ଭିଡ଼ହିଂସାର ଭିତିରି କଥା

ଆକାର ପଟେଲ

 

ନ୍ୟୁଜ୍‌ କହିଲେ ସାମ୍ପ୍ରତିକ ଘଟଣା କିମ୍ବା ଏବକାର ପରିବର୍ତ୍ତିତ ସ୍ଥିତି ସମ୍ପର୍କିତ ତଥ୍ୟକୁ ବୁଝାଏ। ଏବେ କିନ୍ତୁ ଏଥିରେ କିଛି ଅଭାବ ରହୁଛି ଏବଂ ଯାହା ନ୍ୟୁଜ୍‌ ପାଇଁ ଯୋଗ୍ୟ ତାହାକୁ ବାଦ୍‌ ଦିଆଯାଉଛି। ଯେଉଁ ବିଷୟଗୁଡ଼ିକ ଅଧିକ ଗୁରୁତ୍ୱପୂର୍ଣ୍ଣ, ରୋଚକ, ପ୍ରାସଙ୍ଗିକ ସେଗୁଡ଼ିକୁ ନ୍ୟୁଜ୍‌ ଏଡିଟର ଓ ନ୍ୟୁଜ୍‌ ପ୍ରଡ୍ୟୁସରମାନଙ୍କ ପାଖକୁ ଚୟନ ପାଇଁ ଯାଉଥିବାବେଳେ ସେମାନେ ତାହାକୁ କମ୍‌ ଗୁରୁତ୍ୱପୂର୍ଣ୍ଣ, କମ୍‌ ରୋଚକ କିମ୍ବା କମ୍‌ ପ୍ରାସଙ୍ଗିିକ ବୋଲି ବିଚାର କରନ୍ତି। ଫଳରେ ଫ୍ରଣ୍ଟ୍‌ ପେଜ୍‌ ନ୍ୟୁଜ୍‌ଗୁଡ଼ିକ ଭିତର ପୃଷ୍ଠାକୁ ଚାଲିଯାଏ, ଯଦି ସମାନ ଘଟଣା ଆସିବା ଲାଗି ରହେ ତେବେ ତାହା ଆଉ ନ୍ୟୁଜ୍‌ ବି ହୁଏନାହଁ। ଏବେ ଦ୍ୱିତୀୟ ଭାଗ ବିବିସି ଡକ୍ୟୁମେଣ୍ଟାରିରେ ଦର୍ଶାଯାଇଥିବା ଗୋମାଂସ ଓ ଗୋଚାଲାଣକୁ ନେଇ ଘଟୁଥିବା ଭିଡ଼ହିଂସା ଉପରେ ଏବକାର ସରକାର ଅସନ୍ତୁଷ୍ଟ ଅଛନ୍ତି। ବିବିସିର ଉକ୍ତ ସଂସ୍କରଣରେ ଦିଆଯାଇଥିବା ପ୍ରାୟତଃ ସବୁ ପ୍ରକାର ହିଂସା ୨୦୧୫ ପରେ ସାମ୍ନାକୁ ଆସିଛି। ‘ପିଙ୍କ୍‌ ରିଭୋଲ୍ୟୁଶନ’ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଏବଂ ପରେ ଭାଜପା ଶାସିତ ମହାରାଷ୍ଟ୍ର ଓ ହରିୟାଣାରେ ଗୋମାଂସ ରଖିବା ଏକ ଅପରାଧ ବୋଲି ଆଇନ କରାଯିବା ପରେ ଭିଡ଼ହିଂସା ଦେଖାଦେଇଥିଲା। ଫେବୃୟାରୀ ୬ରେ ଆସାମରେ ଭିଡ଼ହିଂସାର ଏକ ଖବର ପ୍ରକାଶ ପାଇଥିଲା। ଏଥିରେ ମୃତକ ହେଉଛନ୍ତି ଜଣେ ମୁସଲମାନ। ତାଙ୍କ ବିରୋଧରେ ଗାଈ ଚୋରି ଅଭିଯୋଗ ଥିଲା। ଉକ୍ତ ଘଟଣା ନ୍ୟୁଜ୍‌ ଚ୍ୟାନେଲରେ ଆସିପାରିଲା ନାହିଁ କି ଏହା ଉପରେ ବିତର୍କ ହେଲା ନାହିଁ। କାରଣ ମିଡିଆ ଆଉ ଏପ୍ରକାର ଭିଡ଼ହିଂସାକୁ ଗୁରୁତ୍ୱପୂର୍ଣ୍ଣ, ରୋଚକ କିମ୍ବା ପ୍ରାସଙ୍ଗିକ ମଣୁନାହିଁ। ସେହି ସମାନ ଦିନରେ ଆଉ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାର ଶୀର୍ଷକ ଥିଲା- ‘ମୁସଲମାନବହୁଳ ନୁହ୍‌ରେ ହରିୟାଣାର ଗୋହତ୍ୟା ଆଇନରେ ଦୋଷମୁକ୍ତ ହାର ୯୪%’। ଏହା ସ୍ପଷ୍ଟ ଯେ, ପୋଲିସ ସଂଖ୍ୟାଲଘୁଙ୍କୁ ହିଁ ପୀଡ଼ା ଦେଇଆସୁଛି। ଏହି ସମୟରେ ୩ ମାସ ପୂର୍ବେ ଘଟିଥିବା ଘଟଣାର ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଗୁଜରାଟରୁ ସାମ୍ନାକୁ ଆସିଛି। ଉକ୍ତ ଘଟଣାରେ ଗୋଚାଲାଣ କରୁଥିବାରୁ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ଦିଆଯାଇଥିଲା। ଏହି ଘଟଣା ଉପରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ରିପୋର୍ଟଗୁଡ଼ିକରେ ଦଣ୍ଡବିଧାନ କରିଥିବା ବିଚାରପତିଙ୍କ ମନ୍ତବ୍ୟକୁ ଶୀର୍ଷକ ଭାବେ ସ୍ଥାନ ଦିଆଯାଇଥିଲା। ସେଥିରୁ ଗୋଟିଏ ହେଲା- ‘ଗାଈରୁ ଧର୍ମ ଜନ୍ମ ହୋଇଛି, ଯେଉଁଦିନ ଗୋହତ୍ୟା ବନ୍ଦ ହେବ ସେହିଦିନ ପୃଥିବୀର ସମସ୍ୟାଗୁଡ଼ିକ ସମାଧାନ ହୋଇଯିବ: ଗୁଜରାଟ କୋର୍ଟ’। ଉକ୍ତ ରାୟ ଗୁଜରାଟରେ ଦିଆଯାଇଥିବାରୁ ଇଂଲିଶ ଖବରକାଗଜରେ ପ୍ରକାଶ ପାଇବାକୁ ବହୁଦିନ ଲାଗିଗଲା। ଏପରି କି ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। କାରଣ ଏଭଳି ଘଟଣାସବୁ ଆଉ ଗୁରୁତ୍ୱପୂର୍ଣ୍ଣ, ରୋଚକ କିମ୍ବା ପ୍ରାସଙ୍ଗିକ ହୋଇରହିନାହିଁ। ଏସବୁ ଘଟଣାର ରୋଚକ ବିଷୟ ହେଉଛି, ନିଜକୁ ଦୋଷମୁକ୍ତ ପ୍ରମାଣ କରିବା ଧାରା ଆଇନରେ ବିପରୀତ ହୋଇଯାଇଛି ଏବଂ ବ୍ୟବସ୍ଥା ନିର୍ଦ୍ଦୋଷକୁ ଦୋଷୀ ମାନି ନେଉଛି। ଗୁଜରାଟରେ ସେହି ୨୨ ବର୍ଷୀୟଙ୍କ ମାମଲାରେ ଆଇନ କହେ ସରକାରଙ୍କ ସାର୍ଟିଫିକେଟ ବିନା ଯିଏ ହତ୍ୟା ପାଇଁ ଗୋରୁ ନେଉଥିବା ଜଣାପଡ଼ିବ ତାଙ୍କୁ ଦୋଷୀ ଭାବେ ଗଣାଯିବ। ଏଠାରେ ବିଚାରପତିଙ୍କ ଅନୁଧ୍ୟାନ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ବାସ୍ତବତା ହେଉଛି ଆଇନ ଦୃଷ୍ଟିରୁ ରାୟ ବୈଧ ଜଣାପଡ଼ୁଛି। ବିଶେଷକରି ନିର୍ଯାତନା ଦେବାକୁ ଆମେ ଯଦି ଆଇନ ଲେଖିବା ଏବଂ ପାସ୍‌ କରିବା ତେବେ ସେଗୁଡ଼ିକରୁ ପ୍ରାପ୍ତ ପରିଣାମକୁ ନେଇ ଆମେ ବିସ୍ମିତ ହେବା ଉଚିତ ନୁହେଁ।
୨୦୧୯ରେ ଗୁଜରାଟରେ ଜଣେ ମୁସଲମାନ ଏକ ବାଛୁରି ହତ୍ୟା କରି ତାଙ୍କ ଝିଅ ବାହାଘରରେ ମାଂସ ପରଷିବା ଘଟଣାରେ ଅଭିଯୁକ୍ତ ହୋଇଥିଲେ। ଏହି ଘଟଣାକୁ ପୋଲିସ ପ୍ରମାଣ କରିପାରି ନ ଥିଲା। ସେମାନଙ୍କୁ ଏହା ପ୍ରମାଣ କରିବାକୁ ବି ପଡ଼ି ନ ଥିଲା। ଆଇନ ଅନୁଯାୟୀ ବିବାହର ପୂର୍ବ ଦିନଗୁଡ଼ିକରେ ଯେଉଁ ମାଂସ ଖିଆଯାଉଥିଲା ତାହା ଗୋମାଂସ ନ ଥିଲା ବୋଲି ଅଭିଯୁକ୍ତଙ୍କୁ ଦର୍ଶାଇବାକୁ ପଡ଼ିଥିଲା। ସେ ତାହା କରିପାରିଲେ ନାହିଁ, ଯାହାଫଳରେ ବିଚାରପତି ତାଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ଏହାକୁ ଉଚ୍ଚ ନ୍ୟାୟାଳୟ ବଦଳାଇ ଦେଇଥିଲେ। କୋର୍ଟ ଏହାକୁ ଏକ ‘ନ୍ୟାୟିକ ନିର୍ଣ୍ଣୟ’ କହିବା ଛଡ଼ା ଆଉ କୌଣସି କାରଣ ଦର୍ଶାଇ ନ ଥିଲେ। ସମ୍ଭବତଃ ଏ ଘଟଣାରେ ଯାହା କରାଯାଇଥିଲା ସେଥିରେ ଉଚ୍ଚ ନ୍ୟାୟାଳୟ ଅକଳ କିମ୍ବା ଅସହଜ ମଣିଥିଲେ। ପ୍ରକୃତ କଥା ହେଉଛି, ବ୍ୟକ୍ତିକୁ ଦଣ୍ଡିତ କରିଥିବା ବିଚାରପତି କେବଳ ଆଇନକୁ ହିଁ ଅନୁସରଣ କରିଥିଲେ।
ଯଦି ଆମେ ଅତୀତ ଘଟଣାଗୁଡ଼ିକୁ ଯିବା ଓ ସାମଗ୍ରିକ ସ୍ଥିତିକୁ ଦେଖିବା ତେବେ ବହୁତ କିଛି ଜାଣିପାରିବା। ମିଡିଆଗୁଡ଼ିକ କେବେ ଏଭଳି ନିରର୍ଥକ ଏବଂ ଆକ୍ରମଣକାରୀ ଆଇନଗୁଡ଼ିକ ଉପରେ ବିତର୍କ କରୁଛନ୍ତି କି? ଏସବୁ ବିଷୟରେ ମିଡିଆର କୌଣସି ଆଗ୍ରହ ନାହିଁ ଏବଂ ସେମାନେ ଏବେ ଯେଉଁ ବାଟରେ ଯାଉଛନ୍ତି ସେଭଳି ଆଗ୍ରହ ଜନ୍ମିବ ତାହା କଳ୍ପନା କରିବା କଷ୍ଟକର। ଆମେ ଅନ୍ୟ ଉପରେ ନିଷ୍ଠୁରତା ଲଦି ଦେବାକୁ ଉଚିତ ମଣୁଛୁ। ଏହା ଆମ ସମାଜ ଏବଂ ଆମ ଗଣତନ୍ତ୍ର ସମ୍ପର୍କରେ କ’ଣ କହୁଛି? ଏହା ଏକ ଗମ୍ଭୀର ପ୍ରଶ୍ନ ଓ ଏହାର ଉତ୍ତର ବି ନାହିଁ। ଦେଖିବାକୁ ଗଲେ ଅନେକ ଆଧୁନିକ ଗଣତନ୍ତ୍ରଗୁଡ଼ିକ ପୂର୍ବରୁ ଗଣତନ୍ତ୍ର ପଥରୁ ବିଚ୍ୟୁତ ହୋଇଯାଇଛନ୍ତି। ଆଇନ ଓ ମିଡିଆକୁ ବ୍ୟବହାର କରି ନାଗରିକମାନଙ୍କୁ ଟାର୍ଗେଟ କରିବାରେ ଏହାକୁ ସ୍ଥାପିତ କରିଛନ୍ତି। ଏହା ଆମ ସାମାଜିକ ବ୍ୟବସ୍ଥା ପ୍ରତି ବିପଦ। ସାମ୍ପ୍ରତିକ ସମୟରେ ସୋସିଆଲ ମିଡିଆ ଯୋଗୁ ଆକ୍ରମଣର ସମ୍ମୁଖୀନ ହେଉଥିବା ସଂଖ୍ୟାଲଘୁମାନଙ୍କ ଆବେଗ ଓ ଦୁର୍ଦ୍ଦଶା ସମ୍ପର୍କରେ ଜଣେ ଅବଗତ ହୋଇପାରୁଛି। ଶେଷ ଅବସ୍ଥା ହେଉଛି ଆମେ ଏ ପ୍ରକାର ଆକ୍ରମଣାମତ୍କ ମାନସିକତା ନେଇ ଆଗକୁ ବଢୁଛୁ ଓ ଦିନକୁ ଦିନ ଏହା ଅଧିକ ହେଉଛି। ଗତ କିଛି ବର୍ଷ ହେଲା ଯାହାସବୁ ଘଟିଆସିଛି ତାହା ବି ଆଗକୁ ଜାରି ରହିବ। କିନ୍ତୁ ଏ ସମ୍ପର୍କରେ ଆମେ କମ୍‌ ଏପରିକି ବହୁତ କମ୍‌ ଶୁଣିିବା, କାରଣ ଏହା ନ୍ୟୁଜ୍‌ ଭାବେ ପ୍ରକାଶ ପାଉନାହିଁ କି ଏହା ଉପରେ ବିତର୍କ ହେଉନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri