Categories: ଖେଳ

କ୍ୟାମେରାରେ ଦେଖିହେବ ଖେଳାଳିଙ୍କ ହୃଦ୍‌ସ୍ପନ୍ଦନ

ଟୋକିଓ,୧୯ା୭(ପି.ଟି.)-ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀ ପ୍ରତିଯୋଗିତାର ନକ୍‌ଆଉଟ ପର୍ଯ୍ୟାୟରେ ଦର୍ଶକମାନେ କ୍ୟାମେରା ଜରିଆରେ ତୀରନ୍ଦାଜମାନଙ୍କ ମାନସିକ ଚାପ ଓ ହୃଦ୍‌ସ୍ପନ୍ଦନର ମାପ ଦେଖିବାକୁ ପାଇବେ। ବିଶ୍ୱ ତୀରନ୍ଦାଜୀ ପକ୍ଷରୁ ପ୍ରଥମ ଥର ଅଲିମ୍ପିକ୍ସରେ ଏହି ଟେକ୍ନୋଲୋଜି ବ୍ୟବହାର କରାଯିବ। ମାନସିକ ଚାପରେ ଥିବା ସମୟରେ ବିଶ୍ୱର ନମ୍ବର ଓ୍ବାନ ତୀରନ୍ଦାଜ ଦୀପିକା କୁମାରୀ ସବୁବେଳେ ଖରାପ ପ୍ରଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଛି। କେତେକ ହୁଏତ ଏହାକୁ ପସନ୍ଦ ଅନ୍ୟ କେତେକ ଏହାକୁ ନାପସନ୍ଦ କରିପାରନ୍ତି। ଏହାକୁ କେବଳ ଟିଭି ଦର୍ଶକ ଦେଖିପାରିବେ, କିନ୍ତୁ ତୀରନ୍ଦାଜ ଏହି ଡାଟାକୁ ଦେଖିବା ସୁଯୋଗ ପାଇବେ ନାହିଁ। ରକ୍ତ ପମ୍ପିଂ ଦ୍ୱାରା ମୁଖମଣ୍ଡଳର ରୂପ ଓ ରଙ୍ଗର ପରିବର୍ତ୍ତନ ଜରିଆରେ ହୃଦ୍‌୍‌ସ୍ପନ୍ଦନ ଓ ମାନସିକ ଚାପର ପରିମାଣ ମାପି ହୋଇଥାଏ ବୋଲି ଜଣେ ଅଫିସିଆଲ କହିଛନ୍ତି। ଫଳରେ ଏକ ନିର୍ଣ୍ଣାୟକ ଶଟ୍‌ ପୂର୍ବରୁ ଜଣେ ପ୍ରତିଯୋଗୀଙ୍କ ହୃଦ୍‌ସ୍ପନ୍ଦନ ଓ ମାନସିକ ଅବସ୍ଥା କିପରି ଥାଏ ତାହା ଜଣେ ଦର୍ଶକ ଦେଖିପାରିବ। ବିଶ୍ୱ ତୀରନ୍ଦାଜୀ ପକ୍ଷରୁ ଏହି ଟେକ୍ନୋଲୋଜିକୁ ପୂର୍ବରୁ ସ୍କ୍ରିନ୍‌ରେ ନୁହେଁ କେବଳ ଘରୋଇ ଭାବେ ପରୀକ୍ଷାମୂଳକ ବ୍ୟବହାର କରାଯାଇଛି। ଭାରତ ତୃତୀୟ ଥର ସିଧାସଳଖ ଯୋଗ୍ୟତା ହାସଲ କରିଥିବା ଦୀପିକାଙ୍କଠାରୁ ଏଥର ପଦକ ଆଶା କରୁଛି। ମାନସିକ ଚାପ ଦୃଷ୍ଟିରୁ ଲଣ୍ଡନ ଅଲିମ୍ପିକ୍ସରେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ୫ବର୍ଷ ପୂର୍ବେ ରିଓ ଗେମ୍ସରେ ଏହି କାରଣରୁ ସେ ତୃତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ। ଏଥର ଅଲିମ୍ପିକ୍ସରେ ୬୪ଜଣ ତୀରନ୍ଦାଜ ଭାଗ ନେବେ। ମହାମାରୀ ସମୟରେ ଏହା ଅନୁଷ୍ଠିତ ହେଉଥିବାରୁ ପ୍ରତିଯୋଗିତା ବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ହେବ। ସାଧାରଣତଃ କ୍ୱାଲିଫିକେଶନ ରାଉଣ୍ଡରେ ତୀରନ୍ଦାଜମାନେ ଗୋଟିଏ ଟାର୍ଗେଟ୍‌କୁ ଶେୟାର କରିଥାନ୍ତି। ଏଥର କିନ୍ତୁ ଜଣକା ପିଛା ୬୪ଟି ପୃଥକ୍‌ ଟାର୍ଗେଟ ରହିବ। ଏହାଦ୍ୱାରା ଫଳାଫଳ ଦେଖିବା ସହଜ ହେବ। ଏଥର ଅଲିମ୍ପିକ୍ସରେ ପ୍ରଥମଥର ତୀରନ୍ଦାଜୀ ଏକମାତ୍ର କ୍ରୀଡ଼ା,ଯେଉଁଥିରେ ଲାଇଭ୍‌ ବାୟୋମେଟ୍ରିକ୍‌ ଡାଟା ବ୍ୟବହାର କରାଯିବ।

Share