ପ୍ରାକୃତିକ ବାଲିସ୍ତୂପ ଖୋଳି ବାଲି ନେଉଛନ୍ତି ମାଫିଆ

କୁଜଙ୍ଗ ୫ା୫ (ଡି.ଏନ.ଏ.): ଏରସମା ତହସିଲ ଅଭୟଚାନ୍ଦପୁର ମୌଜା ଅନ୍ତର୍ଗତ ବୋଷ୍କାଲିସ ପଏଣ୍ଟ ନିକଟରେ ଥିବା ପ୍ରାକୃତିକ ବାଲିସ୍ତୁପକୁ ଦିନ ଦ୍ୱିପ୍ରହରରେ ମାଫିଆମାନେ ଦୈନିକ ଶତାଧିକ ଟ୍ରିପ ବାଲି ମେଶିନ ସାହାଯ୍ୟରେ ଖୋଳି ନେଇ ଯାଉଛନ୍ତି। ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏ ସମ୍ପର୍କରେ ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଚୌଧୁରୀଙ୍କୁ ପଚାରିବାରେ ଜଣଙ୍କର ବ୍ୟକ୍ତିଗତ ଜମିରୁ ବାଲି ଉଠାଣ ଚାଲିଛି। ରୟାଲିଟି କଟାଯାଇଛି। ମାତ୍ର କେତେ ପରିମାଣର ବାଲି ଉଠିବ ଏବଂ କେତେ ଟଙ୍କା ରୟାଲିଟି କଟା ହୋଇଛି ସେ କଥା ସ୍ପଷ୍ଟ କରି ନ ଥିଲେ। ଯଦି ସେ ସରକାରୀ ଜମିରୁ ଏବଂ ଆବଶ୍ୟକ ପରିମାଣଠାରୁ ଅଧିକା ବାଲି ଉଠୁଥାଏ ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ଆହୁରି ମଧ୍ୟ କହିଥିଲେ, ଏ ସମ୍ପର୍କରେ ସେ ପୂର୍ବରୁ ଗ୍ରାମବାସୀ ଓ ଅନ୍ୟମାନଙ୍କଠାରୁ ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ନଜର ରଖିବା ପାଇଁ କୁହାଯାଇଛି। କେଉଁ ଅନାଦି କାଳରୁ ଏହି ପ୍ରାକୃତିକ ବାଲୁକା ପ୍ରାଚୀର ଢିଙ୍କିଆ, ତ୍ରିଲୋଚନପୁର, ମାହଳ, ପାଟଣା, ଗୋବିନ୍ଦପୁର ପ୍ରଭୃତି ଗ୍ରାମକୁ ସମୁଦ୍ର ଢେଉରୁ ସୁରକ୍ଷା ଦେଉଥିଲା। ମାତ୍ର ଆଜି ସେହି ବାଲୁକା ସ୍ତୁପ ଉପରେ ବାଲି ମାଫିଆମାନେ ନିଜର ମାଲିକାନା ଦର୍ଶାଇ କୋଟି କୋଟି ଟଙ୍କାରେ ଠିକାଦାରଙ୍କୁ ବିକୁଛନ୍ତି। ଏହା ଫଳରେ ତହସିଲର କୋଟି କୋଟି ଟଙ୍କାର ରାଜସ୍ବହାନି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବୁଧବାର ଜେସିବି ସାହାଯ୍ୟରେ ବାଲିସ୍ତୁପ ଖୋଳା ଯାଇ ଟ୍ରକରେ ଅନ୍ୟତ୍ର ଚାଲଣ ହେଉଥିବା ଦେଖିବାକୁ ମିଳିଥିଲା।