Categories: ଖେଳ

ଭାରତୀୟ ସେଲିଂ ଟିମ୍‌ ଟୋକିଓରେ ପହଞ୍ଚିଲା

ଟୋକିଓ, ୧୪।୭(ପି.ଟି.)- ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ପାଇଁ ଭାରତର ପ୍ରଥମ ପ୍ରତିନିଧି ଦଳ ଭାବେ ସେଲିଂ ଟିମ୍‌ ମଙ୍ଗଳବାର ଟୋକିଓରେ ପହଞ୍ଚିଛି। ଭାରତୀୟ ସେଲିଂ ଦଳରେ ବରୁଣ ଠାକର, ଗଣପତି ଚେଙ୍ଗାପ୍ପା, ବିଷ୍ଣୁ ସର୍ବାନନ ଓ ନେଥ୍ରା କୁମାନନ ଏବଂ ସେମାନଙ୍କ କୋଚ୍‌ ସାମିଲ ଅଛନ୍ତି। ନେଥ୍ରା କୁମାନନ ଲାଜର ରାଡିଆଲ, ବିଷ୍ଣୁ ସର୍ବାନନ ଲାଜର ଷ୍ଟାଣ୍ଡାର୍ଡ କ୍ଲାସ ଏବଂ ବରୁଣ ଠାକର-ଗଣପତି ଚେଙ୍ଗାପ୍ପା ଯୋଡ଼ି ୪୯ଇଆର କ୍ଲାସ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଜୁଲାଇ ୨୫ରେ ଅଲିମ୍ପିକ୍ସର ସେଲିଂ ପ୍ରତିଯୋଗିତା ଆରମ୍ଭ ହେବ।
ଭାରତୀୟ କ୍ରୀଡ଼ା ଇତିହାସରେ ପ୍ରଥମଥର ପାଇଁ ରେକର୍ଡ ୪ ସେଲର ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି। ଏହା ବ୍ୟତୀତ ଭାରତ ପ୍ରଥମଥର ପାଇଁ ସେଲିଂ ଇଭେଣ୍ଟର ୩ଟି ବିଭାଗରେ ଭାଗ ନେବାକୁ ଯାଉଛି। ସୋମବାର ଟୋକିଓ ଯାତ୍ରା ପୂର୍ବରୁ ସେଲରମାନେ ୟୁରୋପର ବିଭିନ୍ନ ଦେଶରେ ଟ୍ରେନିଂ ନେଇଥିଲେ। ଭାରତ ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍ସ)ରୁ ଏଥିପାଇଁ ଅର୍ଥ ଖର୍ଚ୍ଚ କରାଯାଇଥିଲା। ନେଥ୍ରା ସ୍ପେନ୍‌ରେ ଟ୍ରେନିଂ ନେଇଥିବାବେଳେ ଠାକର-ଗଣପତି ଯୋଡ଼ି ପର୍ତ୍ତୁଗାଲରେ ଏବଂ ସର୍ବାନନ ମାଲ୍‌ଟାରେ ଅଲିମ୍ପିକ୍ସ ପ୍ରସ୍ତୁତି ଚଳାଇଥିଲେ। କୋଭିଡ୍‌-୧୯ ମହାମାରୀ ପାଇଁ ଭାରତରୁ ଆସୁଥିବା ଆଥ୍‌ଲେଟଙ୍କୁ ଯେପରି କଟକଣା ଦେଇ ଗତି କରିବାକୁ ପଡ଼ୁଛି ସେଲରମାନେ ୟୁରୋପରୁ ଆସିଥିବାରୁ ସେପରି ସମସ୍ୟା ହୋଇ ନ ଥିଲା। ପୂର୍ବ ସଂସ୍କରଣଗୁଡ଼ିକରେ ଭାରତ କେବଳ ଗୋଟିଏ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରି ଆସୁଥିଲା। ୨ ଜଣ ସେଲର ୪ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ନେଥ୍ରା ପ୍ରଥମ ଭାରତୀୟ ମହିଳା ସେଲରଭାବେ ଲାଜର ରାଡିଆଲ କ୍ଲାସ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏସିଆନ କ୍ୱାଲିଫାଇଂ ଇଭେଣ୍ଟ ମୁସାନା ଓପନ ଚାମ୍ପିୟନଶିପ୍‌ରୁ ସେ ଅଲିମ୍ପିକ୍ସ ଟିକେଟ ପାଇଥିଲେ। ସର୍ବାନନ ଓ ଗଣପତି-ଠାକର ଯୋଡ଼ି ଓମାନରେ ଅନୁଷ୍ଠିତ ଏସିଆନ କ୍ୱାଲିଫାୟର୍ସରୁ ଯୋଗ୍ୟତା ପାଇଥିଲେ। ସର୍ବାନନ ଓଭରଅଲ୍‌ ଷ୍ଟାଣ୍ଡିଂର ଦ୍ୱିତୀୟ ସ୍ଥାନ ଏବଂ ଚେଙ୍ଗାପ୍ପା ଓ ଠାକର ୪୯ ଇଆର କ୍ଲାସ୍‌ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଥିଲେ।
ଅଲିମ୍ପିକ୍ସର ଆଥ୍‌ଲେଟିକ ଭିଲେଜରେ ରହଣି ସମୟରେ ଆଥ୍‌ଲେଟ ଓ ଅଫିସିଆଲଙ୍କ ପାଇଁ ପ୍ରତିଦିନ କରୋନା ଭାଇରସ ଟେଷ୍ଟ ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପ୍ରି-ଗେମ୍ସ କ୍ୟାମ୍ପ ପାଇଁ ଅଲିମ୍ପିକ୍‌ ପ୍ରତିନିଧି ଦଳ ଜୁଲାଇ ଆରମ୍ଭରୁ ଜାପାନରେ ପହଞ୍ଚତ୍ବା ଆରମ୍ଭ ହୋଇଯାଇଛି। ଚଳିତ ସପ୍ତାହ ଶେଷସୁଦ୍ଧା ୨.୨୦୦ ଟୋକିଓରେ ପହଞ୍ଚତ୍ବା ସମ୍ଭାବନା ରହିଛି। ଗେମ୍ସ ଆରମ୍ଭ ହେବାକୁ ଆଉ ୨ ସପ୍ତାହରୁ କମ୍‌ ସମୟ ଥିବାବେଳେ ଅଲିମ୍ପିକ୍‌ ଆୟୋଜକ ସହର ଟୋକିଓରେ ସୋମବାରଠାରୁ ଷ୍ଟେଟ୍‌ ଅଫ୍‌ ଏମର୍ଜେନ୍ସି ଲାଗୁ କରାଯାଇଛି।

Share