ରାସ୍ତାରୁ ଉଠାଇ ବ୍ୟକ୍ତିଙ୍କୁ ଏସ୍‌ଆଇଙ୍କ ମାଡ଼

କୋଣାର୍କ,୨୬ା୮(ଡି.ଏନ୍‌.ଏ.): କୋଣାର୍କ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନରଞ୍ଜନ ପଣ୍ଡାଙ୍କୁ ରାସ୍ତାରୁ ଉଠାଇ ନେଇ ମଦ୍ୟପ ଆଖ୍ୟା ଦେଇ କୋଣାର୍କ ଥାନା ଏସ୍‌ଆଇ ଦିଲୀପ କୁମାର ବେହେରା ମାଡ଼ ମାରିଛନ୍ତି। ଏ ନେଇ ଜ୍ଞାନରଞ୍ଜନଙ୍କ ସ୍ତ୍ରୀ ଶୈଳବାଳା ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଥାନା ଛକରେ ଥିବା ଏକ ଗ୍ରସେରି ଦୋକାନକୁ ଜ୍ଞାନରଞ୍ଜନ ସାମଗ୍ରୀ ଆଣିବାକୁ ଯାଇଥିଲେ। ଥାନା ଛକରେ ସେ ଛିଡା ହୋଇଥିବାବେଳେ ହଠାତ୍‌ ଏସ୍‌ଆଇ ବେହେରା ତାଙ୍କୁ ରାସ୍ତାରୁ ଉଠାଇ ନେବା ସହ ମଦ୍ୟପର ଆଖ୍ୟା ଦେଇ ଥାନା ଭିତରେ ମାଡ଼ ମାରିଥିଲେ। ଫଳରେ ସେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ ପହଞ୍ଚତ୍ ଏସ୍‌ଆଇ ବେହେରାଙ୍କ ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଜ୍ଞାନରଞ୍ଜନଙ୍କ ପ୍ରାଥମିକ ଚିକିତ୍ସା ପାଇଁ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ କର୍ମଚାରୀମାନେ ଜ୍ଞାନରଞ୍ଜନକୁ ସ୍ବାସ୍ଥ୍ୟକେନ୍ଦ୍ର ନେଇ ଚିକିତ୍ସା କରି ପୁଣି ଥାନାକୁ ଆଣିଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ସ୍ତ୍ରୀ ଫୋନ କରିଥିଲେ ମଧ୍ୟ ଜ୍ଞାନଙ୍କ ଫୋନ ବନ୍ଦ ଥିଲା। ଏ ନେଇ ସେ ଦିଅର ମନୋରଞ୍ଜନଙ୍କୁ ଜଣାଇଥିଲେ। ପରେ ମନୋରଞ୍ଜନ ଥାନାରେ ପହଞ୍ଚତ୍ ଜ୍ଞାନଙ୍କୁ ଘରକୁ ଆଣିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଶୈଳବାଳା ଏସ୍‌ଆଇଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଏସ୍‌ଆଇ ବେହେରାଙ୍କ ପ୍ରତିକ୍ରିୟା ମିଳିପାରି ନଥିବାବେଳେ ଆଇଆଇସି ମଲ୍ଲିକ କହିଛନ୍ତି, ଥାନାକୁ ମୁଁ ଆସିବାବେଳେ ଜଣେ ଅଚେତ ପଡ଼ିଥିବା ଦେଖି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲି। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପୁରୀ ସହର ମୁଖ୍ୟ ଚିକିତ୍ସାଳୟକୁ ନେଇ କୋଭିଡ୍‌ ପରୀକ୍ଷା ସହ ଚିକିତ୍ସା ସୁବିଧା କରିଛି। ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିବା ସହ ଆଇନ ଅନୁଯାୟୀ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ଏସ୍‌ପିଙ୍କୁ ସୁପାରିସ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଏସ୍‌ଆଇଙ୍କ ଏଭଳି ବ୍ୟବହାରକୁ ନାପସନ୍ଦ କରିବା ସହ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଯଦି ନ ନିଆଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଅନୁସୂଚିତ ଜାତି ବିକାଶ ପରିଷଦର ସମ୍ପାଦକ ପ୍ରତାପ କାଣ୍ଡି ଚେତାବନୀ ଦେଇଛନ୍ତି।