ନୂଆଦିଲ୍ଲୀ,୧୨।୮: ସଂସଦର ମୌସୁମୀ ଅଧିବେଶନରେ ଚାଲିଥିବା ଅଚଳାବସ୍ଥା ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ବିରୋଧୀଙ୍କୁ ଜବାବ ଦେଇ କହିଛନ୍ତି, ଆପଣ ଆଲୋଚନା ଚାହାଁନ୍ତି ବୋଲି ଏକ ଲିଖିତ ଅନୁରୋଧ ଦାଖଲ କରନ୍ତୁ ଏବଂ ମୁଁ ଉତ୍ତର ପ୍ରଦାନ କରିବି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ। ବିରୋଧୀ ହିଁ ସଂସଦକୁ କାମ କରିବାକୁ ଦେଉନାହାଁନ୍ତି।
ଶାହା ଆହୁରି କହିଛନ୍ତି, ବିରୋଧୀ ସଂସଦର ଉଭୟ ଗୃହକୁ କାମ କରିବାକୁ ଦେଉନାହାଁନ୍ତି। ତେଣୁ ସେଠାକୁ ଯାଇ କ’ଣ ହାସଲ ହେବ? ମୁଁ ସଂସଦରେ ଯେକୌଣସି ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ। ଆମେ ଆଜି ଅପରାହ୍ନ ୩ଟାରୁ ଆରମ୍ଭ କରି ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆଲୋଚନା ପାଇଁ ପ୍ରସ୍ତୁତ। ବିରୋଧୀଙ୍କୁ କେବଳ ଅପରାହ୍ନ ୨ଟା ସୁଦ୍ଧା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଲିଖିତ ଅନୁରୋଧ ଦାଖଲ କରିବାକୁ ପଡିବ।
ଅମିତ ଶାହ କହିଛନ୍ତି, ଆଜି ଅପରାହ୍ନ ୩ଟାରେ ଆଲୋଚନା ଆରମ୍ଭ ହେବ ଏବଂ ମୁଁ ଆସନ୍ତାକାଲି ଅପରାହ୍ନ ୩ଟାରେ ମୋର ଉତ୍ତର ଦେବି। ମୁଁ ବ୍ୟକ୍ତିଗତ ଭାବରେ ଆଲୋଚନାରେ ଅଂଶଗ୍ରହଣ କରିବି। ଏବେ ବିରୋଧୀ ଦଳ ନିଷ୍ପତ୍ତି ନେବେ ଯେ, ସେମାନେ ଆଲୋଚନା କରିବେ କି ହଙ୍ଗାମା କରିବେ। ସରକାରଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ। ଆପଣ କାହିଁକି ଗୃହକୁ ଚାଲିବାକୁ ଦେଲେ ନାହିଁ ତାହା ମଧ୍ୟ ମୁଁ ଆଲୋଚନା କରିବି।