ପୁରୁଷୋତ୍ତମପୁର,୨୫।୧୦(ସବିତା ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମା ଓ ମା’ଗଜଲକ୍ଷ୍ମୀଙ୍କ ପୂଜା ଲାଗି ଗଞ୍ଜାମ ଜିଲାର ଭାଇଚାରାର ସହର ପୁରୁଷୋତ୍ତମପୁର ଚଳଚଞ୍ଚଳ ହୋଇ ଉଠିଛି । ସୁନା ରୂପାର ଅଳଙ୍କାରରେ ଝଲସୁଛନ୍ତି ମା’ ଗଜଲକ୍ଷ୍ମୀ । ମେଢ ଦେଖିବା ସାଙ୍ଗକୁ ଆଶୀର୍ବାଦ ଭିକ୍ଷା ଲାଗି ଜନଗହଳି ଲାଗିରହିଛି । ପଣ୍ଡିତଙ୍କ ବେଦମନ୍ତ୍ର ସାଙ୍ଗକୁ ମହିଳାଙ୍କ ହୁଳହୁଳି ଶଦ୍ଦରେ ପୂଜାମଣ୍ଡପ ପ୍ରକମ୍ପିତ ହୋଇଉଠି ସମ୍ପୂର୍ଣ୍ଣ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇପଡିଛି ।
ଏଠିକାର ରଥସାହି ପୂଜା ମଣ୍ଡପ ହେଉଛି ସର୍ବପୁରାତନ ଓ ଐତିହାସିକ ପୂଜାମଣ୍ଡପ । କିଛି ବର୍ଷ ହେଲା ଏଠାରେ ସୁନା ଓ ରୂପାର ଅଳଙ୍କାରରେ ମା’ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବାରେ ଲାଗିଛନ୍ତି । ଏହା ଓଡିଆ ଅସ୍ମିତାକୁ ପାଥେୟକରି ମନ୍ଦିରମାଳିନୀ ଓଡିଶାର କଳାସଂସ୍କୁତି ଐତିହ୍ଯକୁନେଇ ନିର୍ମିତ ହୋଇଥିବା ମେଢ ମୁଖ୍ୟ ଆକର୍ଷଣ ପାଲଟିଥିବା ସାଙ୍ଗକୁ ରଥସାହି ଛକରେ ନିର୍ମିତ ୩୫ ଫୁଟ ଉଚ୍ଚତାର ଆକର୍ଷଣୀୟ ଇଲେକ୍ଟ୍ରି ତୋରଣ ସହ ସମଗ୍ର ସାହିଟି ରଙ୍ଗିନ ଆଲୋକରେ ଝଲସି ଉଠିଛି । ଏହି ମେଢକୁ ଦେଖିବା ସହ ମା’ଙ୍କ ଆଶୀର୍ବାଦ ଭିକ୍ଷାଲାଗି ବିଭିନ୍ନ ଗ୍ରାମମାନଙ୍କରୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି ।
ଆସନ୍ତା ୩୧ ତାରିଖରେ ମାଙ୍କୁ ମେଲାଣି ଦିଆଯିବ । ମା ’ ପୂଜାମଣ୍ଡପରେ ଥିବା ପର୍ଯ୍ୟନ୍ତ ପ୍ରତ୍ଯହ ହୋମ ଯଜ୍ଞମାନ ଜାରି ରହିବ ବୋଲି ପୂଜାକମିଟି ପକ୍ଷରୁ ଜଣାପଡିଛି । ଏଥିରେ ପୁରୋହିତ ଭାବେ ପଣ୍ଡିତ ମନୋଜ କୁମାର ମହାପାତ୍ର, ଶିବରାମତ୍ରୀପାଠି ଓ ଗାନୁ ଦାଶ ଯୋଗଦେଇ ପୂଜାର୍ଚ୍ଚନା କରୁଥିବା ବେଳେ କର୍ତ୍ତାଭାବରେ ଶିଶିର ପଣ୍ଡା ରହିଛନ୍ତି । ଏହାକୁ ସାହିବାସିନ୍ଦା ପରିଚାଳନା କରିବାରେ ଲାଗିଛନ୍ତି । ସେହିପରି ନନ୍ଦିକସାହି, ଚାଙ୍ଗୁଡିଆପଦର ସାହି, କୁମାରୀ ଠାରେ ମଧ୍ଯ ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଛି ।

