ସରକାରଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଜଣେ ଠିକାଦାର ନେଇଥିବା କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରି ନ ପାରିବାରୁ ଓଡ଼ିଶା ସରକାର ଏହାର ସମୟସୀମା ବଢ଼ାଇଥିଲେ। ଏହା ସତ୍ତ୍ୱେ ସରକାର ଉକ୍ତ ଠିକାଦାରଙ୍କ ଉପରେ ଜରିମାନା ଲଗାଇଥିଲେ। ଜରିମାନା ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେବା ପରେ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କାର୍ଯ୍ୟ ଶେଷ ପାଇଁ ସମୟସୀମା ବଢ଼ାଇବା ସତ୍ତ୍ୱେ ଠିକାଦାରଙ୍କୁ ନୋଟିସ ନ ଦେଇ ଏକତରଫା ଭାବେ ସରକାର ଜରିମାନା ଲଗାଇବା ଠିକ୍‌ ନୁହେଁ ବୋଲି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ କହିବା ସହ ସରକାରଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି।
ସୂଚନା ଅନୁଯାୟୀ, ଠିକାଦାର ଜଣକ ନୂଆପଡ଼ା ଜିଲାରେ ଖରିଆର-ବୋଡେନ୍‌-ସିନାପାଲି ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଠିକା ନେଇଥିଲେ। ଏହି କାର୍ଯ୍ୟ ୨୦୦୯ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ କୁହାଯାଇଥିଲା। ତେବେ ୨୦୧୪ ମାର୍ଚ୍ଚରେ କାର୍ଯ୍ୟ ଶେଷ ହୋଇଥିଲା। କାର୍ଯ୍ୟ ସମୟ ବଢ଼ାଇବା ପାଇଁ ଠିକାଦାର କରିଥିବା ଆବେଦନକୁ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ। ଏଥିସହିତ ବର୍ଦ୍ଧିତ ସମୟରେ କାର୍ଯ୍ୟ ବ୍ୟୟ ଅଟକଳ ଉପରେ ୦.୨୫ ପ୍ରତିଶତ ପେନାଲ୍ଟି ଲଗାଇଥିଲେ। ୨୦୧୯ରେ ଠିକାଦାର ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ରାଜ୍ୟ ଲଗାଇଥିବା ଜରିମାନାକୁ ହାଇକୋର୍ଟ ଖାରଜ କରିଦେଇଥିଲେ।

Share