କାଠମାଣ୍ଡୁ,.୫।୯: ନେପାଳ ସରକାର ରବିବାର ନାଗରିକମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସେମାନେ ଏପରି ଲଜ୍ଜାଜନକ କାର୍ଯ୍ୟ କରିବା ଉଚିତ ନୁହେଁ, ଯାହା ଦ୍ୱାରା ବନ୍ଧୁତ୍ୱପୂର୍ଣ୍ଣ ଦେଶ ସହ ସମ୍ପର୍କକୁ ପ୍ରଭାବିତ କରିବ। କିଛିଦିନ ତଳେ ନେପାଳର କିଛି ଲୋକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁତ୍ତଳିକାକୁ ଦାହ କରିଥିଲେ। ଏହା ପରେ ନେପାଳର ଶେର୍ ବାହାଦୂର ଦେଉବା ସରକାର ନାଗରିକଙ୍କୁ ଚେତାବନୀ ଦେଇ କହିଛନ୍ତି, ଏଭଳି କାର୍ଯ୍ୟରୁ ବିରତ ରୁହନ୍ତୁ। ନଚେତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ। ନେପାଳର ଗୃହ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଗତ କିଛି ଦିନ ମଧ୍ୟରେ ସ୍ଲୋଗାନ ଦେବା, ପ୍ରଦର୍ଶନ କରିବା ଏବଂ ପୁତ୍ତଳିକା ଦାହ ସହିତ ପଡୋଶୀ ବନ୍ଧୁତ୍ୱପୂର୍ଣ୍ଣ ଦେଶର ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ କରାଯାଉଥିବା ପ୍ରୟାସ ଉପରେ ଆମେ ନଜର ରଖିଛୁ। ଗୃହ ମନ୍ତ୍ରଣାଳୟ ଲୋକମାନଙ୍କ ଦ୍ୱାରା ଟାର୍ଗେଟ କରିଥିବା ନେତାଙ୍କ ନାମ ସିଧାସଳଖ କହିନାହିଁ, କିନ୍ତୁ ଏପରି ନିନ୍ଦନୀୟ ଏବଂ ଲଜ୍ଜାଜନକ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ନାଗରିକମାନଙ୍କୁ କଠୋର ଚେତାବନୀ ଦେଇଛନ୍ତି। ବନ୍ଧୁତ୍ୱପୂର୍ଣ୍ଣ ଦେଶକୁ ଟାର୍ଗେଟ କରୁଥିବା କୌଣସି କାର୍ଯ୍ୟକଳାପକୁ ସହ୍ୟ କରାଯିବ ନାହିଁ। ଏପରି ବେଆଇନ ଘଟଣାରେ ଜଡିତ ଲୋକଙ୍କୁ ଦଣ୍ଡ ଦିଆଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ନେପାଳର ଯୁବକ ଜୟ ସିଂ ଧାମି, ଭାରତର ଧରଚୁଲାର ଗସ୍କୁକୁ ବେଆଇନ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ୩୦ ଜୁଲାଇରେ ମହାକାଳି ନଦୀରେ ଖସିଯିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ନେପାଳର ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଯେ, ଯୁବକଙ୍କ ମୃତ୍ୟୁ ପାଇଁ ଭାରତୀୟ ସୁରକ୍ଷା ବାହିନୀ ଦାୟୀ। ଯେତେବେଳେ ଧାମି ତାର ସାହାଯ୍ୟରେ ନଦୀ ପାର ହେଉଥିଲେ, ସେତେବେଳେ ଏସସିବି ତାର କାଟି ଦେଇଥିଲା। ତେବେ ଏସସିବି ଏହି ଅଭିଯୋଗକୁ ଅସ୍ବୀକାର କରିଛି।