ପୀଡ଼ିତାଙ୍କ ବିଡ଼ମ୍ବିତ ଭାଗ୍ୟ

ଡ. ବାସନ୍ତୀ ମହାନ୍ତି

ଆମ ସାମାଜିକ ପୃଷ୍ଠଭୂମିରେ ନାରୀଟିଏ ଯଦି ପୀଡ଼ିତା ବିଶେଷତଃ ଯଦି ପୁରୁଷର ଅସୌଜନ୍ୟ ଆଚରଣର ଶିକାର ହୋଇଥାଏ ଅଦାଲତର ନ୍ୟାୟ ମିଳିଲେ ସୁଦ୍ଧା ସେ ସାମାଜିକ ନ୍ୟାୟ ପାଏ ନାହିଁ। ଅବିବାହିତା ହୋଇଥିଲେ ତା’ ବିବାହ ପାଇଁ ସମସ୍ୟା ସୃଷ୍ଟି ହୁଏ, ବିବାହିତା ହୋଇଥିଲେ ତାକୁ ଶାଶୁଘରେ କ୍ୱଚିତ୍‌ ସମ୍ମାନଜନକ ସ୍ଥାନ ମିଳେ। ବାପଘର ଲୋକେ ମଧ୍ୟ ତାକୁ ଗ୍ରହଣ କରିବାକୁ ପଶ୍ଚାତପଦ ହୁଅନ୍ତି। ନିଜେ ଯଦି ସ୍ବାବଲମ୍ବନଶୀଳ ନୁହେଁ ତା’ ପାଇଁ ଲୋଡ଼ାହୁଏ ସରକାରୀ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ଆଶ୍ରୟସ୍ଥଳ। ଗଳ୍ପ ଉପନ୍ୟାସ ଚଳଚ୍ଚିତ୍ର ଆଦିରେ ମଧ୍ୟ ଲେଖକ କିମ୍ବା ନିର୍ଦ୍ଦେଶକ ଏମାନଙ୍କ ଶେଷ ପରିଣତି ଆତ୍ମହତ୍ୟା ବୋଲି ପ୍ରଦର୍ଶିତ କରିଥାନ୍ତି, ସତେଯେମିତି ପୀଡ଼ିତାମାନଙ୍କର ବଞ୍ଚତ୍ବାର ଅଧିକାର ନାହିଁ। ସମାଜର ଅନ୍ୟମାନେ ତା’ ପାଖରେ ସ୍ବଚ୍ଛନ୍ଦ ହୋଇପାରନ୍ତି ନାହିଁ କି ସେ ଅନ୍ୟମାନଙ୍କ ପାଖରେ ସ୍ବାଭାବିକ ହୋଇପାରେ ନାହିଁ। ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଏ ପ୍ରକାର ସମସ୍ୟା ନାହିଁ। ଆମ ଦେଶ ପରି ସେମାନଙ୍କ ଦେଶରେ ମଧ୍ୟ ନାରୀ ପ୍ରତି ଅଶୋଭନୀୟ ଆଚରଣ ଅତ୍ୟନ୍ତ ଗର୍ହିତ ଅପରାଧ। ସହମତି ନ ଥିଲେ କେହି ଯଦି ନାରୀକୁ ଶାରୀରିକ ସମ୍ପର୍କ ପାଇଁ ନିବେଦନ କରେ ତେବେ ତାହା ଅପରାଧ ପର୍ଯ୍ୟାୟଭୁକ୍ତ ହୁଏ। ଅପରାଧୀକୁ କଠିନ ଦଣ୍ଡ ଦିଆଯାଇଥାଏ। କିନ୍ତୁ ପୀଡ଼ିତାର ସାମାଜିକ ସମ୍ମାନ କ୍ଷୁଣ୍ଣ ହୁଏ ନାହିଁ। ମାତ୍ର ଆମ ଦେଶରେ ସମ୍ପୂର୍ଣ୍ଣ ଓଲଟା। ଦୁଷ୍କର୍ମକାରୀ ଦଣ୍ଡ ଭୋଗିସାରିବା ପରେ ଘରସଂସାର କରି ସମ୍ମାନର ସହ ବଞ୍ଚତ୍ପାରେ କିନ୍ତୁ ପୀଡ଼ିତା ନିର୍ଦ୍ଦୋଷ ଥାଇ ବି ସର୍ବସ୍ବ ହରାଇଥାଏ। ଯେତେଦିନ ପର୍ଯ୍ୟନ୍ତ ଆମ ସମାଜରୁ ଏ ପ୍ରକାର ମାନସିକତାର ଅନ୍ତ ନ ହୋଇଛି, ନାରୀର ସୁରକ୍ଷା ବିପନ୍ନ ହୋଇ ରହିଥିବ। ସାମାଜିକ ସମ୍ମାନ ଭୟରେ ସେ ପୁରୁଷ ପାଖରେ ଭୟାର୍ତ୍ତ ହୋଇ କାଳ କାଟୁ ଥିବ। ଆମ ଦେଶରେ ନାରୀର ଶାରୀରିକ ପବିତ୍ରତା ଏକ ସମ୍ବେନଶୀଳ ପ୍ରସଙ୍ଗ ହୋଇଥିବାରୁ ନାରୀ କେବଳ କାମନା ପ୍ରପୀଡ଼ିତ ପୁରୁଷର ଅସୌଜନ୍ୟ ଆଚରଣର ଶିକାର ହୁଏନାହିଁ। କୌଣସି କାରଣରୁ ନାରୀର ଆତ୍ମପ୍ରତ୍ୟୟ କ୍ଷୁଣ୍ଣ କରିବାର ଥିଲେ ତା ଶରୀର ପ୍ରତି ଆକ୍ରମଣ ହୋଇଯାଏ। ଆଜିର ପ୍ରତିଯୋଗିତାପୂର୍ଣ୍ଣ ସମାଜରେ ନାରୀଟିଏ ନିଜ ଦକ୍ଷତାରେ ପୁରୁଷକୁ ଅତିକ୍ରମ କରିଯିବାର ଆଶଙ୍କା ଉପୁଜିଲେ ତା’ ଗତିରୋଧ କରିବା ପାଇଁ ତା’ ପ୍ରତି ଅସଦାଚରଣ କରିବାଠାରୁ ବଳି ବଡ଼ ଉପାୟ ପୁରୁଷ ପାଖରେ ଆଉ କିଛି ନାହିଁ।
ଏହିପରି ଜଣେ ମହିଳାଙ୍କୁ ଆମେ ଅତୀତରେ ଭେଟିଥିଲୁ ଗଣମାଧ୍ୟମଗୁଡ଼ିକରେ। ବିଶ୍ୱବିଦ୍ୟାଳୟର ସ୍ବର୍ଣ୍ଣପଦକ ହାସଲ କରିଥିବା ଉଚ୍ଚଶିକ୍ଷିତା ମହିଳା ଜଣକ ସେ ସମୟରେ ଥିଲେ ବହ୍ନିକନ୍ୟା। ଅନ୍ୟାୟ ଆତ୍ୟାଚାରକୁ ସାହସର ସହ ମୁକାବିଲା କରିବାର ସକଳ ସାମର୍ଥ୍ୟ ଥିଲା ତାଙ୍କର। ସ୍ବାମୀ ଓ ସ୍ବାମୀଗୃହର ଅନ୍ୟାନ୍ୟ ସଦସ୍ୟଙ୍କର ତାଙ୍କ ପ୍ରତି ହେଉଥିବା ନିର୍ଯାତନାକୁ ପ୍ରତିବାଦ କରିଥିଲେ। ନ୍ୟାୟ ପାଇଁ ଆଇନର ଆଶ୍ରୟ ନେବା ଲାଗି ଯେଉଁ ଆଇନଜୀବୀଙ୍କ ସହାୟତା ଲୋଡ଼ିଥିଲେ ତାଙ୍କର ଲୋଲୁପ ଦୃଷ୍ଟିର ଶିକାର ହେବାପରି ବିରଳ ଘଟଣା ଘଟିଥିଲା ତାଙ୍କ ଜୀବନରେ। ନ୍ୟାୟ ପାଇଁ ତାଙ୍କ ବିରୋଧରେ ମଧ୍ୟ ସେ ସ୍ବର ଉତ୍ତୋଳନ କରିଥିଲେ। ଜଣେ ନାରୀର ଏତେ ବଡ଼ ସ୍ପର୍ଦ୍ଧା! ଏତେ ବଡ଼ ବଡ଼ ଲୋକଙ୍କ ବିରୋଧରେ ସେ ସ୍ବର ଉତ୍ତୋଳନ କରିବ? ତାଙ୍କ ଉପରେ ହୋଇଯାଇଥିଲା ସଣ୍ଢୁଆଶୀ ଆକ୍ରମଣ। ତାଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ଶିକାର ହେବା ପାଇଁ ପଡିଥିଲା। କେସ୍‌ ଉଠେଇନେବା ପାଇଁ ନାନାବିଧ ଉପାୟ ପ୍ରଦର୍ଶନ କରାଯାଇଥିଲା। ଘରକୁ ଟେକାପଥର ପଡ଼ିବାଠାରୁ ଜୀବନରେ ମାରିଦେବାର ଧମକ ପର୍ଯ୍ୟନ୍ତ। ସେ କିନ୍ତୁ ହାର୍‌ ମାନି ନ ଥିଲେ। ଶେଷରେ ସର୍ବଶେଷ ଅସ୍ତ୍ର ପ୍ରୟୋଗ କରାଯାଇଥିଲା। ଏହାପରେ ନା ରହିବ ବାଉଁଶ ନା ବାଜିବ ବଂଶୀ। ତାଙ୍କ ସାମାଜିକ ସମ୍ମାନ କ୍ଷୁଣ୍ଣ କରାଯାଇଥିଲା। ଆତ୍ମପ୍ରତୀୟହୀନ ହୋଇ ମରିମରି ବଞ୍ଚତ୍ବାକୁ ସେ ବାଧ୍ୟ ହୋଇଥିଲେ। ଏହା ସେ ସର୍ବସମ୍ମୁଖରେ ପ୍ରେସ୍‌ମିଟ୍‌ ମାଧ୍ୟମରେ ସ୍ବୀକାର କରିଛନ୍ତି।
ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ। ଅପରାଧୀକୁ ଧରିବା ପାଇଁ ଯଦି ଏତେ ଦୀର୍ଘକାଳ ଲାଗିଯାଏ, ନ୍ୟାୟ ପାଇଁ ଆହୁରି କେତେ କାଳ ଲାଗିଯିବ କିଏ କହିବ? ଘଟଣାଟିର ପ୍ରେକ୍ଷାପଟରେ ଯେଉଁମାନେ ଥିଲେ ବୋଲି ଅଭିଯୋଗ ହେଉଥିଲା ସେମାନଙ୍କ ମଧ୍ୟରୁ ଅନେକ ମରିହଜି ଗଲେଣି। ଆଧାର କାର୍ଡ ବିନା ଯେଉଁଠି ଜୀବନ ବଞ୍ଚତ୍ବା କଷ୍ଟକର, ସମ୍ପୃକ୍ତ ଅପରାଧୀ କେଉଁ ଆଧାରରେ ଏତେ କାଳ ଧରି ଜୀବନ ନିର୍ବାହ କରୁଥିଲା, କେଉଁ ଅଦୃଶ୍ୟ ହାତ ତାକୁ ଅଭୟ ପ୍ରଦାନ କରୁଥଲା, ତାହା ମଧ୍ୟ ସନ୍ଦେହ ସୃଷ୍ଟିକାରୀ। ତେବେ କେଉଁ ରାଜନୈତିକ ଦଳର କୁଟ କୌଶଳର ଶିକାର ହୋଇ ଜଣେ ଉଦୀୟମାନ ମହିଳାଙ୍କ ଜୀବନ ଏପରି ବିପର୍ଯ୍ୟସ୍ତ ହୋଇପଡ଼ିଲା ତାହା ଆମ ଆଲୋଚନାର ପ୍ରସଙ୍ଗ ନୁହେଁ। ଆମର ବକ୍ତବ୍ୟ ହେଉଛି ପୀଡ଼ିତାଙ୍କ ପ୍ରତି ଆମର ସାମାଜିକ ଦୃଷ୍ଟି କୋଣ।
ଆମ ଦର୍ଶନ ଅନୁସାରେ ଆତ୍ମା କୌଣସି ପାର୍ଥିବ ପ୍ରସଙ୍ଗସହ ଜଡ଼ିତ ହୁଏ ନାହିଁ। ପାଞ୍ଚ ନାରୀଙ୍କୁ ଆମେ ଅତି ପବିତ୍ର ଓ ସତୀ ତାଲିକାଭୁକ୍ତ କରିଛୁ, ଯେଉଁମାନଙ୍କର ଶରୀର କଳୁଷିତ କିନ୍ତୁ ଆତ୍ମା ନୁହେଁ। ଏସବୁ ସତ୍ତ୍ୱେ ନାରୀମାନଙ୍କ ପାଇଁ ଆମେ ସ୍ବତନ୍ତ୍ର ନିୟମ କରିଛୁ, ଯାହା ପୁରୁଷ ପାଇଁ ପ୍ରଯୁଜ୍ୟ ନୁହେଁ। ସ୍ବାମୀ ବ୍ୟତିରେକେ ଅନ୍ୟ କେହି ସ୍ପର୍ଶ କଲେ (ଇଚ୍ଛାରେ ବା ଅନିଚ୍ଛାରେ) ସେ ଅସତୀ ହୋଇଯାଏ ଓ ରୌରବ ନର୍କ ଭୋଗକରେ ବୋଲି ନାରୀକୁ ଭୟଭୀତ କରି ରଖାଯାଇଛି। ସମାଜ ତାକୁ ପତିତା ବୋଲି ଆଖ୍ୟା ଦେଇ ନାନାବିଧ ଲାଞ୍ଛନା ଦେଇଥାଏ। ଶୁଭକାମରେ ତାକୁ ଦୂରେଇ ରଖାଯାଏ। ସେଥିପାଇଁ ସେ ତା’ ପ୍ରତି ହୋଇଥିବା ଅଶୋଭନୀୟ ଆଚରଣକୁ ଅନେକ ସମୟରେ ଗୋପନୀୟ କରି ରଖେ।
ନାରୀଟିଏ ଦୁର୍ଭାଗ୍ୟବଶତଃ ଏମିତି କିଛି ଅଘଟଣର ଶିକାର ହେଲେ ତାକୁ ଗୋପନ ନ ରଖି ନ୍ୟାୟ ପାଇଁ ଲଢୁ। ଏଥିପାଇଁ ପରିବାର ଓ ଆତ୍ମୀୟସ୍ବଜନ ତାକୁ ଉତ୍ସାହିତ କରନ୍ତୁ। ତା’କୁ ନୈତିକ ସାହସ ଦିଅନ୍ତୁ। ଚୋର ଡକାୟତମାନେ ସମ୍ପତ୍ତି ଲୁଣ୍ଠନ କଲେ ଯେପରି ଲୁଣ୍ଠିତ ବ୍ୟକ୍ତିର ମର୍ଯ୍ୟାଦା କ୍ଷୁଣ୍ଣହୁଏ ନାହିଁ। ଲୁଣ୍ଠନକାରୀ ଦଣ୍ଡିତ ହୁଅନ୍ତି, ନାରୀ କ୍ଷେତ୍ରରେ ମଧ୍ୟ ଠିକ୍‌ ସେହି ମାନସିକତା ପୋଷଣ କରିବା ଉଚିତ। ନାରୀ ଅଶୋଭନୀୟ ଆଚରଣର ଶିକାର ହେଲେ ପତିତା ହୋଇଯାଏ ନାହିଁ। ନାରୀମାନଙ୍କ ପାଇଁ ଏ ଶବ୍ଦ ଅତ୍ୟନ୍ତ ଅପମାନଜନକ। ଏ ଶବ୍ଦର ପ୍ରୟୋଗକୁ ଧର୍ତ୍ତବ୍ୟ ଅପରାଧ ବୋଲି ଗ୍ରହଣ କରାଯାଉ। ଅତୀତରେ ଯେଉଁ ଭୁଲ୍‌ ସମାଜ କରିଥିଲା ତା’ର ପୁନରାବୃତ୍ତି ନ ହେଉ। ଆମ ପାରମ୍ପରିକ ଚିନ୍ତାଧାରାରେ ପରିବର୍ତ୍ତନ ନ ଆସିଲେ ନାରୀମାନଙ୍କ ଦୁର୍ଦ୍ଦଶାର ଅନ୍ତ ହେବନାହିଁ। ପ୍ରତ୍ୟେକ ନାରୀ ହୃଦ୍‌ବୋଧ କରନ୍ତୁ ବ୍ୟକ୍ତିତ୍ୱ ସାବ୍ୟସ୍ତ କରିବା ପାଇଁ ଶରୀର ନୁହେଁ, ଆତ୍ମିକ ବିଭବର ଆବଶ୍ୟକତା ରହିଛି। ସମାଜ ଏଥିପାଇଁ ତାକୁ ପ୍ରୋତ୍ସାହନ ଦେଉ। ମରି ମରି ବଞ୍ଚତ୍ବା ପରିବର୍ତ୍ତେ ପୁରୁଷର ଅପକର୍ମକୁ ଦେହରୁ ଧୂଳିଝାଡ଼ିବା ପରି ଝାଡ଼ିଦେଇ ନ୍ୟାୟ ପାଇଁ ଲଢ଼ିବାକୁ ଆମେ ଆମ ଝିଅବୋହୂଙ୍କୁ ଉତ୍ସାହିତ କରିବା। ଦୁଷ୍କର୍ମକାରୀ ପୁରୁଷଟିଏ ଯଦି ସମାଜରେ ମଥାଟେକି ବଞ୍ଚତ୍ପାରୁଛି ନିର୍ଦ୍ଦୋଷ ଥାଇ ବି ପୀଡ଼ିତାଟିଏ କାହିଁକି ମଥାନତ କରି ବଞ୍ଚତ୍ବ? ଲାଞ୍ଛତ୍ତ ହେବ?
ପୀଡ଼ିତାମାନଙ୍କୁ ଦୟା, ଅନୁକମ୍ପା, ସହାନୁଭୂତି ପ୍ରଦର୍ଶନ କରିବାର ବେଳ ଆଉ ନାହିଁ। ପାରମ୍ପରିକ ଦୃଷ୍ଟିକୋଣର ମୂଳୋପତ୍ାଟନ କରି ତା’ର ଆତ୍ମପ୍ରତ୍ୟୟ ବୃଦ୍ଧି କରିବା ନିହାତି ଜରୁରୀ। କ୍ରମବର୍ଦ୍ଧିଷ୍ଣୁ ପୁରୁଷର ଅସୌଜନ୍ୟ ଆଚରଣକୁ ସମ୍ମୁଖୀନ ହେବା ପାଇଁ ଏହାହିଁ ବର୍ତ୍ତମାନ ଆମର ବଡ଼ ଅସ୍ତ୍ର।
୨୧୩ ସି-ବ୍ଲକ୍‌, ଏମେରାଲ୍ଡ ଆପାର୍ଟମେଣ୍ଟ,
ଲକ୍ଷ୍ମୀସାଗର, ଭୁବନେଶ୍ୱର
ମୋ- ୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri