Categories: ଖେଳ

ଓଡ଼ିଶାର ଦୀପ୍‌ ଗ୍ରେସ୍‌, ଅମିତ ସାମିଲ

ବେଙ୍ଗାଲୁରୁ, ୧।୯ (ପି.ଟି.):ଚାଇନାର ହାଙ୍ଗଝୋଠାରେ ହେବାକୁଥିବା ଏସିଆନ ଗେମ୍ସ ପାଇଁ ଗୁରୁବାର ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଘୋଷଣା ହୋଇଛି। ଓଡ଼ିଶାର ଦୀପ୍‌ ଗ୍ରେସ୍‌ ଏକ୍କା ମହିଳା ଦଳର ଉପ-ଅଧିନାୟିକା ନିଯୁକ୍ତ ହୋଇଥିବାବେଳେ ପୁରୁଷ ଦଳରେ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି। ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଭାରତୀୟ ପୁରୁଷ ଦଳରୁ ଭେଟେରାନ ଷ୍ଟ୍ରାଇକର ଆକାଶଦୀପ ସିଂ, ଯୁଗରାଜ ସିଂ ଓ ସେଲଭାମ୍‌ କାର୍ଥୀଙ୍କୁ ବାଦ୍‌ ଦିଆଯାଇଛି। ଅଭିଜ୍ଞ ଲଳିତ ଉପାଧ୍ୟାୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସଞ୍ଜୟ ଓ ଅଭିଷେକଙ୍କୁ ମଧ୍ୟ ସାମିଲ କରାଯାଇଛି। ଡ୍ରାଗ୍‌ ଫ୍ଲିକର ହରମନପ୍ରୀତ ସିଂ ଓ ମିଡ୍‌ଫିଲ୍ଡର ହାର୍ଦ୍ଦିକ ସିଂ ଯଥାକ୍ରମେ ଅଧିନାୟକ ଓ ଉପ-ଅଧିନାୟକ ଦାୟିତ୍ୱରେ ଅପରିବର୍ତ୍ତିତ ରହିଛନ୍ତି। ସେହିପରି ମହିଳା ଦଳର ଅଧିନାୟକଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି ସବିତା ପୁନିଆ। ଦୀପ୍‌ ଗ୍ରେସ୍‌ ତାଙ୍କ ଡେପୁଟି ଦାୟିତ୍ୱରେ ରହିଛନ୍ତି। ଗତ ମାସରେ ଜର୍ମାନୀ ଓ ସ୍ପେନ୍‌ ଟୁର୍‌ରେ ଯାଇଥିବା ଅଭିଜ୍ଞ ସୁଶିଳା ଚାନୁ ପୁଖରାମବାମ, ବଲଜିତ କୌର ଓ ଓଡ଼ିଶାର ଜ୍ୟୋତି ଛତ୍ରୀ ଦଳରୁ ବାଦ୍‌ ପଡ଼ିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ଏଠାରେ ଆୟୋଜିତ ବିଦାୟ କାଳୀନ ଉତ୍ସବ ଅବସରରେ ଆନୁଷ୍ଠାନିକଭାବେ ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷଣା କରାଯାଇଥିଲା।
ଏସିଆନ ଗେମ୍ସପାଇଁ ଭାରତୀୟ ପୁରୁଷ ଦଳ ପୁଲ୍‌ ‘ଏ’ରେ ଡିଫେଣ୍ଡିଂ ଚାମ୍ପିୟନ ଜାପାନ, ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ବାଂଲାଦେଶ, ସିଙ୍ଗାପୁର ଓ ଉଜ୍‌ବେକିସ୍ତାନ ସହ ସ୍ଥାନ ପାଇଛି। କୋରିଆ, ମାଲେସିଆ, ଚାଇନା, ଓମାନ, ଥାଇଲାଣ୍ଡ ଓ ଇଣ୍ଡୋନେସିଆ ପୁଲ୍‌ ‘ବି’ରେ ରହିଛନ୍ତି। ସେପ୍ଟେମ୍ବର ୨୪ରେ ଭାରତୀୟ ପୁରୁଷ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ମହିଳା ଦଳ ସିଙ୍ଗାପୁର ବିପକ୍ଷରେ ସେପ୍ଟେମ୍ବର ୨୭ରେ ଏହାର ପ୍ରଥମ ମ୍ୟାଚ ଖେଳିବ।
ଭାରତୀୟ ପୁରୁଷ ଦଳ: ପି.ଆର. ଶ୍ରୀଜେଶ, କ୍ରିଶନ ପାଠକ, ବରୁଣ କୁମାର, ଅମିତ ରୋହିଦାସ, ଜରମନପ୍ରୀତ ସିଂ, ହରମନପ୍ରୀତ ସିଂ (ଅଧିନାୟକ), ସଞ୍ଜୟ, ସୁମିତ, ନିଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂ (ଉପ-ଅଧିନାୟକ), ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ଶମଶେର ସିଂ, ଅଭିଷେକ, ଗୁରଜାନ୍ତ ସିଂ, ମନଦୀପ ସିଂ, ସୁଖଜିତ ସିଂ, ଲଳିତ କୁମାର ଉପାଧ୍ୟାୟ।
ଭାରତୀୟ ମହିଳା ଦଳ: ସବିତା ୯ଅଧିନାୟିକା), ବିଚୁ ଦେବୀ ଖାରିବାମ, ଦୀପିକା, ଲାଲରେମସିଆମି, ମୋନିକା, ନବନୀତ କୌର, ନେହା, ନିଶା, ସୋନିକା, ଉଦିତା, ଇଶିକା ଚୌଧାରୀ, ଦୀପ୍‌ ଗ୍ରେସ୍‌ ଏକ୍କା (ଉପ-ଅଧିନାୟିକା), ବନ୍ଦନା କାଟରିୟା, ସଙ୍ଗିତା କୁମାରୀ, ବୈଷ୍ଣବୀ ଭିଟ୍ଟାଲ ଫାଲ୍‌କେ, ନିକ୍କି ପ୍ରଧାନ, ସୁଶୀଳା ଚାନୁ, ସାଲିମା ଟେଟେ।

Share