Categories: ଖେଳ

ନେଶନ୍ସ ଲିଗ୍‌: ଜର୍ମାନୀ ଦଳକୁ ଫେରିଲେ ନୁଏର

ଫ୍ରାଙ୍କଫର୍ଟ, ୩।୧୦ (ପି.ଟି.): ଅଭିଜ୍ଞ ଫୁଟବଲର ମାନୁଏଲ ନୁଏର ଜର୍ମାନୀ ଫୁଟବଲ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୀର୍ଘ ୧୧ମାସ ପରେ ବେୟର୍ନ ମ୍ୟୁନିକ୍‌ ଗୋଲକିପର ୩୪ ବର୍ଷୀୟ ନୁଏର ଶୁକ୍ରବାର ଘୋଷିତ ହୋଇଥିବା ଜର୍ମାନୀ ଦଳରେ ସ୍ଥାନ ପାଇଛନ୍ତି। ନେଶନ୍ସ ଲିଗ୍‌ରେ ଆଗକୁ ଖେଳାଯିବାକୁ ଥିବା ତୁର୍କୀ, ୟୁକ୍ରେନ ଓ ସୁଇଜରଲାଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି।
ନୁଏରଙ୍କ ସହ ଲିପ୍‌ଜିଗ୍‌ ଡିଫେଣ୍ଡର ଲକାସ କ୍ଲୋଷ୍ଟେରମ୍ୟାନ୍‌ ଓ ମାର୍ସେଲ ହାଲଷ୍ଟେନବର୍ଗ ମଧ୍ୟ ଦଳକୁ ଫେରିଛନ୍ତି। ଏହି ୩ ଖେଳାଳି ଅଗଷ୍ଟରେ ଚାମ୍ପିୟନ୍ସ ଲିଗ୍‌ ଟୁର୍ନାମେଣ୍ଟ ଖେଳିଥିଲେ। ବିଶ୍ରାମ ନେବାକୁ ଏହି ଖେଳାଳିମାନେ ଗତମାସ ଖେଳାଯାଇଥିବା ସ୍ପେନ୍‌ ଓ ସୁଇଜରଲାଣ୍ଡ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡିଥିଲେ। ବୁଧବାର ତୁର୍କୀ ବିପକ୍ଷରେ ଜର୍ମାନୀ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ନେଶନ୍ସ ଲିଗ୍‌ରେ ଅକ୍ଟୋବର ୧୦ରେ ୟୁକ୍ରେନ ଓ ୧୩ରେ ସୁଇଜରଲାଣ୍ଡ ବିପକ୍ଷରେ ଜର୍ମାନୀ ମ୍ୟାଚ୍‌ ଖେଳିବ। ଗତ ନଭେମ୍ବରରେ ଜର୍ମାନୀ ୟୁରୋପିଆନ ଚାମ୍ପିୟନ୍‌ଶିପ୍‌ କ୍ୱାଲିଫାଇଂରେ ଇସ୍ତୋନିଆ ଓ ବେଲାରୁଷ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲା। ଏଥିରେ ଜର୍ମାନୀ ବିଜୟୀ ହୋଇଥିଲା।

Share