ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ ଶାନ୍ତ ମନରେ ଚିନ୍ତା କରନ୍ତି ନାହିଁ। ତାଙ୍କର ଏହି ମନ୍ତବ୍ୟ ଭରତୀୟ ରାଜନୀତିରେ ଭାବନାର ଭୂମିକାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିତର୍କକୁ ସାମ୍ନାକୁ ଆଣିଛି। ଦିଲ୍ଲୀର ଯନ୍ତରମନ୍ତରଠାରେ ହୋଇଥିବା କ୍ରମାଗତ ପ୍ରତିବାଦ ଆନ୍ଦୋଳନ ଦର୍ଶାଇଛି ଯେ, ଗଣତାନ୍ତ୍ରିକ ଜୀବନରେ ଭାବନା କେତେ ଗୁରୁତ୍ୱପୂର୍ଣ୍ଣ। ପ୍ରତିବାଦକାରୀମାନେ କେବଳ କୌଣସି ନୀତିର ବିରୋଧ କରୁନଥିଲେ; ସେମାନେ ସାର୍ବଜନୀନ ଶିକ୍ଷା, ନ୍ୟାୟସଙ୍ଗତ ସୁଯୋଗ ଏବଂ ଗଣତାନ୍ତ୍ରିକ ମର୍ଯ୍ୟାଦାର ସେହି ଆଦର୍ଶ ପ୍ରତି ଗଭୀର ଭାବନାତ୍ମକ ଭାବେ ଜଡ଼ିତ ଥିଲେ, ଯାହାକୁ ସେମାନେ ଧୀରେ ଧୀରେ ଏକ ନାଟକୀୟ ଢଙ୍ଗରେ ଉପସ୍ଥାପନ କରିଥିଲେ।
ତେବେ ପ୍ରଶ୍ନ ଉଠେ ‘ଭାବନା’, ଯାହାକୁ ସାଧାରଣତଃ ସ୍ବତଃସ୍ଫୂର୍ତ୍ତ ଏବଂ ଅଯୌକ୍ତିକ ବୋଲି ବୁଝାଯାଏ, ଉଦାରବାଦୀ ଗଣତନ୍ତ୍ରରେ ତାହା କିପରି ଭାବରେ ପ୍ରାସଙ୍ଗିକ ଓ ଗ୍ରହଣୀୟ? ହିନ୍ଦୁତ୍ୱର ରାଜନୈତିକ କଳ୍ପନାକୁ ଆହ୍ବାନ କରି ଜେନ୍‌-ଜି ନେତୃତ୍ୱାଧୀନ ଏହି ଆନ୍ଦୋଳନ ରାଜନୀତିର ପରିଭାଷାକୁ ଏକ ଭିନ୍ନ ଦୃଷ୍ଟିଭଙ୍ଗୀରୁ ବିଶ୍ଳେଷଣ କରିବାକୁ ବାଧ୍ୟ କରିଛି। ଏହା ପ୍ରଦର୍ଶନ କରୁଛି ଯେ, ନାଗରିକ ଅଂଶଗ୍ରହଣ କେବଳ ଯୁକ୍ତିରୁ ନୁହେଁ, ବରଂ ଭାବନାରୁ ମଧ୍ୟ ଉତ୍ପନ୍ନ ହୁଏ। ଏଠାରେ ଦେଶପ୍ରେମର ଅର୍ଥ କ୍ଷମତା ପ୍ରତି ଅନ୍ଧ ଆଜ୍ଞାପାଳନ ନୁହେଁ; ବରଂ କ୍ଷମତାକୁ ପ୍ରଶ୍ନ କରିବା ମଧ୍ୟ ଦେଶପ୍ରେମର ଏକ ବୈଧ ରୂପ। ପ୍ରତିବାଦ ସ୍ଥଳ କେବଳ ରାଜନୈତିକ ସଭାରେ ସୀମିତ ରୁହେ ନାହିଁ; ଏହା ଏକ ସଜୀବ ସାଂସ୍କୃତିକ ମଞ୍ଚରେ ପରିଣତ ହୋଇପାରେ।
ପ୍ରଖ୍ୟାତ ରାଜନୈତିକ ଦାର୍ଶନିକ ମାର୍ଥା ନୁସ୍‌ ବମ୍‌ ତାଙ୍କ ପୁସ୍ତକ Political Emotions: Why Love Matters for Justiceରେ ଲେଖନ୍ତି, ପ୍ରତ୍ୟେକ ସମାଜ ଭାବନାରେ ପରିପୂର୍ଣ୍ଣ। ଉଦାର ଗଣତନ୍ତ୍ର ମଧ୍ୟ ଏଥିରୁ ବ୍ୟତିକ୍ରମ ନୁହେଁ। ଏକ ସ୍ଥିର ଗଣତନ୍ତ୍ରର ଦୈନନ୍ଦିନ ଜୀବନକୁ ଦେଖିଲେ ମଧ୍ୟ ଆମେ କ୍ରୋଧ, ଭୟ, ସହାନୁଭୂତି, ଘୃଣା, ଈର୍ଷା, ଅପରାଧବୋଧ, ଶୋକ ଏବଂ ପ୍ରେମର ବିଭିନ୍ନ ରୂପକୁ ଦେଖିବାକୁ ପାଇବା। ନୁସ୍‌ ବମ୍‌ଙ୍କର ଏହି ଅନ୍ତର୍ଦୃଷ୍ଟି ରାଜନୈତିକ ଚିନ୍ତାଧାରାର ଏକ ପୁରୁଣା ଧାରଣାକୁ ଆହ୍ବାନ ଦିଏ ଯେ, କେବଳ ଯୁକ୍ତି ହିଁ ଗଣତନ୍ତ୍ରକୁ ସୁଦୃଢ଼ କରିପାରେ ନାହିଁ ବରଂ ଭାବନା ଓ ସାଂସ୍କୃତିକ ଭିନ୍ନତାର ମଧ୍ୟ ସ୍ଥାନ ଅଛି। ରାଜନୈତିକ ସକ୍ରିୟତା କେବେବି କେବଳ ଶୀତଳ ଯୁକ୍ତିରୁ ଜନ୍ମ ନିଏ ନାହିଁ, ବରଂ ବେଳେବେଳେ ସାଧାରଣ ଲୋକମାନେ ରାସ୍ତାକୁ ଓହ୍ଲାଇ ଆସି ନିଜର ବ୍ୟକ୍ତିଗତ ଅନୁଭବ ଯଥା ଅପମାନ, ଅନ୍ୟାୟ, ଆଶା କିମ୍ବା ନୈତିକ କ୍ଷୋଭ ତଥା ଯନ୍ତ୍ରଣାକୁ ସାର୍ବଜନୀନ ସ୍ଥଳରେ ପ୍ରତିରୋଧର ରୂପ ଦେଇଥା’ନ୍ତି। ଫଳରେ ଏହି ବିଚ୍ଛିନ୍ନ ଅନୁଭବକୁ ସାମୂହିକ ଦାବିରେ ରୂପାନ୍ତରିତ କରେ। ଏଥିରୁ ଆମେ କହିପାରିବା କି ଉଦାର ଗଣତନ୍ତ୍ର କେବଳ ସାମ୍ବିଧାନିକ ପ୍ରକ୍ରିୟା ଉପରେ ନିର୍ଭର କରି ତିଷ୍ଠି ରହିପାରିବ ନାହିଁ; ଏହାକୁ ସମାନତା, ନ୍ୟାୟ ଓ ପରସ୍ପର ସମ୍ମାନ ପ୍ରତି ନାଗରିକଙ୍କ ଗଭୀର ଭାବନାତ୍ମକ ପ୍ରତିବଦ୍ଧତାର ମଧ୍ୟ ଆବଶ୍ୟକତା ରହିଛି।
ଏହି ପ୍ରସଙ୍ଗଟି ବିଶେଷକରି ବଞ୍ଚତ୍ତ ସମୁଦାୟମାନଙ୍କ କ୍ଷେତ୍ରରେ ଅଧିକ ଗୁରୁତ୍ୱ ବହନକରେ। ପ୍ରଖ୍ୟାତ ବ୍ଲାକ ରାଇଟ ଦାର୍ଶନିକ ବେଲ୍‌ ହୁକ୍‌ଙ୍କ ଭାଷାରେ, ଜାତି, ଲିଙ୍ଗ, ଶ୍ରେଣୀ, ଯୌନତା କିମ୍ବା ଧର୍ମର ସମସ୍ତ ପାର୍ଥକ୍ୟ ସତ୍ତ୍ୱେ ଭାବନା ହେଉଛି ଏକ ସାଧାରଣ ମାନବୀୟ କ୍ଷେତ୍ର। ଅର୍ଥାତ୍‌ ସାମୂହିକ ଭାବନା ସେହି ସମସ୍ତ ଲୋକଙ୍କ ମଧ୍ୟରେ ଏକତା ସୃଷ୍ଟି କରେ, ଯେଉଁମାନେ ବିଭେଦ ଓ ଉତ୍ପୀଡ଼ନ ଅନୁଭବ କରିଛନ୍ତି। ବଞ୍ଚତ୍ତ ତଥା ନିଷ୍ପେଷିତ ବ୍ୟକ୍ତି ସମୂହଙ୍କ ମାନସିକ କ୍ଷତ କେବଳ ଆଇନଗତ ସ୍ବୀକୃତି ଦ୍ୱାରା ଦୂର ହୋଇପାରେ ନାହିଁ; ଏଥିପାଇଁ ଆବଶ୍ୟକ ସହାନୁଭୂତି, ପରସ୍ପର ଯତ୍ନ ଓ ସାମୂହିକ ପ୍ରତିରୋଧର ରାଜନୈତିକ ସମୁଦାୟ। ଏହି ପରିପ୍ରେକ୍ଷୀରେ ପ୍ରତିବାଦର ଅର୍ଥ ହେଉଛି ସେହି ସାର୍ବଜନୀନ ଭାଷା, ଯାହା ମାଧ୍ୟମରେ ମଣିଷ ନିଜର ମର୍ଯ୍ୟାଦାକୁ ପୁନରୁଦ୍ଧାର କରେ ଏବଂ ଭବିଷ୍ୟତ ପ୍ରତି ଆଶାକୁ ପୁନଃ ଜୀବନ୍ତ କରେ।
ଯନ୍ତରମନ୍ତରର ପ୍ରତିବାଦ ଏହି ଭାବନାତ୍ମକ ରୂପାନ୍ତରର ଏକ ସଜୀବ ଉଦାହରଣ। ଏହି ଆନ୍ଦୋଳନ ପାରମ୍ପରିକ ରାଜନୈତିକ ସଙ୍ଗଠନର ପଦ୍ଧତିକୁ ଅତିକ୍ରମ କରି ପ୍ରତିବାଦକୁ ଏକ ଅଂଶଗ୍ରହଣମୂଳକ ଲୋକକଳାରେ ପରିଣତ କରିଥିଲା। ପ୍ଲାକାର୍ଡଗୁଡ଼ିକ ସଂଗଠନର ସାଧାରଣ ସ୍ଲୋଗାନ୍‌ ନ ଥିଲା; ସେଗୁଡ଼ିକ ରାଜନୈତିକ କବିତାର ରୂପ ନେଇଥିଲା। ଉଦାହରଣ ସ୍ବରୂପ ଗୋଟିଏ ପ୍ଲାକାର୍ଡରେ ଲେଖାଥିଲା ମର୍ଯ୍ୟାଦାହୀନ ଡିଗ୍ରୀ ବିଶ୍ୱାସଘାତର ପ୍ରମାଣପତ୍ର। ଅନ୍ୟଟିରେ ଥିଲା ଆମେ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲୁ; ଆପଣମାନେ ବାହାନା ପ୍ରସ୍ତୁତ କରିଥିଲେ। ଏଗୁଡ଼ିକ କେବଳ ଆକର୍ଷଣୀୟ ବାକ୍ୟ ନଥିଲା; ବରଂ ଏହା ରାଜନୈତିକ ଭାଷାକୁ ନୂଆ ଅର୍ଥ ଦେଇଥିଲା।
ପୂର୍ବବର୍ତ୍ତୀ ପିଢ଼ିର ଛାତ୍ର ଆନ୍ଦୋଳନଠାରୁ ଜେନ-ଜିଙ୍କର ଏହି ଆନ୍ଦୋଳନରେ ରାଜନୈତିକ ଚର୍ଚ୍ଚା ସ୍ପଷ୍ଟ ଭାବରେ ଭିନ୍ନ। ଏହି ପିଢ଼ି ଡିଜିଟାଲ୍‌ ଓ ଭୌତିକ ଜଗତକୁ ଅଲଗା ଭାବେ ଦେଖେ ନାହିଁ; ବରଂ ଉଭୟକୁ ଏକ ସାଧାରଣ ଗଣତାନ୍ତ୍ରିକ ପରିସରରେ ପରିଣତ କରେ। ମିମ୍‌, ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌, ପ୍ରତିବାଦର ସେଲ୍ଫି ଓ ହାତଲେଖା ପ୍ଲାକାର୍ଡ, ଏସବୁ ମିଶି ଏକ ନୂତନ ଗଣତାନ୍ତ୍ରିକ ସଂସ୍କୃତିର ଅଂଶ ହୋଇଯାଏ। ଏଠାରେ ହାସ୍ୟ ରାଜନୀତିକୁ ହାଲୁକା କରେ ନାହିଁ; ବରଂ ତାହାକୁ ଅଧିକ ଅଂଶଗ୍ରହଣମୂଳକ କରେ। ବ୍ୟଙ୍ଗ ଓ ବିଡ଼ମ୍ବନା ଲୋକଙ୍କ ଭୟକୁ ସାମୂହିକ ଭାବେ ଅତିକ୍ରମ କରିବାର ସାହସ ଦିଏ ଏବଂ ଅଧିକ ସଂଖ୍ୟକ ନାଗରିକଙ୍କୁ ଗଣତାନ୍ତ୍ରିକ ଆଲୋଚନାରେ ସାମିଲ ହେବାକୁ ଆମନ୍ତ୍ରଣ କରେ। ଯନ୍ତରମନ୍ତରର ପ୍ରତିବାଦ ସ୍ଥଳରେ ଗୋଟିଏ ପଟେ ଯେତେବେଳେ ହସର ଧ୍ୱନି ଶୁଣାଯାଉଥିଲା, ଅନ୍ୟପଟେ ଶୋକର ନୀରବତା ତ ଆଉ କେବେ ସମ୍ବିଧାନ ସପକ୍ଷରେ ଉଠୁଥିବା ସ୍ଲୋଗାନ୍‌ ନୀରବତାକୁ ଭଙ୍ଗ କରୁଥିଲା।
ଏହି ପରିପ୍ରେକ୍ଷୀରେ ଡ. ବି. ଆର୍‌. ଆମ୍ବେଡକରଙ୍କ ‘ଭ୍ରାତୃତ୍ୱ’ (Fraternity) ଧାରଣା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ଆମ୍ବେଡକରଙ୍କ ପାଇଁ ଭ୍ରାତୃତ୍ୱ କେବଳ ସମ୍ବିଧାନର ଏକ ଆଦର୍ଶ ବାକ୍ୟ ନୁହେଁ; ଏହା ଥିଲା ‘ମୈତ୍ରୀ’ର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ନୈତିକ ଅଭ୍ୟାସ, ଯାହା ଜାତି, ଧର୍ମ, ଲିଙ୍ଗ ଓ ଅନ୍ୟାନ୍ୟ ସାମାଜିକ ବିଭାଜନକୁ ଅତିକ୍ରମ କରି ମଣିଷକୁ ମଣିଷ ସହିତ ଯୋଡ଼ିଥାଏ। ଗଣତନ୍ତ୍ର କେବଳ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକ୍ଷମତା ଉପରେ ନିର୍ଭର କରେ ନାହିଁ; ବରଂ ଏହା ସେତେବେଳେ ସଜୀବ ରହେ, ଯେତେବେଳେ ନାଗରିକମାନେ ଅଜଣା ଲୋକଙ୍କ ଦୁଃଖକୁ ମଧ୍ୟ ନିଜର ବୋଲି ଅନୁଭବ କରିବାର ନୈତିକ କ୍ଷମତା ଅର୍ଜନ କରନ୍ତି ଏବଂ ଅନ୍ୟର ମର୍ଯ୍ୟାଦାର ସୁରକ୍ଷା ପାଇଁ ଆଗେଇ ଆସନ୍ତି।
ଏହି କାରଣରୁ ଭାବନାର ଗଣତାନ୍ତ୍ରିକ ଶିକ୍ଷା ଭାରତର ସାର୍ବଜନୀନ ସଂସ୍କୃତିର ଏକ ଅବିଚ୍ଛିନ୍ନ ଅଂଶ ହେବା ଉଚିତ। ସାର୍ବଜନୀନ ସଂସ୍କୃତି ବୋଲି କେବଳ କଳା କିମ୍ବା ସାହିତ୍ୟକୁ ବୁଝାଯାଏ ନାହିଁ; ବରଂ ସେହି ସମସ୍ତ ଦୈନନ୍ଦିନ ସଂଳାପ, ସାମାଜିକ ଅଭ୍ୟାସ ଓ ଅନୁଷ୍ଠାନକୁ ବୁଝାଯାଏ, ଯାହା ନାଗରିକଙ୍କ ମନରେ ସହନଶୀଳତା, ସହାନୁଭୂତି ଓ ପରସ୍ପର ସମ୍ମାନର ମୂଲ୍ୟବୋଧ ଗଢ଼ି ତୋଳେ। ଯଦି ଭାରତୀୟ ଗଣରାଜ୍ୟକୁ ପ୍ରକୃତ ଅର୍ଥରେ ଗଣତାନ୍ତ୍ରିକ ରଖିବାକୁ ହୁଏ, ତେବେ ଆମକୁ କେବଳ ଯୁକ୍ତିବୋଧର ନୁହେଁ, ବରଂ କରୁଣା, ଭ୍ରାତୃତ୍ୱ ଓ ଆଶାର ମଧ୍ୟ ଶିକ୍ଷା ଦେବାକୁ ପଡ଼ିବ। କାରଣ ଗଣତନ୍ତ୍ରର ସ୍ଥାୟିତ୍ୱ କେବଳ ଆଇନ ଓ ପ୍ରତିଷ୍ଠାନ ଉପରେ ନିର୍ଭର କରେ ନାହିଁ; ଏହା ନାଗରିକଙ୍କ ହୃଦୟରେ ଲାଳିତ ନୈତିକ ଭାବନା ଓ ପରସ୍ପର ପ୍ରତି ଦାୟିତ୍ୱବୋଧ ଉପରେ ମଧ୍ୟ ସମାନ ଭାବରେ ନିର୍ଭରଶୀଳ।
ଜେ.ଏନ୍‌.ୟୁ, ନୂଆଦିଲ୍ଲୀ
ମୋ: ୭୩୮୧୬୨୧୭୬୦

Dharitri – Odisha’s No.1 Odia Daily