Posted inଫୁରସତ

ଗୀତ ପାଇଁ ବଦଳିଲା ଗାଁର ନାଁ

ପ୍ରତ୍ୟେକ ଗାଁର ପରିଚୟ ତା’ ନାଁ କୁ ନେଇ। କିନ୍ତୁ କେବେ କେବେ କୌଣସି ପରିସ୍ଥିତିରେ ବଦଳିଯାଏ ସେ ଗାଁର ନାଁ। ତାସହ ଯୋଡି ହୋଇଯାଏ ନୂଆ ପରିଚୟ। ସେମିତି ଏକ ଗାଁର ନାଁ ହେଲା ବିଲୁଙ୍ଗ। ରଙ୍ଗବତୀ ଗୀତର ଲୋକପ୍ରିୟତା ପାଇଁ ଏବେ ଏହି ଗାଁ ରଙ୍ଗବତୀ ବିଲୁଙ୍ଗ ନାମରେ ପରିଚିତ…

ପ୍ରତ୍ୟେକ ଗାଁର ନାଁ ଅଲଗା ଅଲଗା। ଆଉ ସେଇ ନାଁକୁ ନେଇ ଗାଁର ପରିଚୟ। କିନ୍ତୁ କେବେ କେବେ କୌଣସି ପରିସ୍ଥିତିରେ ବଦଳିଯାଏ ସେ ଗାଁର ନାଁ। ତାସହ ଯୋଡି ହୋଇଯାଏ ନୂଆ ପରିଚୟ। ସେମିତି ଏକ ଗାଁର ନାଁ ହେଲା ବିଲୁଙ୍ଗ। ତେବେ ରଙ୍ଗବତୀ ଗୀତ ପାଇଁ ଏହି ଗାଁର ନାଁ ଏବେ ବଦଳିଯାଇ ରଙ୍ଗବତୀ ବିଲୁଙ୍ଗ ନାଁରେ ନୂଆ ପରିଚୟ ସୃଷ୍ଟି କରିଛି। ସମ୍ବଲପୁର ଜିଲାର ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଉପଖଣ୍ଡ ସଦରମହକୁମାଠାରୁ ରଙ୍ଗବତୀ ବିଲୁଙ୍ଗ ଗ୍ରାମର ଦୂରତା ପ୍ରାୟ ୩୦କିମି ହୋଇଥିବା ବେଳେ ବାମରା ତହସିଲଠାରୁ ଦୂରତା ପ୍ରାୟ ୩୮କିମି । ତେବେ ବାମରା ବ୍ଲକ ଅନ୍ତର୍ଗତ ଜରାବଗା ପଞ୍ଚାୟତ ଅଧୀନରେ ଥିବା ୨ଟି ଓ୍ବାର୍ଡକୁ ନେଇ ଏହି ବିଲୁଙ୍ଗ ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ପ୍ରାୟ ୨ଶହ ପରିବାର ବାସ କରନ୍ତି। ଭୌଗୋଳିକ ଦୃଷ୍ଟିକୋଣରୁ ବଣପାହାଡ଼ ଘେରା ଏକ ନିପଟ ମଫସଲ ଗାଁ। ଗଁା ମୁଣ୍ଡରେ ପ୍ରାଥମିକ ସ୍କୁଲ, ହାଇସ୍କୁଲ, ଯୁକ୍ତ ଦୁଇ କଲେଜ ସହିତ ପୂର୍ବରେ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ରହିଛି। ଏହାଛଡା ଏକ ଆର୍‌ଆଇ ଅଫିସ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଫରେଷ୍ଟ ଅଫିସ, ଗ୍ରାମଞ୍ଚାୟତ ଅଫିସ ରହିଛି। ଗ୍ରାମର ଅଧିକାଂଶ ଲୋକ କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଗାଁରେ ହାତଗଣତି କେତେଜଣ ସରକାରୀ କର୍ମଚାରୀ ରହିଥିବାବେଳେ ଅଧିକାଂଶ ଲୋକ କିନ୍ତୁ ଦିନମଜୁଆଭାବେ ବିଭିନ୍ନ କାମଦାମ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏହି ଗ୍ରାମରେ ପଟେଲ, ଗୌଡ଼, ଗଣ୍ଡ, ଲୋଧା, କିଷାନ, କେଉଟ, କୁମ୍ଭକାର ଆଦି ବିଭିନ୍ନ ସମ୍ପ୍ରଦାୟର ଲୋକେ ବାସ କରୁଛନ୍ତି। ଗ୍ରାମରେ ମହିଳାମାନେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଥାନ୍ତି। ଏହି ଗ୍ରାମର ପର୍ବପର୍ବାଣିଭାବେ ବୈଶାଖ ପୂର୍ଣ୍ଣିମା ଦିନ ଚନ୍ଦନ ଯାତ୍ରା ପାଳିତ ହୋଇଆସୁଛି। ଏହା ଛଡ଼ା ନାମଯଜ୍ଞ, ବିଶ୍ୱକର୍ମା ପୂଜା, ଗଣେଶ ପୂଜା, ସରସ୍ବତୀ ପୂଜା ଆଦି ପାଳନ ହୋଇଥାଏ। ଏଥିପାଇଁ ୨୦୧୮ରେ କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ରଙ୍ଗବତୀ କ୍ରୀଡ଼ା ଓ ସଂସ୍କୃତି ଏକାଡେମୀ ନାମରେ ଏକ ସଂଗଠନକୁ ପଞ୍ଜୀକୃତ କରାଯାଇଛି। ଏହି ସଂସ୍ଥାର ସଭାପତି ରୂପାନନ୍ଦ ପଟେଲ ଥିବା ବେଳେ ମିତ୍ରଭାନୁ ଗୌନ୍ତିଆ ସମ୍ପାଦକ ରହିଛନ୍ତି। ଏହି ଗ୍ରାମରେ ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ। ଗ୍ରାମର ସମସ୍ତ ଶିକ୍ଷାନୁଷ୍ଠାନର ଉତ୍ସବ ସମୟରେ ରଙ୍ଗବତୀ ଗୀତ ଗାଇବା ବେଳେ ଏହାର ଲେଖକ ଅତିଥିଭାବେ ଯୋଗଦେଇଥାନ୍ତି। ପ୍ରକୃତରେ ପ୍ରସିଦ୍ଧ ରଙ୍ଗବତୀ ଗୀତର ସ୍ରଷ୍ଟା ମିତ୍ରଭାନୁ ଗୌନ୍ତିଆଙ୍କ ନିଜ ଗ୍ରାମ ହେଉଛି ଏହି ବିଲୁଙ୍ଗ। ତେବେ ୨୦୦୪ ମସିହାରେ ଗ୍ରାମରେ ରଙ୍ଗବତୀ ଗୀତର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ବିଲୁଙ୍ଗ ଗାଁକୁ ରଙ୍ଗବତୀ ବିଲୁଙ୍ଗ ଭାବେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ରଙ୍ଗବତୀ ବିଲୁଙ୍ଗ ନାମରେ ସରକାରୀ ମାନ୍ୟତା ପାଇଁ ପ୍ରାୟ ୧୬ ବର୍ଷଧରି ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଆସୁଥିଲା। ପରେ ସରକାରୀ ସ୍ତରରେ ଏଥିପାଇଁ ପଦକ୍ଷେପ ନିଆଯାଇଥିଲା । ଏହି ଗୀତର ନାଁକୁ ଗାଁ ନାଁରେ ଯୋଡ଼ିବା ପାଇଁ ଜିଲାପାଳ, ରାଜସ୍ବ ଆୟୁକ୍ତ ଏବଂ ରାଜ୍ୟ ବୋର୍ଡର ସୁପାରିସକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ କେନ୍ଦ୍ରସରକାରଙ୍କ ନିକଟକୁ ପଠାଯାଇଥିଲା। ରାଜସ୍ବ ଗ୍ରାମ ବିଲୁଙ୍ଗକୁ ରଙ୍ଗବତୀ ବିଲୁଙ୍ଗ କରିବା ପାଇଁ କୁହାଯାଇଥିଲା। କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ଅନୁମୋଦନ ପାଇବାପରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ପକ୍ଷରୁ ଏହି ଗାଁକୁ ବିଲୁଙ୍ଗରୁ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ସ୍ବୀକୃତି ମିଳିଲା। ୨୦୨୦ ଜୁଲାଇ ୨୨ରେ ବିଧିବଦ୍ଧଭାବେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଗାଁକୁ ରଙ୍ଗବତୀ ବିଲୁଙ୍ଗ ନଁା ଭାବେ ପରିବର୍ତ୍ତନ କରାଗଲା ବୋଲି ଉଲ୍ଲେଖ ରହିଛି। ଲୋକକଳା ସଂସ୍କୃତିର ଗ୍ରାମ ରଙ୍ଗବତୀ ବିଲୁଙ୍ଗକୁ ସ୍ବୀକୃତି ମିଳିବା ପରେ ଅଞ୍ଚଳବାସୀ ଏଥିପାଇଁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି। ରଙ୍ଗବତୀ ଗୀତର ଲୋକପ୍ରିୟତା ଏବଂ ଗୀତ ପଛରେ ରହିଥିବା ବିଶେଷତ୍ୱକୁ ନେଇ ପ୍ରଶାସନ ଏବଂ ସରକାର ରଙ୍ଗବତୀ ବିଲୁଙ୍ଗ ଗ୍ରାମକୁ ସ୍ବତନ୍ତ୍ର ଦୃଷ୍ଟି ଦେଇଆସୁଛନ୍ତି। ଏଣୁ ଗ୍ରାମବାସୀ ଗ୍ରାମର ନାମ ପରିବର୍ତ୍ତନ ପାଇଁ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ମୁଖ୍ୟତଃ ସମସ୍ତ ଶ୍ରେୟ ଦେଇଛନ୍ତି। ମିତ୍ରଭାନୁ ପ୍ରାୟ ୮୦ବର୍ଷ ବୟସରେ ମଧ୍ୟ ଲୋକଗୀତ ଓ ପରମ୍ପରା, ଆଦିବାସୀଙ୍କ ଜୀବନଶୈଳୀକୁ ନେଇ ଗବେଷଣା ଜାରିରଖିଛନ୍ତି। ରଙ୍ଗବତୀ ଗୀତ ରଚନା ପାଇଁ ୨୦୨୦ରେ ତାଙ୍କୁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରିଛନ୍ତି। ଏହାଛଡ଼ା ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ପଶ୍ଚିମ ଓଡ଼ିଶାର ଲୋକଗୀତ ଗବେଷଣା କ୍ଷେତ୍ରରେ ୨୦୨୦ରେ ସିନିୟର ଫେଲୋଶିପ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଆକାଶବାଣୀ ଜାତୀୟ ପୁରସ୍କାର ଲାଭକରିଛନ୍ତି। ଏହି ଗ୍ରାମରେ ଥିବା ପର୍ଶୁରାମ ଗୌନ୍ତିଆ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ସନ୍ତୋଷ ପଟେଲ କୁହନ୍ତି, ରଙ୍ଗବତୀ ଗୀତ ରଚନା ଦ୍ୱାରା ବିଲୁଙ୍ଗ ଗ୍ରାମରୁ ରଙ୍ଗବତୀ ବିଲୁଙ୍ଗରେ ନାମିତ ପାଇଁ ସରକାର ସ୍ବୀକୃତି ଦେବା ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର । ଏହି ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ବଳିଷ୍ଠ ଉଦ୍ୟମ ଆଜି ରଙ୍ଗବତୀ ବିଲୁଙ୍ଗ ଗ୍ରାମକୁ ସବୁଠାରେ ପରିଚିତ କରାଇପାରିଛି। ଆକାଶବାଣୀର କଳାକାର ଓ ନାଟ୍ୟକାର ସୁରଥଚନ୍ଦ୍ର ନାୟକ କୁହନ୍ତି, ରଙ୍ଗବତୀ ବିଲୁଙ୍ଗ ଗ୍ରାମକୁ ମିତ୍ରଭାନୁ ଗୌନ୍ତିଆଙ୍କ ସାଥିରେ କଳାକାରଙ୍କୁ ନାଟ୍ୟ ନିର୍ଦ୍ଦେଶନା ଦେବାକୁ ଯାଇଥିବା ମୋ ପାଇଁ ଗର୍ବର ବିଷୟ। ସେହିପରି ସରପଞ୍ଚ ଲାବଣ୍ୟ ନାୟକ କୁହନ୍ତି, ବିଲୁଙ୍ଗ ଗ୍ରାମକୁ ସରକାର ରଙ୍ଗବତୀ ବିଲୁଙ୍ଗ ନାମରେ ନାମିତ କରିଥିବାରୁ ଆମ ପଞ୍ଚାୟତବାସୀ ବହୁତ ଖୁସି। ଏହି ଗ୍ରାମର ମଙ୍ଗଳୁ ରଣା କୁହନ୍ତି, ମୁଁ ଜଣେ କୃଷ୍ଣଗୁରୁ କଳାକାର କିନ୍ତୁ ସଂସ୍କୃତି ଏକାଡେମୀ ଦ୍ୱାରା ମିତ୍ରଭାନୁ ଗୌନ୍ତିଆଙ୍କ ଏହି କଳାର ପ୍ରଚାର ହେଲା । ରଙ୍ଗବତୀ ବିଲୁଙ୍ଗ ଗ୍ରାମର ସମ୍ମାନ ବଢିଛି। ପ୍ରକାଶଚନ୍ଦ୍ର ପଟେଲ କୁହନ୍ତି, ମିତ୍ରଭାନୁ ଗୌନ୍ତିଆଙ୍କ ପାଇଁ ଆଜି ସମଗ୍ର କୁଚିଣ୍ଡା ଅଞ୍ଚଳ ଗର୍ବିତ। ରଙ୍ଗବତୀ ଗୀତ ଯୋଗୁ ତ ଆଜି ଜରାବଗା ପଞ୍ଚାୟତକୁ ଅନେକେ ଜାଣନ୍ତି। ଏଥିପାଇଁ ଆମେ ଧନ୍ୟ ମନେକରୁଛୁ । ଅରୁଣ ପଟେଲ କୁହନ୍ତି, ରଙ୍ଗବତୀ ବିଲୁଙ୍ଗ ନାମରେ ନାମିତ ହେବା ମିତ୍ରଭାନୁ ଗୌନ୍ତିଆଙ୍କ ଅବଦାନ। ଏଥିଯୋଗୁ ଆମ୍ଭେ ଗ୍ରାମବାସୀ ତାଙ୍କଠାରେ ଚିର ଋଣୀ। ଦିଲୀପ ସେନାପତି କୁହନ୍ତି, ଲୋକଗୀତ ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିର ପ୍ରଚାର ପ୍ରସାରକରି ଏହା ସାର୍ବଜନୀନ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଆସୁଥିବା ମିତ୍ରଭାନୁ ଗୌନ୍ତିଆଙ୍କୁ ବହୁତ ବହୁତ ଧନ୍ୟବାଦ । ଏହି ଲୋକପ୍ରିୟ ରଙ୍ଗବତୀ ଗୀତରେ କଣ୍ଠଦାନ କରିଥିବା ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ, ଡ କ୍ରିଷ୍ଣା ପଟେଲ ଏବଂ ଏହି ଗୀତର କମ୍ପୋଜର ପ୍ରଭୁଦତ୍ତ ପ୍ରଧାନ ବେଶ୍‌ ଜଣାଶୁଣା। ତେବେ ଓଡ଼ିଶାରେ ଏହି ଗୀତ ନାଁରେ ବିଲୁଙ୍ଗ ଗାଁକୁ ରଙ୍ଗବତୀ ବିଲୁଙ୍ଗ ଭାବେ ସରକାରୀ ସ୍ବୀକୃତି ମିଳିବା ଏକ ପ୍ରଥମ ଘଟଣା ।

-ବନବିହାରୀ ବେହେରା, ବିରଞ୍ଚତ୍ ନାରାୟଣ ଦର୍କା

ରଙ୍ଗବତୀ ଗୀତର ଗୀତିକାର
ମିତ୍ରଭାନୁ ଗୌନ୍ତିଆଙ୍କ ଜନ୍ମ ୧୭ା୩ା୧୯୪୨ରେ। ବୈଶାଖ ପୂର୍ଣ୍ଣିମା ଚନ୍ଦନ ଯାତ୍ରା ବେଳେ। ତାଙ୍କ ପିତାଙ୍କ ନାମ-ସୁଦର୍ଶନ ଗୌନ୍ତିଆ ଏବଂ ମା’ ସୁଲୋଚନା ଗୌନ୍ତିଆ । ପ୍ରାଥମିକ ଶିକ୍ଷା ଓ କଲେଜ ପଢ଼ାପରେ ସେ ଘରୋଇଭାବେ ବିଏ, ବିଏଡ୍‌ ସାରିଛନ୍ତି। କିନ୍ତୁ ତାଙ୍କର ଅନେକ ସୃଜନଶୀଳତାର କୃତିତ୍ୱ ରହିଛି। କିନ୍ତୁ ରଙ୍ଗବତୀ ଗୀତର ଲୋକପ୍ରିୟତା ପାଇଁ ତାଙ୍କୁ ପଦ୍ମଶ୍ରୀ ଉପାଧି ମିଳିଛି।

-ରଙ୍ଗବତୀ ବିଲୁଙ୍ଗ ଗାଁର ନାଁକୁ ନେଇ ଏମାନେ ଯାହା କୁହନ୍ତି-
ରଙ୍ଗବତୀ ଗୀତରୁ ଗୋଟିଏ ଗାଁର ନାମକରଣ ହେବା ମୋ ପାଇଁ ଖୁସିର ବିଷୟ । ରଙ୍ଗବତୀ ଗୀତ ଆଜି ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିଥିବା ବେଳେ, ଲୋକଙ୍କ ଭଲପାଇବା ଥିବାରୁ ସମଗ୍ର କୁଚିଣ୍ଡା ମାଟି ଗର୍ବିତ । – ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ରଙ୍ଗବତୀ ଗୀତର ଲେଖକ।
ରଙ୍ଗବତୀ ଗୀତରେ କଣ୍ଠ ଦାନର ସୁଯୋଗ ପାଇଥିବାରୁ ଗର୍ବ ଅନୁଭବ କରୁଛି । ଏହାଛଡା ରଙ୍ଗବତୀ ଗୀତକୁ ନେଇ ବିଲୁଙ୍ଗ ପୂର୍ବରୁ ରଙ୍ଗବତୀ ନାମକୁ ଯୋଡ଼ା ଯାଇ ରଙ୍ଗବତୀ ବିଲୁଙ୍ଗ ହୋଇଥିବାରୁ ଅତ୍ୟନ୍ତ ଖୁସି । ଏଥିପାଇଁ ଗୀତର ରଚୟିତା ମିତ୍ରଭାନୁ ଗୌନ୍ତିଆଙ୍କ ପାଖକୁ ସମସ୍ତ ଶ୍ରେୟ ଦେବାକୁ ଚାହେଁ । -ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ, ରଙ୍ଗବତୀ ଗୀତର କଣ୍ଠଶିଳ୍ପୀ।
ରଙ୍ଗବତୀ ଗୀତକୁ ନେଇ ରଙ୍ଗବତୀ ବିଲୁଙ୍ଗ ହେବା ଗର୍ବ ଲାଗୁଛି । ଗୀତର ସ୍ରଷ୍ଟା ଓ ପୁରୁଷ କଣ୍ଠଶିଳ୍ପୀଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିସାରିଥିବା ବେଳେ, ମୋତେ ଏଥିରୁ ବଞ୍ଚିତ କରାଯିବା ବହୁତ କଷ୍ଟ ଦେଇଛି। -ଡ. କ୍ରିଷ୍ଣା ପଟେଲ, ରଙ୍ଗବତୀ ଗୀତର କଣ୍ଠଶିଳ୍ପୀ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri