ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର

ବଲାଙ୍ଗୀର ଅଫିସ,୨୪ା୮: ବରଗଡ଼ ଜିଲା ଗାଇସିଲେଟ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁକ୍ତଦୁଇ ଛାତ୍ରୀ (୧୬)ଙ୍କୁ ସୋମବାର ଅପହରଣ କରାଯାଇଥିଲା। ସମ୍ପୃକ୍ତା ଅପହୃତା ନାବାଳିକା ଛାତ୍ରୀଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମଙ୍ଗଳବାର ସକାଳେ ଉଦ୍ଧାର କରାଯାଇଛି। ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ନାବାଳିକା ଛାତ୍ରୀଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଗାଇସିଲେଟ୍‌ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ପରିବାର ଲୋକଙ୍କ ସୂଚନା ମୁତାବକ ନାବାଳିକା ଜଣକ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ତାଙ୍କ ନିଜ ଗଁାର ଏକ ଦୋକାନକୁ ସଉଦା କରିବାକୁ ଯାଇଥିଲେ। ତାଙ୍କ ସହ ତାଙ୍କର ଜଣେ ସମ୍ପର୍କୀୟା ଛୋଟ ଭଉଣୀ ମଧ୍ୟ ଥିଲେ। ଦୋକାନରେ ପହଞ୍ଚତ୍ବା ଆଗରୁ ଗ୍ରାମପଞ୍ଚାୟତ ଅଫିସ ନିକଟରେ ୨ ଜଣ ଯୁବକ ସମ୍ପୃକ୍ତା ନାବାଳିକାଙ୍କୁ ଏକ ବାଇକ୍‌ରେ ଅପହରଣ କରିନେଇଥିଲେ। ଘଟଣା ସମ୍ପର୍କରେ ସାଙ୍ଗରେ ଥିବା ଭଉଣୀ ଘର ଲୋକଙ୍କୁ କହିବା ପରେ ସେମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ଅପହୃତାଙ୍କ ବାପା ଓ ମାମୁ ଗାଇସିଲେଟ ଥାନାକୁ ଯାଇ ଝିଅର ଅପହରଣ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କରି ଫେରିବା ବାଟରେ ଅପହୃତାଙ୍କ ମାମୁ ଗଁାଠାରୁ ପ୍ରାୟ ୩ କିଲୋମିଟର ଦୂର ରାସ୍ତାକଡରେ ହାତଗୋଡ଼ ବନ୍ଧା ଏବଂ ଚେତାଶୂନ୍ୟ ଅବସ୍ଥାରେ ଭାଣିଜୀ ପଡିଥିବା ଦେଖିବାକୁ ପାଇଥିଲେ। ତାଙ୍କ ପାଟିକୁ ସେଲୋଟେପ ଜରିଆରେ ବନ୍ଦ କରି ଦିଆଯାଇଥିଲା। ଝିଅ ଅବସ୍ଥା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପରେ ମୁମୂର୍ଷୁ ଅବସ୍ଥାରେ ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। ଅପହୃତାଙ୍କ ଜଣେ ସମ୍ପର୍କୀୟ କାକା ଗଣମାଧ୍ୟମକୁ ସୂଚନା ଦେଇ ନାବାଳିକା ଅପହରଣ ପଛରେ ପୂର୍ବଶତ୍ରୁତା ବିଶେଷକରି ପଞ୍ଚାୟତ ନିର୍ବାଚନ ସମୟର ରାଗ ଥାଇପାରେ ବୋଲି ସନ୍ଦେହ ପ୍ରକଟ କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଗଁାରେ ୧୪ଟି ପରିବାରକୁ ବାସନ୍ଦ କରାଯାଇଥିଲା। ଏହି ବିବାଦକୁ ନେଇ ଅପରପକ୍ଷର ଲୋକେ ଏପରି କାଣ୍ଡ ଘଟାଇ ଥାଇପାରନ୍ତି ବୋଲି କହିଛନ୍ତି। ଏ ଦିଗରେ ପଦ୍ମପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇଙ୍କୁ ପଚାରିବାରୁ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଘଟଣାରେ ପୋଲିସ ୪ଜଣ ଯୁବକଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।