ଶୁଖିବାକୁ ବସିଛି କାନଝରୀ ଡ୍ୟାମ୍‌

କେନ୍ଦୁଝର, ୨୯।୪ (ସ୍ବ.ପ୍ର.):  କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାନଝରୀ ଜଳସେଚନ ପ୍ରକଳ୍ପ ବିଭିନ୍ନ କାରଣରୁ ଶୁଖିବାକୁ ବସିଛି। ବର୍ଷା ଅଭାବରୁ କାନଝରୀ ନଦୀର ଜଳସ୍ରୋତ ପ୍ରବାହ ବନ୍ଦ ହୋଇ ଯାଇଥିବାରୁ ବନ୍ଧକୁ ଜଳ ପ୍ରବେଶ କରୁନାହିଁ। ଫଳରେ ଡ୍ୟାମର ଜଳଧାରଣ ଅଞ୍ଚଳ ଶୁଷ୍କ ହୋଇ ପଡିଛି। ପ୍ରକାଶ ଯେ, ଏହି ଡ୍ୟାମ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନଜୀବିକାର ସାଧନ ହୋଇଛି। ଏଠାକୁ ବହୁ ସଂଖ୍ୟାରେ ପକ୍ଷୀ ଆସିଥାନ୍ତି। ଜଙ୍ଗଲ ପରିବେଷ୍ଟିତ ଏହି ଡ୍ୟାମକୁ ବନ୍ୟଜନ୍ତୁ ମାନେ ପାଣି ପିଇବାକୁ ଆସିଥାନ୍ତି। ଏହି ଡ୍ୟାମରୁ ଚାଷ ଜମିକୁ ଜଳସେଚନ ହେବା ସହ କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ହୋଇଥାଏ ଏବଂ ମାଛ ଚାଷ ହୋଇଥାଏ। ଏଣୁ ଏହି ସବୁ ଦୃଷ୍ଟିରୁ ଜିଲାରେ ଏହି ବନ୍ଧର ଗୁରୁତ୍ୱ ଅଧିକ ବହନ କରିଥାଏ। ତେବେ ଦୀର୍ଘ ବର୍ଷ ହେଲା ଏହି ବନ୍ଧର ଜଳଧାରଣ ଅଞ୍ଚଳ ବ୍ୟାପକ ମୃତ୍ତିକା କ୍ଷୟ ଯୋଗୁ ମାଟି ପଡି ପୋତି ହୋଇଯାଉଥିବାରୁ ଜଳଧାରଣ କ୍ଷମତା କମିଯାଉଛି। ଏଣୁ ଏହାର ଖନନ ଓ ପୁନରୁଦ୍ଧାର ଆବଶ୍ୟକତା ରହିଛି ବୋଲି ପରିବେଶବିତ ଡକ୍ଟର ବିମ୍ବାଧର ବେହେରା ମତପ୍ରକାଶ କରିଛନ୍ତି। ସେହିପରି ଏହା ଚାରିପାଖରେ ବହୁ ପରିମାଣରେ ବନୀକରଣ କରାଗଲେ ମୃତ୍ତିକାକ୍ଷୟକୁ ରୋକାଯାଇପାରିବ ସହ ଜୈବମଣ୍ଡଳର ସୁରକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ଏହାର ବିକାଶ କରାଗଲେ ଚାରିପାଖରେ ଥିବା ୪ ଗ୍ରାମର ଲୋକେ ଉପକୃତ ହୋଇ ପାରିବେ। ଏହି ଦୃଷ୍ଟିରୁ ଏହି ସବୁ ଅଞ୍ଚଳର ବିକାଶ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି।