ପଛକୁ ଫେରିବାର ସୁଖ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

କିଏ ଜଣେ କହିଥିଲେ ପରା, ”ଜୀବନ ଆଗକୁ ବଞ୍ଚାଯାଏ ସିନା, ପଛକୁ ଫେରି ଚାହିଁଲେ ଜୀବନକୁ ବୁଝିହୁଏ।“ ତେବେ ଏହି ଭୋଗବାଦୀ ଆଧୁନିକ ସମାଜରେ ସଭିଏ ଯେତେବେଳେ ଜଣେ ଅନ୍ୟ ଜଣଙ୍କର ପ୍ରତିଯୋଗୀ ସାଜି ଆଗକୁ ମାଡ଼ିଯିବାକୁ ତତ୍ପର, ସେତେବେଳେ ଜଣେ ଦାର୍ଶନିକର ଭାବନା ନେଇ କେବଳ ଜୀବନକୁ ବୁଝିବା ପାଇଁ କିଏ କାହିଁକି ପଛକୁ ଫେରି ଚାହିଁ ସମୟର ଅପଚୟ କରନ୍ତା! ତଥାପି ସମାଜରେ ସବୁ କାଳରେ ଏମିତି କିଛି ଲୋକ ଥାଆନ୍ତି, ଯେଉଁମାନେ ଅତ୍ୟନ୍ତ ଆବେଗରେ ନିଜ ପଛକୁ ଫେରି ଚାହିଁବାରେ ସୁଖ ପାଇଥାଆନ୍ତି। ସେମାନଙ୍କ ସୁସ୍ଥ ଓ ସ୍ବଚ୍ଛଳ ବର୍ତ୍ତମାନ ପଛରେ ଯେ ଦିନେ ଅସୁସ୍ଥ ଅତୀତଟିଏ ଥିଲା, ଏକଥା କେବଳ ନିଜେ ମନେପକାନ୍ତି ନାହିଁ, ବରଂ ଅନ୍ୟମାନଙ୍କୁ କହିବାରେ ସାମାନ୍ୟ ଦ୍ୱିଧାବୋଧ କରନ୍ତି ନାହିଁ। ଏ ପ୍ରକାର ଉନ୍ମୁକ୍ତତା ସେମାନଙ୍କ ବର୍ତ୍ତମାନର ଉଜ୍ଜ୍ୱଳ ବ୍ୟକ୍ତିତ୍ୱରେ ମେଞ୍ଚାଏ ମଇଳା ଲେସିଦେବାର ସମ୍ଭାବନା ବହନ କରେ, ଏହା ଭାବି ସଙ୍କୁଚିତ ହୁଅନ୍ତି ନାହିଁ। ଘରେ ପଖାଳ ଖାଇ ବାହାରେ ପଲାଉ ଖାଇଥିବାର ମିଥ୍ୟା ପ୍ରୌଢ଼ି ବଖାଣୁଥିବା ଲୋକମାନଙ୍କର ଯେଉଁଠି ଅଭାବ ନାହିଁ, ସେଠି ନିଜ ଅନ୍ଧାରି ଅତୀତର ଅକପଟ ଉନ୍ମୋଚନ ପ୍ରକୃତରେ ଏକ ଆଶ୍ଚର୍ଯ୍ୟ ଆତ୍ମକଥନ। କଳିଙ୍ଗର ରାଜଉଆସ ମଧ୍ୟରେ ଗଜଦନ୍ତ ପଲଙ୍କରେ ଶୋଇଥିବା ଗଜପତି କପିଳେନ୍ଦ୍ରଦେବ ପଛକୁ ଫେରି ଯେମିତି ଦେଖୁଥିଲେ ଗାଈଆଳ କପିଳାକୁ, ସେମିତି ମଧ୍ୟ ଦେଖୁଥିଲେ ଏକ ବାରବୁଲା ଦରିଦ୍ର ବ୍ରାହ୍ମଣକୁ ମଗଧର ମହାମନ୍ତ୍ରୀ ବିଦ୍ୱାନ୍‌ ଚାଣକ୍ୟ। ଏମିତି ପଛକୁ ଫେରି ଚାହିଁବାରେ ସେମାନଙ୍କୁ କି ସୁଖ ମିଳୁଥିଲା କେଜାଣି, ଏଯାଏ ବି କିଛି ଲୋକ ପ୍ରଗତି ପଥରେ ଆଗକୁ ମାଡ଼ି ଚାଲୁଥିଲାବେଳେ ରହି ରହି ପଛକୁ ଟିକେ ଫେରିଚାହାନ୍ତି। ସାମାନ୍ୟ ଅଶ୍ରୁ, ଆବେଗ, ଆନନ୍ଦ ଓ ଆଶ୍ୱସ୍ତି ପରେ ପୁଣି ଆଗେଇ ଚାଲନ୍ତି ଜୀବନ ରାସ୍ତାରେ।
କେବେ କେଉଁଠି ପଢ଼ିବାକୁ ମିଳିଥିବା ସେଇ ଶିଳ୍ପପତି ଶେଠଙ୍କ ନାମ ଅବଶ୍ୟ ସ୍ମରଣରେ ନାହିଁ। ତେବେ ଘନଶ୍ୟାମ ଦାସ ବିର୍ଲା ବା ଧୀରୁଭାଇ ଅମ୍ବାନୀଙ୍କ ମଧ୍ୟରୁ କେହି ଜଣେ ହୋଇପାରନ୍ତି। ଥରେ ତାଙ୍କ ଅଫିସ ଚ୍ୟାମ୍ବରରୁ ନିଜ କାର୍‌ ପାଖକୁ ଆସୁଥିବାବେଳେ ତାଙ୍କ ଅଜାଣତରେ ନିଜ ଶାର୍ଟ ପକେଟରୁ ଦୁଇଟି ଆଠଣି ମୁଦ୍ରା ଖସି ପଡ଼ିଲା। ତାଙ୍କ ସହ ପଛରେ ଆସୁଥିବା ତାଙ୍କ ବ୍ୟକ୍ତିଗତ ସହାୟକ ଏହା ଦେଖି ମୁଦ୍ରା ଦୁଇଟିକୁ ଗୋଟାଇ ଆଣି ତାଙ୍କୁ ଦେବାରୁ ସେ ଅଚାନକ ଗମ୍ଭୀର ହୋଇଗଲେ ଓ ଅଧୁଲି ଦୁଇଟିକୁ ମୁଣ୍ଡରେ ମାରି ଶାର୍ଟର ଅନ୍ୟ ପକେଟରେ ରଖିଲେ। ଦେଶର ଜଣେ ଅଗ୍ରଣୀ ଶିଳ୍ପପତିଙ୍କ ଏହି ଅପୂର୍ବ ଅଧୁଲି ପ୍ରୀତି ଦେଖି ବ୍ୟକ୍ତିଗତ ସହାୟକ ରୋମାଞ୍ଚତ୍ତ ହେଉଥିବାବେଳେ ଅଚାନକ ଆଉ ଏକ ଘଟଣା ଘଟି ତାଙ୍କୁ ସ୍ତବ୍ଧଚକିତ କରିଦେଲା। ନିଜ ଚିରା ପକେଟରୁ ଦୁଇଟି ମୁଦ୍ରା ଖସି ପଡ଼ିଥିବା ଜାଣି କାଳେ ଅନ୍ୟ କିଛି ମୁଦ୍ରା ଅନ୍ୟ କେଉଁଠି ଖସି ପଡ଼ିଥାଇପାରେ ବୋଲି ଭାବି ସେ ତାହା ଖୋଜି ଖୋଜି ପଛକୁ ଫେରିବାକୁ ଲାଗିଲେ। ”ଏତେ ବଡ଼ ଶିଳ୍ପପତି, ଅଥଚ ସାମାନ୍ୟ ଅଧୁଲି କେଇଟି ପାଇଁ ପୁଣି ଏତେ ଲୋଭ!“ ବ୍ୟକ୍ତିଗତ ସହାୟକଙ୍କ ନଜରରେ ତାଙ୍କ ଲୋଭାସକ୍ତ ମୁନିବଙ୍କ ଉଚ୍ଚତା ଛୋଟ ହୋଇ ଆସୁଥିଲାବେଳେ ସେ ଶୁଣିଲେ- ”ରାସ୍ତା କଡ଼ରେ ବସିଥିବା ଭିକାରିଙ୍କ ପାଇଁ ମେଞ୍ଚାଏ ଅଧୁଲି ଖୁଚୁରା କରି ପକେଟରେ ରଖିଥିଲି। ପକେଟ ଚିରା ଥିବାରୁ କେତେ କେଉଁଠି ଖସିପଡ଼ିଥିବ କେଜାଣି!“ ସାମାନ୍ୟ କେଇଟି ଅଧୁଲି ପାଇଁ ଏଡ଼େ ବଡ଼ ଲକ୍ଷପତିଙ୍କର ପୁଣି ଏତେ ଅବସୋସ! ନିଜ ମୁହଁରେ ନ କହିଲେ ବି ବ୍ୟକ୍ତିଗତ ସହାୟକଙ୍କ ମନର ଏମିତି ଏକ କଟାକ୍ଷକୁ ତାଙ୍କ ମୁନିବ ବୁଝିନେଲେ ଓ ନିଜ ଭାଷାରେ ତାଙ୍କୁ ବୁଝାଇଦେଲେ ଏମିତି କିଛି କହି। ”ପରିମାଣର ପରିମାପରେ ଅଧୁଲି ବା ଆଠଣିର ମୂଲ୍ୟ ବହୁତ କମ୍‌ ହୋଇପାରେ, ମାତ୍ର ମୋ ଜୀବନର ଆଦ୍ୟ ପର୍ଯ୍ୟାୟରେ ଯେତେବେଳେ ଢୋକେ ପିଇ ଦଣ୍ଡେ ଜିଇବାର ନାମ ଥିଲା ଜୀବନ, ସେତେବେଳେ ଏଇ ଆଠଣି ଯେଉଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା, ତାହା କେମିତି ଭୁଲିବି! ଆଜି ଲକ୍ଷପତି ହୋଇଗଲି ବୋଲି କେମିତି ଭୁଲିପାରିବି ଏହି କ୍ଷୁଦ୍ର ମୁଦ୍ରାଟିର ବୃହତ୍‌ ଅବଦାନକୁ!“
ପକେଟରୁ ଗଳିଥିବା ଅଧୁଲି ଉଦ୍ଧାର ପାଇଁ ଶିଳ୍ପପତି ଶେଠ ପଛକୁ ଫେରିବା ସହିତ ନିଜ କର୍ଦ୍ଦମାକ୍ତ ଅତୀତକୁ ଫେରିଯିବା ପରି ଏ ସଂସାରରେ କିଛି ଲୋକ ସକଳ ପରିପୂର୍ଣ୍ଣତା ସତ୍ତ୍ୱେ ବି ଆପଣାର ଅପୂର୍ଣ୍ଣ ବା ଶୂନ୍ୟ ଅତୀତକୁ ଫେରି ଅଫୁରନ୍ତ ଆନନ୍ଦ ଲାଭ କରନ୍ତି। ସେମିତି ଜଣେ ଥିଲେ ସେଇ ଆୟକର ଅଫିସର। ତାଙ୍କ ପଦବୀ ଯାବତୀୟ ପ୍ରାଚୁର୍ଯ୍ୟ ଓ ପ୍ରତିଷ୍ଠାର ଧାରକ ଥିଲେ ମଧ୍ୟ ସେ ଅତ୍ୟନ୍ତ ସାଦାସିଧା ଜୀବନ ନିର୍ବାହ କରୁଥିଲେ। ରାଜଧାନୀ ନଗରୀରେ ଛୋଟ ଘରଟିଏ ଭଡ଼ା ନେଇ ସେ ନିଜ ହାତରେ ରୋଷେଇ କରି ଖାଉଥିଲେ ଓ ସପ୍ତାହ ଶେଷରେ ଯାଉଥିଲେ ଦେଢ଼ଶହ କିମି ଦୂର ଗଁାରେ ଛାଡ଼ି ଆସିଥିବା ନିଜ ପତ୍ନୀ ଓ ପରିବାର ପାଖକୁ। କାହିଁକି ଏମିତି ଏକ କ୍ଳେଶକର ଜୀବନକୁ ଆପଣେଇ ନେଇଛନ୍ତି ବୋଲି କେହି ଦରଦୀ ବନ୍ଧୁ ପ୍ରଶ୍ନ କଲେ ସେ କହନ୍ତି, ”କେମିତି ଭୁଲିବି ସେ କଥାସବୁ! ବାପା କେତେ କଷ୍ଟରେ ମୂଲ ଲାଗି ମୋତେ ମଣିଷ କରିଛନ୍ତି। ଆଜି ଇନ୍‌କମ୍‌ ଟ୍ୟାକ୍ସ ଅଫିସରଟିଏ ହୋଇଗଲି ବୋଲି ବିପତ୍ନୀକ ବାପାକୁ ଗଁାରେ ଛାଡ଼ି ସହରରେ ସ୍ତ୍ରୀ ସହ ସଉକ କରିବି!“
ସେମିତି ଗନ୍ଧହୀନ ଗଲାକଥାକୁ ଗୌରବର ସହ ଗାଇ ଉଠୁଥିବା ଆଉ ଜଣେ ତରୁଣଙ୍କ କଥା। ସେ ବି ରହନ୍ତି ଭୁବନେଶ୍ୱରରେ, କାମ କରନ୍ତି ରାଜ୍ୟର ଏକ ସଂଭ୍ରାନ୍ତ ସମ୍ବାଦପତ୍ରର ସହ ସମ୍ପାଦକ ଭାବେ। ବାଲ୍ୟକାଳରୁ ନିଜ ବାପାଙ୍କୁ ହରାଇ ଏଯାଏ ନିଜ ସଂସାର ବାନ୍ଧିବାଠୁଁ ଦୂରେଇ ରହିଥିବା ଏହି ଯୁବକ ପ୍ରତି ସପ୍ତାହାନ୍ତ ଛୁଟିରେ ରାଜଧାନୀରୁ ଅଢ଼େଇଶହ କିମି ଦୂର ନିଜ ଗଁାକୁ ଯାଆନ୍ତି ନିଜ ବିଧବା ମାଆଙ୍କୁ ଭେଟିବା ପାଇଁ। ଗତ କେଇବର୍ଷ ହେଲା ଏଇ ନିର୍ଘଣ୍ଟରେ ସାମାନ୍ୟ ବ୍ୟତିକ୍ରମ ହୋଇ ନ ଥିବାର ଲକ୍ଷ୍ୟ କରି ଦିନେ ଏହି ଲେଖକ ଏକ ଅନୌପଚାରିକ ବାର୍ତ୍ତାଳାପ ବେଳେ ଏହାର ରହସ୍ୟ ଜାଣିବାକୁ ଇଚ୍ଛା କରିବାରୁ ଯାହା ଉତ୍ତର ମିଳିଲା, ତାହା ଥିଲା ଆମ ସଂସ୍କାରବୋଧର ଭିନ୍ନ ଏକ ପରିଭାଷା। ସେ କହିଥିଲେ, ”ସପ୍ତାହର ଛଅଦିନ ମୋ ଖବରକାଗଜ ପାଇଁ, ଯିଏ ମୋତେ ଅନ୍ନ ଦେଉଛି। ବାକି ଦିନଟି ମୋ ମାଆ ପାଇଁ, ଯିଏ ମୋତେ ଜନ୍ମ ଦେଇଛି।“
ଯୁବ ସାମ୍ବାଦିକଙ୍କର ଏହି ଅପୂର୍ବ ମାତୃପ୍ରେମ ଦେଖି ଏ ଲେଖକ ତାଙ୍କ ସହ ଆଳାପରୁ ଜାଣିଲା ଯେ, ଅତି କଞ୍ଚା ବୟସରୁ ବୈଧବ୍ୟ ଭୋଗି ମଧ୍ୟ ତହିଁରେ ଭାଙ୍ଗି ନ ପଡ଼ି ତାଙ୍କ ମାଆ ଯେମିତି ନିଜ ତିନି ସନ୍ତାନଙ୍କୁ ଲାଳନପାଳନ କରିଛନ୍ତି, ତାହା ପୁଅଟିକୁ ବିଗଳିତ କରିଛି ଓ ସେ ସେଇ କଷ୍ଟ ଲାଘବ କରିବାକୁ ମାଆଙ୍କ ଅଗୋଚରରେ ସାମୟିକ ଭାବେ ପାଠପଢ଼ା ବନ୍ଦ ରଖି ଇଟାଭାଟି ଶ୍ରମିକ ଭାବେ କିଛି ଅର୍ଥ ରୋଜଗାର କରିବାକୁ ବିବଶ କରିଛି।
ଆମର ଏଇ ଯୁବ ସାମ୍ବାଦିକ ହୁଅନ୍ତୁ କି ସେଇ ଆୟକର ଅଫିସର ଥିବା ଅଧୁଲି ହଜାଇ ଖୋଜୁଥିବା ସେଇ ବିଶିଷ୍ଟ ଶିଳ୍ପପତି; ଏମାନେ ସମସ୍ତେ ବର୍ତ୍ତମାନର ଉଜ୍ଜ୍ୱଳ ଆଲୋକ ଅନ୍ତରାଳରେ ଥିବା ଅତୀତ ଅନ୍ଧାରର କଳାଛାୟାକୁ ଯେମିତି ଦେଖିଛନ୍ତି, ସେମିତି ଦେଖନ୍ତେ ସିନା ଗୋଇଠି ଟେକି ନିଜର ଉଚ୍ଚତା ବଢ଼ାଉଥିବା ଆତ୍ମବଡ଼ିମାକାରୀମାନେ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri