Categories: ଖେଳ

ହକି କ୍ୟାମ୍ପ ୧୯ରେ ଆରମ୍ଭ ହେବନାହିଁ

ନୂଆଦିଲ୍ଲୀ, ୧୬।୭(ପି.ଟି.)- ଭାରତୀୟ ମହିଳା ଓ ପୁରୁଷ ହକି ଦଳର କ୍ୟାମ୍ପ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ଚଳିତମାସ ୧୯ ତାରିଖରୁ ଆରମ୍ଭ ହେବାର ଥିଲା। ମାତ୍ର କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇଥିବାରୁ ସହରକୁ ୭ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ କରାଯାଇଛି। ତେଣୁ ଧାର୍ଯ୍ୟ ଦିବସରେ ଜାତୀୟ କ୍ୟାମ୍ପ ଆରମ୍ଭ ହେବନାହିଁ। ଏହି ମହାନଗରୀରେ ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଯୋଜନାରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ସାଇ ସେଣ୍ଟରରେ ୨ ମାସ ବନ୍ଦ ହୋଇ ରହିଥିବା ଖେଳାଳିମାନେ ଏବେ ନିଜ ନିଜ ଘରେ ସମୟ କାଟୁଛନ୍ତି। ଚଳିତ ମାସ ୧୯ ତାରିଖ ସୁଦ୍ଧା ସେମାନେ ସାଇ ସେଣ୍ଟରକୁ ଫେରିବା କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ପରିସ୍ଥିତିରେ ପୂର୍ବ ନିର୍ଦ୍ଧାରିତ ତାରିଖରେ କ୍ୟାମ୍ପ ଆରମ୍ଭ ହେବା ସମ୍ଭବ ନୁହେଁ ବୋଲି ସାଇର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ” ଜୁନ୍‌ ୧୮ରେ କ୍ୟାମ୍ପ ଆରମ୍ଭ କରିବାକୁ ଆମକୁ ବର୍ତ୍ତମାନସୁଦ୍ଧା କୁହା ଯାଇନାହିଁ। ଆମକୁ କେବଳ ଖେଳାଳିଙ୍କୁ ଘରକୁ ଛାଡ଼ିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ମାତ୍ର କ୍ୟାମ୍ପ ଆରମ୍ଭ ସମ୍ପର୍କରେ କିଛି ସୂଚନା ନାହିଁ। ଜୁଲାଇ ୨୨ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସହର ଲକ୍‌ଡାଉନ୍‌ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସମ୍ଭାବନା ରହିଛି। ତେଣୁ ବେଙ୍ଗାଲୁରୁରେ ସମ୍ପ୍ରତି କ୍ୟାମ୍ପ ଆରମ୍ଭ ସମ୍ଭବ ନୁହେଁ“ ବୋଲି ସେ କହିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ୫୩ ଜାତୀୟ ସ୍ପୋଟର୍‌ସ ଫେଡେରେଶନ ସହିତ ହକି ଇଣ୍ଡିଆ ଉପରୁ ସ୍ବୀକୃତି ପ୍ରତ୍ୟାହାର ହୋଇଛି। ଏହା ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବାରୁ ସାଇ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ କ୍ୟାମ୍ପକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରିନାହିଁ। ଖେଳାଳିମାନଙ୍କୁ କିଛି ନିର୍ଦ୍ଦେଶ ମିଳି ନ ଥିବାରୁ କେବଳ ପୁରୁଷ ଦଳର ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌, ବୈଜ୍ଞାନିକ ପରାମର୍ଶଦାତା ରବିନ ଆର୍କେଲ ଓ ଓ୍ବେନ ଲୋମ୍ବାର୍ଡ ସାଇ ସେଣ୍ଟରରେ ରହିଛନ୍ତି। ଗତ ମାସରେ ଘରକୁ ନେଦରଲାଣ୍ଡ୍ସ ଯାଇଥିବା ମହିଳା ଦଳର କୋଚ୍‌ ଜୋର୍ଡ ମାରିଜନେ ଏବଂ ବିଶ୍ଳେଷଣାତ୍ମକ କୋଚ୍‌ ଜାନେକ ସ୍କୁପମ୍ୟାନ ଆସନ୍ତା ମାସରେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି। ପୁରୁଷ ଦଳର ବିଶ୍ଳେଷଣାତ୍ମକ କୋଚ୍‌ କ୍ରିସ୍‌ ସିରିଏଲୋ ମଧ୍ୟ ନିଜ ଘର ଅଷ୍ଟ୍ରେଲିଆରେ ଅଛନ୍ତି।

Share