Categories: ଫୁରସତ

ବିଳାସୀ ରାଜା

ଏକଦା ଭାରତ ଥିଲା ରାଜା ମହାରାଜାଙ୍କ ଦେଶ। ସେମାନଙ୍କ ମଧ୍ୟରୁ କିଏ ଅଦମ୍ୟ ସାହସ ଓ ବୀରତ୍ୱ ପାଇଁ ପରିଚିତ ଥିଲେ ତ ଆଉ କିଏ ପରିଚିତ ଥିଲେ ସେମାନଙ୍କ ଅୟସ ଜୀବନ ଓ ଅଜବ ସଉକ ପାଇଁ। ନିଜ ଇଚ୍ଛା, ନିଜ ନିୟମରେ ଚାଲୁଥିଲେ ଅନେକେ। ଆଉ ପ୍ରତି ରାଜା ମହାରାଜାଙ୍କ ଜୀବନ ଥିଲା ଏକ କାହାଣୀ ପରି। ସେମିତି କେତେଜଣ ରାଜାଙ୍କ ଗପ ପରି ଲାଗୁଥିବା ସତ କାହାଣୀ..

ନିଜ ଶରୀର ଓଜନର ସୁନା ଦାନ କରିଥିଲେ ବିକାନେର୍‌ ମହାରାଜା ଗଙ୍ଗା ସିଂ- କାହାଣୀରେ ଶୁଣିଥିବେ ଜନୈକ ଦାନୀ ରାଜା ନିକିତିର ଗୋଟିଏ ପାର୍ଶ୍ୱରେ ବସି ନିଜ ଶରୀର ଓଜନ ସହ ସମାନ ସୁନା ଲୋକଙ୍କୁ ଦାନ କରିଥିଲେ। ତେବେ ଏହା କେବଳ କାହାଣୀ ନୁହେଁ, ବାସ୍ତବରେ ବି ଜଣେ ରାଜା ଏମିତି କରିଥିବା ଜଣାପଡ଼େ। ସେ ହେଉଛନ୍ତି ବିକାନେର୍‌ର ମହାରାଜା ଗଙ୍ଗା ସିଂ। ଏହି ମହାରାଜା ଥିଲେ ବେଶ୍‌ ଦୟାଳୁ। ତେଣୁ ପ୍ରଜାମାନେ ତାଙ୍କୁ ବହୁତ ଭଲ ପାଉଥିଲେ। ସେ ଏତେ ଦୟାବାନ୍‌ ଥିଲେ ଯେ, ତାଙ୍କ ସୁବର୍ଣ୍ଣ ଜୟନ୍ତୀ ତଥା ସେ ୫୦ ବର୍ଷ ବୟସରେ ଅବତୀର୍ଣ୍ଣ ହେବା ଖୁସିରେ ‘ତୁଳା ଦାନ’ ନାମକ ପୁରାତନ ହିନ୍ଦୁ ଉତ୍ସବର ଆୟୋଜନ କରିଥିଲେ। ଏହି ଉତ୍ସବରେ ସେ ନିକିତିର ଏକ ପାର୍ଶ୍ୱରେ ବସିଥିଲେ। ଆଉ ଅନ୍ୟ ପଟରେ ରଖାଯାଇଥିଲା ସୁନା ଇଟା। ତାଙ୍କ ଶରୀର ଓଜନ ସହ ସମାନ ହେବା ଯାଏ ସୁନା ଇଟା ରଖାଯାଇଥିଲା। ପରେ ସେହି ସୁନା ଇଟାର ମୂଲ୍ୟ ସହ ସମାନ ଅର୍ଥକୁ ସେ ଲୋକଙ୍କୁ ଦାନ କରିଥିଲେ।

ରୋଲ୍‌ସ ରୟ କାର୍‌କୁ ଅଳିଆ ସଂଗ୍ରହ କାର୍ଯ୍ୟରେ ଲଗାଇଥିଲେ ଅଲଓ୍ବରର ମହାରାଜା ଜୟ ସିଂ ପ୍ରଭାକର- ଜଣେ ଦୀପ୍ତିମାନ, ବିଦ୍ୱାନ ରାଜାଭାବେ ପରିଚିତ ଥିଲେ ଅଲଓ୍ବରର ମହାରାଜା ଜୟ ସିଂ ପ୍ରଭାକର। ତାଙ୍କୁ ଲକ୍‌ଜ୍ୟୁରିୟସ୍‌ ରୋଲ୍‌ସ୍‌ ରୟସ୍‌ କାର୍‌ ବହୁତ ପସନ୍ଦ ଥିଲା। ସେଥିପାଇଁ ତ ତାଙ୍କ ପାଖରେ ୭ଟି ରୋଲ୍‌ସ ରୟସ୍‌ କାର୍‌ ଥିଲା। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏକ ଘଟଣା ଲାଗି ଶେଷରେ ସେ ଏହି ଦାମୀ ଗାଡିଗୁଡିକୁ ନିଜ ରାଜ୍ୟର ଅଳିଆ ସଂଗ୍ରହ ପାଇଁ ବ୍ୟବହାର କରିଥିଲେ। ଘଟଣାଟି ଥିଲା ଏମିତି- ଥରେ ମହାରାଜା ସାଦା ପୋଷାକରେ ଲଣ୍ଡନର ରୋଲ୍ସ ରୟସ୍‌ କାର୍‌ ଶୋ’ ରୁମ୍‌ ଯାଇଥିଲେ। ସେଠାକାର ଜଣେ ସେଲ୍ସମ୍ୟାନ୍‌ ତାଙ୍କୁ ଗରିବ ଭାରତୀୟ ଭାବି ତାଚ୍ଛଲ୍ୟ କରିଥିଲେ, ଯାହା କି ତାଙ୍କୁ ବହୁତ ଖରାପ ଲାଗିଥିଲା। ତାଙ୍କ ସ୍ବାଭିମାନ ପ୍ରତି ଆଞ୍ଚ ଆସିଥିଲା। ସେ ଖୁବ୍‌ ରାଗି ଯାଇଥିଲେ। ଆଉ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଲେ। ତେଣୁ ସେ ଶୋ’ ରୁମ୍‌ର ସବୁ କାର୍‌ କିଣିନେଲେ। ତା’ସହ ସର୍ତ୍ତ ରଖିଲେ ଯେ, କାର୍‌ଗୁଡିକୁ ସେହି ସେଲ୍ସମ୍ୟାନ ନିଜେ ମହାରାଜାଙ୍କ ମହଲରେ ପହଞ୍ଚାଇବ। କାର୍‌ଗୁଡିକୁ ସେଲ୍ସମ୍ୟାନ୍‌ ମହଲରେ ପହଞ୍ଚାଇବା ପରେ ମହାରାଜା ଆଦେଶ ଦେଲେ ଯେ, ଗାଡ଼ିଗୁଡ଼ିକର ଛାତ ବାହାର କରି ରାଜ୍ୟର ଅଳିଆ ସଂଗ୍ରହ କାମରେ ନିୟୋଜିତ କରାଯାଉ। ଆଉ ସେଇୟା ହେଲା। ଏହି ଘଟଣା ପରେ ରୋଲ୍ସ ରୟ କମ୍ପାନୀ ମହାରାଜାଙ୍କ ସହ ହୋଇଥିବା ଅପମାନ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ।

ଲୁଇସ୍‌ ଭିଟୋନ୍‌ ଟ୍ରଙ୍କ ଧରି ଭ୍ରମଣ କରୁଥିଲେ କପୁରଥାଲା ରାଜା ଜଗତଜିତ୍‌ ସିଂ-ବ୍ରିଟିଶ ଶାସନାଧୀନ ଭାରତ ଅନ୍ତର୍ଗତ କପୁରଥାଲାର ଶାସକ ଥିଲେ ଜଗତଜିତ୍‌ ସିଂ। ମାତ୍ର ୫ ବର୍ଷ ବୟସରୁ ଶାସନଭାର ସମ୍ଭାଳିଥିବା ଜଗତଜିତ୍‌ ଥିଲେ ଲକ୍‌ଜ୍ୟୁରିୟସ୍‌ ସାମଗ୍ରୀ ପ୍ରିୟ। ଆଉ ତାଙ୍କର ପ୍ରିୟ ବ୍ରାଣ୍ଡ ଥିଲା ଲୁଇସ୍‌ ଭିଟୋନ୍‌। ଏବେ ହୁଏତ ଅନେକଙ୍କ ପାଖରେ ଏହି ବ୍ରାଣ୍ଡର ବ୍ୟାଗ୍‌ ଥିବ। କିନ୍ତୁ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏହି ବ୍ରାଣ୍ଡର ବ୍ୟାଗ ଭାରତରେ ଏତେଟା ନ ଥିଲା। ସେତେବେଳେ ଭାରତରେ ଲକ୍‌ଜ୍ୟୁରିୟସ୍‌ ତଥା ଡିଜାଇନର୍‌ ଜିନିଷର ଲୋକପ୍ରିୟତା ବି ଏତେଟା ନ ଥିଲା। କିନ୍ତୁ ଏହି ସମୟରେ ମହାରାଜା ଜଗତ୍‌ଜିତ ସିଂ ଥିଲେ ଲାଟେଷ୍ଟ ଲକ୍‌୍‌ଜ୍ୟୁରିୟସ୍‌ ସାମଗ୍ରୀ କ୍ଷେତ୍ରରେ ପୂରା ଅପ୍‌ଡେଟ୍‌। ତା’ସହ ସେ ଥିଲେ ଭ୍ରମଣପ୍ରିୟ। ଆଉ ସେ ଷ୍ଟାଇଲ୍‌ରେ ଭ୍ରମଣ କରିବାକୁ ପସନ୍ଦ କରୁଥିଲେ। ସେ ଲୁଇସ୍‌ ଭିଟୋନ୍‌ କମ୍ପାନୀକୁ ନିଜର ବ୍ୟକ୍ତିଗତ ଟ୍ରଙ୍କ ଡିଜାଇନ୍‌ କରିବାକୁ ଅର୍ଡର ଦେଇଥିଲେ। ମହାରାଜା ଜଗତ୍‌ଜିତ ସିଂଙ୍କର ଦାମୀ ପୋଷାକ, ବିଭିନ୍ନ ଡିଜାଇନ୍‌ର ସୁଟ୍‌, ପଗଡି, ଖଣ୍ଡା, ଜୋତା ଆଦିର ଭଲ ସଂଗ୍ରହ ଥିଲା। ସେସବୁକୁ ଅଲଗା ଅଲଗା ରଖିବା ପାଇଁ ସେ ଲୁଇସ୍‌ ଭିଟୋନ୍‌ ଟ୍ରଙ୍କ ବ୍ୟବହାର କରୁଥିଲେ। ଭ୍ରମଣ କରିବା ସମୟରେ ସେ ନିଜ ସହ ୬୦ଟି ଲୁଇସ୍‌ ଭିଟୋନ୍‌ ଟ୍ରଙ୍କ ସାଙ୍ଗରେ ନେଇ ଯାଉଥିଲେ।

ରୁପା ରଥ ତିଆରି କରିଥିଲେ ପଟିଆଲାର ମହାରାଜା ଭୁପିନ୍ଦର ସିଂ- ଯେତେବେଳେ ରାଜା ମହାରାଜା ସୁନା, ହୀରା ପାଇଁ ପାଗଳ ଥିଲେ। ଆଉ ସୁନା ହୀରାର ସାମଗ୍ରୀ ତିଆରି କରୁଥିଲେ, ସେହି ସମୟରେ ପଟିଆଲାର ମହାରାଜା ଭୁପିନ୍ଦର ସିଂ ରୁପା ପାଇଁ ଥିଲେ ପାଗଳ। ସେ ରୁପାର ଏକ ରଥ ବି ତିଆରି କରିଥିଲେ। ସେଇ ରୁପା ରଥ ଏବେ ମଧ୍ୟ ଅଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଏହି ରଥରେ ହିଁ ବସି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଯାଇଥିଲେ। କେବଳ ସେତିକି ନୁହେଁ, ଭୁପିନ୍ଦର ସିଂ ହେଉଛନ୍ତି ଭାରତର ପ୍ରଥମ ବ୍ୟକ୍ତି ଯିଏ କି ଏକ ଏୟାରକ୍ରାଫ୍ଟ କିଣିଥିଲେ। ୧୯୧୦ ମସିହାରେ ସେ ଏହାକୁ ୟୁକେରୁ କିଣିଥିଲେ। ଏହାକୁ ଉଡାଇବା ପାଇଁ ପଟିଆଲାରେ ଏକ ଏୟାରଷ୍ଟ୍ରିପ୍‌ ବି ତିଆରି କରିଥିଲେ। ତା’ଛଡା ସେତେବେଳେ ତାଙ୍କ ପାଖରେ ମେଡାଲ୍‌ର ବଡ ସଂଗ୍ରହ ବି ଥିଲା; ଯାହାକୁ ପୃଥିବୀର ବଡ଼ ସଂଗ୍ରହ କୁହାଯାଉଥିଲା।

ବହଓ୍ବଲପୁରର ନଓ୍ବାବ ସଦ୍ଦିକ ମହମ୍ମଦ ଖାଁ ଅବାସୀ ୪ର୍ଥଙ୍କର ଥିଲା ନାରୀ ପ୍ରତିମୂର୍ତ୍ତି ଥିବା ଖଟ – ୧୮୮୨ ମସିହାରେ ବହଓ୍ବଲପୁରର ମହାରାଜା ସଦ୍ଦିକ ମହମ୍ମଦ ଖାଁ ଅବାସୀ ୪ର୍ଥ ଏକ ସ୍ବତନ୍ତ୍ର ରୁପା ଛାଉଣି ଖଟ ନିର୍ମାଣ କରାଇଥିଲେ; ଯାହାକି ସେତେବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ୨୦ ବର୍ଷୀୟ ନଓ୍ବାବ ପ୍ୟାରିସ୍‌ର କ୍ରିଷ୍ଟୋଫଲ୍‌ ନାମକ ଆସବାବପତ୍ର କମ୍ପାନୀକୁ ବରାଦ ଦେଇଥିଲେ ଏହାକୁ ତିଆରି କରିବା ପାଇଁ। ମହାରାଜା ଖଟଟିକୁ ଡାର୍କ ରୋଜ୍‌ଉଡ୍‌ରେ ତିଆରି କରିବା ସହ ସେଥିରେ ସୁନ୍ଦର କାରୁକାର୍ଯ୍ୟ ଓ ଖଟ ଚାରିପଟେ ଚାରୋଟି ମହିଳାଙ୍କ ପ୍ରତିମୂର୍ତ୍ତି କରିବାକୁ ବରାଦ ଦେଇଥିଲେ। ସେହି ନାରୀ ମୂର୍ତ୍ତିଗୁଡିକ ବ୍ରୋଞ୍ଜରେ ତିଆରି ହୋଇଥିଲା। ଆଉ ସେଥିରେ ମଣିଷ ଶରୀର ଭଳି ରଙ୍ଗ ଦିଆଯାଇଥିଲା। ତା’ସହ ଲଗାଯାଇଥିଲା ସତସତିକା ମଣିଷର କେଶ। ମୂର୍ତ୍ତିଗୁଡିକର ଆଖି ମଣିଷ ଆଖି ଭଳି ମିଟିକା ମାରିପାରୁଥିଲା। ହାତ ବି ହଲିପାରୁଥିଲା। ଏମାନେ ହାତରେ ବିଞ୍ଚଣା ଓ ଘୋଡା ଲାଞ୍ଜ ଧରି ଠିଆ ହୋଇଥିଲେ। ଏହି ମୂର୍ତ୍ତିଗୁଡିକ ୟୁରୋପ ମହାଦେଶର ଚାରୋଟି ଦେଶର ମହିଳାଙ୍କୁ ଦର୍ଶାଉଥିଲା। ସେହି ଦେଶଗୁଡ଼ିକ ହେଉଛି ଫ୍ରାନ୍ସ, ସ୍ପେନ, ଇଟାଲି ଓ ଗ୍ରୀସ୍‌। ତେଣୁ ପ୍ରତି ନାରୀ ପ୍ରତିମୂର୍ତ୍ତିର ଶରୀରର ରଙ୍ଗ ଓ କେଶ ରଙ୍ଗ ଭିନ୍ନ ଥିଲା। ଏହି ମୂର୍ତ୍ତିଗୁଡ଼ିକ ହାତରେ ଧରିଥିବା ପଙ୍ଖାରେ ମହାରାଜାଙ୍କୁ ବିଞ୍ଚତ୍ ମଧ୍ୟ ପାରୁଥିଲେ। ଖଟକୁ ସଜାଇବା ପାଇଁ ୨୯୦ କି.ଗ୍ରା.ର ରୁପା ବ୍ୟବହାର କରାଯାଇଥିଲା। ଖଟରେ ଏକ ମ୍ୟୁଜିକ୍‌ ସିଷ୍ଟମ୍‌ ମଧ୍ୟ ଲଗାଯାଇଥିଲା; ଯେଉଁଥିରୁ ନଓ୍ବାବଙ୍କ ପ୍ରିୟ ଶାସ୍ତ୍ରୀୟ ସଙ୍ଗିତ ବାଜୁଥିଲା। ତେବେ ଏହି ଶୟନ ଶଯ୍ୟା ନିର୍ମାଣର ବରାଦ ସଦ୍ଦିକ ବେଶ୍‌ ଗୁପ୍ତଭାବରେ ଦେଇଥିଲେ। ତିଆରି କାମ ସରିବା ପରେ ଏହାକୁ ସିଧାସଳଖ ମହଲକୁ ଅଣାଯାଇ ନ ଥିଲା। ପ୍ରଥମେ ଜଣେ ଏଜେଣ୍ଟଙ୍କ ପାଖକୁ ଶଯ୍ୟାଟି ଯାଇଥିଲା। ପରେ ବେଶ୍‌ ଗୁପ୍ତଭାବେ ତାକୁ ମହଲକୁ ପହଞ୍ଚା ଯାଇଥିଲା। ତେଣୁ କିଏ ଏହାକୁ ନିର୍ମାଣ କରାଇଥିଲେ ତାହା ଅନେକ ବର୍ଷ ପର୍ଯ୍ୟନ୍ତ ଜଣାପଡି ନ ଥିଲା। ସଦ୍ଦିକ ବିଭିନ୍ନ ଆରବିୟାନ୍‌ ନାଇଟ୍ସ ଗଳ୍ପ ଶୁଣି ଏଭଳି ଖଟ ନିର୍ମାଣ କରାଇବାର ଯୋଜନା କରିଥିଲେ। ସେହି ସ୍ବତନ୍ତ୍ର ଶଯ୍ୟାଟି ତାଙ୍କର ସଦ୍ଦିକ ଗଡ ମହଲର ଫ୍ରେଞ୍ଚ ଶୟନକକ୍ଷରେ ରଖାଯାଇଥିଲା।
କୁକୁର ବାହାଘରରେ ୨୦ ଲକ୍ଷ ଖର୍ଚ୍ଚ କରିଥିଲେ ଜୁନାଗଡ଼ ମହାରାଜା ନଓ୍ବାବ ସର୍‌ ମହବେତ୍‌ ଖାଁ ରସୁଲ ଖାଁ- କୁକୁର ଏକ ବିଶ୍ୱସ୍ତ ପ୍ରାଣୀ। ସେଥିପାଇଁ ତ ମଣିଷ ତାକୁ ଘରେ ଏକ ବିଶ୍ୱସ୍ତ ବନ୍ଧୁଭାବେ ରଖିଥାଏ। କେବଳ ସାଧାରଣ ଲୋକ ନୁହନ୍ତି, ରାଜା ମହାରାଜା ବି କୁକୁରକୁ ମହଲରେ ରଖୁଥିବା ଇତିହାସ କହେ। ଜୁନାଗଡ଼ର ନଓ୍ବାବ ତ ଶହ ଶହ କୁକୁରଙ୍କୁ ମହଲରେ ରଖିଥିଲେ। ପ୍ରାୟ ୮୦୦ରୁ ଊର୍ଦ୍ଧ୍ୱ କୁକୁର ରାଜକୀୟ ସୁବିଧା ସହ ରାଜକୀୟ ଠାଣିରେ ତାଙ୍କ ମହଲରେ ରହୁଥିଲେ। ତେବେ ଏହି କୁକୁର ଭିତରେ ଗୋଟିଏ କୁକୁର ଥିଲା ତାଙ୍କର ଅତି ପ୍ରିୟ। ସେ ଏହି କୁକୁରର ରାଜକୀୟ ବିବାହର ଆୟୋଜନ ମଧ୍ୟ କରିଥିଲେ। ଏହି ବିବାହ ଥିଲା କୌଣସି ରାଜକୁମାର ରାଜକୁମାରୀଙ୍କ ବିବାହ ପରି ଭବ୍ୟ। ଲକ୍ଷ ଲକ୍ଷ ଅତିଥି ଏଥିରେ ଯୋଗଦେଇଥିଲେ। ଏହି ବିବାହରେ ଖର୍ଚ୍ଚ ହୋଇଥିଲା ୨୦ ଲକ୍ଷ ଟଙ୍କା(ଯାହାର ଏବେକାର ମୂଲ୍ୟ ୨.୨୫ କୋଟି ସହ ସମାନ)। ମହବେତ୍‌ ଖାଁ ବିବାହ ଦିନକୁ ରାଜ୍ୟରେ ଛୁଟିଦିନଭାବେ ମଧ୍ୟ ଘୋଷଣା କରିଥିଲେ। ମହଲର ସବୁ କୁକୁରଙ୍କ ସେବା ପାଇଁ ଜଣେ ଜଣେ ଲୋକ ନିୟୋଜିତ ଥିଲେ। କୁକୁରଙ୍କ ପାଇଁ ରୁପାର ପାଲିଙ୍କି, ସୁନା ଅଳଙ୍କାର ସହ ସୁନ୍ଦର ପୋଷାକ ଥିଲା। କୁକୁରଙ୍କ ଚିକିତ୍ସା ପାଇଁ ନଓ୍ବାବ ବ୍ରିଟିଶ ସର୍ଜନ ରଖିଥିଲେ। ତାଙ୍କ ପୋଷା କୁକୁର ମଧ୍ୟରେ କାହାର ମୃତ୍ୟୁ ହେଲେ ସେହିଦିନଟିକୁ ରାଷ୍ଟ୍ରୀୟ ଶୋକ ଦିବସଭାବେ ଘୋଷଣା କରାଯାଉଥିଲା।

୧୮୫ କ୍ୟାରେଟ୍‌ ହୀରାର ପେପର୍‌ଓ୍ବେଟ୍‌ ବ୍ୟବହାର କରୁଥିଲେ ହାଇଦ୍ରାବାଦ ନିଜାମ ମୀର୍‌ ଓସ୍‌ମାନ୍‌ ଅଲ୍ଲୀ ଖାଁ- ବ୍ରିଟିଶ ଶାସନାଧୀନ ସବୁଠାରୁ ବଡ ରାଜ୍ୟ ହାଇଦ୍ରାବାଦର ଶେଷ ନିଜାମ ଥିଲେ ମୀର୍‌ ଓସ୍‌ମାନ ଅଲ୍ଲୀ ଖାଁ। ତାଙ୍କୁ ପୃଥିବୀର ଜଣେ ଧନିକ ରାଜା ଭାବେ ଗଣନା କରାଯାଏ। ଏତେ ଧନଶାଳୀ ହୋଇଥିଲେ ହେଁ ସେ ଖୁବ୍‌ ସରଳ ଜୀବନ ବିତାଉଥିଲେ। ଏମିତି କି ସେ ନିଜ ସକ୍ସ ନିଜେ ବୁଣି ତିଆରି କରୁଥିଲେ। ତେବେ ତାଙ୍କର ଏକ ଦୁର୍ବଳତା ପାଇଁ ସେ ବହୁତ ପରିଚିତ ଥିଲେ। ତାଙ୍କର ଦୁର୍ବଳତା ଥିଲା ପେପର୍‌ ଓ୍ବେଟ୍‌ ପାଇଁ। ତାଙ୍କୁ ପେପର୍‌ ଓ୍ବେଟ୍‌ ଏତେ ପସନ୍ଦ ଥିଲା ଯେ, ସେ ଏହାକୁ ସଂଗ୍ରହ କରି ରଖୁଥିଲେ। ତେଣୁ ତାଙ୍କ ପାଖରେ ଅନେକ ପ୍ରକାରର ପେପର୍‌ ଓ୍ବେଟ୍‌ ଥିଲା। ଆଉ ସେ ନିଜେ ଏକ ୧୮୫ କ୍ୟାରେଟ୍‌ ହୀରାର ପେପର୍‌ଓ୍ବେଟ୍‌ ବ୍ୟବହାର କରୁଥିଲେ, ଯାହାର ଆକାର ଓଟପକ୍ଷୀର ଅଣ୍ଡା ଭଳି ଥିଲା। ଆଉ ତା’ର ମୂଲ୍ୟ ୨୦୦ ମିଲିୟନ ଡଲାର ଥିଲା। ୧୯୪୭ ମସିହା, କୁଇନ୍‌ ଏଲିଜାବେଥ୍‌ ୨ୟଙ୍କୁ ତାଙ୍କ ବିବାହ ଅବସରରେ ନିଜାମ୍‌ ମୀର ଓସମାନ୍‌ ବହୁମୂଲ୍ୟ ହୀରାର ଗହଣା ଯେଉଁଥିରେ ଏକ ଟିଆରା ଓ ହାର ସାମିଲ ଥିଲା ଉପହାରସ୍ବରୂପ ପ୍ରଦାନ କରିଥିଲେ। ଏବେ ବି ୟୁକେର ରାଣୀ ଏହାକୁ ପିନ୍ଧନ୍ତି। ନିଜାମ ଦେଇଥିବା ସେହି ହାରଟି ‘ନିଜାମ୍‌ ଅଫ୍‌ ହାଇଦ୍ରାବାଦ ନେକଲେସ୍‌’ ନାମରେ ପରିଚିତ।

ମହୀଶୂର ମହାରାଜା କ୍ରିଷ୍ଣାରାଜ ଓ୍ବାଡିୟର୍‌ ୪ର୍ଥଙ୍କ ରାଜପ୍ରାସାଦ ଭିତରେ ଚାଲୁଥିଲା ରୋଲ୍ସ ରୟସ୍‌ କାର୍‌- ରାଜାଙ୍କ କଥା ଉଠିଲେ ଅୟସରେ ଜୀବନ ବିତାଉଥିବା ଜଣେ ବିଳାସୀ ମଣିଷଙ୍କ ଛବି ମନକୁ ଆସେ। ଯେ କି ନିଜେ ସୁଖସ୍ବାଚ୍ଛନ୍ଦ୍ୟକୁ ଅଧିକ ଗୁରୁତ୍ୱ ଦିଅନ୍ତି। କିନ୍ତୁ ମହୀଶୂରର ଏହି ରାଜାଙ୍କ କଥା ଥିଲା ଭିନ୍ନ। ସେ କେବଳ ନିଜ ସୁଖ ସ୍ବାଚ୍ଛନ୍ଦ୍ୟ କଥା ଭାବୁ ନ ଥିଲେ। ବରଂ ରାଜପ୍ରାସାଦରେ ଥିବା ସବୁ କର୍ମଚାରୀଙ୍କ ସୁବିଧା ଅସୁବିଧା କଥା ଭାବୁଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ରାଜା ରାଜପ୍ରାସାଦ କର୍ମଚାରୀଙ୍କ ପାଇଁ ଅନେକ କଷ୍ଟମ୍‌ ମେଡ୍‌ ରୋଲ୍ସ ରୟସ କାର୍‌ ରଖିଥିଲେ। କଥା କ’ଣ କି ତାଙ୍କ ରାଜ ପ୍ରାସାଦ ଥିଲା ବହୁତ ବଡ଼। ତେଣୁ କର୍ମଚାରୀଙ୍କୁ ଗୋଟିଏ କୋଠରିରୁ ଆଉ ଏକ କୋଠରିକୁ ଯିବା ଲାଗି ଅନେକ ବାଟ ଚାଲିବାକୁ ପଡୁଥିଲା। ରୋଷେଇ ଘରୁ ଡାଇନିଂ ରୁମ୍‌କୁ ଖାଦ୍ୟ ପରଷିବା ଲାଗି ବି ଅନେକ ବାଟ ଚାଲିବାକୁ ପଡୁଥିଲା। ଫଳରେ ଅନେକ ସମୟ ବ୍ୟୟ ହେବା ସହ ସେମାନଙ୍କୁ ବହୁ କଷ୍ଟ କରିବାକୁ ପଡୁଥିଲା। ସେଥିପାଇଁ ମହାରାଜା କ୍ରିଷ୍ଣାରାଜ ମହଲ ଭିତରେ କର୍ମଚାରୀଙ୍କ ଲାଗି ରୋଲ୍ସ ରୟ କାର୍‌ର ବ୍ୟବସ୍ଥା କରିଥିଲେ। ଯେମିତି କି କର୍ମଚାରୀଙ୍କୁ ଏତେ ବାଟ ଚାଲିବାକୁ ପଡିବନି। ଆଉ ରାଜକୀୟ ଠାଣିରେ ସେମାନେ ଲକ୍‌ଜ୍ୟୁରିୟସ୍‌ ରୋଲ୍ସ ରୟ କାର୍‌ରେ ଯାଇ ଖାଦ୍ୟ ପରଷି ପାରିବେ। ସେଥିମଧ୍ୟରୁ ଗୋଟିଏ ରୋଲ୍ସ ରୟ କାର୍‌ କର୍ମଚାରୀମାନେ ରାଜାଙ୍କ ପାଖକୁ ଯାଇ ତାଙ୍କ ସେବା କରିବା ଲାଗି ମଧ୍ୟ ରଖାଯାଇଥିଲା।

ଟୟ ଟ୍ରେନ୍‌ ପ୍ରିୟ ଥିଲେ ଗ୍ବାଲିୟର୍‌ ମହାରାଜା ଜିଓ୍ବାଜୀରାଓ ସିନ୍ଧିଆ- ପିଲାଙ୍କୁ ବହୁତ ଭଲ ଲାଗେ ଖେଳଣା ରେଳଗାଡ଼ି। ଏହାର ମାନେ ନୁହେଁ କି ବଡ଼ମାନେ ଏହାର ପ୍ରେମରେ ପଡ଼ିବେ ନାହିଁ। ଜାଣି ଆଶ୍ଚର୍ଯ୍ୟ ହେବେ ଗ୍ବାଲିୟର୍‌ ମହାରାଜା ଜିଓ୍ବାଜୀରାଓଙ୍କୁ ଖେଳଣା ରେଳଗାଡ଼ି ବହୁତ ଭଲ ଲାଗୁଥିଲା। ପ୍ରତିଦିନ ସେ ଖେଳଣା ଟ୍ରେନ୍‌ ସହ ଖେଳୁଥିଲେ। ତାଙ୍କ ଡାଇନିଂ ହଲ୍‌ର ବିରାଟକାୟ ଡାଇନିଂ ଟେବୁଲ୍‌ର ମଝି ଭାଗରେ ଟେବୁଲ୍‌ର ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡ ପର୍ଯ୍ୟନ୍ତ ରୁପାର ଏକ ଖେଳଣା ଟ୍ରେନ୍‌ ଚାଲୁଥିଲା। ଏହି ଟ୍ରେନ୍‌ଟି ରାଜଅତିଥିଙ୍କୁ ଖାଦ୍ୟ ସହ ଚଟ୍‌ନି, ମଦ ଓ ସିଗାରେଟ୍‌ ପରଷିବା ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର ଗୋଟିଏ ସୁଇଚ୍‌ ଚିପିଦେଲେ ଟ୍ରେନ୍‌ଟି କାମ କରିବା ଆରମ୍ଭ କରିଦେଉଥିଲା।

ଉଦୟପୁର ମହାରାଣା ସଜ୍ଜନ ସିଂଙ୍କର ଥିଲା କ୍ରିଷ୍ଟାଲ୍‌ ସାମଗ୍ରୀର ବଡ ସଂଗ୍ରହ- ମହାରାଣା ସଜ୍ଜନ ସିଂଙ୍କୁ କ୍ରିଷ୍ଟାଲ୍‌ ବହୁତ ଭଲ ଲାଗୁଥିଲା। ସେଥିପାଇଁ ବୋଧେ ପୃଥିବୀର ସବୁଠାରୁ ବଡ଼ ବ୍ୟକ୍ତିଗତ କ୍ରିଷ୍ଟାଲ ସଂଗ୍ରହ ଥିଲା ମହାରାଣା ସଜ୍ଜନ ସିଂଙ୍କର। ବର୍ମିଂହାମ୍‌ର ଏଫ୍‌ ଆଣ୍ଡ ସି ଓସ୍‌ଲର୍‌ କମ୍ପାନୀଠାରୁ ସେ କ୍ରିଷ୍ଟାଲ୍‌ର ବିଭିନ୍ନ ସାମଗ୍ରୀ ଅର୍ଡର କରୁଥିଲେ। ତାଙ୍କ ସଂଗ୍ରହ ଭିତରେ କ୍ରିଷ୍ଟାଲ୍‌ର ଚାଣ୍ଡେଲିୟର୍‌, ଡିନର୍‌ ସେଟ୍‌, ପରଫ୍ୟୁମ୍‌ ବୋତଲ, ଗ୍ଲାସ୍‌, ଆସବାବପତ୍ର ଆଦି ଅନ୍ତର୍ଭୁକ୍ତ ଥିଲା।
ରାଜପ୍ରାସାଦ, ବିଳାସମୟ ଜୀବନ ସହ ଅନେକ ଅଜବ ସଉକକୁ ନେଇ ଜୀବନ ବିତାଉଥିଲେ ଅନେକ ଭାରତୀୟ ରାଜା। ନା ଏବେ ଅଛି ସେହି ରାଜା ଶାସନ ନା ଦେଖିବାକୁ ମିଳୁଛି ସେହିଭଳି ସଉକ। ତେଣୁ ଏବେ ସେମାନଙ୍କ ଜୀବନୀ ଲାଗେ କାହାଣୀ ପରି।

-ଶିବାନୀ

Share