Categories: ଖେଳ

ବିନା ଦର୍ଶକରେ ଇଣ୍ଡିଆ ଓପନ୍‌ ବ୍ୟାଡମିଣ୍ଟନ ଖେଳାଯିବ

ନୂଆଦିଲ୍ଲୀ, ୧୪।୪(ପି.ଟି): ଆସନ୍ତା ମେ ୧୧ରୁ ୧୬ ତାରିଖ ମଧ୍ୟରେ ରୁଦ୍ଧ ଦ୍ୱାରରେ ଇଣ୍ଡିଆ ଓପନ ସୁପର ୫୦୦ ଇଭେଣ୍ଟ ଆୟୋଜନ ହେବ। ଅଲିମ୍ପିକ୍‌ ଚାମ୍ପିୟନ ସ୍ପେନ୍‌ର କାରୋଲିନା ମାରିନ ଓ ବିଶ୍ୱର ୧ ନମ୍ବର ଖେଳାଳି କେଣ୍ଟୋ ମୋମୋଟାଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। କୋଭିଡ୍‌-୧୯ ମହାମାରୀ କାରଣରୁ ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ଟୁର୍ନାମେଣ୍ଟ ବିନା ଦର୍ଶକରେ ଆୟୋଜନ କରାଯିବ। ଅଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଏହା କ୍ୱାଲିଫାଇଂ ଇଭେଣ୍ଟ ଭାବେ ବିବେଚିତ ହୋଇଛି। ଚାଇନା ସମେତ ବିଶ୍ୱର ୩୩ଟି ବିଭିନ୍ନ ଜାତୀୟ ଆସୋସିଏଶନରୁ ଇଣ୍ଡିଆ ଓପନ୍‌ରେ ମୋଟ ୨୨୮ (୧୧୪ ପୁରୁଷ ଓ ୧୧୪ ମହିଳା) ଖେଳାଳି ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବେ।
କରୋନା ମହାମାରୀ ପାଇଁ ଏହି ଟୁର୍ନାମେଣ୍ଟ ବାୟୋ ବବଲ ଅର୍ଥାଜ୍‌ ଜୈବ ସୁରକ୍ଷିତ ପରିବେଶରେ ବିନା ଦର୍ଶକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଆୟୋଜନ ହେବ ବୋଲି ବ୍ୟାଡମିଣ୍ଟନ ଆସୋସିଏଶନ ଅଫ ଇଣ୍ଡିଆ (ବିଏଆଇ) ତରଫରୁ କୁହାଯାଇଛି। ୟୁନାଇଟେଡ କିଙ୍ଗଡମ୍‌ ସମେତ ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ମିଡିଲ ଇଷ୍ଟ ଓ ୟୁରୋପୀୟ ଦେଶଗୁଡିକ ଆସିବାକୁ ଥିବା ଖେଳାଳିମାନେ ୭ ଦିନିଆ କ୍ୱାରାଣ୍ଟାଇନ୍‌ ପିରିୟଡରେ ରହିବେ। ସବୁ ଖେଳାଳି ୩ ତାରିଖ ସୁଦ୍ଧା ଦିଲ୍ଲୀରେ ଆସି ପହଞ୍ଚିବାକୁ ବିଏଆଇ ତରଫରୁ କୁହାଯାଇଛି। ତେବେ ବିଶ୍ୱର ଅନ୍ୟସ୍ଥାନରୁ ଆସିବାକୁ ଥିବା ଖେଳାଳିମାନେ ମେ ୬ ତାରିଖରେ ପହଞ୍ଚିବେ ଓ ୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହିବେ।
୩ଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା ମାରିନଙ୍କ ସମେତ ଟପ୍‌-୧୦ ସ୍ଥାନୀତ ହୋଇଥିବା ଖେଳାଳି ଆକେନ ୟାମାଗୁଚି, ପି.ଭି. ସିନ୍ଧୁ, କୋରିଆର ଆନ ସେ-ୟଙ୍ଗ ଓ ତାଇଲାଣ୍ଡର ପୋରନପାଓ୍ବି ଚୋଚୁଓ୍ବଙ୍ଗ୍‌ ମହିଳା ସିଙ୍ଗଲ୍ସରେ ଅଂଶଗ୍ରହଣ କରିବେ। ଭାରତ ତରଫରୁ ୪୮ ଖେଳାଳି (୨୭ ମହିଳା, ୨୧ ପୁରୁଷ), ମାଲେସିଆର ତରଫରୁ ୨୬ (୧୦ ପୁରୁଷ, ୧୬ ମହିଳା) ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ସେହିପରି ଚାଇନାରୁ ୧୦ ଖେଳାଳି (୪ ମହିଳା ଓ ୬ ପୁରୁଷ) ଭାଗନେବେ।
ପୁରୁଷ ବିଭାଗରେ ଦୁଇଥର ଚାମ୍ପିୟନ ମୋମେଟା, ଗତଥରର ଚାମ୍ପିୟନ ଭିକ୍ଟୋର ଆକ୍ସେଲସନ, ଆନ୍ଦ୍ରେସ ଆଣ୍ଟୋନସେନ ଓ ଅଲ ଇଂଲଣ୍ଡ ଚାମ୍ପିୟନ ଜି ଜିଆ ଲି ଭାଗନେବେ। ପୂର୍ବତନ ୧ ନମ୍ବର ଖେଳାଳି କିଡାମ୍ବୀ ଶ୍ରିକାନ୍ତ ଭାରତର ନେତୃତ୍ୱ ନେବେ। ବି ସାଇ ପ୍ରଣୀତ, ଏଚ୍‌.ଏସ୍‌. ପ୍ରଣୟ ଓ ପାରୁପାଲ୍ଲୀ କାଶ୍ୟପ ମଧ୍ୟ ସିଙ୍ଗଲ୍ସରେ କୋର୍ଟକୁ ଓହ୍ଲାଇବେ। ପୁରୁଷ ଓ ମହିଳା ଡବଲ୍ସରେ ମଧ୍ୟ ଏକାଧିକା ଭାରତୀୟ ଯୋଡି ଅଂଶଗ୍ରହଣ କରିବେ। ଏପ୍ରିଲ ୨୦ ତାରିଖରେ ଟୁର୍ନାମେଣ୍ଟରେ ଡ୍ର ଘୋଷଣା କରାଯିବ। ମେ ୩ ଓ ୬ ସହିତ ମେ ସହିତ ମେ ୯ ଓ ୧୪ ତାରିଖରେ ଦିଲ୍ଲୀ ସରକାର ଖେଳାଳିମାନଙ୍କର ଆରଟି- ପିସିଆର ଟେଷ୍ଟ କରାଇବେ ବୋଲି ବିଏଆଇ କହିଛି।

Share