Categories: ଖେଳ

ଆଇପିଏଲ୍‌ ଖେଳାଳି ନିଲାମ ୧୮ରେ

ନୂଆଦିଲ୍ଲୀ, ୨୩ା୧ (ପି.ଟି.)-୨୦୨୧ ସିଜନ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଳି ନିଲାମ ଫେବୃୟାରୀ ୧୮ରେ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଫିସିଆଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଭେନ୍ୟୁ ସ୍ଥିର ହୋଇପାରି ନାହିଁ। ଏଥର ଆଇପିଏଲ୍‌ ଦେଶରେ ଅବା ବିଦେଶରେ ହେବ ତାହା ମଧ୍ୟ ଚୂଡ଼ାନ୍ତ ହୋଇନାହିଁ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କିନ୍ତୁ ବାରମ୍ବାର କହି ଆସୁଛନ୍ତି ଯେ ଏହି ମେଗା ଟି୨୦ ଇଭେଣ୍ଟକୁ ଦେଶରେ ଆୟୋଜନ କରିବା ଲାଗି ଯୋଜନା ଚାଲିଛି। କୋଭିଡ୍‌ ଯୋଗୁ ୨୦୨୦ ସଂସ୍କରଣ ସେପ୍ଟେମ୍ବର-ନଭେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯାଇଥିଲା। ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ଯଦି ସଫଳତାର ସହିତ ଆୟୋଜନ ହୋଇପାରିବ ତେବେ ଦେଶରେ ଏହି ବ୍ୟୟବହୁଳ ଲିଗ୍‌ର ଆୟୋଜନ ପାଇଁ ବାଟ ଖୋଲିଯିବ। ଖେଳାଳି ରିଟେନଶନ ପାଇଁ ସମୟସୀମା ଜାନୁୟାରୀ ୨୦ ରଖାଯାଇଥିଲା। ସେହିପରି ଖେଳାଳି କିଣାବିକା ଫେବୃୟାରୀ ୪ ଭିତରେ ଶେଷ କରିବା ଲାଗି ଫ୍ରାଞ୍ଚାଇଜ୍‌ଗୁଡ଼ିକୁ କୁହାଯାଇଛି। ରିଟେନଶନ ସମୟସୀମାର ଅନ୍ତିମ ଦିବସରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ଯଥାକ୍ରମେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌ ଓ ଗ୍ଲେନ ମାକ୍ସଓ୍ବେଲଙ୍କୁ ରିଲିଜ କରିଛନ୍ତି।

Share