ହେମଦସ୍ତାରେ ପିଟି ଆଈଙ୍କୁ ହତ୍ୟାକଲେ ନାତୁଣୀ

ଭଣ୍ଡାରିପୋଖରୀ,୨୭।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ଗ୍ରାମରେ ଶୁକ୍ରବାର ରାତିରେ ନାତୁଣୀର ହେମଦସ୍ତା ମାଡ଼ରେ ଆଈଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଶଶୀ ଦାସ ନାମ୍ନୀ ବୃଦ୍ଧାଙ୍କ ମୁଣ୍ଡକୁ ୧୬ ବର୍ଷୀୟା ନାତୁଣୀ ଏକ ହେମଦସ୍ତାରେ ଆଘାତ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ବୋହୂ ପୂଜାରାଣୀ ଦାସ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ଏକ ହତ୍ୟା ମାମଲା (ନଂ.୨୬୬/୨୦) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିଲା।
ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ନାବାଳିକାଙ୍କ ଘର କେନ୍ଦ୍ରାପଡ଼ା ଜିଲା ପୁରସ୍ତମପୁର ଗ୍ରାମରେ। ସେ ପ୍ରାୟ ମାସେ ହେଲା ନପଙ୍ଗ ଗ୍ରାମରେ ଆଈ ଶଶୀଙ୍କ ଘରେ ରହୁଥିଲେ। ସେ ମାନସିକ ଅନଗ୍ରସର ଥିବା ଯୋଗୁ ଆଈଙ୍କ ସହ ସବୁବେଳେ ପାଟିଗୋଳ କରୁଥିଲେ। ଶୁକ୍ରବାର ରାତିରେ ଶଶୀଙ୍କ ମୁଣ୍ଡକୁ ପିଟିଦେବା ପରେ ଦାଣ୍ଡରେ ଆସି ଚିତ୍କାର କରି କାନ୍ଦିଥିଲେ। ଗ୍ରାମବାସୀ କାନ୍ଦ ଶୁଣି ଦୌଡ଼ି ଆସି ଶଶୀଙ୍କ ମୃତ୍ୟୁ ଘଟିଥିବା ଦେଖିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ରାତିରେ ଜଣାଇବା ପରେ ଭାରପ୍ରାପ୍ତ ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ଏଏସ୍‌ଆଇ ଅନୁରାଗ ମହାନ୍ତି ଓ ପୋଲିସ କର୍ମଚାରୀ ସେଠାରେ ପହଞ୍ଚି ନାବାଳିକାଙ୍କୁ ଥାନାକୁ ନେଇଯିବା ସହ ଉକ୍ତ ଗ୍ରାମରେ ପୋଲିସ ଜଗାଇଥିଲେ। ଶନିବାର ସକାଳେ ସାଇଣ୍ଟିଫିକ ଟିମ୍‌, ଭଦ୍ରକ ସଦର ଏସ୍‌ଡିପିଓ ସାର୍ଥକ ରାୟ ଏବଂ ପୋଲିସ ପହଞ୍ଚି ତଦନ୍ତ କରିଥିଲେ। ସମ୍ପୃକ୍ତ ନାବାଳିକା ହେମଦସ୍ତା ପୁଆରେ ଆଈ ମୁଣ୍ଡକୁ ପିଟି ମାରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ପୋଲିସ ହେମଦସ୍ତା ପୁଆକୁ ଜବତ କରିଥିବା ବେଳେ ଅପରାହ୍ନରେ ନାବାଳିକାଙ୍କୁ ଭଦ୍ରକ କୋର୍ଟରେ ହାଜର କରାଇଛି।