୧୦ବର୍ଷର ଆକ୍ରୋଶରୁ ଗଣହତ୍ୟା

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୧୯ା୧୧(ଡି.ଏନ୍‌.ଏ.):ପାଟଣାଗଡ଼ ସହଁରାପଡାରେ ଗତ ୧୦ ତାରିଖ ରାତିରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡର ୮ ଦିନ ପରେ ବଲାଙ୍ଗୀର ପୋଲିସ ଏହି ଗଣହତ୍ୟାର ପର୍ଦ୍ଦାଫାଶ କରିଛି। ଏସ୍‌ପି ମାଡକର ସନ୍ଦୀପ ସମ୍ପତ୍‌ ପାଟଣାଗଡ ଥାନାରେ ବୁଧବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପୋଲିସର ସ୍ବତନ୍ତ୍ର ଟିମ୍‌ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାବୁଲାଲ ଜାନୀ (୫୫), ଛାୟା ଗଣ୍ଡ (୨୬), ବଳଦେବ ଗଣ୍ଡ (୨୭), ମନୀଷ ଗଣ୍ଡ (୨୪), ଭୋଲା ଜାନୀ (୨୦), ଶିବା ଜାନୀ (୧୯), ବିକଲ କଇରି ଓରଫ ସିଂଘ (୨୦)। ଅନ୍ୟ ୨ ଅଭିଯୁକ୍ତ ଗଙ୍ଗୁଆ ଜାନୀ (୫୦) ଏବଂ ଦେବରାଜ ଜାନୀ (୧୮) ଫେରାର ଅଛନ୍ତି। ଅଭିଯୁକ୍ତଙ୍କ ସୂଚନା ମୁତାବକ ପୋଲିସ ବହୁ ମାରଣାସ୍ତ୍ର, ୨ମୋପେଡ୍‌ ଓ ଗୋଟିଏ ମୋଟରସାଇକଲ ଜବତ କରିଛି। ଦୀର୍ଘ ୧୦ ବର୍ଷ ଧରି ତିନୋଟି ଯାଯାବର ପରିବାର ଭିତରେ କୁହୁଳୁ ଥିବା ପାରିବାରିକ ବିବାଦ, ତୀବ୍ର ଅସନ୍ତୋଷ ଓ ପ୍ରତିହିଂସାରୁ ଏଭଳି ଗଣହତ୍ୟା ଘଟିଥିବା ଏସ୍‌ପି ମାଡକର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ବୁଲୁ ଜାନୀଙ୍କ ସମେତ ତାଙ୍କ ସ୍ତ୍ରୀ ଜ୍ୟୋତି ଜାନୀ (୪୮), ଝିଅ ସରିତା ଜାନୀ (୧୨), ପୁଅ ଭୀଷ୍ମ ଜାନୀ (୫), ସଞ୍ଜୀବ ଜାନୀ (୨) ଓ ନାତୁଣୀ ଶ୍ରୀୟା ଜାନୀ (୩)ଙ୍କୁ ହତ୍ୟା କରିଥିଲେ। ଏନେଇ ପାଟଣାଗଡ ଥାନାରେ ଏକ ମାମଲା (୨୪୫/୨୦) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଘଟଣାଦିନ ସହଁରାପଡାରେ ଥିବା ବାବୁଲାଲ ଜାନୀଙ୍କ ଦୁଇ ପୁଅ ଶିବା ଓ ଭୋଲାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ସେମାନଙ୍କ ମୋବାଇଲ ଟ୍ରାକିଂ କରି ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ସୂଚନା ପାଇଥିଲା।
ପ୍ରାୟ ୧୦ରୁ ୧୨ ବର୍ଷ ତଳେ ଝାଡ଼ଖଣ୍ଡ ଅଞ୍ଚଳରୁ ବୁଲୁ ଜାନୀ ପାଟଣାଗଡକୁ ଆସି ସହଁରାପଡାଠାରେ ଘର କରି ପରିବାର ସହ ରହୁଥିଲେ। ପରେ ତାଙ୍କ ସମ୍ପ୍ରଦାୟର ଅନ୍ୟ କେତେକ ପରିବାର ଆସି ସେଠାରେ ରହିଥିଲେ। ବିଭିନ୍ନ ସମୟରେ ଏହି ପରିବାର ମଧ୍ୟରେ ବିବାଦ ଓ ଗଣ୍ଡଗୋଳ ଲାଗି ରହୁଥିଲା। ବୁଲୁ ଜାନୀ ନିଜର ପ୍ରଭାବ ବିସ୍ତାର କରି ଅନ୍ୟ ପରିବାର ସଦସ୍ୟଙ୍କୁ ବେଖାତିର କରୁଥିଲେ। ଏହାକୁ ନେଇ କ୍ରମଶଃ ପରସ୍ପର ଭିତରେ ଶତ୍ରୁତା ବୃଦ୍ଧି ପାଇଥିଲା। ବୁଲୁ ଜାନୀ ଏବଂ ଗଙ୍ଗୁଆ ଜାନୀଙ୍କ ମଧ୍ୟରେ ଝଗଡା ଲାଗି ରହିବାରୁ ଗଙ୍ଗୁଆ ପାଟଣାଗଡ଼ ସହଁରାପଡା ଘର ଛାଡି ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ନିଲଜି ଗ୍ରାମରେ ରହୁଥିଲେ। ଗତ ଅକ୍ଟୋବରରେ ବୁଲୁ ଜାନୀ ଏବଂ ପଡୋଶୀ ବାବୁଲାଲ ଜାନୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାବୁଲାଲ ପ୍ରତିଶୋଧ ପରାୟଣ ହୋଇ ବୁଲୁଙ୍କୁ ପାନେ ଦେବାକୁ ଯୋଜନା କରିଥିଲେ। ନିଲଜି ଗ୍ରାମରେ ଥିବା ଗଙ୍ଗୁଆ ମାଝିଙ୍କ ନିକଟକୁ ଯାଇ ସେଠାରେ ବାବୁଲାଲ ଏବଂ ମନୀଷ ସହ ମିଶି ବୁଲୁ ଜାନୀଙ୍କ ପରିବାର ସଦସ୍ୟା ମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ବାବୁଲାଲ ଜାନୀ ଗଙ୍ଗୁଆ ଏବଂ ତାଙ୍କ ସହଯୋଗୀଙ୍କୁ ୧ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ। ଯୋଜନା ପ୍ରସ୍ତୁତି ପରେ ପାଟଣାଗଡ ସହଁରାପଡାରେ ଥିବା ବାବୁଲାଲ ଜାନୀଙ୍କ ଦୁଇ ପୁଅ ଭୋଲା ଏବଂ ଶିବା ବୁଲୁ ଜାନୀଙ୍କ ଗତିବିଧି ଉପରେ ନଜର ରଖି ଗଙ୍ଗୁଆ ଓ ତାଙ୍କ ସହଯୋଗୀଙ୍କୁ ମୋବାଇଲରେ ସୂଚନା ପ୍ରଦାନ କରୁଥିଲେ। ଗତ ନଭେମ୍ବର ୮ ତାରିଖରେ ବୁଲୁ ଜାନୀଙ୍କ ୪ ପୁଅ ଭୁବନେଶ୍ୱର ଯାଇଥିବା ଓ ବୁଲୁ ସ୍ତ୍ରୀ ଏବଂ ଛୋଟ ଛୁଆଙ୍କ ସହ ଘରେ ଏକାକୀ ଥିବା ଖବର ଭୋଲା ଓ ଶିବା ଗଙ୍ଗୁଆ ମାଝିଙ୍କୁ ଦେଇଥିଲେ। ସୂଚନା ପାଇବା ପରେ ଗଙ୍ଗୁଆ ନବରଙ୍ଗପୁର ଜିଲା ଝରିଗାଁ ଥାନା ଦେଉଳକଣା ଠାରେ ଥିବା ବଳଦେବ ଗଣ୍ଡ, ଛାୟା ଗଣ୍ଡ, ମନୀଷ ଗଣ୍ଡ ଏବଂ ବିକଲ୍‌ କଇରିଙ୍କୁ ନିଲଜି ଗ୍ରାମକୁ ଡକାଇଥିଲେ। ଗତ ୧୦ ତାରିଖ ଦିନ ନିଲଜି ଗ୍ରାମରୁ ଗଙ୍ଗୁଆ ମାଝି, ଦେବରାଜ ମାଝି, ବଳଦେବ ଗଣ୍ଡ, ଛାୟା ଗଣ୍ଡ, ମନୀଷ ଗଣ୍ଡ ଏବଂ ବିକଳ କଇରି ୨ଟି ମୋପେଡ ଏବଂ ଗୋଟିଏ ବାଇକ୍‌ରେ ଆସି ରାତି ୮ଟାରେ ପାଟଣାଗଡରେ ପହଞ୍ଚତ୍ଥିଲେ। ପାଟଣାଗଡ ବ୍ରହ୍ମପୁରା ନିକଟ ଭାନୁସାଗର ପୋଖରୀ ନିକଟରେ ସେମାନେ ଛପି ରହିଥିଲେ। ଭୋଲା ଜାନୀ ଏବଂ ଶିବା ଜାନୀ ସେଠାକୁ ଆସି ବୁଲୁ ଜାନୀଙ୍କ ସବିଶେଷ ସୂଚନା ଦେଇଥିଲେ। ରାତି ପ୍ରାୟ ୧୧ଟାରେ ବିଭିନ୍ନ ମାରଣାସ୍ତ୍ର, ବନ୍ଧୁକ ଏବଂ ଗୋଟିଏ ପେଟ୍ରୋଲ ବୋତଲ ଧରି ବୁଲୁ ଜାନିଙ୍କ ଘର ଚାରିପଟେ ଲୁଚି ରହିଥିଲେ। ରାତି ପ୍ରାୟ ୧୨ଟାରେ ବୁଲୁ ଜାନୀ ପରିସ୍ରା କରିବାକୁ ଘରୁ ବାହାରିବାରୁ ଗଙ୍ଗୁଆ ବୁଲୁଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ବୁଲୁଙ୍କ ଦେହରେ ଗୁଳି ବାଜି ନ ଥିଲା ଏବଂ ସେ ଘର ଭିତରକୁ ପଳାଇବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ପୂର୍ବରୁ ଛପି ରହିଥିବା ଅନ୍ୟମାନେ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ବୁଲୁଙ୍କ ସ୍ତ୍ରୀ ଜ୍ୟୋତି ଏବଂ ଝିଅ ସରିତା ଜାନୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ମାରଣାସ୍ତ୍ର ମାଡରେ ଟଳି ପଡିଥିଲେ। ଶୋଇଥିବା ଅନ୍ୟ ୩ ଛୁଆ ବଡ ହେଲା ପରେ କାଳେ ପ୍ରତିଶୋଧ ନେବେ ଭାବି ସେମାନଙ୍କୁ ମଧ୍ୟ ହତ୍ୟା କରିଥିଲେ। ହତ୍ୟା କରି ନ ପାରିଲେ ବୁଲୁ ଜାନୀଙ୍କ ଘରକୁ ପଟ୍ରୋଲ ଢ଼ାଳି ଜାଳି ଦେବାକୁ ଯୋଜନା କରିଥିଲେ। ଗଣହତ୍ୟା ପରେ ବିଭିନ୍ନ ମାରଣାସ୍ତ୍ରକୁ ନିକଟସ୍ଥ ଭାନୁସାଗର ପୋଖରୀରେ ପକାଇ ଦେଇ ଗଙ୍ଗୁଆ ଓ ତାଙ୍କ ୫ ସହଯୋଗୀ ସେଠାରୁ ଫେରାର ହୋଇଯାଇଥିଲେ। ଭୋଲା ଏବଂ ଶିବା ସହଁରାପଡା ଘରକୁ ଚାଲି ଆସି କିଛି ନ ଜାଣିଲା ପରି ରହିଥିଲେ।
ଏସ୍‌ପି ଏହି ଗଣହତ୍ୟା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ଅତିରିକ୍ତ ଏସପି ମନୋରଞ୍ଜନ ପଧାନଙ୍କ ନେତୃତ୍ୱରେ ପାଟଣାଗଡ ଏସ୍‌ଡିପିଓ ସୁରେଶ ନାଏକ, ପାଟଣାଗଡ ଆଇଆଇସି କେ. ପ୍ରିୟଙ୍କା ରାଉତରାୟ, ବଲାଙ୍ଗୀର ସଦର ଥାନା ଆଇଆଇସି ତୋଫାନ୍‌ ବାଗ, କଣ୍ଟାବାଣ୍ଟି ଆଇଆଇସି ଓ ଅନ୍ୟ ପୋଲିସ କର୍ମଚାରୀମାନେ ତଦନ୍ତ କାର୍ଯ୍ୟକୁ ଆଗେଇ ନେଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପୋଲିସ ଟିମ୍‌ ଭାନୁସାଗର ପୋଖରୀ ନିକଟରୁ ଖଣ୍ଡା, ଗଏଁତି, ଲୁହାରଡ୍‌, ହାତୁଡି ଓ ଅନ୍ୟ ମାରଣାସ୍ତ୍ର, ୪ ମୋବାଇଲ, ୩ ଗାଡ଼ି ଜବତ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଦୁଇ ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡ ପରିସ୍ରାଗାର, ଶୌଚାଳୟ ଅବହେଳିତ : ଦୁର୍ଗନ୍ଧରେ ନାକ ଫାଟୁଛି

ଢେଙ୍କାନାଳ ଅଫିସ, ୯।୬ – ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ପରିସରରେ ନିର୍ମିତ ଶୌଚାଳୟ ଏବଂ ପରିସ୍ରାଗାର ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇପଡ଼ିଛି। ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା...

ବାସନ୍ତିକ ଦୁର୍ଗାପୂଜାରେ ଭକ୍ତଙ୍କୁ ମନ୍ଦିର ମନା

ବରଗଡ଼ ଅଫିସ,୧୦।୪: ବରଗଡ଼ ଜିଲାରେ ରବିବାରଠାରୁ ଆରମ୍ଭ ହେଉଛି ବାସନ୍ତିକ ଦୁର୍ଗାପୂଜା (ଚୈତ୍ର ପର୍ବ)। ହେଲେ ଜିଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚୈତ୍ର ପର୍ବରେ...

କୋଭିଡ୍‌ ଆମ୍ବୁଲାନ୍ସରୁ ଓହ୍ଲାଇ ନଳକୂପରେ ପିଇଲେ ପାଣି: ସାନିଟାଇଜ୍‌ ହେଲା ଗ୍ରାମ, ଲୋକେ ଭୟଭୀତ

ପାଟପୁର,୧୫ା୫(ଡି.ଏନ୍‌.ଏ.)- କୋଭିଡ୍‌-୧୯ ଆମ୍ବୁଲାନ୍ସରୁ ଓହ୍ଲାଇ ୨ ଅନ୍ତେବାସୀ ଗ୍ରାମ ନଳକୂପରୁ ପାଣି ପିଇବା ପରେ ଗଁା ସାନିଟାଇଜ୍‌ କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା...

ଶୌଚ ହେବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ମହିଳା, ଡାକ୍ତରଖାନାରେ ଭର୍ତ୍ତି

ପାଟଣା,୧୭ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ସଂରକ୍ଷିତ ଜଙ୍ଗଲରେ ବୁଧବାର ଭୋର୍‌ରୁ ଜଣେ ୬୦ ବର୍ଷୀୟା ମହିଳା ହାତୀ ଆକ୍ରମଣରେ ଗୁରୁତର...

ଆଜି ସର୍ବାଧିକ ୧୪ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୦ା୮(ବ୍ୟୁରୋ) : ସୋମବାର ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ...

କାର ତଳେ ଚାପି ହୋଇ ଶ୍ୱଶୁର ମୃତ, ଅଳ୍ପକେ ବର୍ତିଲେ ଜ୍ୱାଇଁ

ଓଡଗାଁ,୨୪।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ପଥରାପିଚୁ ଫାକ୍ଟ୍ରି ନିକଟରେ ରବିବାର ଅପରାହ୍ନରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର ତଳେ ଚାପି ହୋଇ...

ଫଳ ବଜାରକୁ ନ ଆସିଲେ ଆବଣ୍ଟନ ରଦ୍ଦ ହେବ

ଭୁବନେଶ୍ୱର,୭।୮ (ବ୍ୟୁରୋ): ରାସ୍ତାରେ ଫଳ ବିକ୍ରି କରୁଥିବାରୁ ଅନେକ ସମୟରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହେଉଛି। ଏଥିସହିତ ଫଳଗୁଡିକ ବାହାରେ ଖରା, ବର୍ଷା ଖାଇ...

ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ,ସ୍ତ୍ରୀ ଗୁରୁତର

ସାଲେପୁର,୧୬।୨(ଡି.ଏନ୍‌.ଏ.): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ମଙ୍ଗଳବାର ରାତିରେ ବୋମା ମାଡ...

Advertisement
Archives

Model This Week