ଆଖଣ୍ଡଳମଣି ମନ୍ଦିରରେ ବୁଡ଼ିଗଲା ବିଗ୍ରହ

ଆରଡି, ୨୭ା୮(ଡି.ଏନ.ଏ.)-ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ବୁଧବାର ସକାଳୁ ପହୁଡ଼ ଖୋଲାଯିବା ପରେ ପାଳିଆ ସେବକ ଓ ଅନ୍ୟ ସେବାୟତ ମାନେ ବାବା ଆଖଣ୍ଡଳମଣିଙ୍କ ବିଗ୍ରହ ବୁଡିଯିବା ଦେଖିବାକୁ ପାଇଥିଲେ। ନିୟମାନୁସାରେ ବିଗ୍ରହ ପାଣିରେ ବୁଡ଼ି ରହିଲେ ମନ୍ଦିରରେ ନୀତିକାନ୍ତି ହୋଇ ପାରିବ ନାହିଁ। ତେଣୁ ମନ୍ଦିର ପ୍ରଶାସନ ପକ୍ଷରୁ ପମ୍ପ୍‌ସେଟ ଯୋଗେ ଗର୍ଭଗୃହରୁ ବର୍ଷାଜଳ ନିଷ୍କାସନ କରାଯାଇଥିଲା। ୨୦୧୮ ମସିହାରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କାମ ହାତକୁ ନିଆଯାଇ ଏହାର ମରାମତି କାର୍ଯ୍ୟ କରାଯାଇଥିଲା। ଏହି କାମକୁ ୩ ବର୍ଷ ନଯାଉଣୁ ପୁଣି ଗର୍ଭଗୃହରେ ପାଣି ଜମିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି ସ୍ଥିତିରେ ଗର୍ଭଗୃହ ପଥର ଚଟାଣକୁ ପୁନଃ ମରାମତି କରିବାକୁ ସେବାୟତମାନେ ଦାବି କରିଛନ୍ତି।