ସେବିକାମାନଙ୍କ ସୁସ୍ଥତା-ନିରାପତ୍ତା ଗୁରୁତ୍ୱପୂର୍ଣ୍ଣ

ଦେହ ଖରାପ ହେଲେ ଆମ୍ଭମାନଙ୍କର ଡାକ୍ତର ଏବଂ ନର୍ସଙ୍କ କଥା ମନେପଡ଼େ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନର୍ସ ବା ସେବିକାମାନେ ହେଉଛନ୍ତି ସର୍ବବୃହତ କାର୍ଯ୍ୟଶକ୍ତି। କେବଳ ସେତିକି ନୁହେଁ, ସେମାନଙ୍କର ସଂଖ୍ୟା ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ବହୁତ ଅଧିକ। ବିଶ୍ୱରେ ପାଖାପାଖି ୩କୋଟି ନର୍ସ କାର୍ଯ୍ୟରତ ଥିବା ବେଳେ ଏହା ଦରକାର ପଡୁଥିବା ସଂଖ୍ୟାଠାରୁ ପ୍ରାୟ ୪୫ ଲକ୍ଷ କମ୍‌ ଥିବା ଜଣାଯାଏ। ସେହିପରି ଆମ ଦେଶରେ ପ୍ରାୟ ୩୩ ଲକ୍ଷ ୪୦ ହଜାର ନର୍ସ ଥିବା ବେଳେ ଏହା ଦରକାର ପଡୁଥିବା ସଂଖ୍ୟାଠାରୁ ଯଥେଷ୍ଟ କମ୍‌। କାରଣ ପ୍ରତି ୧୦୦୦ ବ୍ୟକ୍ତିଙ୍କ ପାଇଁ ଏହି ସଂଖ୍ୟା ୩ ହୋଇଥିବା ବେଳେ ଆମ ଦେଶରେ ଏହା ୧.୯ ରହିଛି। ସେହିପରି ଆମ ରାଜ୍ୟରେ ନର୍ସିିଂ ଅଫିସର ଓ ପରବର୍ତ୍ତୀ ପଦବୀର ସଂଖ୍ୟା ପାଖାପାଖି ୨୯୦୦୦ ହୋଇଥିବା ବେଳେ ମହିଳା ସ୍ବାସ୍ଥ୍ୟକର୍ମୀର ପାଖାପାଖି ୧୬,୦୦୦ ଅଛନ୍ତି।
ଡାକ୍ତରମାନେ ରୋଗୀଙ୍କ ପାଖରେ ସବୁ ସମୟରେ ରହୁ ନ ଥିବା ବେଳେ ପ୍ରତ୍ୟେକ ରୋଗୀ ପାଇଁ ନର୍ସମାନେ ସବୁ ସମୟରେ ଓ୍ବାର୍ଡରେ କାର୍ଯ୍ୟ କରୁଥାଆନ୍ତି। ଛଅ ଗୋଟି ବେଡ୍‌ ନିମନ୍ତେ ଗୋଟିଏ ଶିଫ୍ଟ ପାଇଁ ଗୋଟିଏ ନର୍ସ, ବିଶେଷ ଦୁଇଟି ଶଯ୍ୟା ପାଇଁ ଜଣେ ଏବଂ ସ୍ଥଳ ବିଶେଷରେ ଆଇସିୟୁ/ଭେଣ୍ଟିଲେଟର ସ୍ଥାନରେ ଗୋଟିଏ ଶଯ୍ୟା ପାଇଁ ଜଣେ ନର୍ସ ଆବଶ୍ୟକ ହୋଇଥାଏ। ବିଶେଷ ତାଲିମପ୍ରାପ୍ତ ନର୍ସମାନେ ଜଟିଳ ଓ ଗୁରୁତ୍ୱପୂର୍ଣ୍ଣ ହାର୍ଟ, ବ୍ରେନ୍‌, କିଡ୍‌ନୀ, ଚକ୍ଷୁ ଓ ଅନ୍ୟାନ୍ୟ ଅଙ୍ଗର ଅପରେଶନରେ ଡାକ୍ତରମାନଙ୍କୁ ସହାୟତା କରିଥାଆନ୍ତି। ଡାକ୍ତରମାନେ ବିଧାନ କରିଥିବା ଚିକିତ୍ସା, ସାଲାଇନ୍‌, ଇଞ୍ଜେକ୍‌ସନ, ନେବୁଲାଇଜେଶନ, ଫିଡିଂ, ଆସ୍ପିରେଶନ ଏବଂ ଆଭି କ୍ୟାନୁଲା ଆଦି ଅନେକ କାର୍ଯ୍ୟ ସେମାନେ କରିଥାଆନ୍ତି। ଡାକ୍ତରମାନଙ୍କର ନିର୍ଦ୍ଦେଶ ଅନୁସାରେ ସେମାନେ ସମୟ ମୁତାବକ ଔଷଧ ମଧ୍ୟ ରୋଗୀଙ୍କୁ ଖୁଆଇ ଥାଆନ୍ତି।
ଏଏନ୍‌ଏମ୍‌ମାନେ ପ୍ରାଥମିକ ସ୍ତରରେ ରୋଗ ନ ହେବା ପାଇଁ ଓ ମା’-ଶିଶୁଙ୍କର ସ୍ବାସ୍ଥ୍ୟ ପାଇଁ କାର୍ଯ୍ୟ କରିଥାଆନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଆମ ରାଜ୍ୟରେ ଏହି ସ୍ବାସ୍ଥ୍ୟକର୍ମୀଙ୍କର କଠିନ ପରିଶ୍ରମ ଯୋଗୁ ପାଖାପାଖି ଶତ ପ୍ରତିଶତ ଟିକାକରଣ ଓ ଆନୁଷ୍ଠାନିକ ପ୍ରସବ ହୋଇପାରୁଛି। ଏହାଦ୍ୱାରା ଉଭୟ ଶିଶୁ ଓ ମାତୃ ମୃତ୍ୟୁ ହାର ବହୁତ କମାଇ ଦିଆଯାଇପାରିଛି ଓ ପ୍ରାୟତଃ ସବୁ ପ୍ରସବ ଡାକ୍ତରଖାନାରେ ହିଁ ହେଉଛି। ଏହା ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହୋଇପାରିଛି।
ଏହା ସହିତ ଗତ ୪ବର୍ଷ ତଳୁ ଆମ ରାଜ୍ୟରେ ଆରମ୍ଭ ହୋଇଥିବା ‘ଧାତ୍ରୀ ବିଦ୍ୟା’ (ମିଡ୍‌ ଓ୍ବାଇଫେରି) ସାଧାରଣ ପ୍ରସବ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଅସ୍ତ୍ରୋପଚାରଜନିତ ଶିଶୁ ପ୍ରସବ ହାରକୁ ଯଥେଷ୍ଟ କମାଯାଇପାରିବାର ଲକ୍ଷ୍ୟ ରଖାଯାଇଛି।
ଏହିସବୁ ବିଷୟ ସହ ଆହୁରି ଅନେକ କଥା ବିଚାରକୁ ନେଲେ ଜଣାଯାଏ ଯେ ନର୍ସମାନଙ୍କର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସେମାନଙ୍କର ଭୂମିକା ଅପରିହାର୍ଯ୍ୟ। ଏହାଦ୍ୱାରା ସେମାନଙ୍କୁ ଅନେକ ସମୟରେ କାର୍ଯ୍ୟଚାପ ଦ୍ୱାରା ପ୍ରଭାବିତ ହେବାକୁ ପଡିଥାଏ। ସବୁଠାରୁ ଅଧିକ ସମ୍ମାନ ଓ ଦରମା ସୁଇଜରଲାଣ୍ଡ ପରି ସ୍ବାସ୍ଥ୍ୟ ବିକଶିତ ଦେଶରେ ଦିଆଯାଇଥାଏ। ଆମ ରାଜ୍ୟରେ ୨୦୧୩ରେ ଦେଶରେ ପ୍ରଥମ କରି ଏକ ସ୍ବର୍ଣ୍ଣ ସେବିକା ନିର୍ଦ୍ଦେଶାଳୟ ଗଠନ କରାଯାଇଥିଲା ଏବଂ ଏହାଦ୍ୱାରା ସେମାନଙ୍କର ଆବଶ୍ୟକ କାର୍ଯ୍ୟ ସୁଚାରୁରୂପେ କରାଯାଇପାରୁଛି। ପାଠପଢ଼ା ପାଇଁ ବେତନ ଛୁଟି ଦେବା ଓ ପଦୋନ୍ନତି ବ୍ୟବସ୍ଥାରେ ମଧ୍ୟ ଆମ ଦେଶରେ ଆମ ରାଜ୍ୟ ଅନ୍ୟ ରାଜ୍ୟଠାରୁ ଆଗୁଆ।
ପ୍ରତିବର୍ଷ ମେ ୧୨ ତାରିଖରେ ପାଳିତ ହୋଇଥାଏ ”ଅନ୍ତର୍ଜାତୀୟ ସେବିକା ଦିବସ“ (ଇଣ୍ଟରନ୍ୟାଶନାଲ ନର୍ସେସ ଡେ)। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି-”ସେବିକାମାନେ ଆମର ଭବିଷ୍ୟତ ଅଟନ୍ତି ଏବଂ ସେମାନଙ୍କ ପାଇଁ ଯତ୍ନବାନ୍‌ ହେବା ଦ୍ୱାରା ଅର୍ଥନୀତି ଦୃଢ଼ ହୋଇଥାଏ।“ ଅର୍ଥାତ୍‌ ଆମ୍ଭେମାନେ ନର୍ସମାନଙ୍କର ସୁସ୍ଥତା ଓ ନିରାମୟ ତଥା ନିରାପତ୍ତା ପାଇଁ ଚିନ୍ତା କରିବା ଦରକାର। ଅନ୍ତର୍ଜାତୀୟ ସେବିକା ସଂଘ (ଇଣ୍ଟରନ୍ୟାଶନାଲ କାଉନ୍‌ସିଲ ଫର୍‌ ନର୍ସେସ୍‌) ବା ଆଇସିଏନ୍‌ ୧୯୬୫ରୁ ଏହି ଦିବସକୁ ପାଳନ କରିଆସୁଅଛି। ୧୯୫୩ରେ ସ୍ବାସ୍ଥ୍ୟ କର୍ମକର୍ତ୍ତା ଡରୋଥି ସୁଦରଲାଣ୍ଡ ତତ୍କାଳୀନ ୟୁଏସ୍‌ ରାଷ୍ଟ୍ରପତି ଆଇଜେନ୍‌ହୋମରଙ୍କୁ ‘ସେବକା ଦିବସ’ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହା ଅନୁମୋଦନ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଏହାକୁ ଗ୍ରହଣ କରି ସମଗ୍ର ବିଶ୍ୱରେ ନର୍ସମାନଙ୍କୁ ଗୁରୁତ୍ୱ ଦେଇଥିଲା। ଅନ୍ତର୍ଜାତୀୟ ସେବିକା ପରିଷଦର ଅଧ୍ୟକ୍ଷା ଡା. ପାମେଲା ସିପ୍ରିଆନୋ କହନ୍ତି, ” ଆମ୍ଭେମାନେ ଆମ ନର୍ସମାନଙ୍କର ସ୍ବାସ୍ଥ୍ୟ ଓ ନିରାମୟ ତଥା ନିରାପତ୍ତା ପାଇଁ ସମର୍ଥନ ଜଣାଇବା ଉଚିତ, କାରଣ ସେମାନେ ଆମ ସ୍ବାସ୍ଥ୍ୟ ସେବା କାର୍ଯ୍ୟକାରିତା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।“
ସେବିକାମାନେ ନାନାପ୍ରକାର ଆହ୍ବାନ-ଶାରୀରିକ, ମାନସିକ, ଭାବାବେଗ ଓ ନୈତିକତା ଆଦିର ସମ୍ମୁଖୀନ ହୋଇଥାଆନ୍ତି। ଏହା ସହିତ ସେମାନଙ୍କର କାର୍ଯ୍ୟସ୍ଥଳର ନିରାପତ୍ତା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଦୀର୍ଘ ସମୟ ଏବଂ ରାତ୍ର ସମୟରେ କାର୍ଯ୍ୟ ତଥା ସଦାସର୍ବଦା ଗୁରୁତର ରୋଗୀମାନଙ୍କର ସ୍ବାସ୍ଥ୍ୟ ଚିକିତ୍ସା ନର୍ସମାନଙ୍କର ଶରୀର ଓ ମନ ଉପରେ ଚାପ ପକାଇଥାଏ। ରୋଗୀ ଓ ଶଯ୍ୟା ଅନୁଯାୟୀ ନର୍ସମାନଙ୍କର ସଂଖ୍ୟା ଯଥେଷ୍ଟ କମ୍‌ ଥିବାରୁ ସେମାନଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଚାପ ସହ ଅଧିକ ସମୟ କାମ କରିବାକୁ ପଡିଥାଏ। ସାମାଜିକ ଏବଂ ପାରିବାରିକ ଜୀବନ ମଧ୍ୟ କେତେକ କ୍ଷେତ୍ରରେ ପ୍ରଭାବିତ ହୋଇଥାଏ। ସଂକ୍ରାମକ ରୋଗ ଯେତେ ଯତ୍ନବାନ ହେଲେ ମଧ୍ୟ ସେମାନଙ୍କୁ ଆକ୍ରାନ୍ତ କରିଥାଏ। ଉତ୍ତମ କାର୍ଯ୍ୟଧାରା, ଯୋଗ, ପ୍ରାଣାୟାମ ଦ୍ୱାରା ସେମାନେ ନିଜ ମନକୁ ବିଷାଦଠାରୁ କେତେକାଂଶରେ ଦୂରେଇ ରଖିପାରିବେ। ଅନେକ ସମୟରେ ଡାକ୍ତରୀ ନୈତିକତା ଓ ରୋଗୀର ଗୁପ୍ତ ତଥା ସମ୍ବେଦନଶୀଳ ବିଷୟସବୁକୁ ନିୟମ ଦୃଷ୍ଟିରୁ ଉହ୍ୟ ରଖିବାକୁ ପଡିଥାଏ। କେତେକ ସମୟରେ କିଛି ବ୍ୟକ୍ତିବିଶେଷଙ୍କ ବ୍ୟବହାର ମଧ୍ୟ ଠିକ୍‌ଠାକ୍‌ ନ ଥାଏ। ଏହା ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ ଯେ ଆମ୍ଭେମାନେ ସେମାନଙ୍କର କାର୍ଯ୍ୟକୁ ସମ୍ମାନ ଦେବା ଓ ଉତ୍ତମ ଆଚରଣ ତଥା ବ୍ୟବହାର ପ୍ରଦାନ କରିବା। ଅନ୍ୟପକ୍ଷରେ ନର୍ସମାନେ ମଧ୍ୟ ରୋଗୀ ପ୍ରତି ସମ୍ବେଦନଶୀଳ, ଉତ୍ତମ ବ୍ୟବହାର ଓ ଠିକ୍‌ ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହାଦ୍ୱାରା ରୋଗୀଟିର ଆରୋଗ୍ୟ କମ୍‌ ସମୟ ମଧ୍ୟରେ ହୋଇଥାଏ।

ଡା. ରାମଚନ୍ଦ୍ର ରାଉତ
-ପୂର୍ବତନ ସେବିକା ନିର୍ଦ୍ଦେଶକ, ଓଡ଼ିଶା
ମୋ: ୮୨୪୯୦୮୭୯୯୫


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri