ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍ଏମ୍ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନରେ ଅବହେଳା କରାଯାଇଛି। ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ପୁଣି ଥରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ନିର୍ଦ୍ଦେଶ ଅନୁପାଳନ ନ ହେବାରୁ ହାଇକୋର୍ଟଙ୍କ ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସର ଏକ ସତ୍ୟପାଠ ଦାଖଲ କରି ସମ୍ପୃକ୍ତ ବିଭାଗ ଚୁପ୍ ହୋଇ ବସିଯାଇଥିଲା। ଅପରପକ୍ଷରେ ହାଇକୋର୍ଟଙ୍କ ଉକ୍ତ ଆଦେଶ କାର୍ଯ୍ୟକାରୀ ନ ହେବାରୁ ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ପାଢ଼ୀଙ୍କ ପକ୍ଷରୁ ଦାଖଲ କୋର୍ଟ ଅବମାନନା ପିଟିସନ(ସଂଖ୍ୟା ୮୬୭/୨୦୨୬)ର ଶୁଣାଣି କରି ଜଷ୍ଟିସ ଆର.କେ. ପଟ୍ଟନାୟକଙ୍କ ଏକକ ଖଣ୍ଡପୀଠ ପୂର୍ବରୁ ଦିଆଯାଇଥିବା କାରଣ ଦର୍ଶାଅ, ସତ୍ୟପାଠକୁ ଅଗ୍ରାହ୍ୟ କରି ଦେଇଥିଲେ। ଜଷ୍ଟିସ୍ ପଟ୍ଟନାୟକ ଏସ୍ଏମ୍ସି ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶନ ପରେ ହୋଇଥିବା ଅଗ୍ରଗତି ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ, ସ୍ଥିତ (ଷ୍ଟଟସ୍ ରିପୋର୍ଟ) ଦାଖଲ କରିବାକୁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କୁ ପ୍ରଦତ୍ତ ପୂର୍ବ ଆଦେଶର ସମ୍ପୂର୍ଣ୍ଣ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ୨୦୧୩ ନଭେମ୍ବର ୧୫ ତାରିଖରେ ତତ୍କାଳୀନ ସରକାର ୧୮୬୭ ମସିହାରୁ ସମୃଦ୍ଧ ଇତିହାସ ବହନ କରୁଥିବା ୨୧ ୱାର୍ଡ ବିଶିଷ୍ଟ ପୁରୁଣା ସମ୍ବଲପୁର ପୌର ପରିଷଦ, ବୁର୍ଲା ଓ ହୀରାକୁଦ ଏନ୍ଏସି ସମେତ ଧନକଉଡ଼ା ଓ ମାନେଶ୍ୱର ବ୍ଲକର ମୋଟ ୧୨ ପଞ୍ଚାୟତକୁ ମିଶାଇ ୪୧ ୱାର୍ଡ ବିଶିଷ୍ଟ ଏସ୍ଏମ୍ସି ଘୋଷଣା କରିଥିଲେ। ମାତ୍ର ସେହି ଦିନଠାରୁ ଆଜକୁ ପ୍ରାୟ ୧୨ ବର୍ଷ ବିତିଯାଇଥିଲେ ହେଁ ଏଠାରେ ନିର୍ବାଚନ ହୋଇପାରିନାହିଁ। ଫଳରେ ନିଗମ ଗଠନ କେବଳ କାଗଜପତ୍ରରେ ସୀମିତ ରହିଥିବା ବେଳେ ସାଧାରଣଜନତା ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ବଞ୍ଚତ୍ତ ହେଉଛନ୍ତି। ତେବେ ରାଜ୍ୟ ସରକାର ଜାଣିଶୁଣି ଏସ୍ଏମ୍ସି ନିର୍ବାଚନ କରାଉ ନାହାନ୍ତି ବୋଲି ଆବେଦନକାରୀ ପାଢ଼ୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ହାଇକୋର୍ଟରେ ସମ୍ବଲପୁର ୱାର୍ଡ ସଂରକ୍ଷଣକୁ ନେଇ ୨୦୧୫ରୁ ଚାଲିଥିବା ମାମଲାକୁ ହାଇକୋର୍ଟ ୨୦୨୫ ସେପ୍ଟେମ୍ବର ୩ରେ ଫଏସଲା କରିବା ସହ ରାଜ୍ୟ ସରକାରଙ୍କୁ ୬ ସପ୍ତାହ ଭିତରେ ବିଜ୍ଞପ୍ତି ପ୍ରକାଶ କରିବାକୁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଉଦ୍ଦେଶ୍ୟମୂଳକ ଭାବେ ହେଳା କରାଯାଉଛି।

