କାଠଯୋଡିରୁ ଉଦ୍ଧାର ହେଲେ ମା’ ଝିଅ

କଟକ ଅଫିସ, ୮।୭-କଟକ ତ୍ରିଶୁଳିଆ ନିକଟସ୍ଥ ସୁଭାସ ଚନ୍ଦ୍ର ବୋଷ ବ୍ରିଜ୍‌ରୁ ବୁଧବାର ଅପରାହ୍ନରେ କାଠଯୋଡ଼ି ନଦୀକୁ ଡେଇଁ ଆମତ୍ହତ୍ୟା ଉଦ୍ୟମ କରିଥିବା ୨ଜଣଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି। ନଦୀରୁ ଉଦ୍ଧାର ହୋଇଥିବା ୨ଜଣ ସମ୍ପର୍କରେ ମା’ ଓ ଝିଅ ଅଟନ୍ତି। ସେମାନେ ଭୁବନେଶ୍ୱର ଭିଏସ୍‌ଏସ୍‌ନଗରରେ ରହୁନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଉଭୟ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି ବୋଲି ପୋଲିସ ସୂୂଚନା ଦେଇଛି।
ପ୍ରତ୍ୟକ୍ଷଦର୍ଶୀ ଡାକ୍ତର ପ୍ରଜତ କୁମାର ନାଥଙ୍କ କହିବା ଅନୁସାରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଜଣେ ବନ୍ଧୁଙ୍କ ସହ ସେ କଟକରୁ ବାରଙ୍ଗ ଯାଉଥିବାବେଳେ ବ୍ରିଜ୍‌ ଉପରୁ ପ୍ରଥମେ ଜଣେ ମହିଳା ନଦୀକୁ ଡେଇଁବାର ଦେଖିଥିଲେ। ଏହାଦେଖି ସେ ଗାଡ଼ି ଅଟକାଇବାରୁ ସେଠାରେ ଉପସ୍ଥିତ ଅନ୍ୟ ଜଣେ ଯୁବତୀ ମଧ୍ୟ ନଦୀକୁ ଡେଇଁ ପଡ଼ିଥିଲେ। ଡାକ୍ତର ନାଥ ସଙ୍ଗେ ସଙ୍ଗେ ପୋଲିସ ହେଲ୍‌ ଲାଇନକୁ ଫୋନ କରିବା ସହ ସେହି ବାଟ ଦେଇ ଯାଉଥିବା ଅନ୍ୟମାନଙ୍କୁ ଅଗ୍ନିଶମ ବାହିନୀକୁ ଖବର ଦେବାକୁ କହିଥିଲେ। ଖବରପାଇ ବାରଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୨ଘଣ୍ଟାର ଖୋଜାଖୋଜି ପରେ ନଦୀ ମଧ୍ୟରେ ଥିବା ଏକ ଖରି(ବୁଦା) ନିକଟରୁ ଉଭୟ ମା’ଝିଅଙ୍କୁ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ବାରଙ୍ଗ ଥାନାକୁ ଆଣି ପଚରାଉଚରା କରିବା ପରେ ପୋଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବ୍ରିଜ୍‌ ଉପରେ ସେଲ୍‌ଫି ନେବାବେଳେ ଅସାବଧାନତା ବଶତଃ ତଳେ ପଡ଼ିଯିବା ପରେ ଝିଅ ରକ୍ଷା କରିବାକୁ ଯାଇ ନଦୀକୁ ଡେଇଁପଡ଼ିଥିଲେ ବୋଲି ଉଦ୍ଧାର ହୋଇଥିବା ମହିଳା ଜଣକ କହିଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ପୋଲିସ କହିଛି।