ନୂତନ କରୋନା ଭୂତାଣୁ

ଦୁନିଆରେ କରୋନା ଭୂତାଣୁ ଓମିକ୍ରନ ଆତଙ୍କର କଳାବାଦଲ ହଟି ନ ଥିଲାବେଳେ ଏବେ ଆଉ ଏକ ନୂତନ ଭୂତାଣୁର ଆବିର୍ଭାବ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଫ୍ରାନ୍ସରୁ ମିଳିଥିବା ଏହି ନୂଆ ପ୍ରକାର କରୋନା ଭୂତାଣୁର ନାମ ‘ଆଇଏଚ୍‌ୟୁ’ (IHU) ଦିଆଯାଇଛି। ଏହା ଭବିଷ୍ୟତରେ ଆଉ ଏକ ଲହରର ସୂତ୍ରପାତ କରିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି। ଏହି ନୂଆ ରୂପର ଜିନୋମରେ ପୂର୍ବ ସଂରଚନା ତୁଳନାରେ ଯଥେଷ୍ଟ ଅଧିକ ପ୍ରକାରର ଆକସ୍ମିକ ପରିବର୍ତ୍ତନ ଘଟିଥିବାରୁ ଏହା ଏକ ସମ୍ପୂର୍ଣ୍ଣ ନୂଆ ଭୂତାଣୁ ରୂପେ ମୁଣ୍ଡ ଟେକିଛି।
ନୂଆ ରୂପର ଚିହ୍ନଟ: ଫ୍ରାନ୍ସର ଗବେଷକମାନେ ଏହି IHU ପରିବର୍ତ୍ତିତ ରୂପକୁ B.୧.୬୪୦.୨ ପ୍ରକାର ରୂପେ ଶ୍ରେଣୀଭୁକ୍ତ କରିଛନ୍ତି I ଏହାକୁ ଏବେ ପୂର୍ବରୁ ଜଣାଥିବା କରୋନା ଭୂତାଣୁର ଗୋଟିଏ ପରିବର୍ତ୍ତିତ ବଂଶ B.୧.୬୪୦ର ଏକ ଉପବଂଶ ରୂପେ ବିବେଚନା କରାଯାଉଛି। B.୧.୬୪୦ ବଂଶ କରୋନାର ଏକ ନୂଆ ରୂପ ନୁହେଁ, ବରଂ ଏହି ବଂଶର ଚିହ୍ନଟ ସର୍ବପ୍ରଥମେ ୨୦୨୧ ମସିହା ଜାନୁୟାରୀ ମାସରେ କରାଯାଇଥିଲା। ଏହି ବଂଶର ଭୂତାଣୁ ଦ୍ୱାରା ଅନେକ ଦେଶରେ ମାମଲା ନଜରକୁ ଆସିଲାଣି। ଆମ ଦେଶରେ ମଧ୍ୟ ଏହି ବଂଶର ଗୋଟିଏ ମାମଲା ଚିହ୍ନଟ କରାଯାଇଛି। ଏହି ବଂଶର ସର୍ବାଧିକ ମାମଲା ଫ୍ରାନ୍ସ, କଙ୍ଗୋ, ଜର୍ମାନୀ ଏବଂ ବ୍ରିଟେନ୍‌ ଗଣରାଜ୍ୟରେ ମିଳିଥିଲାବେଳେ ସର୍ବାଧିକ ପ୍ରସାର ହାର କଙ୍ଗୋରେ ପରିଲକ୍ଷିତ ହୋଇଛି, ଯେଉଁଠାରେ ୪୫୪ ଥର ଜିନୋମ୍‌ ବର୍ଗୀକରଣ ମାମଲା ନଜରକୁ ଆସିଛି।
ଆଇଏଚ୍‌ୟୁ ଚିନ୍ତାଜନକ କାହିଁକି: ଏହି ନୂତନ ରୂପର ଜିନୋମ୍‌ରେ ମୂଳ ସଂରଚନା ତୁଳନାରେ ପ୍ରାୟ ୪୬ ପ୍ରକାରର ଆକସ୍ମିକ ପରିବର୍ତ୍ତନ ଏବଂ ଜିନ୍‌ ଗଠନର ମୁଖ୍ୟ ଉପାଦାନ ନ୍ୟୁକ୍ଲୀୟ ଏସିଡ୍‌ରେ ୩୭ଟି ଏକକର ସମ୍ପୂର୍ଣ୍ଣ ଅପସାରଣ ଘଟିଛି, ଯେଉଁଥିରୁ ଅଧିକାଂଶ ପରିବର୍ତ୍ତନ କେବଳ ସ୍ପାଇକ୍‌ ପ୍ରୋଟିନ୍‌ରେ ହିଁ ଦେଖିବାକୁ ମିଳିଛି। ଏହାର ଏମିନୋ ଅମ୍ଳରେ ୩୦ଟି ପ୍ରତିସ୍ଥାପନ ଏବଂ ୧୨ଟି ଅପସାରଣ ପ୍ରକ୍ରିୟା ଯୋଗୁ ଭୂତାଣୁର ଜିନୀୟ ସଙ୍କେତରେ ଏଭଳି ଆକସ୍ମିକ ପରିବର୍ତ୍ତନ ମାନ ଘଟିଛି। ‘ଆଇଏଚ୍‌ୟୁ’ର ଜିନୀୟ ସଙ୍କେତରେ ଏହି ପରିବର୍ତ୍ତନ ସଂଖ୍ୟା ସାରା ବିଶ୍ୱରେ ଆତଙ୍କ ରଚିଥିବା ଓମିକ୍ରନଠାରୁ ମଧ୍ୟ ଅଧିକ। ଉଲ୍ଲେଖଯୋଗ୍ୟ, ଏହି ସ୍ପାଇକ୍‌ ପ୍ରୋଟିନ୍‌ ଅଙ୍ଗ ଜରିଆରେ ଭୂତାଣୁ ବ୍ୟକ୍ତି ଶରୀରର ଫୁସ୍‌ଫୁସ୍‌ କୋଷିକା ସହିତ ସଂଯୁକ୍ତ ହୋଇ ଶରୀର ମଧ୍ୟରେ ସହଜରେ ପ୍ରବେଶ କରିଥାଏ ଏବଂ ଅଧିକାଂଶ ପ୍ରଚଳିତ ଟିକା ମୂଳ ଚାଇନା ଭୂତାଣୁର ଏହି ସ୍ପାଇକ୍‌ ପ୍ରୋଟିନ୍‌କୁ ହିଁ ଟାର୍ଗେଟ୍‌ କରିଥା’ନ୍ତି। ଭୂତାଣୁର ଏହି ନୂତନ ରୂପରେ ସ୍ପାଇକ୍‌ ପ୍ରୋଟିନ୍‌ର ଅନେକ ପରିବର୍ତ୍ତନ ଘଟିସାରି ଥିବାରୁ ଏବେକାର ଅଧିକାଂଶ ଟିକା ଦ୍ୱାରା ସୃଷ୍ଟି ହେଉଥିବା ଶରୀରର ପ୍ରତିରୋଧକ ବ୍ୟବସ୍ଥା ଭୂତାଣୁକୁ ମୁକାବିଲା କରିବାରେ ସକ୍ଷମ ହେବେ ନାହିଁ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଏହି ନୂଆ ରୂପର ସ୍ପାଇକ୍‌ ପ୍ରୋଟିନରେ ‘N୫୦୧Y’ ଏବଂ ‘E୪୮୪K’ ସମେତ ୧୪ଟି ଏମିନୋ ଅମ୍ଳ ପ୍ରତିସ୍ଥାପନ ଏବଂ ୯ଟି ଅପସାରଣ ଘଟଣା ଦେଖିବାକୁ ମିଳିଛି। ସ୍ପାଇକ୍‌ ପ୍ରୋଟିନରେ N୫୦୧Y ପ୍ରତିସ୍ଥାପନ ପ୍ରକ୍ରିୟା ଯୋଗୁ ଭୂତାଣୁ ସହଜରେ ଫୁସ୍‌ଫୁସ୍‌ ସହିତ ସଂଯୋଗ ହୋଇ ଶରୀରରେ ପ୍ରବେଶ କରିପାରିବ; ଫଳରେ ଏହି ନୂତନ ରୂପର ସଂକ୍ରମଣ ହାର ଯଥେଷ୍ଟ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ସ୍ପାଇକ୍‌ ପ୍ରୋଟିନ୍‌ରେ E୪୮୪K ପ୍ରତିସ୍ଥାପନ ଘଟଣା ଯୋଗୁ ଭୂତାଣୁ ସହଜରେ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ପ୍ରତିହତ କରିପାରିବ, ଯାହାଫଳରେ ଏହା ବିରୋଧରେ ଏବେକାର ଅଧିକାଂଶ ଟିକା କାର୍ଯ୍ୟ କରିବ ନାହିଁ ବୋଲି ମଧ୍ୟ ଆଶଙ୍କା କରାଯାଏ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଭୂତାଣୁର ଏଇ ନୂତନ ରୂପ ‘ଆଇଏଚ୍‌ୟୁ’କୁ ଏପର୍ଯ୍ୟନ୍ତ କୌଣସି ଶ୍ରେଣୀ ଯଥା ଚିନ୍ତାଜନକ କିମ୍ବା ଆଗ୍ରହଜନକ ରୂପେ ଘୋଷଣା କରିନାହିଁ, ବରଂ ଏହାକୁ ଗମ୍ଭୀରତା ପୂର୍ବକ ଅନୁଧ୍ୟାନ କରୁଛି। ମାତ୍ର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଗତ ନଭେମ୍ବର ମାସରେ ଏହି ଭୂତାଣୁର ମୂଳ ବଂଶ ‘B.୧.୬୪୦’କୁ ତଦାରଖରେ ରଖାଯାଇଥିବା ପରିବର୍ତ୍ତିତ ରୂପ ରୂପେ ଘୋଷଣା କରିଛି।
ନୂତନ ପରିବର୍ତ୍ତିତ ରୂପ ଯୋଗୁ ବିପଦ: ଭୂତାଣୁର ଜିନୀୟ ସ୍ତରରେ ହେଉଥିବା ଆକସ୍ମିକ ପରିବର୍ତ୍ତନକୁ ମ୍ୟୁଟେସନ୍‌ କହନ୍ତି। ଭୂତାଣୁ ମନୁଷ୍ୟ ଶରୀର ମଧ୍ୟରେ ପ୍ରବେଶ କରି ଯେତେ ଥର ବହୁଗୁଣିତ ହେଉଥିବ, ମ୍ୟୁଟେସନ୍‌ ପ୍ରକ୍ରିୟା ଜରିଆରେ ନୂଆ ନୂଆ ରୂପ ସୃଷ୍ଟି ହେବାର ସମ୍ଭାବନା ସେତେ ଅଧିକ ରହିଥାଏ। ଏହି ପ୍ରକ୍ରିୟା ଯୋଗୁ ଭୂତାଣୁର ନୂଆ ନୂଆ ପରିବର୍ତ୍ତିତ ରୂପମାନ କ୍ରମାଗତ ସୃଷ୍ଟି ହେଉଛନ୍ତି। ସେଥିମଧ୍ୟରୁ ଅଧିକାଂଶ ରୂପ ମଣିଷ ପାଇଁ ବିପଦର ସଙ୍କେତ ବହନ କରୁ ନ ଥିଲାବେଳେ ଡେଲ୍ଟା ଓ ଓମିକ୍ରନ୍‌ ଭଳି କିଛି ଅବତାର ଘୋର ଘାତକ ସାବ୍ୟସ୍ତ ହେଉଛନ୍ତି। ସୌଭାଗ୍ୟକ୍ରମେ, ‘ଆଇଏଚ୍‌ୟୁ’ର ଉପସ୍ଥିତି ସାରା ବିଶ୍ୱରେ ପ୍ରସାର ହୋଇପାରି ନାହିଁ। ଏବେ ଏହି ନୂତନ ପ୍ରକାର ଭୂତାଣୁ ଉପରେ ଗବେଷଣା ଜାରି ରହିଛି ଏବଂ ଏହା ଆଗାମୀ ଦିନରେ ମଣିଷ ସମାଜ ପାଇଁ କେଉଁ ରୂପରେଖ ନେବ ତାହା କେବଳ ସମୟ ହିଁ କହିପାରିବ।

ନିକୁଞ୍ଜ ବିହାରୀ ସାହୁ
– ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri