ରାସ୍ତାରୋକୋ କଲେ ଚାଷୀ, ଘଟଣାସ୍ଥଳରେ ପୋଲିସ: ଏହି କାରଣକୁ ନେଇ ତାତିଲେ….

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବା କାରଣରୁ ଚାଷୀମାନେ ବୁଧବାର ପ୍ରତିବାଦ ଏବଂ ରାସ୍ତାରୋକୋ କରିଛନ୍ତି l ଅଣା – ସମଣା ରାସ୍ତାର ଇଶଳା ଠାରେ ବହୁ ସଂଖ୍ୟାରେ ଚାଷୀ ଏକଜୁଟ ହୋଇ ଆନ୍ଦୋଳନ ଆରମ୍ଭ କରିଛନ୍ତି । ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ବିଭାଗୀୟ ଅନ୍ୟ କୌଣସି ସରକାରୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନାହଁନ୍ତି। ସୂଚନା ଯୋଗ୍ୟ, କେନାଲରେ ପାଣି ନିଷ୍କାସନ ହୋଇପାରୁନଥିବାରୁ ଚାଷ କାର୍ଯ୍ୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଏଭଳି ସ୍ଥିତିରେ ଅନେକ ଗ୍ରାମର ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଶାସଙ୍ଗ, ସୁଲଣ, ଆବୁଲୁପୁରା, ବିରିଡି, ସରଳ, କୋଳିପଦି ପ୍ରଭୃତି ଗ୍ରାମର ବର୍ଷାଜଳ ବଡରମ୍ପାସ କେନାଲରେ ପ୍ରବାହିତ ହେଉଛି । କିନ୍ତୁ କେନାଲରୁ ଜଳ ନିଷ୍କାସନ ହେଉନଥିବାରୁ ବର୍ଷାଜଳ କେନାଲରେ ଘାଇ ସୃଷ୍ଟି କରୁଛି । ଫଳରେ ବର୍ଷା ଜଳ ଟୁକୁଣା, ଈଶଳା, ଖସିପୁର, ଓସ୍ତପାଳ, ଧାନଘର, ସଡ଼ଙ୍ଗା, ଇଞ୍ଚୋଳ ଗ୍ରାମର ଚାଷ ଜମିରେ ପ୍ରବାହିତ ହେଉଥିବାରୁ ଜମି ସବୁ ବୁଡ଼ି ଯାଉଛି। ଚାଷ ଜମିରେ ପାଣି ଜମି ରହିବା ସହ ଚାଷ କାର୍ଯ୍ୟ ଆଗେଇ ନେବା କଷ୍ଟକର ହୋଇପଡ଼ିଛି। ବିଭିନ୍ନ ଗ୍ରାମର ବର୍ଷାଜଳ କେନାଲ ମଧ୍ୟ ଦେଇ ନିଷ୍କାସିତ ହେବାର ବ୍ୟବସ୍ଥା ଥିଲେ ମଧ୍ୟ ଅବରୋଧ ଯୋଗୁ ତାହା ସମ୍ଭବ ହେଉନଥିବା ଚାଷୀମାନେ କହିଛନ୍ତି। ଏନେଇ ସମ୍ପୃକ୍ତ କେନାଲ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଥିଲା । କେନାଲର ଅବରୋଧ ହଟାଇ ବର୍ଷାଜଳ ନିଷ୍କାସନର ସୁବ୍ୟବସ୍ଥା କରିବା ସହ ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଲଲାଟେନ୍ଦୁ କେଶରୀ ଜେନା, ନଳିନୀ କାନ୍ତ ଧଳ, ତପନ କୁମାର ପ୍ରଧାନ, ରତ୍ନାକର ଜେନା, ମାୟାଧର ମହାନ୍ତି, ହରିହର ଦାସ, ଅକ୍ଷୟ ମଲ୍ଲିକ, ସୁମନ୍ତ ମଲ୍ଲିକ, ବାଇଧର ସେଠୀ, ସୁଦାମ ଶଙ୍ଖୁଆ ପ୍ରମୁଖ ଚାଷୀମାନେ ଦାବି କରିଥିଲେ । ଏପରିକି ଚାଷୀମାନେ ପ୍ରତିବାଦ ଏବଂ ରାସ୍ତାରୋକୋ କରିବେ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦୁଝର ଜିଲାପାଳ, ଆନନ୍ଦପୁର ଉପଜିଲାପାଳ, ଆନନ୍ଦପୁର ବିଧାୟକ, ଏସ.ଇ ଶାଳପଡା, ନନ୍ଦିପଦା ଥାନା ଅଧିକାରୀ ପ୍ରମୁଖଙ୍କୁ ଜଣାଇଥିଲେ ।

Dharitri – Odisha’s No.1 Odia Daily

 

Share