Categories: ଖେଳ

ଭାରତୀୟ ମହିଳା କ୍ରିକେଟ ଦଳ ବିଜୟୀ

ଲକ୍ଷ୍ନୌ, ୨୪।୩ – ଭାରତୀୟ ମହିଳା କ୍ରିକେଟ ଦଳ ଚଳିତ ଟି୨୦ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଦଳକୁ ୯ ଉଇକେଟରେ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ଯ୍ୟ ୧୧୩ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୧ ଓଭରରେ ମାତ୍ର ୧ ଉଇକେଟ ହରାଇ ହାସଲ କରି ନେଇଥିଲା। ଦୁଇ ଓପନର ଶେଫାଳି ବର୍ମା ଓ ଅଧିନାୟିକା ସ୍ମୃତି ମନ୍ଧାନା ବିସ୍ଫୋରକ ବ୍ୟାଟିଂ କରି ଓପନିଂ ଯୋଡ଼ିରେ ୫୧ ବଲ୍‌ରୁ ୯୬ ରନ ସଂଗ୍ରହ କରି ଦଳର ସହଜ ବିଜୟ ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ଶେଫାଳି ୩୦ ବଲ୍‌ରୁ ୭ ଚୌକା ଓ ୫ ଛକା ସହାୟତାରେ ୬୦ ରନ କରି ଆଉଟ ହୋଇଥିଲେ। ସ୍ମୃତି ୨୮ ବଲ୍‌ରୁ ୯ ଚୌକା ସହ
୪୮ ଏବଂ ହରଲିନ ଦେଓଲ ୪ ରନରେ ଅପରାଜିତ ରହି ୯ ଓଭର ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ୧୬ ରନରେ ୩ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ମଧ୍ୟଭାଗରେ ଅଧିନାୟିକା ସୁନେ ଲୁସ୍‌ ୨୮ ରନ କରି ଆଉଟ ହୋଇଥିବାବେଳେ ଶେଷଭାଗରେ ଲାରା ଗୋଡାଲ ୨୫ ରନରେ ଅପରାଜିତ ରହିବାରୁ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୭ ଉଇକେଟ ହରାଇ ୧୧୨ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ମହିଳାଙ୍କ ମଧ୍ୟରେ ରାଜେଶ୍ୱରୀ ଗାଏକ୍ୱାଡ ସର୍ବାଧିକ ୩ଟି ଏବଂ ଅରୁନ୍ଧତୀ ରେଡ୍ଡୀ, ରାଧା ଯାଦବ, ଦୀପ୍ତି ଶର୍ମା ଓ ଶିମରନ ବାହାଦୂର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ତେବେ ପ୍ରଥମ ୨ଟି ମ୍ୟାଚ ଜିତିଥିବାରୁ ଦକ୍ଷିଣ ଆଫ୍ରିକା ୨-୧ରେ ସିରିଜ ବିଜୟୀ ହୋଇଛି। ଭାରତର ରାଜେଶ୍ୱରୀ ଗାଏକ୍ୱାଡ ପ୍ଲେୟର ଅଫ୍‌ ଦି ମ୍ୟାଚ ଏବଂ ଶେଫାଳି ବର୍ମା ପ୍ଲେୟର ଅଫ୍‌ ଦି ସିରିଜ ପୁରସ୍କାର ପାଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଦକ୍ଷିଣ ଆଫ୍ରିକା ମହିଳା ଦଳ ୨୦ ଓଭରରେ ୧୧୨/୭(ସୁନେ ଲୁସ୍‌-୨୮, ଲାରା ଗୋଡାଲ-୨୫*, ରାଜେଶ୍ୱରୀ ଗାଏକ୍ୱାଡ ୪-୧-୯-୩, ଅରୁନ୍ଧତୀ-୧/୧୮, ରାଦା-୧/୨୪, ସିମରନ-୧/୨୯)। ଭାରତୀୟ ମହିଳା ଦଳ ୧୧ ଓଭରରେ ୧୧୪/୧(ଶେଫରଳି ବର୍ମା-୬୦, ସ୍ମୃତି ମନ୍ଧାନା-୪୮*, ଏନ.ସାଙ୍ଗାସେ-୧/୧୮)।

Share