Categories: ଖେଳ

କରୋନା ଆତଙ୍କ ସତ୍ତ୍ୱେ ୟୁକେରେ ଛୁଟି କଟାଉଛି ଭାରତୀୟ ଦଳ

ଲଣ୍ଡନ, ୭।୭(ଏପି)- ଇଂଲଣ୍ଡ କ୍ରିକେଟ ଦଳର ୩ ଖେଳାଳି ଓ ୪ଜଣ ସପୋର୍ଟ ଷ୍ଟାଫ୍‌ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି। ଏହାସତ୍ତ୍ୱେ ୟୁକେ ଟୁର୍‌ରେ ଥିବା ଭାରତୀୟ କ୍ରିକେଟ ଦଳ ସଦସ୍ୟମାନେ ସେମାନଙ୍କ ପରିବାର ଅବା ପାର୍ଟନରଙ୍କ ସହ ୨୦ ଦିନିଆ ଛୁଟି ଜାରି ରଖିଛନ୍ତି। ଭାରତୀୟ ଖେଳାଳିମାନେ ଜୁଲାଇ ୧୪ରେ ଲଣ୍ଡନଠାରେ ଏକାଠି ହେବ। ସେଠାରୁ ୨ ସପ୍ତାହ ଟ୍ରେନିଂ ପାଇଁ ଡର୍‌ହାମ୍‌ ଯିବେ। ସିଲେକ୍ଟ କାଉଣ୍ଟି ଏକାଦଶ ବିପକ୍ଷରେ ଏକ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଖେଳାଳିମାନଙ୍କ ପାଇଁ କୌଣସି ନିର୍ଦ୍ଦେଶ ଜାରି କରାଯାଇ ନାହିଁ। ଖେଳାଳିମାନେ କିନ୍ତୁ ଲଣ୍ଡନରେ ପହଞ୍ଚତ୍ବା ମାତ୍ରେ ସେମାନଙ୍କର କୋଭିଡ୍‌ ଟେଷ୍ଟ ହେବ। ପରେ ଯାଇ ସେମାନଙ୍କୁ ବାୟୋ-ବବଲରେ ପ୍ରବେଶ ପାଇଁ ଅନୁମତି ମିଳିବ। ଇଂଲଣ୍ଡରେ ଡେଲ୍‌ଟା-୩ ଭାଇରାଣ୍ଟ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି।
ବ୍ରିଷ୍ଟଲଠାରେ ଦଳର ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ ପରେ କୋଭିଡ୍‌ ଟେଷ୍ଟ ହୋଇଥିଲା। ଫଳରେ ପାକିସ୍ତାନ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ଇଂଲଣ୍ଡ ମଙ୍ଗଳବାର ଏକ ନୂଆ ଦଳ ଘୋଷଣା କରିବାକୁ ବାଧ୍ୟ ହୋଇଛି। କରୋନା ସଂକ୍ରମିତଙ୍କ ନାମ ପ୍ରକାଶ କରାଯାଇ ନାହିଁ। ଯେଉଁମାନେ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ ଆଇସୋଲେଶନରେ ରଖାଯାଇଛି। ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ୩ ଅନ୍ତର୍ଜାତୀୟ ଦିନିକିଆ ଓ ୩ ଟି୨୦ ଖେଳିବ। ପ୍ରଥମ ଦିନିକିଆ ଗୁରୁବାର କାର୍ଡିଫଠାରେ ଆରମ୍ଭ ହେବ।
ସଂଶୋଧିତ ଇଂଲଣ୍ଡ ଦଳ: ବେନ୍‌ ଷ୍ଟୋକ୍ସ (ଅଧିନାୟକ), ଜେକ୍‌ ବଲ୍‌, ଡାନି ବ୍ରିଗ୍ସ, ବ୍ରାଇଡନ କାର୍ସେ, ଜ୍ୟାକ୍‌ କ୍ରଲି, ବେନ୍‌ ଡକେଟ୍‌, ଲିଓ୍ବସ ଗ୍ରେଗୋରି, ଟମ୍‌ ହେଲ୍‌ମ, ଓ୍ବିଲ ଜ୍ୟାକ୍ସ, ଡାନ୍‌ ଲରେନ୍ସ, ସାକିବ ମେହେମୁଦ, ଡାଓ୍ବିନ ମାଲାନ, କ୍ରେଗ୍‌ ଓଭର୍ଟନ, ମ୍ୟାଜଟ ପାର୍କିନସନ, ଡେଭିଡ୍‌ ପେନି, ଫିଲ୍‌ ସଲ୍ଟ, ଜନ ସିମ୍ପସନ ଓ ଜେମ୍ସ ଭିନ୍‌ସେ।

Share