ଜେମ୍‌ସ ଓ୍ବେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର

ବିଶ୍ୱ ହେଉଛି ଅନନ୍ତ ଓ ଅସୀମ। କୋଟି କୋଟି ନକ୍ଷତ୍ର ଓ ଗାଲାକ୍ସିକୁ ନେଇ ଏହା ଗଠିତ। ଆମେ କେବଳ ଏହାର କିୟଦଂଶକୁ ଦେଖିପାରିଛେ। ବିଶ୍ୱର ବିଭିନ୍ନ ବସ୍ତୁପିଣ୍ଡର ଅଧ୍ୟୟନ ପାଇଁ ମହାକାଶକୁ କେତେଗୁଡ଼ିଏ କୃତି୍ରିମ ଉପଗ୍ରହ ଓ ମହାକାଶଯାନ ପଠାଯାଇ ତଥ୍ୟ ଆହରଣ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ସଂସ୍ଥା ‘ନାସା’ ଓ ୟୁରୋପୀୟ ମହାକାଶ ସଂଘ ମିଳିତ ଭାବରେ ୧୯୯୦ ମସିହାରେ ଭୂକକ୍ଷରେ ‘ହଭଲ’ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ କରି ଅନେକ ନୂତନ ଜ୍ୟୋତିର୍ବିଦୀୟ ପିଣ୍ଡ ଆବିଷ୍କାର କରିଥିଲେ। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ପରେ ଏହା ଗତବର୍ଷ ସେପ୍ଟେମ୍ବର ମାସରେ ଅକାମି ହୋଇଯାଇଥିଲା। ଏହାର ଉତ୍ତରାଧିକାରୀ ଭାବରେ ନାସା କୋଡ଼ିଏ ବର୍ଷ ପୂର୍ବରୁ ଅନ୍ୟ ଏକ ଉନ୍ନତ ଓ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରର ଡିଜାଇନ୍‌ କରି ଗତବର୍ଷ ଏହାକୁ ମହାକାଶକୁ ପଠାଇଛି। ଏହାର ନାମ ହେଉଛି ‘ଜେମ୍‌ସ ଓ୍ବେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର’।
ନାସା ଗତବର୍ଷ ଡିସେମ୍ବର ୨୪ରେ ଜେମ୍‌ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ରକୁ ଦକ୍ଷିଣ ଆମେରିକାର ଫ୍ରେଞ୍ଚ ଗୁଏନାଠାରୁ ୟୁରୋପୀୟ ମହାକାଶ ସଂଘର ‘ଏରିଏନ୍‌-୫’ ରକେଟ୍‌ ସାହାଯ୍ୟରେ ଅନ୍ତରୀକ୍ଷକୁ ଉତ୍‌କ୍ଷେପଣ କରିଛି। ଉତ୍‌କ୍ଷେପଣର ୨୬ ମିନିଟ୍‌ ପରେ ୬୨୦୦ କିଗ୍ରା ଓଜନର ଦୂରବୀକ୍ଷଣ ଯନ୍ତ୍ର ରକେଟ୍‌ଠାରୁ ପୃଥ୍‌କ ହୋଇ ଏହାର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି। ୧୯୬୦ ଦଶକରେ ନାସା ସଂସ୍ଥାର ମୁଖ୍ୟ ଥିବା ବିଶିଷ୍ଟ ଜ୍ୟୋତିର୍ବିଦ୍‌ ଜେମ୍‌ସ ଏଡ୍‌ଉଇନ୍‌ ଓ୍ବେବ୍‌ଙ୍କ ନାମାନୁସାରେ ଏହାକୁ ନାମିତ କରାଯାଇଛି। ଏହାର ବ୍ୟାସ ହେଉଛି ୨୧ ମିଟର। ରକେଟ୍‌ରେ ଏହାକୁ ଭାଙ୍ଗ କରି ରଖାଯାଇଥିଲା ଏବଂ ରକେଟ୍‌ରୁ ପୃଥ୍‌କ ହେବା ପରେ ଏହା ଖୋଲି ଯାଇ ଗୋଟିଏ ଟେନିସ କୋର୍ଟ ଆକାରର ହୋଇଯାଇଥିଲା। ଏହାର ମୁଖ୍ୟ ଦର୍ପଣ ବେରିଲିୟମ ଧାତୁରୁ ୧୮ଟି ଷଢ଼କୋଣୀୟ କେନ୍ଦ୍ରରେ ନିର୍ମିତ ହୋଇଛି। ଏହାକୁ ଥଣ୍ଡା ରଖିବା ପାଇଁ ତଥା ଅବଲୋକିତ ରଶ୍ମିରୁ ରକ୍ଷା କରିବା ପାଇଁ ଏଥିରେ ସୁନାର ପତଳା ସ୍ତରର ଆଚ୍ଛାଦନ କରାଯାଇଛି। ଦର୍ପଣର ବ୍ୟାସ ହେଉଛି ୬.୫ ମିଟର। ହବ୍‌ର ଦୂରବୀକ୍ଷଣ ଯନ୍ତ୍ରଠାରୁ ଏହା ହେଉଛି ଶହେ ଗୁଣ ଅଧିକ ସମ୍ବେଦନଶୀଳ ଓ ଶକ୍ତିଶାଳୀ। ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ଓ କାନାଡ଼ାର ମହାକାଶ ସଂସ୍ଥାରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନେ ଏହାର ନିର୍ମାଣ କରିଛନ୍ତି।

ଜେମ୍‌ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ର ପୃଥିବୀଠାରୁ ୧୫ ଲକ୍ଷ କି.ମି. ଦୂରରେ ଲାଗ୍ରାଞ୍ଜେ ବିନ୍ଦୁ-୨ (ଏଲ୍‌-୨)ରେ ରହି ସୂର୍ଯ୍ୟଙ୍କୁ ପରିକ୍ରମଣ କରିବ। ଏଲ୍‌-୨ ବିନ୍ଦୁ ସୂର୍ଯ୍ୟ ଓ ପୃଥିବୀ ସହ ଗୋଟିଏ ସରଳରେଖାରେ ଏପରି ସ୍ଥାନରେ ରହିଛି ଯେ, ଏଠାରେ ଅବସ୍ଥିତ ଥିବା କୌଣସି ବସ୍ତୁପିଣ୍ଡ ଉପରେ ସୂର୍ଯ୍ୟ ଓ ପୃଥିବୀ ସମାନ ଆକର୍ଷଣ ବଳ ବିପରୀତ ଦିଗରେ ଅନୁଭୂତ ହେବ। ଏଣୁ ଜେମ୍‌ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ର ସେଠାରେ ରହି ପୃଥିବୀ ବେଗରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରିବ; ସତେ ଯେପରି ଗୋଟିଏ ଦଉଡ଼ିରେ ଦୁଇଟିଯାକ ବନ୍ଧା ହୋଇଛି।
ବିଶ୍ୱ ସୃଷ୍ଟିର ପ୍ରାରମ୍ଭିକ ଅବସ୍ଥାକୁ ଅଧ୍ୟୟନ କରିବା ହେଉଛି ଜେମ୍‌ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ରର ମୁଖ୍ୟ ଲକ୍ଷ୍ୟ। ଅବଲୋହିତ ବର୍ଣ୍ଣାଳିରେ ବିଭିନ୍ନ ଜ୍ୟୋତିର୍ବିଦୀୟ ପିଣ୍ଡକୁ ଦେଖିବା ପାଇଁ ଡିଜାଇନ୍‌ କରାଯାଇଥିବାରୁ ମହାକାଶର ଗ୍ୟାସ୍‌ ଓ ଧୂଳି ବାଦଲ ଦେଇ ଏହା ଦୂର ନକ୍ଷତ୍ର ଓ ଗାଲାକ୍ସିଗୁଡ଼ିକୁ ଦେଖିପାରିବ। ବିଶ୍ୱ ଆଜକୁ ୧୩.୮ ବିଲିୟନ ବର୍ଷ ପୂର୍ବେ ସୃଷ୍ଟି ହୋଇଛି ଏବଂ ଏହାର ୧୦୦ ନିୟୁତ ବର୍ଷ ପରେ ବ୍ରହ୍ମାଣ୍ଡକୁ ଅଧ୍ୟୟନ କରିବା ହେଉଛି ଏହାର ଲକ୍ଷ୍ୟ।
ସୌରଜଗତ ବାହାରେ ଚାରି ହଜାରରୁ ଅଧିକ ଗ୍ରହ ଆବିଷ୍କୃତ ହେଲାଣି। ଜ୍ୟୋତିର୍ବିଦ୍‌ମାନେ ବିଶ୍ୱାସ କରୁଛନ୍ତି ଯେ, ବିଶ୍ୱର ଅନ୍ୟ କେତେକ ଗ୍ରହରେ ପୃଥିବୀ ଭଳି ଜୀବଜଗତ ଗଢ଼ି ଉଠିବା ସଦୃଶ ଅବସ୍ଥା ଥାଇପାରେ। ଏଣୁ ଏହି ଦୂରବୀକ୍ଷଣ ଯନ୍ତ୍ର ସୌରଜଗତର ଗ୍ରହଗୁଡ଼ିକର ବାୟୁମଣ୍ଡଳ ଓ ପୃଷ୍ଠଦେଶ ଅଧ୍ୟୟନ କରିବା ସହିତ ସେଠାରେ ଜୀବଜଗତର ସମ୍ଭାବନା ଅନୁସନ୍ଧାନ କରିବ। ଏହା ପୃଥିବୀଠାରୁ ୬୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡ଼ିକୁ ମଧ୍ୟ ଅଧ୍ୟୟନ କରିପାରିବ। ପ୍ରତ୍ୟେକ ଗାଲାକ୍ସିର କେନ୍ଦ୍ରରେ ଗୋଟିଏ ଗୋଟିଏ ବୃହଦାକାୟ କୃଷ୍ଣଗର୍ତ୍ତ ବା ବ୍ଲାକ୍‌ ହୋଲ୍‌ ରହିଥିବାର ଜ୍ୟୋତିିର୍ବିଦ୍‌ମାନେ ଜାଣିପାରିଛନ୍ତି। ଏହି ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ ସେଗୁଡ଼ିକୁ ଅଧ୍ୟୟନ କରିବ।
ଏଲ୍‌-୨ ବିନ୍ଦୁରେ ଅବସ୍ଥାପିତ ହେଉଥିବାରୁ ଜେମ୍‌ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ର କମ୍‌ ଇନ୍ଧନ ଆବଶ୍ୟକ କରିବ। ଏହା ଅତି କ୍ଷୀଣ ଅବଲୋକିତ ରଶ୍ମିକୁ ଠାବ କରୁଥିବାରୁ ଅନ୍ୟ କୌଣସି ଆଲୋକ କିମ୍ବା ତାପ ଉତ୍ସ ଏହାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବ। ସୂର୍ଯ୍ୟ ଆଡ଼କୁ ଥିବା ଦୂରବୀକ୍ଷଣ ଅଂଶର ତାପମାତ୍ରା ୨୦୦ ଡିଗ୍ରି ଫାରେନାଇଟ୍‌ ଥିବାବେଳେ ଏହାର ବିପରୀତ ପାର୍ଶ୍ୱର ତାପମାତ୍ରା ହେଉଛି ବିଯୁକ୍ତ ୪୦୦ ଡିଗ୍ରି ଫାରେନାଇଟ୍‌। ଏଣୁ ସୂର୍ଯ୍ୟ ଆଡ଼କୁ ରହୁଥିବା ପାର୍ଶ୍ୱକୁ ଉତ୍ତାପରୁ ରକ୍ଷା କରିବା ପାଇଁ ଗୋଟିଏ ତାପୀୟ ଘୋଡ଼ଣୀ ଦିଆଯାଇଛି। ଦୂରବୀକ୍ଷଣ ଯନ୍ତ୍ରର ଦର୍ପଣ ଓ ଏଥିରେ ଯନ୍ତ୍ରପାତି ସର୍ବଦା ବିଯୁକ୍ତ ୪୦୦ ଡିଗ୍ରୀ ତାପମାତ୍ରାରେ କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା ହୋଇଛି।
ଜେମ୍‌ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ର ଦଶ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଡିଜାଇନ୍‌ କରାଯାଇଛି। ଏହାର ନିର୍ମାଣ ପାଇଁ ୧୦ ବିଲିୟନ ଡଲାର (ପ୍ରାୟ ୭୫ ହଜାର କୋଟି) ଖର୍ଚ୍ଚ ହୋଇଛି। ଏହା ହେଉଛି ମହାକାଶ ଗବେଷଣା କ୍ଷେତ୍ରରେ ସବୁଠାରୁ ବଡ଼ ପ୍ରକଳ୍ପ। ଏହା ବ୍ରହ୍ମାଣ୍ଡର ଅନେକ ରହସ୍ୟ ଉନ୍ମୋଚନ କରି ଆମର ଜ୍ଞାନବୃଦ୍ଧି କରିବ। ଏହାକୁ ନେଇ ଜ୍ୟୋତିର୍ବିଦ୍‌ ଏବଂ ଏପରିକି ସାଧାରଣ ଲୋକଙ୍କ ମନରେ ଅନେକ ଉତ୍କଣ୍ଠା ଲାଗି ରହିଛି।

ଇଂ. ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?