ବିଶ୍ୱ ଅର୍ଥ ବ୍ୟବସ୍ଥା ଟଳମଳ

ଡ. ସନ୍ତୋଷ କୁମାର ମହାପାତ୍ର

 

ବିଶ୍ୱରେ ରିସେସନ ବା ମାନ୍ଦାବସ୍ଥା ଦେଖାଦେଇଛି ବୋଲି କେହି କହିଲା ବେଳେ ଆଉ କେତେଜଣ କହୁଛନ୍ତି ‘ଟେକ୍ନିକାଲ ରିସେସନ’ ଆଡ଼କୁ ମୁହାଁଉଛି। କିନ୍ତୁ ଏକ ଦେଶ ପାଇଁ ରିସେସନର ପରିଭାଷା ଏବଂ ବିଶ୍ବ ଅର୍ଥନୀତି ଲାଗି ପରିଭାଷା ସମାନ ନୁହେଁ। କୌଣସି ଦେଶରେ ‘ଟେକ୍ନିକାଲ ରିସେସନ’ ଦେଖାଦେଇଛି ବୋଲି କୁହାଯିବ ଯଦି ଲଗାତର ଦୁଇଟି ତ୍ରୟମାସରେ ଜିଡିପି ବିଯୁକ୍ତାତ୍ମକ ହୁଏ। କିନ୍ତୁ ଗ୍ରୋଥ ରିସେସନ ଦେଖାଦେଇଛି ବୋଲି କୁହାଯିବ, ଯେତେବେଳେ ଅର୍ଥନୀତିରେ ସଂଜ୍ଞା ଦୃଷ୍ଟିରୁ ରିସେସନ ନ ଥାଏ; କିନ୍ତୁ ରିସେସନର ଲକ୍ଷଣ ଯଥା ନିବେଶ ବା ଇନଭେଷ୍ଟମେଣ୍ଟ ହ୍ରାସ, ଅଭିବୃଦ୍ଧି ହାର ହ୍ରାସ, ନିଯୁକ୍ତି ସଙ୍କୋଚନ, ବେକାରି ବୃଦ୍ଧି, ଉତ୍ପାଦନ ହ୍ରାସ ତଥା ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ପାଇଥାଏ। ଏହି ତତ୍ତ୍ୱ ନ୍ୟୁୟର୍କ ୟୁନିଭର୍‌ସିଟିର ପ୍ରଫେସର ଅର୍ଥନୀତିଜ୍ଞ ସୋଲେମାନ ଫ୍ୟାବ୍ରିକାଣ୍ଟ ବାହାର କରିଥିଲେ। ଅପରପକ୍ଷରେ ଆର୍ଥିକ ସ୍ଲୋ ଡାଉନ ବା ମନ୍ଥର ଅଭିବୃଦ୍ଧି କହିଲେ ଆର୍ଥିକ ଅଭିବୃଦ୍ଧି ହାର କ୍ରମଶଃ ହ୍ରାସ ପାଇଥାଏ। ଆମେରିକାର ନ୍ୟାଶନାଲ ଇକୋନୋମିକ ରିସର୍ଚ୍ଚ ବ୍ୟୁରୋ ଅନୁସାରେ ଏକ ଅର୍ଥନୀତିରେ ରିସେସନ ଦେଖାଦେଇଛି ବୋଲି କୁହାଯିବ, ଯେତେବେଳେ ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ପାଏ, ଏହା କିଛି ମାସରୁ ଅଧିକ ସମୟ ଧରି ରହିଥାଏ।
ବିଶ୍ୱ ଅର୍ଥନୀତିରେ ରିସେସନର ପରିଭାଷା ସାଧାରଣତଃ ଭିନ୍ନ ହୋଇଥାଏ। ଆଇଏମ୍‌ଏଫ୍‌ ଏବଂ ବିଶ୍ୱ ବ୍ୟାଙ୍କ ଅନୁସାରେ ବିଶ୍ୱ ଅର୍ଥନୀତିରେ ରିସେସନ ଦେଖାଦେଇଛି ବୋଲି କୁହାଯିବ ଯଦି ବିଶ୍ବବାସୀଙ୍କ ହାରାହାରି ଆୟ ହ୍ରାସ ପାଇଥାଏ। ଏହି ସଂଜ୍ଞା ଅନୁସାରେ ବିଶ୍ୱ ଅର୍ଥନୀତିରେ ରିସେସନ ୧୯୭୫, ୧୯୮୨, ୧୯୯୧, ୨୦୦୯ ଓ ୨୦୨୦ ଦେଖାଦେଇଥିଲା। ଆଇଏମ୍‌ଏଫ୍‌ ଜିଡିପି ହ୍ରାସ ବ୍ୟତୀତ ଅତିରିକ୍ତ କାରଣଗୁଡିକ ଦେଖେ। ସେଗୁଡ଼ିକ ହେଉଛି ବାଣିଜ୍ୟ, ପୁଞ୍ଜି ପ୍ରବାହ, ଶିଳ୍ପ ଉତ୍ପାଦନ, ତୈଳ ବ୍ୟବହାର, ମୁଣ୍ଡପିଛା ବିନିଯୋଗ ଏବଂ ମୁଣ୍ଡପିଛା ବ୍ୟୟ ହ୍ରାସ ପାଇବା ଏବଂ ବେକାରି ହାର ବୃଦ୍ଧି ପାଇବା। ସେହିପରି ଏକ ଦେଶର ଅର୍ଥନୀତିରେ ଡିପ୍ରେସନ ଦେଖାଦେଇଛି ବୋଲି କୁହାଯିବ, ଯଦି ଅଭିବୃଦ୍ଧି ଲଗାତର ଭାବେ ୩ବର୍ଷ ଧରି ବିଯୁକ୍ତାତ୍ମକ ହୁଏ ବା ଜିଡିପି ଏକ ବର୍ଷରେ ୧୦%ରୁ ଊର୍ଦ୍ଧ୍ୱ ହ୍ରାସ ପାଏ ବା ବେକାରି ହାର ୨୫% ବା ତାହାଠାରୁ ଅଧିକ ହୋଇଥାଏ।
କିନ୍ତୁ ବାସ୍ତବରେ ଭାରତ ସମେତ କିଛି ବୃହତ୍‌ ଅର୍ଥନୀତିରେ ଭୟାନକ ସ୍ଥାଣୁତ୍ୱଯୁକ୍ତ ମୁଦ୍ରାସ୍ଫୀତି (ଷ୍ଟାଗଫ୍ଲେସନ) ବା ରିସେସନ-ମୁଦ୍ରାସ୍ଫୀତି ଦେଖାଦେବା ସହିତ ବିଶ୍ବ ଅର୍ଥନୀତି ସାମଗ୍ରିକ ଭାବେ ଭୟଙ୍କର ଏବଂ ଭୟାନକ ସ୍ଥାଣୁତ୍ୱଯୁକ୍ତ ମୁଦ୍ରାସ୍ଫୀତି ଆଡକୁ ମୁହାଁଇଛି। ସାଧାରଣତଃ ମୁଦ୍ରାସ୍ଫୀତି ସହିତ ଅଧିକ ଅଭିବୃଦ୍ଧି, ନିଯୁକ୍ତି ଜଡିତ ରହିଛି , କିନ୍ତୁ ଷ୍ଟାଗଫ୍ଲେସନ ହେଉଛି ଅର୍ଥନୀତିର ସ୍ଥାଣୁତା ଏବଂ ମୁଦ୍ରାସ୍ଫୀତିର ମିଶ୍ରଣ। ଗୋଟିଏ ପଟେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଲା ବେଳେ ଅପରପଟେ ଆର୍ଥିକ ଅଭିବୃଦ୍ଧି ହ୍ରାସ ଘଟେ, ବେରୋଜଗାରି ବୃଦ୍ଧି ପାଏ। ମୁଦ୍ରାସ୍ଫୀତି ୨ରୁ ୪% ଅର୍ଥନୀତି ପାଇଁ ଭଲ, କିନ୍ତୁ ଅଧିକ ହେଲେ, ତାହା ଖରାପ, ହାନିକାରକ। ମୁଦ୍ରାସ୍ଫୀତିର ନିୟନ୍ତ୍ରଣ ପାଇଁ କିଛି ପ୍ରମୁଖ ପଦକ୍ଷେପ ମଧ୍ୟରୁ ସୁଧହାର ବୃଦ୍ଧି ଅନ୍ୟତମ। କାରଣ ସୁଧହାର ବୃଦ୍ଧି ଋଣ ପରିବ୍ୟୟକୁ ଅଧିକ ବ୍ୟୟସାପେକ୍ଷ କରି ଲୋକଙ୍କ କ୍ରୟଶକ୍ତି, ବିଭିନ୍ନ ଦ୍ରବ୍ୟ ଓ ସେବାର ଚାହିଦା ହ୍ରାସ କରିବା ସହ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିଥାଏ। କିନ୍ତୁ ଏହାର କୁପ୍ରଭାବ ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତି ଉପରେ ପଡେ। ଏଣୁ ଷ୍ଟାଗଫ୍ଲେସନ ବହୁତ ଭୟଙ୍କର।
ନିକଟରେ ବିଶ୍ୱ ବ୍ୟାଙ୍କର ସର୍ବଶେଷ ଗ୍ଲୋବାଲ ଇକୋନୋମିକ ପ୍ରସପେକ୍ଟସ ରିପୋର୍ଟ – ଯାହା ବିଶ୍ୱର ଆର୍ଥିକ ସ୍ଥିତି ସମ୍ପର୍କରେ ତଥ୍ୟ ପ୍ରଦାନ କରେ – ଅନୁଯାୟୀ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ୨୦୨୨ରେ ୫.୭% ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା ବେଳେ ବର୍ତ୍ତମାନ ୨.୨୨%କୁ ହ୍ରାସ ପାଇବ ବୋଲି ଚେତାବନୀ ଦେଇଛି। ତାହାର ମୁଖ୍ୟ କାରଣ ହେଲା ଯେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ, କରୋନା ମହାମାରୀର ଆର୍ଥିକ ପ୍ରଭାବକୁ ଆହୁରି ଭୟଙ୍କର କରିଛି। ବିଶ୍ବ ଅର୍ଥନୀତିରେ ରିସେସନ ବା ମାନ୍ଦାବସ୍ଥା ଦେଖାଦେଇଛି ଏବଂ ଆଗାମୀ ଦିନରେ ଏହା ୧୯୭୦ ଦଶକ ପରି ଭୟଙ୍କର ଷ୍ଟାଗଫ୍ଲେସନ ରୂପ ନେବାକୁ ଯାଉଛି। ବିଶ୍ବର ଆମେରିକା ସହିତ ସବୁ ବୃହତ୍‌ ଅର୍ଥନୀତିରେ ମୁଦ୍ରାସ୍ଫୀତି ଭୟାନକ ଭାବେ ଅଧିକ ଥିଲାବେଳେ, ସେହିସବୁ ଦେଶ ସୁଧହାର ବୃଦ୍ଧି କରୁଛନ୍ତି। ଆମେରିକା ମାର୍ଚ୍ଚ ମାସରେ ସୁଧହାର ୦.୨୫% ଓ ମେ ମାସରେ ୦.୫ ବୃଦ୍ଧି କରିବା ଯୋଗୁଁ ଭାରତ ସମେତ ଅନ୍ୟ ଦେଶ ସୁଧହାର ବୃଦ୍ଧି କରିଛନ୍ତି। ବାସ୍ତବରେ ବିଶ୍ବରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଲା ନିଜେ ସରକାର ତାଙ୍କର ଓ କର୍ପୋରେଟଙ୍କ ସୁଧ ଜନିତ ପରିବ୍ୟୟକୁ ଅତ୍ୟଧିକ ନିମ୍ନ ରଖିବା, କମ୍ପାନୀ ଓ ବ୍ୟବସାୟୀଙ୍କ ସ୍ବାର୍ଥ ପାଇଁ ମହାମାରୀ ସମୟରେ ବଜାରରେ ଅଧିକ ମୁଦ୍ରା ଯୋଗାଣ କରିବା, ଧନୀମାନେ ଅତ୍ୟଧିକ କଳା ଟଙ୍କା ବ୍ୟୟକରି ବିଭିନ୍ନ ଦ୍ରବ୍ୟ ଓ ସେବା ଅତ୍ୟଧିକ ମାତ୍ରାରେ କ୍ରୟ କରିବା ଯୋଗୁ ଭୟଙ୍କର ମୁଦ୍ରାସ୍ଫୀତି ଦେଖାଦେଇଛି।
ଭାରତରେ ସ୍ଥିତି ଅତ୍ୟନ୍ତ ଭୟଙ୍କର। ଅର୍ଥନୀତି ଭୟଙ୍କର ବିପର୍ଯ୍ୟୟ ଆଡକୁ ଗତି କରୁଛି ଏବଂ ଭୟାନକ ଷ୍ଟାଗଫ୍ଲେସନ ଦେଖାଦେଇଛି। ବେକାରି ହାର ୨୦୨୨ ଏପ୍ରିଲରେ ୭.୮୩% ରହିଛି। ଏପ୍ରିଲରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି (ଉପଭୋକ୍ତା ମୁଦ୍ରାସ୍ଫୀତି) ସର୍ବାଧିକ ୭.୭୯ % କୁ ବୃଦ୍ଧି ପାଇଛି; ଯାହା ଗତ ୮ ବର୍ଷରେ ସର୍ବାଧିକ। ମେ ୨୦୧୪ରେ ୮.୩୩% ଥିଲା। କ୍ରମାଗତ ଚତୁର୍ଥ ମାସ ଧରି ଏହି ମୁଦ୍ରାସ୍ଫୀତି ୬%ରୁ ଅଧିକ ରହିଛି। ଏପ୍ରିଲ ୨୦୨୨ରେ ଭାରତରେ ପାଇକାରୀ ମୂଲ୍ୟ ମୁଦ୍ରାସ୍ଫୀତି ୧୫.୦୮%ରେ ପହଞ୍ଚିଛି, ଯାହା ରେକର୍ଡ ସର୍ବାଧିକ। ଖାଦ୍ୟ ମୁଦ୍ରାସ୍ଫୀତି ୮.୮୮% ରହିଛି। ବେକାରି ହାର ମେ’ରେ ୭.୧୨ % ରହିଛି। ବର୍ତ୍ତମାନ ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ବାହାରେ ରହିଛି। ଗତ କିଛି ବର୍ଷ ମଧ୍ୟରେ ସରକାରୀ ଋଣ -ଜିଡିପି ଅନୁପାତ ବୃଦ୍ଧି ପାଉଛି। ୨୦୧୯-୨୦ରେ ଏହା ୭୨.୨% ଥିଲାବେଳେ ବର୍ତ୍ତମାନ ୯୦% ଅତିକ୍ରମ କଲାଣି। ୨୦୨୦-୨୧ରେ ବାଣିଜ୍ୟ ନିଅଣ୍ଟ ଯାହା ୧୦୨.୬୩ ବିଲିୟନ ଡଲାର୍‌ ଥିଲା, ତାହା ୨୦୨୧-୨୨ରେ ୧୯୨.୨୪ ବିଲିୟନ ଡଲାରରେ ପହଞ୍ଚିଛି। ଭାରତୀୟ ମୁଦ୍ରା ଖରାପ ପ୍ରଦର୍ଶନକାରୀ ମୁଦ୍ରା ଭାବରେ ପରିଗଣିତ ହୋଇଛି ଓ ରେକର୍ଡ ନିମ୍ନ ଛୁଇଁଛି। ୨୦୨୨ ମେ ୯ରେ ଟଙ୍କାର ମୂଲ୍ୟ ପ୍ରତି ଡଲାର ତୁଳନାରେ ୭୭.୦୫ ଟଙ୍କାକୁ ହ୍ରାସ ପାଇଥିଲା; ଯାହା ସର୍ବକାଳୀନ ନିମ୍ନ ଥିଲା। ପୁଣି ଜୁନ୍‌ ୭ରେ ଏହା ସର୍ବକାଳୀନ ନିମ୍ନ ୭୭.୭୭ ଟଙ୍କାରେ ପହଞ୍ଚିଛି। ନିବେଶକମାନେ ୨୦୨୧-୨୨ରେ ଭାରତୀୟ ଇକ୍ୱିଟି/ଅଂଶଧନ ଏବଂ ଋଣ ବଜାରରୁ ୧.୨୨ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଦାରିଦ୍ର୍ୟ, କ୍ଷୁଧା ଓ ବୈଷମ୍ୟ ବୃଦ୍ଧି ପାଉଛି।
skmohapatra67@gmail.com
ମୋ-୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri