Posted inଫୁରସତ

ମେସେଜ୍‌ ବୃତ୍ତାନ୍ତ….

ସାମାଜିକ ଗଣମାଧ୍ୟମର ସବୁଠୁ ବଡ଼ ସାମାଜିକ କାର୍ଯ୍ୟଟି ହେଲା ଗୁଡ୍‌ ମର୍ନିଂ ଓ ଗୁଡ୍‌ ନାଇଟ୍‌ ବାର୍ତ୍ତା । ଲୋକଙ୍କ ଆଉ କିଛି ଆସୁ କି ନ ଆସୁ କିନ୍ତୁ ଗୁଡ୍‌ ମର୍ନିଂ ଶୁଭେଚ୍ଛା ବାର୍ତ୍ତା ନିଶ୍ଚେ ଆସିବ । ସବୁ ବିଶ୍ୱବିଦ୍ୟାଳୟ ଭଳି ହ୍ବାଟ୍ସ ଆପ୍‌ ୟୁନିଭରସିଟିର ଟ୍ୟାଗ୍‌ ଲାଇନ ହେଲା ‘ଜ୍ଞାନ ବାଣ୍ଟିଲେ ବଢେ’ । ଅର୍ଥାତ୍‌ ଆପଣଙ୍କ ପାଖକୁ ଯେଉଁ ଜ୍ଞାନ ଆସୁଛି ତାକୁ ପଢ଼ିସାରି ନିଜ ପାଖରେ ନ ରଖି ସିଧା ଆଉ ଦଶ ଜଣଙ୍କ ପାଖକୁ ଫରୱାର୍ଡ କଲେ ତାହା ବଢିବ । ବୋଧେ ଏଇଥିପାଇଁ ହ୍ବାଟ୍ସ ଆପ୍‌ରେ ଫରୱାର୍ଡ ବିକଳ୍ପ ରଖାଯାଇଛି । ଗାନ୍ଧିଜୀ ଥରେ କହିଥିଲେ ମୁଁ ମୋ ଘରର ସମସ୍ତ ଝରକା ଖୋଲା ରଖିଛି ।

ସବୁଦିଗରୁ ଆସୁଥିବା ଚିନ୍ତାଧାରାକୁ ମୁଁ ଗ୍ରହଣ କରି ନିଜ ବିବେକାନୁଯାୟୀ କାର୍ଯ୍ୟ କରିବି । ଗାନ୍ଧିଜୀଙ୍କ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ହ୍ବାଟ୍ସ ଆପ୍‌ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇଥିବା ପ୍ରାୟ ଛାତ୍ରୀ ଛାତ୍ରମାନେ ପ୍ରତିଦିନ ଊଣା ଅଧିକେ ଅନ୍ତତଃ ପକ୍ଷେ ଦଶଟି ଗ୍ରୁପ୍‌ରୁ ଜ୍ଞାନ ଆହରଣ କରୁଛନ୍ତି ଏବଂ ଜ୍ଞାନ ପାଇବା ମାତ୍ରେ ହିଁ ନିଜେ ପଢ଼ କି ନ ପଢ଼ ତୁରନ୍ତ ଅନ୍ୟ ଗ୍ରୁପ୍‌ମାନଙ୍କ ଭିତରେ ବାଣ୍ଟି ଦିଅନ୍ତି । ପ୍ରତି ଗ୍ରୁପ୍‌ରେ ଅନ୍ତତଃ ଦୁଇ ତିନିଜଣ ଏହି ବିଶ୍ୱବିଦ୍ୟାଳୟର ପି.ଏଚ୍‌.ଡି. ପାଇଥିବା ଲୋକ ଦେଖିବାକୁ ମିଳିବେ ।

ଯେଉଁମାନେ ନିଃସ୍ବାର୍ଥ ସେବା ମନୋଭାବ ନେଇ ଅନ୍ୟକୁ ଜ୍ଞାନ ବାଣ୍ଟିବା ଭଳି ମହତ କାର୍ଯ୍ୟରେ ଲାଗିଥା’ନ୍ତି । ଆମ ଦେବଭୂମି କାଳେ ଗୁଡ୍‌ ମର୍ନିଂ ବଣ୍ଟା ବଣ୍ଟିରେ ସାରା ବିଶ୍ୱରେ ନଂ. ୱାନ୍‌ । ସମାଜର ଉନ୍ନତି ପାଇଁ ଚିନ୍ତିତ ଏହି ପି.ଏଚ୍‌.ଡି. (ପର୍ମାନେଣ୍ଟ ହେଡ୍‌ ଡ୍ୟାମେଜ୍‌) ଲୋକଙ୍କ ଗବେଷଣା ସନ୍ଦର୍ଭ ମଧ୍ୟ ଅନନ୍ୟ । କିଏ ବିଭିନ୍ନ ପ୍ରକାର ଗୁଡ୍‌ ମର୍ନିଂ ପ୍ରେରଣ କରିବାର ସରଳ ଉପାୟ ଉପରେ ଗବେଷଣା କରିଛନ୍ତି ତ କିଏ ଚାରି ଆଖିଆ ମାଛ, ନଡିଆରେ ଗଣେଶ ଆକୃତି, ଧୂଆଁରେ ଆଲ୍ଲା ଲେଖା, ବିଚିତ୍ର କଦଳୀ ଗଛର ଫଟୋ ଦେଖିଲେ କିପରି ପୋତା ଧନ ମିଳିବ ତା’ ଉପରେ ଗବେଷଣା କରିଛନ୍ତି ।

ଯଦି ଏହିଭଳି କିଛି ଜ୍ଞାନୀ ଗୁଣି ପି.ଏଚ୍‌.ଡି. ବାଲା ଥିବା କୌଣସି ହ୍ବାଟ୍ସ ଆପ୍‌ ଗ୍ରୁପ୍‌ରେ ଆପଣ ସଭ୍ୟ ଅଛନ୍ତି ତେବେ ଆପଣ ସକାଳୁ ଉଠୁ ଉଠୁ ମୋବାଇଲରେ ଠାକୁରଙ୍କ ଫଟୋ ତଳେ ଗୁଡ୍‌ ମର୍ନିଂ ଲେଖାଥିବା ଶୁଭେଚ୍ଛା ବାର୍ତ୍ତା ନିଶ୍ଚେ ଦେଖୁଥିବେ । ଏହା ସହ ଅଦ୍ଭୁତ କଦଳୀ ଗଛର ଫଟୋ ଓ ଏହାକୁ ଦେଖିଲା ମାତ୍ରେ କମେଣ୍ଟରେ ମା’ ଲେଖିଲେ ପୋତାଧନ ମିଳିବା ଭଳି ଅନେକ ଜନହିତକର ବାର୍ତ୍ତା ଦେଖିବାକୁ ପାଉଥିବେ । ଏ ସବୁ ଦେଖିଲେ ମନେହେବ ଯେମିତି ଦେଶର ବେଶ୍‌ କିଛି ଆଦର୍ଶ ଗୃହିଣୀ, ଅବସରପ୍ରାପ୍ତ ବରିଷ୍ଠ ନାଗରିକ ତଥା ମାଧବ ସେବା ହିଁ ମାନବ ସେବାରେ ବ୍ରତି ଅନେକ ଯୁବତୀଯୁବକଙ୍କୁ ସମୁଚିତ ମାନବ କଲ୍ୟାଣ ପାଇଁ ହ୍ବାଟ୍ସ ଆପ୍‌ କମ୍ପାନୀ ନିଯୁକ୍ତି ଦେଇଛି । ଏହିଭଳି ସମାଜସେବୀମାନଙ୍କ ଦୃଢ଼ ବିଶ୍ୱାସ ସେମାନଙ୍କ ‘ଗୁଡ୍‌ ମର୍ନିଂ’ ବିନା ଆପଣଙ୍କ ମର୍ନିଂ କେବେ ବି ‘ଗୁଡ୍‌’ ହେବନାହିଁ । ସେଥିପାଇଁ ନିଜର ବହୁ ମୂଲ୍ୟ ସମୟ ଦେଇ ବିଭିନ୍ନ ଜାଗାରୁ ଶୁଭସକାଳର ସୁନ୍ଦରିଆ ଫଟୋ ଭିଡିଓ ଇତ୍ୟାଦି ଯୋଗାଡ଼ କରିବାରେ ଲାଗିଥାନ୍ତି । ନବବର୍ଷ କି ଅଗଷ୍ଟ ପନ୍ଦର ଭଳି ବର୍ଷର ଅନ୍ୟ ବିଶେଷ ଦିନ ମାନ ଆସିଲେ ମୋ ଆତଙ୍କ ବଢିଯାଏ । ଦୁଇ ତିନି ଦିନ ଧରି ଫୋନ ପ୍ରାୟ ଅଚଳ ଅବସ୍ଥାରେ ରୁହେ ।

କାରଣ ହେଲା ମୋର ସ୍ବଳ୍ପ ମେମୋରିବାଲା ଫୋନ । ଜାନୁୟାରୀ ଏକ ତାରିଖରେ ଯେତିକି ସମୟ ନବବର୍ଷର ଶୁଭେଚ୍ଛା ବାର୍ତ୍ତା ପଢିବାରେ କି ଭିଡିଓ ବାର୍ତ୍ତା ଦେଖିବାରେ ଯାଏ, ତା’ ଠାରୁ ଅଧିକ ସମୟ ସେସବୁକୁ ଫୋନ ମେମୋରିରୁ ଡିଲିଟ କରିବାରେ ଦେବାକୁ ହୁଏ । ଏହା ଛଡା ଆଉ ଏକ ଆତଙ୍କ ହେଲା ବିଭିନ୍ନ ହ୍ବାଟ୍ସ ଆପ୍‌ ଗ୍ରୁପ । ହ୍ବାଟ୍ସ ଆପ୍‌ ଗ୍ରୁପମାନଙ୍କ କଥା କ’ଣ କହିବି । କେବଳ ଜଣେ ଭୁକ୍ତଭୋଗୀ ହିଁ ଜାଣିଛି ଏହି ଗ୍ରୁପମାନଙ୍କ ପ୍ରଭାବ କେତେ ଅଧିକ । ହଠାତ୍‌ ସକାଳୁ ଦେଖିବେ ଆପଣଙ୍କ ଅଜାଣତରେ ଆପଣ ତିନି ଚାରିଟି ଗ୍ରୁପରେ ସଭ୍ୟ ହୋଇସାରିଛନ୍ତି । ଯଦି ଆପଣ ଗ୍ରୁପ୍‌ରୁ ବହାରିଯିବେ ତା’ପରେ ଫୋନ ଆସିବ ଆପଣ ଅମୁକ ଅମୁକ ଗ୍ରୁପ୍‌ରେ ଅଛନ୍ତି ଆଉ ଆମେ କ’ଣ ଏତେ ଗନ୍ଧେଇଲୁ । ଏବେ ଜଣେ କହିବ ତ କରିବ କ’ଣ । ସମ୍ପର୍କ ରକ୍ଷା ପାଇଁ ଅନିଚ୍ଛା ସତ୍ତ୍ୱେ ସେମାନଙ୍କ ଯାବତୀୟ ବିଚାରଧାରାର ପୋଷ୍ଟିଂ ସହ ନୀରବ ସମର୍ଥକ ହେବାକୁ ବାଧ୍ୟ ।
ଗଲା ସୋମବାର ସକାଳୁ ମୋର ସ୍କୁଲ ସାଙ୍ଗମାନଙ୍କ ହ୍ବାଟ୍ସ ଆପ୍‌ ଗ୍ରୁପ୍‌ରେ ଗୋଟେ ଫଟୋ ଆସିଥିଲା । ଫଟୋରେ ଗୋଟେ ଗାଈ ଚିତ୍ର ସହ ଲେଖା ଥିଲା ଲୋକନାଥଙ୍କ ପାଖରେ ଅଧିଆ ପଡିଥିବା ଷଣ୍ଢର ରାତି ପାହିଲା ବେଳକୁ ଲିଙ୍ଗ ପରିବର୍ତ୍ତନ ହୋଇ ଗାଈ ପାଲଟି ଯାଇଛି । ଏବେ ସେ ଦୁଇମାସର ଗର୍ଭବତୀ । ନାସାର ବୈଜ୍ଞାନିକମାନେ ବହୁ ଗବେଷଣା କରି ଏହାର ଟେର୍‌ ପାଉ ନାହାନ୍ତି । ଶେଷରେ ନାସାର ନିର୍ଦ୍ଦେଶକ ଏକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ବାବା ଲୋକନାଥଙ୍କ ଲୀଳା ସାମ୍ନାରେ ବିଜ୍ଞାନର ସବୁ ପାଠ ଫେଲ୍‌ । ସବୁ ବାବାଙ୍କ ଲୀଳା । ନାସାର କାର୍ଯ୍ୟାଳୟରେ ବାବାଙ୍କ ମନ୍ଦିର ପ୍ରତିଷ୍ଠା ସହ ସେଠାରେ କାର୍ଯ୍ୟରତ ସମସ୍ତ ବୈଜ୍ଞାନିକଙ୍କ ପାଇଁ ଦୈନିକ ବାବାଙ୍କ ମୋଦକ ପ୍ରସାଦର ବ୍ୟବସ୍ଥା କରିବାକୁ ଆମେରିକା ସରକାରଙ୍କୁ ଅନୁରୋଧ କରିଛନ୍ତି । ଏ ଫଟୋ ତଳେ ଲେଖାଥିଲା ଏହି ଫଟୋକୁ ଓଁ ନମଃ ଶିବାୟ ଲେଖି ପାଞ୍ଚ ଜଣଙ୍କ ପାଖକୁ ପଠେଇଲେ ଫୋନ ବ୍ୟାଟେରି ଆପେ ଫୁଲ୍‌ ଚାର୍ଜ ହୋଇଯିବ ।

ଆଜିକା ବ୍ୟସ୍ତବହୁଳ ଜୀବନରେ ମୋବାଇଲ ବ୍ୟାଟେରି ଚାର୍ଜର ଆବଶ୍ୟକତା କେତେ ତାହା ସମସ୍ତେ ଜାଣିଛନ୍ତି । ତେଣୁ ଏପରି ଏକ ଚମତ୍କାରୀ ବୃଷଭ, ଯାହାର ଫଟୋ ଶେୟାର କଲେ ବିନା ଚାର୍ଜରରେ ଫୋନ ଚାର୍ଜ ହୋଇଯିବ ତାହା ନିଶ୍ଚିତଭାବେ ଏ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ମାନବ କଲ୍ୟାଣକାରୀ ଉଦ୍ଭାବନ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁଁ ଚେଷ୍ଟା କରି ବିଫଳ ହୋଇଛି ବୋଧେ ଶୁଦ୍ଧପୂତ ମନରେ ଏ ମହାତ୍ମା ବୃଷଭଙ୍କ ଫଟୋ ଶେୟାର କରି ନ ଥିଲି । କିନ୍ତୁ ଆପଣ ଚେଷ୍ଟା କରିପାରନ୍ତି । ପ୍ରଥମେ ପାଞ୍ଚ ଜଣଙ୍କୁ ପଠେଇ ଦେଖନ୍ତୁ , ଫୋନ ଚାର୍ଜ ହେଲାକି ? ମୋର ତ ହଉନି । ଥରେ ନୁହେଁ ତିନି ତିନି ଥର ଚେଷ୍ଟା କରିସାରିଲିଣି । ପରୀକ୍ଷା ନିରୀକ୍ଷା ବାହାନାରେ ପ୍ରଥମେ ପାଞ୍ଚଜଣ ବନ୍ଧୁଙ୍କୁ , ପରେ ପାଞ୍ଚ ଜଣ ସମ୍ପର୍କୀୟଙ୍କୁ (ଥରେ ମୋ ଆଡୁ ଓ ଆଉ ଥରେ ପତ୍ନୀଙ୍କ ଆଡୁ) କିନ୍ତୁ କୋଉଥିରେ ବି ଫୋନ ଚାର୍ଜ ହେଲା ନାହିଁ ବରଂ ପାଞ୍ଚ ଜଣଙ୍କ ଉତ୍ତର ଆସିଲା – ଯୋଗିନିଖିଆ ସକାଳୁ କ’ଣ ତୋର ଆଉ କିଛି କାମ ନାହିଁ ଏମିତିକା ମେସେଜ ପଠେଇ ବିରକ୍ତ କରୁଛୁ । ଅବଶ୍ୟ ଠିକଣା ସମୟରେ ଭୁଲ୍‌ ମାଗି ଭାଙ୍ଗୁଥିବା ସମ୍ପର୍କକୁ ସଜାଡିଲି ।

ଫୋନ ଚାର୍ଜିଂରୁ ଗୋଟେ ମାଗଣା ଗୁରୁବାଣୀ ଦଉଛି । ଶୋଇଲା ବେଳେ ଫୋନକୁ ମୁଣ୍ଡ ପାଖରେ ରଖି ଚାର୍ଜ କରିବେନି । ଆଜିକାଲି କାଳେ ଏହା ବିସ୍ଫୋରଣ ହେଉଛି । ଆଉ ଯେଉଁମାନଙ୍କୁ ରାତିରେ ଶୋଇଲା ବେଳେ ନିଜ ଫୋନକୁ ମୁଣ୍ଡ ପାଖରେ ରଖି ଚାର୍ଜ କରୁଥିବାର ଦେଖିବେ ତେବେ ଜାଣିବେ ଏ ସଂସାର ପ୍ରତି ତାଙ୍କର ମୋହ ଭଙ୍ଗ ହେଲାଣି, ଆଉ ଯଦି କେହି ନିଜ ଫୋନକୁ ପତ୍ନୀଙ୍କ ମୁଣ୍ଡ ପାଖରେ ରଖି ଚାର୍ଜ କରୁଥିବାର ଜାଣିବେ ତେବେ ଧରିନେବେ ଯେ ଏ ସଂସାର ମୋହରେ ମୋହିତ ହେବା ପାଇଁ ସେ ଖୁବ୍‌ ଆଶାବାଦୀ ।

-ବନମାଳୀ ଭବନ, ଖାନ୍‌ନଗର, କଟକ, ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri