ପଛକୁ ଫେରିବାର ସୁଖ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

କିଏ ଜଣେ କହିଥିଲେ ପରା, ”ଜୀବନ ଆଗକୁ ବଞ୍ଚାଯାଏ ସିନା, ପଛକୁ ଫେରି ଚାହିଁଲେ ଜୀବନକୁ ବୁଝିହୁଏ।“ ତେବେ ଏହି ଭୋଗବାଦୀ ଆଧୁନିକ ସମାଜରେ ସଭିଏ ଯେତେବେଳେ ଜଣେ ଅନ୍ୟ ଜଣଙ୍କର ପ୍ରତିଯୋଗୀ ସାଜି ଆଗକୁ ମାଡ଼ିଯିବାକୁ ତତ୍ପର, ସେତେବେଳେ ଜଣେ ଦାର୍ଶନିକର ଭାବନା ନେଇ କେବଳ ଜୀବନକୁ ବୁଝିବା ପାଇଁ କିଏ କାହିଁକି ପଛକୁ ଫେରି ଚାହିଁ ସମୟର ଅପଚୟ କରନ୍ତା! ତଥାପି ସମାଜରେ ସବୁ କାଳରେ ଏମିତି କିଛି ଲୋକ ଥାଆନ୍ତି, ଯେଉଁମାନେ ଅତ୍ୟନ୍ତ ଆବେଗରେ ନିଜ ପଛକୁ ଫେରି ଚାହିଁବାରେ ସୁଖ ପାଇଥାଆନ୍ତି। ସେମାନଙ୍କ ସୁସ୍ଥ ଓ ସ୍ବଚ୍ଛଳ ବର୍ତ୍ତମାନ ପଛରେ ଯେ ଦିନେ ଅସୁସ୍ଥ ଅତୀତଟିଏ ଥିଲା, ଏକଥା କେବଳ ନିଜେ ମନେପକାନ୍ତି ନାହିଁ, ବରଂ ଅନ୍ୟମାନଙ୍କୁ କହିବାରେ ସାମାନ୍ୟ ଦ୍ୱିଧାବୋଧ କରନ୍ତି ନାହିଁ। ଏ ପ୍ରକାର ଉନ୍ମୁକ୍ତତା ସେମାନଙ୍କ ବର୍ତ୍ତମାନର ଉଜ୍ଜ୍ୱଳ ବ୍ୟକ୍ତିତ୍ୱରେ ମେଞ୍ଚାଏ ମଇଳା ଲେସିଦେବାର ସମ୍ଭାବନା ବହନ କରେ, ଏହା ଭାବି ସଙ୍କୁଚିତ ହୁଅନ୍ତି ନାହିଁ। ଘରେ ପଖାଳ ଖାଇ ବାହାରେ ପଲାଉ ଖାଇଥିବାର ମିଥ୍ୟା ପ୍ରୌଢ଼ି ବଖାଣୁଥିବା ଲୋକମାନଙ୍କର ଯେଉଁଠି ଅଭାବ ନାହିଁ, ସେଠି ନିଜ ଅନ୍ଧାରି ଅତୀତର ଅକପଟ ଉନ୍ମୋଚନ ପ୍ରକୃତରେ ଏକ ଆଶ୍ଚର୍ଯ୍ୟ ଆତ୍ମକଥନ। କଳିଙ୍ଗର ରାଜଉଆସ ମଧ୍ୟରେ ଗଜଦନ୍ତ ପଲଙ୍କରେ ଶୋଇଥିବା ଗଜପତି କପିଳେନ୍ଦ୍ରଦେବ ପଛକୁ ଫେରି ଯେମିତି ଦେଖୁଥିଲେ ଗାଈଆଳ କପିଳାକୁ, ସେମିତି ମଧ୍ୟ ଦେଖୁଥିଲେ ଏକ ବାରବୁଲା ଦରିଦ୍ର ବ୍ରାହ୍ମଣକୁ ମଗଧର ମହାମନ୍ତ୍ରୀ ବିଦ୍ୱାନ୍‌ ଚାଣକ୍ୟ। ଏମିତି ପଛକୁ ଫେରି ଚାହିଁବାରେ ସେମାନଙ୍କୁ କି ସୁଖ ମିଳୁଥିଲା କେଜାଣି, ଏଯାଏ ବି କିଛି ଲୋକ ପ୍ରଗତି ପଥରେ ଆଗକୁ ମାଡ଼ି ଚାଲୁଥିଲାବେଳେ ରହି ରହି ପଛକୁ ଟିକେ ଫେରିଚାହାନ୍ତି। ସାମାନ୍ୟ ଅଶ୍ରୁ, ଆବେଗ, ଆନନ୍ଦ ଓ ଆଶ୍ୱସ୍ତି ପରେ ପୁଣି ଆଗେଇ ଚାଲନ୍ତି ଜୀବନ ରାସ୍ତାରେ।
କେବେ କେଉଁଠି ପଢ଼ିବାକୁ ମିଳିଥିବା ସେଇ ଶିଳ୍ପପତି ଶେଠଙ୍କ ନାମ ଅବଶ୍ୟ ସ୍ମରଣରେ ନାହିଁ। ତେବେ ଘନଶ୍ୟାମ ଦାସ ବିର୍ଲା ବା ଧୀରୁଭାଇ ଅମ୍ବାନୀଙ୍କ ମଧ୍ୟରୁ କେହି ଜଣେ ହୋଇପାରନ୍ତି। ଥରେ ତାଙ୍କ ଅଫିସ ଚ୍ୟାମ୍ବରରୁ ନିଜ କାର୍‌ ପାଖକୁ ଆସୁଥିବାବେଳେ ତାଙ୍କ ଅଜାଣତରେ ନିଜ ଶାର୍ଟ ପକେଟରୁ ଦୁଇଟି ଆଠଣି ମୁଦ୍ରା ଖସି ପଡ଼ିଲା। ତାଙ୍କ ସହ ପଛରେ ଆସୁଥିବା ତାଙ୍କ ବ୍ୟକ୍ତିଗତ ସହାୟକ ଏହା ଦେଖି ମୁଦ୍ରା ଦୁଇଟିକୁ ଗୋଟାଇ ଆଣି ତାଙ୍କୁ ଦେବାରୁ ସେ ଅଚାନକ ଗମ୍ଭୀର ହୋଇଗଲେ ଓ ଅଧୁଲି ଦୁଇଟିକୁ ମୁଣ୍ଡରେ ମାରି ଶାର୍ଟର ଅନ୍ୟ ପକେଟରେ ରଖିଲେ। ଦେଶର ଜଣେ ଅଗ୍ରଣୀ ଶିଳ୍ପପତିଙ୍କ ଏହି ଅପୂର୍ବ ଅଧୁଲି ପ୍ରୀତି ଦେଖି ବ୍ୟକ୍ତିଗତ ସହାୟକ ରୋମାଞ୍ଚତ୍ତ ହେଉଥିବାବେଳେ ଅଚାନକ ଆଉ ଏକ ଘଟଣା ଘଟି ତାଙ୍କୁ ସ୍ତବ୍ଧଚକିତ କରିଦେଲା। ନିଜ ଚିରା ପକେଟରୁ ଦୁଇଟି ମୁଦ୍ରା ଖସି ପଡ଼ିଥିବା ଜାଣି କାଳେ ଅନ୍ୟ କିଛି ମୁଦ୍ରା ଅନ୍ୟ କେଉଁଠି ଖସି ପଡ଼ିଥାଇପାରେ ବୋଲି ଭାବି ସେ ତାହା ଖୋଜି ଖୋଜି ପଛକୁ ଫେରିବାକୁ ଲାଗିଲେ। ”ଏତେ ବଡ଼ ଶିଳ୍ପପତି, ଅଥଚ ସାମାନ୍ୟ ଅଧୁଲି କେଇଟି ପାଇଁ ପୁଣି ଏତେ ଲୋଭ!“ ବ୍ୟକ୍ତିଗତ ସହାୟକଙ୍କ ନଜରରେ ତାଙ୍କ ଲୋଭାସକ୍ତ ମୁନିବଙ୍କ ଉଚ୍ଚତା ଛୋଟ ହୋଇ ଆସୁଥିଲାବେଳେ ସେ ଶୁଣିଲେ- ”ରାସ୍ତା କଡ଼ରେ ବସିଥିବା ଭିକାରିଙ୍କ ପାଇଁ ମେଞ୍ଚାଏ ଅଧୁଲି ଖୁଚୁରା କରି ପକେଟରେ ରଖିଥିଲି। ପକେଟ ଚିରା ଥିବାରୁ କେତେ କେଉଁଠି ଖସିପଡ଼ିଥିବ କେଜାଣି!“ ସାମାନ୍ୟ କେଇଟି ଅଧୁଲି ପାଇଁ ଏଡ଼େ ବଡ଼ ଲକ୍ଷପତିଙ୍କର ପୁଣି ଏତେ ଅବସୋସ! ନିଜ ମୁହଁରେ ନ କହିଲେ ବି ବ୍ୟକ୍ତିଗତ ସହାୟକଙ୍କ ମନର ଏମିତି ଏକ କଟାକ୍ଷକୁ ତାଙ୍କ ମୁନିବ ବୁଝିନେଲେ ଓ ନିଜ ଭାଷାରେ ତାଙ୍କୁ ବୁଝାଇଦେଲେ ଏମିତି କିଛି କହି। ”ପରିମାଣର ପରିମାପରେ ଅଧୁଲି ବା ଆଠଣିର ମୂଲ୍ୟ ବହୁତ କମ୍‌ ହୋଇପାରେ, ମାତ୍ର ମୋ ଜୀବନର ଆଦ୍ୟ ପର୍ଯ୍ୟାୟରେ ଯେତେବେଳେ ଢୋକେ ପିଇ ଦଣ୍ଡେ ଜିଇବାର ନାମ ଥିଲା ଜୀବନ, ସେତେବେଳେ ଏଇ ଆଠଣି ଯେଉଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା, ତାହା କେମିତି ଭୁଲିବି! ଆଜି ଲକ୍ଷପତି ହୋଇଗଲି ବୋଲି କେମିତି ଭୁଲିପାରିବି ଏହି କ୍ଷୁଦ୍ର ମୁଦ୍ରାଟିର ବୃହତ୍‌ ଅବଦାନକୁ!“
ପକେଟରୁ ଗଳିଥିବା ଅଧୁଲି ଉଦ୍ଧାର ପାଇଁ ଶିଳ୍ପପତି ଶେଠ ପଛକୁ ଫେରିବା ସହିତ ନିଜ କର୍ଦ୍ଦମାକ୍ତ ଅତୀତକୁ ଫେରିଯିବା ପରି ଏ ସଂସାରରେ କିଛି ଲୋକ ସକଳ ପରିପୂର୍ଣ୍ଣତା ସତ୍ତ୍ୱେ ବି ଆପଣାର ଅପୂର୍ଣ୍ଣ ବା ଶୂନ୍ୟ ଅତୀତକୁ ଫେରି ଅଫୁରନ୍ତ ଆନନ୍ଦ ଲାଭ କରନ୍ତି। ସେମିତି ଜଣେ ଥିଲେ ସେଇ ଆୟକର ଅଫିସର। ତାଙ୍କ ପଦବୀ ଯାବତୀୟ ପ୍ରାଚୁର୍ଯ୍ୟ ଓ ପ୍ରତିଷ୍ଠାର ଧାରକ ଥିଲେ ମଧ୍ୟ ସେ ଅତ୍ୟନ୍ତ ସାଦାସିଧା ଜୀବନ ନିର୍ବାହ କରୁଥିଲେ। ରାଜଧାନୀ ନଗରୀରେ ଛୋଟ ଘରଟିଏ ଭଡ଼ା ନେଇ ସେ ନିଜ ହାତରେ ରୋଷେଇ କରି ଖାଉଥିଲେ ଓ ସପ୍ତାହ ଶେଷରେ ଯାଉଥିଲେ ଦେଢ଼ଶହ କିମି ଦୂର ଗଁାରେ ଛାଡ଼ି ଆସିଥିବା ନିଜ ପତ୍ନୀ ଓ ପରିବାର ପାଖକୁ। କାହିଁକି ଏମିତି ଏକ କ୍ଳେଶକର ଜୀବନକୁ ଆପଣେଇ ନେଇଛନ୍ତି ବୋଲି କେହି ଦରଦୀ ବନ୍ଧୁ ପ୍ରଶ୍ନ କଲେ ସେ କହନ୍ତି, ”କେମିତି ଭୁଲିବି ସେ କଥାସବୁ! ବାପା କେତେ କଷ୍ଟରେ ମୂଲ ଲାଗି ମୋତେ ମଣିଷ କରିଛନ୍ତି। ଆଜି ଇନ୍‌କମ୍‌ ଟ୍ୟାକ୍ସ ଅଫିସରଟିଏ ହୋଇଗଲି ବୋଲି ବିପତ୍ନୀକ ବାପାକୁ ଗଁାରେ ଛାଡ଼ି ସହରରେ ସ୍ତ୍ରୀ ସହ ସଉକ କରିବି!“
ସେମିତି ଗନ୍ଧହୀନ ଗଲାକଥାକୁ ଗୌରବର ସହ ଗାଇ ଉଠୁଥିବା ଆଉ ଜଣେ ତରୁଣଙ୍କ କଥା। ସେ ବି ରହନ୍ତି ଭୁବନେଶ୍ୱରରେ, କାମ କରନ୍ତି ରାଜ୍ୟର ଏକ ସଂଭ୍ରାନ୍ତ ସମ୍ବାଦପତ୍ରର ସହ ସମ୍ପାଦକ ଭାବେ। ବାଲ୍ୟକାଳରୁ ନିଜ ବାପାଙ୍କୁ ହରାଇ ଏଯାଏ ନିଜ ସଂସାର ବାନ୍ଧିବାଠୁଁ ଦୂରେଇ ରହିଥିବା ଏହି ଯୁବକ ପ୍ରତି ସପ୍ତାହାନ୍ତ ଛୁଟିରେ ରାଜଧାନୀରୁ ଅଢ଼େଇଶହ କିମି ଦୂର ନିଜ ଗଁାକୁ ଯାଆନ୍ତି ନିଜ ବିଧବା ମାଆଙ୍କୁ ଭେଟିବା ପାଇଁ। ଗତ କେଇବର୍ଷ ହେଲା ଏଇ ନିର୍ଘଣ୍ଟରେ ସାମାନ୍ୟ ବ୍ୟତିକ୍ରମ ହୋଇ ନ ଥିବାର ଲକ୍ଷ୍ୟ କରି ଦିନେ ଏହି ଲେଖକ ଏକ ଅନୌପଚାରିକ ବାର୍ତ୍ତାଳାପ ବେଳେ ଏହାର ରହସ୍ୟ ଜାଣିବାକୁ ଇଚ୍ଛା କରିବାରୁ ଯାହା ଉତ୍ତର ମିଳିଲା, ତାହା ଥିଲା ଆମ ସଂସ୍କାରବୋଧର ଭିନ୍ନ ଏକ ପରିଭାଷା। ସେ କହିଥିଲେ, ”ସପ୍ତାହର ଛଅଦିନ ମୋ ଖବରକାଗଜ ପାଇଁ, ଯିଏ ମୋତେ ଅନ୍ନ ଦେଉଛି। ବାକି ଦିନଟି ମୋ ମାଆ ପାଇଁ, ଯିଏ ମୋତେ ଜନ୍ମ ଦେଇଛି।“
ଯୁବ ସାମ୍ବାଦିକଙ୍କର ଏହି ଅପୂର୍ବ ମାତୃପ୍ରେମ ଦେଖି ଏ ଲେଖକ ତାଙ୍କ ସହ ଆଳାପରୁ ଜାଣିଲା ଯେ, ଅତି କଞ୍ଚା ବୟସରୁ ବୈଧବ୍ୟ ଭୋଗି ମଧ୍ୟ ତହିଁରେ ଭାଙ୍ଗି ନ ପଡ଼ି ତାଙ୍କ ମାଆ ଯେମିତି ନିଜ ତିନି ସନ୍ତାନଙ୍କୁ ଲାଳନପାଳନ କରିଛନ୍ତି, ତାହା ପୁଅଟିକୁ ବିଗଳିତ କରିଛି ଓ ସେ ସେଇ କଷ୍ଟ ଲାଘବ କରିବାକୁ ମାଆଙ୍କ ଅଗୋଚରରେ ସାମୟିକ ଭାବେ ପାଠପଢ଼ା ବନ୍ଦ ରଖି ଇଟାଭାଟି ଶ୍ରମିକ ଭାବେ କିଛି ଅର୍ଥ ରୋଜଗାର କରିବାକୁ ବିବଶ କରିଛି।
ଆମର ଏଇ ଯୁବ ସାମ୍ବାଦିକ ହୁଅନ୍ତୁ କି ସେଇ ଆୟକର ଅଫିସର ଥିବା ଅଧୁଲି ହଜାଇ ଖୋଜୁଥିବା ସେଇ ବିଶିଷ୍ଟ ଶିଳ୍ପପତି; ଏମାନେ ସମସ୍ତେ ବର୍ତ୍ତମାନର ଉଜ୍ଜ୍ୱଳ ଆଲୋକ ଅନ୍ତରାଳରେ ଥିବା ଅତୀତ ଅନ୍ଧାରର କଳାଛାୟାକୁ ଯେମିତି ଦେଖିଛନ୍ତି, ସେମିତି ଦେଖନ୍ତେ ସିନା ଗୋଇଠି ଟେକି ନିଜର ଉଚ୍ଚତା ବଢ଼ାଉଥିବା ଆତ୍ମବଡ଼ିମାକାରୀମାନେ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri