ଭୁବନେଶ୍ୱର,୨୮।୯(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର ଉତ୍ତର ଭାରତର ରାଜସ୍ଥାନଠାରୁ ଅପସାରଣ ଆରମ୍ଭ କରିବ। ଅକ୍ଟୋବର ପ୍ରଥମ ସପ୍ତାହର ଶେଷ ଭାଗରେ ମୌସୁମୀ ଓଡ଼ିଶାରୁ ବିଦାୟ ନେବ। ରାଜ୍ୟରେ ଆଉ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। ସ୍ଥାନୀୟ ଜଳବାୟୁ ଆଧାରରେ କାଁ ଭାଁ କେଉଁଠି ଅଳ୍ପ ବର୍ଷା ହୋଇପାରେ। ମୌସୁମୀ ଏବେ ବଙ୍ଗୋପସାଗର ଉପରେ ରହିଛି। ତାମିଲନାଡୁ ଉପକୂଳ ଦେଇ ଧୀରେ ଧୀରେ ଏହା ଅପସରି ଯିବ।
ଚଳିତବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ରହିଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍ ପହିଲାରୁ ସେପ୍ଟେମ୍ବର ୨୭ ମଧ୍ୟରେ ଦେଶରେ ୯% ଅଧିକ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ସ୍ବାଭାବିକ ଭାବେ ୮୬୯.୪ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ୯୫୧.୩ ମିଲିମିଟର ବର୍ଷା। ଏହି ସମୟ ମଧ୍ୟରେ ଓଡ଼ିଶାରେ ୧% କମ୍ ବର୍ଷା ହୋଇଛି। ଜୁନ୍ ପହିଲାରୁ ସେପ୍ଟେମ୍ବର ୨୭ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୧୧୪୦.୭ ମିଲିମିଟର ହେବା ସ୍ଥଳେ ହୋଇଛି ୧୧୩୧.୯ ମିଲିମିଟର ବର୍ଷା। ରାଜ୍ୟର ୨୪ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୨ ଜିଲା କୋରାପୁଟ(୪୪%), ଝାରସୁଗୁଡ଼ା(୨୬%)ରେ ଅଧିକ ଓ ୪ ଜିଲାରେ କମ୍ ବର୍ଷା ହୋଇଛି। ଗଜପତି ଜିଲାରେ ସ୍ବାଭାବିକଠାରୁ ୨୪% କମ୍ ବର୍ଷା ହୋଇଥିବାବେଳେ ଖୋର୍ଦ୍ଧାରେ ୨୮%, ବାଲେଶ୍ୱର ୨୪% ଏବଂ ପୁରୀରେ ୨୫% କମ୍ ବର୍ଷା ହୋଇଛି। ଜୁନ୍ ପହିଲାରୁ ସେପ୍ଟେମ୍ବର ୨୭ ମଧ୍ୟରେ ବାଲେଶ୍ୱରରେ ସ୍ବାଭାବିକ ଭାବେ ୧୨୨୪.୪ ମିଲିମିଟର ବର୍ଷା ହେବା ପରିବର୍ତ୍ତେ ହୋଇଛି ୯୨୫.୧ ମିଲିମିଟର, ଗଜପତିରେ ୯୭୦.୯ ମିଲିମିଟର ପରିବର୍ତ୍ତେ ୭୩୯.୪ ମିଲିମିଟର, ଖୋର୍ଦ୍ଧାରେ ୧୦୯୬.୮ ମିଲିମିଟର ପରିବର୍ତ୍ତେ ୭୮୬.୭ ମିଲିମିଟର ଏବଂ ପୁରୀରେ ୯୯୦.୯ ମିଲିମିଟର ସ୍ଥାନରେ ୭୪୦.୭ ମିଲିମିଟର ବର୍ଷା ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍ ୧୧ରେ ରାଜ୍ୟକୁ ପ୍ରବେଶ କରିଥିଲା। ଜୁନ୍ରେ ସାଧାରଣ ବୃଷ୍ଟିପାତଠାରୁ ୯.୩ ପ୍ରତିଶତ ଅଧିକ ବର୍ଷା ହୋଇଥିବାବେଳେ ଜୁଲାଇରେ ୩୪.୯ ପ୍ରତିଶତ କମ୍ ବର୍ଷା ହୋଇଥିଲା। ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା। ତେବେ ଅଗଷ୍ଟରେ ୪୫.୨ ପ୍ରତିଶତରୁ ଅଧିକ ବର୍ଷା ହୋଇଥିଲା। ଯେଉଁ ଜିଲାଗୁଡିକରେ ଜୁଲାଇ ମାସରେ ନିଅଣ୍ଟିଆ ବର୍ଷା ହୋଇଥିଲା ତାହା ଅଗଷ୍ଟରେ ଭରଣା ହୋଇଥିଲା। ଅଗଷ୍ଟରେ ୧୭ ଜିଲାରେ ସାଧାରଣ ବୃଷ୍ଟିପାତ (୧୯ ପ୍ରତିଶତ)ଠାରୁ ଅଧିକ ହୋଇଥିବା ବେଳେ ୧୨ ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ସେଥିରୁ ୬ ଜିଲାରେ ସାଧାରଣ ବୃଷ୍ଟିପାତଠାରୁ ୧୦୫ ପ୍ରତିଶତରୁ ୧୭୬ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ବୃଷ୍ଟିପାତ ହୋଇଛି। କେବଳ ନୂଆପଡା ଜିଲାରେ ୩୧.୯ ପ୍ରତିଶତ କମ୍ ବର୍ଷା ହୋଇଥିଲା। ଅଗଷ୍ଟରେ ୪ଟି ଲଘୁଚାପ ହୋଇଥିଲା। ଲଘୁଚାପ ଜନିତ ବର୍ଷା ଯୋଗୁ ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଥିଲା। ଏହି ବନ୍ୟାରେ ଯାଜପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଜିଲା ଅଧିକ ପ୍ରଭାବିତ ହୋଇଥିଲା।


