Categories: ଖେଳ

କୋହଲିଙ୍କ ପାଇଁ ପ୍ରେରଣା ମେରୀକମ୍‌

ନୂଆଦିଲ୍ଲୀ, ୧୬ା୧୦ (ପି.ଟି.)-ପିତୃତ୍ୱ ଲାଭ କଲେ ଏହା ତାଙ୍କ ଖେଳକୁ ପ୍ରଭାବିତ କରିବ ନାହିଁ ତ ଏହି ଦ୍ୱନ୍ଦ୍ୱରେ ଥିଲେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି। ଏକଥା ବିଚାର କରୁଥିବା ବେଳେ ୬ଥର ବିଶ୍ୱ ଚାମ୍ପିୟନ ବକ୍ସର ଏମ୍‌ସି ମେରୀକମ୍‌ ତାଙ୍କ ପ୍ରେରଣା ପାଲଟିଛନ୍ତି। ଭାରତୀୟ ଅଧିନାୟକ ଘୋଷଣା କରିଥିଲେ ଯେ, ସେ ମେରୀକମ୍‌ଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହାଁନ୍ତି। ୪ ସନ୍ତାନ ଜନନୀ ହୋଇଥିଲେ ମଧ୍ୟ ଚାମ୍ପିୟନ ମହିଳା ବକ୍ସରଙ୍କ ବକ୍ସିଂ କ୍ୟାରିୟର ପ୍ରଭାବିତ ହୋଇନାହିଁ। କୋହଲି ଏବଂ ତାଙ୍କ ବଲିଉଡ୍‌ ଅଭିନେତ୍ରୀ ସ୍ତ୍ରୀ ଆସନ୍ତାବର୍ଷ ଜାନୁୟାରୀରେ ସେମାନଙ୍କର ପ୍ରଥମ ସନ୍ତାନ ଲାଭ କରିବେ ବୋଲି ଆଶା କରାଯାଉଛି। ସନ୍ତାନ ଲାଭ କରିବା ପରେ ମଧ୍ୟ ବ୍ୟସ୍ତବହୁଳ କ୍ୟାରିୟରକୁ ବଜାୟ ରଖିହେବ। ମେରୀକମ୍‌ ଏକ୍ଷେତ୍ରରେ ହେଉଛନ୍ତି ଶ୍ରେଷ୍ଠ ଉଦାହରଣ ବୋଲି ବୁଧବାର ପୁମା ଇଣ୍ଡିଆ ଇନଷ୍ଟାଗ୍ରାମ୍‌ରେ ଲାଇଭ୍‌ ଚାଟ୍‌ ବେଳେ କୋହଲି କହିଛନ୍ତି। ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ ପୂର୍ବରୁ ୬ଥର ବିଶ୍ୱ ଚାମ୍ପିୟନ ଓ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ଷ୍ଟାର ଦମ୍ପତିଙ୍କୁ ବଧାଇ ଜଣାଇଥିଲେ। ୩୭ ବର୍ଷୀୟା ମେରୀକମ୍‌ ଜଣେ ମା’ ହୋଇଥିଲେ ମଧ୍ୟ ବିଭିନ୍ନ ଚାମ୍ପିୟନଶିପ୍‌ ପାଇଁ ଟ୍ରେନିଂ ଜାରି ରଖିପାରୁଛନ୍ତି। ସେ କିପର ସନ୍ତୁଳନ ରକ୍ଷା କରିପାରୁଛନ୍ତି ଏ ବିଷୟରେ ଜାଣିବାକୁ ଚାହିଁଥିଲେ ଭାରତୀୟ ଅଧିନାୟକ। ମେରୀକମ୍‌ ଏବେ ମଧ୍ୟ ବକ୍ସିଂ ରିଙ୍ଗ୍‌ରେ ତାଙ୍କ ପ୍ରାଧାନ୍ୟ ବଜାୟ ରଖିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ପରିବାରର ସହଯୋଗ ଯୋଗୁ ଏହା ହୋଇପାରୁଛି ବୋଲି ମହିଳା ବକ୍ସର ଜଣକ କହିଛନ୍ତି। ବିବାହ ପରେ ମୋ ସ୍ବାମୀ ମୋତେ ସମସ୍ତ ପ୍ରକାର ସହଯୋଗ କରି ଆସିଛନ୍ତି। ସେ ଯାହା ଚାହଁିଛନ୍ତି ତାହା ଯୋଗାଇ ଦେଇଛନ୍ତି। ବାପାଙ୍କର ମଧ୍ୟ ମୋ ପ୍ରତି ସମର୍ଥନ ରହିଆସିଛି। ତା’ ଛଡ଼ା ପିଲାମାନେ ମଧ୍ୟ। କୋହଲି କହିଥିଲେ କେବଳ ଦେଶର ମହିଳାଙ୍କ ପାଇଁ ନୁହେଁ ସମସ୍ତଙ୍କ ଲାଗି ପ୍ରେରଣାର ଉତ୍ସ। ନାନା ବାଧାବିଘ୍ନ ଓ ଚ୍ୟାଲେଞ୍ଜ ସହ ସୀମିତ ସମ୍ବଳ, ସୁବିଧା ଏବଂ ସୁଯୋଗର ଉପଯୋଗ କରି ମେରୀକମ୍‌ ଯେଉଁ ବଡ଼ ସଫଳତା ହାସଲ କରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ବୋଲି କୋହଲି ତାଙ୍କ ଇନଷ୍ଟାଗ୍ରାମ୍‌ ଚାଟ୍‌ରେ କହିଛନ୍ତି।

Share