ଜୀବନରେ ଚାପର ତାପ

ପ୍ରତ୍ୟେକ ବସ୍ତୁ ଓ ବ୍ୟକ୍ତିର ନିଜସ୍ବ ଚାପ ଓ ଚାପଶକ୍ତି ରହିଛି। ବିଜ୍ଞାନରେ ବାୟୁଚାପ ଓ ଜଳଚାପ ପଢ଼ିଛେ। ଗ୍ଲାସରେ ଜଳପୂର୍ଣ୍ଣ କରି ତା’ ଉପରେ ପୋଷ୍ଟକାର୍ଡ଼ ରଖି ତଳମୁହାଁ କରିଦେଲେ ଜଳର ଚାପଠାରୁ ବାୟୁର ଚାପ ଅଧିକ ଯୋଗୁ ଜଳ ତଳେ ଢାଳି ହୁଏ ନାହିଁ। ପୋଷ୍ଟକାର୍ଡ଼ ଖସି ପଡ଼େ ନାହିଁ। ବନ୍ୟା ସମୟରେ ଜଳଚାପ ଅଧିକ ଯୋଗୁ ବନ୍ଧବାଡ଼ ଭାଙ୍ଗିଯାଏ। ଝଡ଼ବାତ୍ୟାରେ ବାୟୁଚାପ ଅଧିକ ହେତୁ ଗଛବୃଚ୍ଛ ଉପୁଡ଼ି ପଡ଼େ। ଗ୍ରୀଷ୍ମକାଳରେ ସୂର୍ଯ୍ୟତାପ ଅଧିକ ହେତୁ ତରୁଲତା ଜଳିପୋଡ଼ି ଯାଏ। ଯୁଗେ ଯୁଗେ ଚାପ ରହିଛି, ରହିଥିବ। କିଛି ଅଭିଳଷିତ କିନ୍ତୁ ଅପ୍ରାପ୍ତ ବସ୍ତୁ ବା ଲକ୍ଷ୍ୟ ପ୍ରାପ୍ତିରେ ପ୍ରତିବନ୍ଧକ ଆସିଲେ ତା’ପାଇଁ ଚାପ ପ୍ରୟୋଗ କରାଯାଏ। ଚାପକୁ ଚାପିଦେବା ସହଜ ନୁହେଁ। ଅନ୍ୟମାନଙ୍କୁ ନିୟନ୍ତ୍ରଣ କରିବାର ଶକ୍ତି ହିଁ ଚାପପ୍ରୟୋଗ। ଚାପ ଏକ ଲଗାମ।
ଚାପର ଅନ୍ୟ ନାମ ବଳ କଷାକଷି। ବିଭିନ୍ନ ଦିଗରୁ ଆସୁଥିବା ଚାପର ପ୍ରତିଯୋଗିତାରେ ଲଘୁଚାପ ସୃଷ୍ଟି ହୁଏ। ଅସ୍ବାଭାବିକତାରୁ ଚାପ ଜନ୍ମ। ଅନ୍ୟାୟ ଚାପକୁ ଚାପିବା ପାଇଁ ତତୋଽଧିକ ନ୍ୟାୟଚାପ ଲୋଡ଼ା ହୋଇଥାଏ। ଚାପର ଖେଳ ହେଉଛି ନ୍ୟାୟ ଅନ୍ୟାୟ ମଧ୍ୟରେ ଲଢ଼େଇ। ମାତୁଳ ଶକୁନିଙ୍କର ଚାପରେ ଦୁର୍ଯ୍ୟୋଧନ ମହାଭାରତ ଯୁଦ୍ଧର ସୂତ୍ରପାତ କରିଥିଲେ। ରାଣୀ କୈକେୟୀଙ୍କ ଚାପରେ ରାମଚନ୍ଦ୍ର ବନବାସ କଲେ। ଧର୍ମାବତାର ବିଚାରପତି ନ୍ୟାୟ ଅନ୍ୟାୟ ନିରପେକ୍ଷ ଭାବରେ ବିଚାର କରିଥା’ନ୍ତି। ସର୍ବଦା ଏହା ସମ୍ଭବ ହୋଇ ନ ଥାଏ। ବାହୁବଳୀ, ଅର୍ଥବଳୀ, କ୍ଷମତାବଳୀମାନେ ନିଜ ନିଜର ପ୍ରଭାବ ପତିଆରା ପ୍ରୟୋଗ କରି ନିଜ ପକ୍ଷରେ ନ୍ୟାୟ କରାଇ ନିଅନ୍ତି। ନିରୀହକୁ ଡରାଇ ମରାଇ ମତାଇ ବତାଇ ଦରକାର ହେଲେ ପ୍ରାଣ ମଧ୍ୟ ନେଇଯା’ନ୍ତି। ବିଚାରପତିଙ୍କ ଉପରେ ଭୟ ଓ ପ୍ରଲୋଭନର ଚାପ ପ୍ରୟୋଗ କରାଯାଏ।
ଅବିଚାର, ଅନ୍ୟାୟ ଓ ଦୁର୍ନୀତି ଚାପର ଚାରି ଆଡ଼େ ପ୍ରତାପ। ଗୁଣ୍ଡାଗର୍ଦ୍ଦି କରି ତଳତଳିଆ ଲୋକଙ୍କୁ ଭୟରେ ଚାପି ଉପର ମହଲ ଲୋକଙ୍କ ଉପରେ ଭିନ୍ନ ଚାପ ପ୍ରୟୋଗ କରାଯାଏ। ନିରୀହ ନିରପରାଧ ପଛେ କାରାଗାରରେ ନରକ ଯନ୍ତ୍ରଣା ଭୋଗୁ, କିନ୍ତୁ ଚାପପ୍ରୟୋଗ କରି ନରହନ୍ତା ମୁକୁଳିଯାଏ। ନିଶରେ ହାତମାରି ଛାତି ଫୁଲେଇ ହାଟବଜାରରେ ବୁଲେ। ସରକାରୀ, ଅର୍ଥବଳ ବା ଅନ୍ୟ କୌଣସି ପ୍ରଲୋଭନ ଚାପ ଯୋଗୁ ପୋଲିସ ଚୋରକୁ ଧରି ଚାପକୁ ଡରି ଗିରଫ କରେ ନାହିଁ। ଚୋରି ଗଣ୍ଡଗୋଳ ପ୍ରଭୃତି ସହିତ ଅସଂପୃକ୍ତ ଓ ଘରେ ଶୋଇଥିବା ନିରପରାଧ ଲୋକକୁ ପୋଲିସ ଉଠାଇନିଏ। ମିଛ ଦଫା ଲଗାଇ ଜେଲକୁ ପଠାଇଦିଏ। ପୋଲିସ ବୃଥା ପତିଆରା ଦେଖାଏ। ପୋଲିସ ବାବୁ ପଦକ ପାଏ। ମିଛ ଅପରାଧୀର ପିଲା ପରିବାର ଉଜୁଡ଼ି ଯାଏ। ସାକ୍ଷୀ ଉପରେ ଚାପ ଦେଇ ନ୍ୟାୟ କିଣାବିକା ହୁଏ। ମିଛ ସତ ହୁଏ, ଆଉ ସତ ହୁଏ ମିଛ। ଶାସନ କ୍ଷେତ୍ରରେ ଅଧିକ ହେଉଥିବାରୁ ମାଲିମୋକଦ୍ଦମା ବଢ଼ି ଚାଲିଛି। ‘ହଜାରେ ଦୋଷୀ ପଛେ ମୁକୁଳି ଯାଆନ୍ତୁ, କିନ୍ତୁ ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ- ଏହି ସ୍ଲୋଗାନ ଆଜି ଏକ ପ୍ରହସନ।
ପରିବାରରେ ପିଲାମାନଙ୍କ ଦାବି ପୂରଣ ନ ହୋଇ ପାରିଲେ ମା’ମାନଙ୍କ ଉପରେ ଚାପ ପଡ଼େ। ମା’ ସେହି ଚାପକୁ ନେଇ ବାପାଙ୍କ ଉପରେ ପ୍ରୟୋଗ କରନ୍ତି। ଶାଶୁ ଶ୍ୱଶୁରଙ୍କ ଠାରୁ କିଛି ହାସଲ କରିବାକୁ ଥିଲେ ସ୍ତ୍ରୀ ସ୍ବାମୀ ଉପରେ ଚାପ ପକାନ୍ତି। ବିଚରା ସ୍ବାମୀଟି ନିଜ ଇଚ୍ଛା ବିରୋଧୀ କଥା ମା’ବାପାଙ୍କୁ କହିବାକୁ ବାଧ୍ୟ ହୁଏ। ଧନ, ଯାନ, ଯୌତୁକଲୋଭୀ ସ୍ବାମୀମାନେ ଶ୍ୱଶୁରଘରୁ ଅଧିକ କିଛି ଆଣିବା ପାଇଁ ସ୍ତ୍ରୀଙ୍କ ଉପରେ ଚାପ ପକାନ୍ତି। ଝିଅର ଚାପ ବାପାଙ୍କ ଉପରେ ପଡ଼େ। ଲୋଭର ଚାପ ଆଗରେ ନିରୀହ କୁଳବଧୂର ପ୍ରାଣ ବି ବଳିପଡ଼େ। ଆଜିକାଲି କଙ୍ଗାରୁ କୋର୍ଟର ଅଶିକ୍ଷିତ ଅବିଚାରିତ ଚାପରେ କିଏ ଏକଘରିକିଆ ହୋଇ ନିଆଁପାଣିରୁ ସାଇଭାଇରୁ ବାଚ୍ଛନ୍ଦ ହେଲାଣି ତ କିଏ ଅର୍ଥଦଣ୍ଡରେ ଦଣ୍ଡିତ ହେଲାଣି। ଚାକିରି, ବଦଳି ବା ପ୍ରମୋଶନ ବା ସରକାରୀ ଯୋଜନାରେ ହିତାଧିକାରୀ ହେବା କ୍ଷେତ୍ରରେ ଯିଏ ଉପର ମହଲରେ ଚାପ ପକାଇପାରିଲା, ସେଭଳି ଅଯୋଗ୍ୟ କୁହାମୁଣ୍ଡା କପିଳାମାନେ ନିଜ କଲାକାମ କରାଇ ନିଅନ୍ତି। ଯୋଗ୍ୟମାନେ ଭକୁଆ ହୋଇ ଜଳକା ପରି ଚାହିଁ ରହିଥା’ନ୍ତି। ‘କାହାକୁ କହିବା, କପାଳରେ ସିନା ହାତ ମାରିବା’ ନ୍ୟାୟରେ ପୀଡ଼ିତ କାନମୁଣ୍ଡା ଆଉଁଶି ଚାପ ଆଗରେ ଚୁପ୍‌ ହୋଇ ବସନ୍ତି। ଯୋଗ୍ୟତା ଚାପର ନିକିତିରେ ତଉଲାଯାଏ। ବିବାହଯୋଗ୍ୟ ସନ୍ତାନମାନେ ମାତାପିତାଙ୍କ ଉପରେ ଚାପ ପ୍ରୟୋଗ କରି ନିଜ ପସନ୍ଦରେ ବିବାହ କରିଥା’ନ୍ତି।
ସମ୍ପର୍କରେ ଚାପ, ସମ୍ପିରେ ଚାପ, କ୍ଷମତାରେ ଚାପ, ଅଜ୍ଞାତ ଶିଶୁର କ୍ରନ୍ଦନରେ ଚାପ ପ୍ରୟୋଗ ଦେଖାଯାଏ। ତପସ୍ୟା ଚାପରେ ଇଷ୍ଟଦେବତା ସ୍ଥିର ହୋଇ ରହିପାରନ୍ତି ନାହିଁ। ଇନ୍ଦ୍ରପଦ ଦୋହଲିଯାଏ। ଲୋକାପବାଦର ଚାପରେ ଅନୂଢ଼ା ମା’ ନବଜାତ ଶିଶୁକୁ ଫିଙ୍ଗିଦିଏ। ମା’ବାପା ଓ ଅଭିଭାବକଙ୍କ ଅବାଞ୍ଛିତ ଅଭିଳାଷରେ ଛାତ୍ରୀଛାତ୍ରମାନେ ପାଠରେ ଚାପଗ୍ରସ୍ତ ହୁଅନ୍ତି। ଯୌତୁକ ଚାପରେ କନ୍ୟାଭ୍ରୂଣକୁ ନିର୍ମମ ଭାବରେ ହତ୍ୟା କରାଯାଉଛି। ରାଜନେତାମାନେ ଭୋଟ ଚାପରେ କାର୍ଯ୍ୟ ଅକାର୍ଯ୍ୟ ବିଚାର କରନ୍ତି ନାହିଁ। ତଥାକଥିତ ଶିକ୍ଷିତ ଯୁବାପିଢ଼ି ମାନହାନି ଚାପରେ ଶାରୀରିକ ଶ୍ରମକାତର। ଚୋରି ରାହାଜାନି ଛିନ୍‌ତାଇ ହେବା ଭୟର ଚାପରେ ଯାତ୍ରୀମାନେ ଆତଙ୍କିତ। ଦୁନିଆକୁ ଅନ୍ନ ଯୋଗାଉଥିବା ଚାଷୀ ଋଣଚାପରେ ଆତ୍ମହତ୍ୟା କରୁଛି। ଦାରିଦ୍ର୍ୟ ଚାପରେ ଘରଦ୍ୱାର ପିଲାଛୁଆଙ୍କୁ ଛାଡ଼ି ଗରିବଲୋକ ଦାଦନ ଖଟିବାକୁ ପ୍ରବାସ କରୁଛି।
ବହୁମୁଖୀ ଅନ୍ୟାୟ ଚାପର ଦୁଷ୍ପରିଣାମ ସରଳ ଅସହାୟ ଲୋକେ ଭୋଗନ୍ତି। ଅଧିକାଂଶ ଚାପ ନକାରାତ୍ମକ। ପଥରୋଧକ। ଉନ୍ନତିବାଧକ। ଏହାର ପ୍ରଭାବରେ ଆତ୍ମବିଶ୍ୱାସ ଟଳମଳ ହୁଏ। ଚାପରେ ପଡ଼ିଲେ ଯୋଗ୍ୟ ଅଯୋଗ୍ୟ ଓ ସାଧୁ ଅସାଧୁ ହୁଏ। ସତ ମିଛ ହୁଏ। ଅଗୁଣୀ ପୁରସ୍କାର ପାଏ, ଗୁଣୀ ତିରସ୍କାର ସହେ। ‘ବାପରାଣ ଢିଙ୍କି ଗିଳି’ ରୀତିରେ ଲୋକେ ଚାପ ଆଗରେ ମୁଣ୍ଡ ନୁଆଇଁ ଥା’ନ୍ତି। ‘ପାଣିରେ ଘର କରି କୁମ୍ଭୀର ସାଙ୍ଗରେ କଳି’ ଅନୁଚିତ ଭାବି ଭାଗ୍ୟକୁ ଆଦରି ବିଦ୍ରୋହୀମନ ନୀରବି ଯାଏ। ପଞ୍ଚତନ୍ତ୍ରର କାହାଣୀ ‘ଧର୍ମବୁଦ୍ଧି ପାପବୁଦ୍ଧି’ କାହାଣୀରେ ପାପବୁଦ୍ଧି ଉଭୟଙ୍କ ଉପାର୍ଜିତ ଧନକୁ ଛଳକପଟ କରି ଅପହରଣ କରି ନେଇଥିଲା। ଧର୍ମବୁଦ୍ଧି ଚୋରି କରି ନେଇଛି ବୋଲି ରାଜଦରବାରରେ ଓଲଟା ଅଭିଯୋଗ ଆଣି ସେଠାରେ ଥିବା ବୃକ୍ଷ ସାକ୍ଷୀ ବୋଲି କହିଲା। ‘ଚୋର କିଏ?’ ବୋଲି ଧର୍ମାବତାର ପଚାରିବାରୁ ପୂର୍ବରୁ ଗଛ କୋଡରଡ଼ରେ ନିଜର ପିତାଙ୍କୁ ଲୁଚାଇ ରଖିଥିବା ପାପବୁଦ୍ଧିର ପିତା କହିଲେ ‘ଧର୍ମବୁଦ୍ଧି ଚୋର’। ଧର୍ମବୁଦ୍ଧି ଇତ୍ୟବସରରେ ଗଛ ଚାରିପଟେ ଅଗ୍ନି ସଂଯୋଗ କରିଦେଲା। ଗଛ ଜଳିଲା। ପାପବୁଦ୍ଧିର ପିତା ନିଆଁରଡ଼ରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପୁତ୍ରର ଗୁପ୍ତକଥା ପଦାରେ ପକାଇଦେଲେ। ଧର୍ମବୁଦ୍ଧିର ଚାପ ହେଉ ଅବା ଅଗ୍ନିର ଚାପ ହେଉ ‘ଚାପ ପଡ଼ିଲେ ବାପ ବୋଲେ’ ଉକ୍ତିଟି କାଳକାଳକୁ ରହିଛି।
ଚାପର ମୁଖା ଖୋଲିବାକୁ ସାହସ ଜୁଟାଇବା ବୁଦ୍ଧିମାନ୍‌ର କାର୍ଯ୍ୟ। ଚାପ ଚରମ ହେଲେ ହୃଦ୍‌ଘାତ, ମଧୁମେହ ଓ ଶ୍ୱାସ ଭଳି ମାନସିକ ଓ ଶାରୀରିକ ରୋଗବୃଦ୍ଧି ହୁଏ। ଚାପ ଜୀବନର ଅବିଚ୍ଛେଦ୍ୟ ଅଂଶ। ଏହାକୁ ଏଡ଼ାଇ ହେବ ନାହିଁ। ଥଣ୍ଡା ମିଜାଜରେ ଆତ୍ମସ୍ଥ ହୋଇ ଚାପ ସହିତ କଳା କୌଶଳ ପ୍ରୟୋଗ କରି ଉତ୍କଣ୍ଠା କମାଇବାକୁ ହେବ। ଚାପରେ ବିଚଳିତ ବା ନିରାଶ ହେବା ନିର୍ବୋଧତା। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସକାରାତ୍ମକ ହୋଇ ଜିଇବାକୁ ପଡ଼ିବ। ଗୀତ ଶୁଣି , ବିଶ୍ରାମ ନେଇ ଓ ପ୍ରକୃତିର ମୁକ୍ତ ପରିବେଶରେ ବୁଲି ସାଙ୍ଗ ସାଥୀ, ପରିବାର ଓ ଛୋଟପିଲାଙ୍କ ସହିତ ସମୟ ବିତାଇ ନିଜକୁ ହାଲୁକା କରିବାକୁ ପଡ଼ିବ। ଧୈର୍ଯ୍ୟ, ଶାନ୍ତି, ଯୋଗ, ଧ୍ୟାନ, ବ୍ୟାୟାମ ଆଦି ଆପଣେଇ ନେଲେ ଚାପର ନିୟନ୍ତ୍ରଣ ସ୍ବାଭାବିକ ହୋଇଥାଏ।
ଅବସରପ୍ରାପ୍ତ ଉପାଧ୍ୟକ୍ଷ,
ପଟିଆ, ଭୁବନେଶ୍ୱର
ମୋ:୯୪୩୭୭୭୬୯୦୮


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?