କୃଷି ଶିକ୍ଷା ଘରୋଇକରଣର ପ୍ରଭାବ

ପ୍ରଫେସର ଚିନ୍ତାମଣି ପଣ୍ଡା

 

କୃଷି ଶିକ୍ଷାର ପ୍ରସାର ନିମିତ୍ତ ଯୁକ୍ତରାଷ୍ଟ୍ର ଆମେରିକା ଓ ଚାଇନା ପରେ ଭାରତ ବିଶ୍ୱର ତୃତୀୟ ଦେଶ, ଯହିଁରେ ତିନୋଟି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ଚାରୋଟି ମାନ୍ୟତାପ୍ରାପ୍ତ କୃଷି ବିଶ୍ୱବିଦ୍ୟାଳୟ ଓ ୬୩ଟି ରାଜ୍ୟସ୍ତରୀୟ କୃଷି ବିଶ୍ୱବିଦ୍ୟାଳୟ ଅହରହ ଶିକ୍ଷାଦାନରେ ବ୍ରତୀ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତନ୍ମଧ୍ୟରୁ ଅନ୍ୟତମ, ଯାହାର ପ୍ରତିଷ୍ଠା ୧୯୯୨ ମସିହାରୁ ଉତ୍କଳ କୃଷି ମହାବିଦ୍ୟାଳୟ ନାମରେ ହୋଇଅଛି। ରାଜ୍ୟର ଚାହିଦା ମୁତାବକ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଚିପିଲିମା ଓ ଭବାନୀପାଟଣାରେ ଆଉ ଦୁଇଟି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇ କୃଷି ସ୍ନାତକମାନଙ୍କୁ ବିବିଧ କ୍ଷେତ୍ରରେ କର୍ମନିଯୁକ୍ତି ପାଇଁ ପ୍ରସ୍ତୁତ କରାଯାଉଛି।
ଏପରିସ୍ଥଳେ ଆବଶ୍ୟକତାର ଆଳ ଦେଖାଇ କୃଷି ଶିକ୍ଷା ପାଇଁ ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କୁ ଓଡ଼ିଶା ସରକାର ଅନୁମତି ପ୍ରଦାନ କରିବା ପରେ ଅନ୍ୟ ବୈଷୟିକ ଶିକ୍ଷା ପାଇଁ ଯଥେଷ୍ଟ ଛାତ୍ରୀଛାତ୍ର ନ ପାଇ ସେମାନେ କୃଷି ମହାବିଦ୍ୟାଳୟ ଖୋଲିବାରେ ଲାଗିପଡ଼ିଲେ। ରାଜ୍ୟରେ ଛତୁ ଫୁଟିବା ପରି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକ ଆବଶ୍ୟକ ମୁତାବକ କର୍ମନିଯୁକ୍ତି ଯୋଗାଇ ନ ପାରିବାରୁ ଏ କ୍ଷେତ୍ରରେ ଘୋର ମାନ୍ଦାବସ୍ଥା ମଧ୍ୟରେ ଗତି କରୁଥିଲେ। ବିରାଡ଼ି କପାଳକୁ ଶିକା ଛିଡ଼ିଲା ପରି ଏ ସୁଯୋଗର ହାତଛଡ଼ା କରନ୍ତେ ବା କିପରି? ଫଳତଃ କୃଷିକୁ ଶିଳ୍ପର ମାନ୍ୟତା ପଛେ ନ ମିଳୁ, କୃଷି ଶିକ୍ଷା ଏକ ଶିଳ୍ପରେ ପରିଣତ ହୋଇଗଲା । ତେଣିକି ଶିକ୍ଷାର ମାନ ଯାହା ଥାଉନା କାହିଁକି, ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ କୃଷିସ୍ନାତକ ଉତ୍ପନ୍ନ ହୋଇ କର୍ମସଂସ୍ଥାନ ଅନ୍ବେଷଣରେ ବାହାରିପଡ଼ିଲେ। ଅଧୁନା ସେମାନଙ୍କୁ ଉପଯୁକ୍ତ ଥଇଥାନ କରିବା ପାଇଁ ସରକାରଙ୍କ କୌଣସି ସ୍ପଷ୍ଟ ଯୋଜନା ନାହିଁ। ବ୍ୟାଙ୍କଗୁଡ଼ିକ ସମ୍ମିଶ୍ରଣ ଫଳରେ ନିଯୁକ୍ତି ସୁଯୋଗ ପୁନଃ ସଙ୍କୁଚିତ ହୋଇଗଲା। ସୀମିତ ସଂଖ୍ୟାରେ ସରକାରୀ ନିଯୁକ୍ତି ବାହାରିଲା ସତ, କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ପରି। ବାଧ୍ୟ ହୋଇ କୃଷି ସ୍ନାତକମାନେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମକୁମାତ୍ର ଦାଖଲ ହୋଇ ସାଧାରଣ ସ୍ନାତକଙ୍କ ପରି ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଲେ। ଏଣୁ ଧୀରେ ଧୀରେ କୃଷି ଶିକ୍ଷା ବୈଷୟିକ ଶିକ୍ଷାର ମାନ୍ୟତା ହରାଇ ବସିଲା କେବଳ ସରକାରଙ୍କ ଏ ପ୍ରକାର ଦୂରଦୃଷ୍ଟିହୀନ ପଦକ୍ଷେପ ପାଇଁ। ଅନ୍ୟପକ୍ଷରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ବ୍ୟବସାୟିକ ଭିତ୍ତିରେ ବର୍ଷକୁ ବର୍ଷ ଅଧିକରୁ ଅଧିକ ଛାତ୍ରୀଛାତ୍ର ଗ୍ରହଣ କରୁଛନ୍ତି। ଏବେ ସରକାର କୃଷି ସ୍ନାତକମାନଙ୍କୁ ସ୍ବରୋଜଗାର କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବାବଲମ୍ବୀ ହେବାକୁ ଉପଦେଶ ଦେଉଛନ୍ତି। ପୂର୍ବତନ କୃଷିମନ୍ତ୍ରୀ ମଧ୍ୟ ଲଘୁ ପରିହାସ ଛଳରେ ଛାତ୍ରମାନଙ୍କୁ ଚାକିରି ପଛରେ ନ ଧାଇଁ ଚାଷ କରିବାକୁ କହିଥିଲେ। କୃଷି ଉଦ୍ୟୋଗରେ ସର୍ବାଧିକ ନିଯୁକ୍ତି ସୁଯୋଗ ବିଗତ ଦିନଗୁଡ଼ିକରେ ସୃଷ୍ଟି ହୋଇଥିବା କହି ଆମେ ଡିଣ୍ଡିମ ପିଟୁଥିବା ବେଳେ ଶିକ୍ଷାନବିସଙ୍କୁ ଜମି ଚଷିବାକୁ କହିବା ସମୀଚୀନ କି? ପୁଣି ଆଜିର ଯୁଗରେ ବ୍ୟୟବହୁଳ ବୈଷୟିକ କୃଷି ଶିକ୍ଷା ସମାପ୍ତି ପରେ କୌଣସି ଛାତ୍ର ବା ଅଭିଭାବକ କୃଷି କାର୍ଯ୍ୟ ପାଇଁ ଆଗଭର ହୋଇ ଆସିବେ କି? କୃଷିକୁ ଅମର୍ଯ୍ୟାଦାଜନକ କହି ସରକାର ଏହି ବିଭାଗର ଦାୟିତ୍ୱ ନେବାକୁ ଅନିଚ୍ଛୁକ ଥିବା ବେଳେ କୃଷି ସ୍ନାତକଙ୍କୁ ଧନ୍ଦାମୂଳକ କାର୍ଯ୍ୟ ପାଇଁ ପ୍ରେରିତ କରିବା କେତେଦୂର ଯୁକ୍ତିଯୁକ୍ତ। ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ କେତେଜଣ କୃଷିସ୍ନାତକ କୃଷି ଉଦ୍ୟୋଗପତି ହୋଇପାରିଛନ୍ତି? ଅତଏବ, ଏ ପ୍ରକାର ସ୍ଥିତିକୁ ଆକଳନ ନ କରି କୃଷି ଶିକ୍ଷାକୁ ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କ ହାତରେ ସମର୍ପିଦେବା ଏକ ଅଦୂରଦର୍ଶୀ ପଦକ୍ଷେପ ନୁହେଁ କି?
ଚାରିଆଡ଼େ ଖାଲି କୃଷି ମହାବିଦ୍ୟାଳୟ ଖୋଲିଦେଲେ ଆମେ କୃଷି ଶିକ୍ଷାର ପ୍ରସାର କରିପାରିବା ସିନା, କିନ୍ତୁ ବେକାରି ସମସ୍ୟାକୁ ଅଧିକରୁ ଅଧିକତର ଉତ୍କଟ କରାଇବାରେ ସାହାଯ୍ୟ କରିବାନିକି? ଉପଯୁକ୍ତ ଭିତ୍ତିଭୂମି ନ ଥାଇ ଶିକ୍ଷକ ମରୁଡ଼ି ପ୍ରବଣ ଶିକ୍ଷାୟତନରେ ଲାଭଖୋର ମନୋବୃତ୍ତି ରଖି ଯଦି ଶିକ୍ଷାଦାନ ଚାଲେ, ତା’ହେଲେ ଯେଉଁ ଶୈକ୍ଷିକ ବିକଳାଙ୍ଗ ଛାତ୍ରଗୁଡ଼ିଏ ସୃଷ୍ଟି ହେବେ, ଏମାନେ ନା ଘରକୁ ହେବେ ନା ଘାଟକୁ। ଏହାକୁ ଆମେ ଯଦି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ବୋଲି କହିବା, ତେବେ ଆଗାମୀ ସଙ୍କଟ ପାଇଁ ରାଜ୍ୟବାସୀଙ୍କ ସମ୍ମୁଖରେ ଦାୟବଦ୍ଧ ରହିପାରିବା ତ? ଏବେଠାରୁ ଆଖିଦୃଷ୍ଟିଆ ପଦକ୍ଷେପ ନ ନେଲେ ବିଧାନସଭା ସମ୍ମୁଖରେ ଇଞ୍ଜିନିୟରିଂ ଛାତ୍ରଙ୍କ ସହିତ ମିଶି ଭବିଷ୍ୟତରେ କୃଷି ଛାତ୍ରମାନେ ମଧ୍ୟ ଚାକିରି ଦାବିରେ ଜୋତା ପଲିସି କରିବା ଭଳି ପଦକ୍ଷେପ ନେଇପାରନ୍ତି। ଅତଏବ, ଏ ଦିଗରେ ଚିନ୍ତାନାୟକମାନେ ସରକାରଙ୍କୁ ବିଧିବଦ୍ଧ ଭାବେ ପରାମର୍ଶ ଦେବା ଉଚିତ ହେବ।
ପୂର୍ବତନ ଅଧ୍ୟକ୍ଷ, କୃଷି ମହାବିଦ୍ୟାଳୟ, ଭବାନୀପାଟଣା


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri