Categories: ଖେଳ

ଆଥ୍‌ଲେଟଙ୍କ ଟିକାକରଣ ନେଇ ଆଇଓଏ ତଥ୍ୟ ମାଗିଲା

ନୂଆଦିଲ୍ଲୀ,୨୭।୫(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଆଥ୍‌ଲେଟମାନଙ୍କ ଟିକାକରଣ ନେଇ ବିଭିନ୍ନ ଜାତୀୟ ଫେଡେରେଶନଗୁଡିକୁ ଭାରତୀୟ ଅଲିମ୍ପିକ ଆସୋସିଏଶନ ତଥ୍ୟ ମାଗିଛି। ଟିକା ନେଇଥିବା ଆଥ୍‌ଲେଟମାନଙ୍କ ସଂକ୍ରାନ୍ତରେ ଫେଡେରେଶନଗୁଡିକଠାରୁ ଆଇଓଏ ବିଭିନ୍ନ ସୂଚନା ମାଗିଛି। ଜୁଲାଇ ୨୩ରୁ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି। ଗୁରୁବାର ସୁଦ୍ଧା ଏ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି)କୁ ଆଥ୍‌ଲେଟଙ୍କ ଟିକାକରଣ ନେଇ ତଥ୍ୟ ପ୍ରଦାନ କରାଯିବ ବୋଲି ଆଇଓଏ ଅଧ୍ୟକ୍ଷ ନରିନ୍ଦର ବାତ୍ରା ଓ ସମ୍ପାଦକ ରାଜୀବ ମେହେଟା କହିଛନ୍ତି।
ବିଭିନ୍ନ କ୍ରୀଡ଼ାରେ ୯୦ରୁ ଅଧିକ ଭାରତୀୟ ଆଥ୍‌ଲେଟ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଏ ସଂକ୍ରାନ୍ତରେ ୮ଟି ପ୍ରଶ୍ନର ଉତ୍ତର ଦେବାକୁ ଫେଡେରେଶଗୁଡିକୁ କୁହାଯାଇଛି। କେତେ ସଂଖ୍ୟାରେ ଆଥ୍‌ଲେଟ ଟିକା ନେଇଛନ୍ତି, କେଉଁମାନେ ଟିକା ନେଇଛନ୍ତି, ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ର ତାରିଖ ଓ ଟିକାର ନାମ ଉଲ୍ଲେଖ କରିବାକୁ କୁହାଯାଇଛି। ପୁଣି କେଉଁ ସ୍ଥାନ ବା ଦେଶରୁ ଆଥ୍‌ଲେଟମାନେ ଟୋକିଓ ଯିବେ ଓ ଟୋକିଓ ଯିବା ପୂର୍ବରୁ ସେହି ଦେଶରେ ଆଥ୍‌ଲେଟମାନେ କେତେ ସମୟ ବିତାଇବେ ସେ ନେଇ ସୂଚନା ଦେବାକୁ ଫେଡେରେଶନଗୁଡିକୁ କୁହାଯାଇଛି। ଟୋକିଓ ଯିବା ପୂର୍ବରୁ କୋଭିଡ୍‌ ପ୍ରୋଟୋକଲ ନେଇ ଆଥ୍‌ଲେଟଙ୍କୁ ଅବଗତ କରାଇବାକୁ ଫେଡେରେଶନଗୁଡିକୁ କୁହାଯାଇଛି। ପୁଣି ଜାପାନରେ ଆଥ୍‌ଲେଟମାନେ ଖେଳ ପୂର୍ବରୁ କୌଣସି ପ୍ରି- ଗେମ୍ସ ଟ୍ରେନିଂ କ୍ୟାମ୍ପରେ ଅଂଶଗ୍ରହଣ କରିବାକୁ ହେଲେ ସେ ନେଇ ଫେଡେରେଶନଗୁଡିକୁ ସୂଚନା ଦେବାକୁ କୁହାଯାଇଛି। ଆଥ୍‌ଲେଟଙ୍କୁ ବାଦ୍‌ ଦେଲେ ଜଜ୍‌, ଅମ୍ପାୟର, ରେଫରି, ଟେକ୍‌ନିକାଲ ଅଫିସିଆଲଙ୍କ ଟିକାକରଣକୁ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ଓ ଏମାନଙ୍କ ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି।
ଏ ପର୍ଯ୍ୟନ୍ତ ୧୪୮ଜଣ ଆଥ୍‌ଲେଟଙ୍କ ଟିକାକରଣ ହୋଇଛି ବୋଲି ଆଇଓଏ ତରଫରୁ କୁହାଯାଇଛି। ଏମାନେ ପ୍ରଥମ ଡୋଜ୍‌ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭ଜଣ ଖେଳାଳି ଉଭୟ ଡୋଜ୍‌ର ଟିକା ନେଇସାରିଛନ୍ତି। ୧୩୧ଜଣ ପ୍ରଥମ ଡୋଜ୍‌ ନେଇଛନ୍ତି। ୮୭ଜଣ ଅଫିସିଆଲ ପ୍ରଥମ ଡୋଜ ନେଇଥିବା ବେଳେ ୨୩ଜଣଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି। ସେହିପରି ଟୋକିଓ ପାରା ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ୧୩ଜଣ ଆଥ୍‌ଲେଟ ସେମାନଙ୍କର ପ୍ରଥମ ଡୋଜ୍‌ ନେଇଛନ୍ତି। ତେବେ ୨ଜଣ ଉଭୟ ଡୋଜର ଟିକା ନେଇସାରିଛନ୍ତି। ଅଗଷ୍ଟ ୨୪ରେ ଟୋକିଓ ପାରା ଅଲିମ୍ପିକ୍ସ ଆରମ୍ଭ ହେବ।

Share