ଧର୍ମର ପୋଷାକ

ସହଦେବ ସାହୁ

 

ସ୍ତନ୍ୟପାୟୀ ପ୍ରାଣୀ ଭୟାଳୁ, ତେଣୁ ନିରାପଦ ସ୍ଥାନ ଖୋଜି ପିଲା ଜନ୍ମ କରାଏ ଓ ପିଲା ସ୍ବୟଂସମ୍ପନ୍ନ ହେବାଯାଏ, ନିଜେ ଖାଦ୍ୟ ସଂଗ୍ରହ କରିପାରିବା ଯାଏ ମାଆ ପାଖରେ ରହେ। ସ୍ତନ୍ୟପାୟୀମାନଙ୍କ ମଧ୍ୟରେ ମସ୍ତିଷ୍କର ସର୍ବାଧିକ ବିକାଶ ଘଟିଲା ମଣିଷର। ଖାଦ୍ୟାନ୍ବେଷଣରେ ମଣିଷ ଦୂର ଦୂରାନ୍ତକୁ ଯିବାକୁ ବାଧ୍ୟ ହେଲା ତ ପ୍ରାକୃତିକ ଗୁମ୍ଫା ଛାଡ଼ି ସେ କୃତ୍ରିମ ଘର ତିଆରି କଲା। ବାହାରକୁ ଗଲେ ଖରା-ତରା-ଶୀତକୁ ସମ୍ଭାଳିବା ପାଇଁ ଦେହକୁ ଆବୃତ କଲା। ଆବୃତ କରିବାର ଢଙ୍ଗ ଓ ବସ୍ତୁର ଜାତିବାଚକ ଶବ୍ଦ ହେଲା ପୋଷାକ। ପତ୍ର କି ବଳ୍କଳ ପିନ୍ଧିଥିବା ମଣିଷ ଯାଯାବର ଥିଲା। ପରେ ସଂଖ୍ୟାବୃଦ୍ଧି ଗୋଠ ବା ସମ୍ପ୍ରଦାୟ ତିଆରି କଲା ଓ ସେମାନେ ନଦୀ ବା ହ୍ରଦ କୂଳରେ ବସତି ସ୍ଥାପନ କଲେ, କାରଣ ତାହା ଖାଦ୍ୟ ଓ ପାନୀୟ ଯୋଗାଇଲା, ନଦୀକୂଳର ଘାସଜାତୀୟ ଶସ୍ୟ ପ୍ରାକୃତିକ ଉପାୟରେ କିପରି ବଢ଼େ ଦେଖି କୃଷି କର୍ମ ଆରମ୍ଭ କରିଦେଲା। ପରିବେଶ ଓ ଜଳବାୟୁ ଅନୁକୂଳ ହେଲେ ପ୍ରଚୁର ଖାଦ୍ୟ ମିଳିଲା ତ ଅନ୍ତରାୟ ହେଲେ ଖାଦ୍ୟାଭାବ ଖୁବ୍‌ କଷ୍ଟ ଦେଲା। ସେମାନେ ଭାବିନେଲେ ପ୍ରକୃତି ବା ପରିବେଶକୁ କେହି ଅଜଣା ଶକ୍ତି ନିୟନ୍ତ୍ରିତ କରୁଛି। ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନେ ପ୍ରାର୍ଥନା କରିବା ଅଭ୍ୟାସରେ ପକାଇଲେ। ଯାହାକୁ ମନେମନେ ପ୍ରାର୍ଥନା କଲେ ସେମାନେ ପୂଜ୍ୟ ହୋଇଗଲେ। ଅନୁକୂଳ ପରିସ୍ଥିତି କେବେ କେବେ ଆସେ ଓ କେଉଁ କେଉଁ ପ୍ରାକୃତିକ ଶକ୍ତି ତାକୁ ନିୟନ୍ତ୍ରଣ କରେ ବୋଲି ଯେଉଁମାନେ ସେମାନଙ୍କ ପର୍ଯ୍ୟବେକ୍ଷଣ ଦ୍ୱାରା ଅନୁମାନ କଲେ ସେମାନେ ପୂଜକ ବନିଗଲେ ଓ ପୂଜାର ସମୟ ସ୍ଥିର କରି କୃଷିକର୍ମରେ ସାହାଯ୍ୟ କଲେ। କାଳକ୍ରମେ ପ୍ରକୃତି ଓ ପରିବେଶର ନିୟନ୍ତ୍ରକକୁ ଗୋଟି ଗୋଟି କରି ଚିହ୍ନଟ କରି କୃଷିକର୍ମରେ ସ୍ଥିର ହୋଇ ରହିଥିବା ସ୍ଥାନରେ ସେହି ଶକ୍ତିର ଏକ ସନ୍ତକ ରଖି ପୂଜା କଲେ। ଦେବାଳୟର ସୃଷ୍ଟି ହେଲା, ସେହି ସ୍ଥାନରେ ମିଳୁଥିବା ଦ୍ରବ୍ୟକୁ ସମର୍ପଣ କରାଗଲା, ତେଣୁ ସ୍ଥାନ ଭେଦରେ ଦେବାଳୟଗୁଡ଼ିକରେ ଭୋଗର ସ୍ବରୂପ ବଦଳିଲା ଏବଂ ସ୍ଥାନୀୟ ପୋଷାକ ହିଁ ଦେବାଳୟ ପ୍ରବେଶର ଅନୁମତିସୂଚକ ହୋଇଗଲା। ବାହାରର ଭିନ୍ନ ପୋଷାକପିନ୍ଧା ଲୋକକୁ ବାସନ୍ଦ କରାଗଲା। ଦେବତାମାନେ ଚାରିକାନ୍ଥ ଭିତରେ ବନ୍ଧାହୋଇ ରହିଗଲେ। ଦେବତାଙ୍କୁ ସ୍ଥାନୀୟ ନାମ ଦିଆଗଲା। ଏସବୁ କହିବାର ଅର୍ଥ ଧର୍ମ ଓ ପୋଷାକ ଆରମ୍ଭରୁ ଆଞ୍ଚଳିକ, ତେଣୁ ବିଭିନ୍ନ ଅଞ୍ଚଳର ଲୋକଙ୍କ ପୋଷାକ ବିଭିନ୍ନ। କୌଣସି ଏକ ଅଞ୍ଚଳର ଦେବାଳୟର ପୂଜକମାନେ ସେହି ଅଞ୍ଚଳର ପୋଷାକକୁ ସମ୍ପୃକ୍ତ ମନ୍ଦିରରେ ପ୍ରବେଶ ପାଇଁ ଲାଗୁ କରିଦେଲେ। ସ୍କୁଲ ୟୁନିଫର୍ମ ବା କମ୍ପାନୀ ୟୁନିଫର୍ମ ଯେପରି ସ୍କୁଲ ଓ କମ୍ପାନୀ ପରିସରରେ ପ୍ରବେଶର ପରିଚୟପତ୍ର (ଏଣ୍ଟ୍ରି କାର୍ଡ)ା ପ୍ରତି ଦେବାଳୟ ପାଇଁ ଗୋଟିଏ ଗୋଟିଏ ପୋଷାକ ବରାଦ କରିବା ମାନେ ପ୍ରତି ଦେବାଳୟ ନିକଟରେ ସ୍ବତନ୍ତ୍ର ପୋଷାକର ଗୋଦାମ/ବିକ୍ରିକେନ୍ଦ୍ର ଖୋଲାଯିବା ଉଚିତ।
ଗୋଟିଏ ଗୋଟିଏ ଦେଶରେ ବି ବିଭିନ୍ନ ଅଞ୍ଚଳରେ ଆଞ୍ଚଳିକ ପୋଷାକକୁ ପୂଜକମାନେ ଧର୍ମର ଅଙ୍ଗ କରିବାର କାରଣ ଭୌଗୋଳିକ ବୋଲି ଆମେ ଜାଣୁ। ପ୍ରବଳ ଗରମରେ ଝାଳ ଗନ୍ଧକୁ ଏଡ଼ାଇବା ପାଇଁ ଦକ୍ଷିଣ ଭାରତୀୟମାନେ ଚନ୍ଦନ ଲେପ ବ୍ୟବହାର କଲେ, ତା’ ହିନ୍ଦୁ ପୂଜକମାନଙ୍କ ସନ୍ତକ ହୋଇଗଲା; ଝାଳ ଶୁଖିବା ପାଇଁ ଛାତି ଫୁଙ୍ଗୁଳା କରିବା ବା ଗାମୁଛା ଭଳି ହାଲୁକା ବସ୍ତ୍ର ଗୁଡ଼ାଇ ହୋଇ ପୂଜାସ୍ଥାନକୁ ଯିବାକୁ ପଡ଼ିଲା । ଆଲାସ୍କା ବା ଗ୍ରୀନ୍‌୍‌ଲାଣ୍ଡ ଭଳି ପ୍ରବଳ ଥଣ୍ଡା ସ୍ଥାନରେ (ଏପରି କି ହିମାଳୟରେ) ଫୁଙ୍ଗୁଳା ଛାତିରେ ପୂଜା ପାଠ କରିହେବ କି? ଛାତିରେ ଫ୍ରଷ୍ଟ-ବାଇଟ୍‌ ହେଲେ ସେ ବଞ୍ଚିବ ଯେ ଆଉ ପୁରୋହିତଗିରି କରିବ? ଆଲାସ୍କା ବା ମଙ୍ଗୋଲିଆରେ ମସ୍‌ଜିଦରେ ଅଜାନ ପଢ଼ିବା ପାଇଁ ଆରବୀ ପୋଷାକ ପିନ୍ଧି (ସାମାନ୍ୟ ପବନରେ ଉଡ଼ୁଥିବା ଲୁଙ୍ଗି ପିନ୍ଧି, ଖରାରୁ ରକ୍ଷାକରୁଥିବା ପତଳା ଧଳା ଟୋପିଟିଏ ମୁଣ୍ଡରେ ଦେଇ) ମୁଲ୍ଲା କ’ଣ ମସ୍‌ଜିଦର ମୀନାର ଉପରକୁ ଉଠିବ? ଆମ ଦେଶର ଦକ୍ଷିଣ ପ୍ରଦେଶଗୁଡ଼ିକରେ, ବିଶେଷତଃ କନ୍ୟାକୁମାରୀ ପାଖ ଅଞ୍ଚଳରେ, ଲୋକେ ତ ଧୋତିକୁ ଲୁଙ୍ଗି ଭଳି ପିନ୍ଧନ୍ତି! କାରଣ ପବନ ଯା’ ଆସ କରିପାରୁଥିବା ଢିଲା ପୋଷାକ ଝାଳକୁ ଉଡ଼ାଇଦେବ ତ ଦେହ ଥଣ୍ଡା ରହିବ! ପ୍ରବେଶ ପାଇଁ କନ୍ୟାକୁମାରୀର ସୂଚୀନ୍ଦ୍ରମ ମନ୍ଦିରରେ ଭଡ଼ାରେ ମନ୍ଦିର ଭଣ୍ଡାରରୁ ଲୁଙ୍ଗି ଓ ଗଞ୍ଜି ପିନ୍ଧିବାଠାରୁ ହିମାଳୟର କେଦାରନାଥଠାରେ ବହୁ ପରସ୍ତ ଗରମ ପୋଷାକ ଦୁଇ ତିନି ଦିନର ଅଗାଧୁଆ ଦେହରେ ପିନ୍ଧିବା ଯାଏ ପ୍ରଥା ଚାଲିଆସିଛି।
ଆରମ୍ଭରେ ଆଞ୍ଚଳିକ ଜଳବାୟୁର ଅନୁକୂଳ ହୋଇଥିବା ପୋଷାକ ଏବେ ସାରା ପୃଥିବୀର ଶ୍ରଦ୍ଧାଳୁମାନଙ୍କ ପ୍ରତି ଲାଗୁ ହେଉ ବୋଲି ଶ୍ରୀମନ୍ଦିରର ସେବାୟତମାନେ ଚାହୁଁଛନ୍ତି। ଆନ୍ଧ୍ର ପ୍ରଦେଶର ତିରୁପତି ମନ୍ଦିରରେ ଏମିତି ପୋଷାକ ସଂହିତା (ଡ୍ରେସ୍‌ କୋଡ୍‌) ନାହିଁ – ପ୍ରଦର୍ଶନମୂଳକ ପୋଷାକ, ମନର ଭକ୍ତି ଅପେକ୍ଷା ଶରୀରର ଅଙ୍ଗ ପ୍ରଦର୍ଶନ ଯାହାର ଉଦ୍ଦେଶ୍ୟ ତାହା ବାରଣ-ତାଲିକାରେ ଅଛି, କିନ୍ତୁ ଲୋକଙ୍କ ଛି ଛାକର ଏହାକୁ ନିୟନ୍ତ୍ରଣ କରେ, ସେବାୟତମାନଙ୍କ ଦ୍ୱାରା ପ୍ରବର୍ତ୍ତିତ ଡ୍ରେସ୍‌ କୋଡ୍‌ ନୁହେଁ। ଗୋଟିଏ କମ୍ପାନୀ ବା ଗୋଟିଏ ସ୍କୁଲର ୟୁନିଫର୍ମ ସୀମିତ ଓ ସ୍ଥାନୀୟ (ଆଞ୍ଚଳିକ)- ସେପରି ପୋଷାକ ଲାଗୁ କରିବା ଏକ କ୍ଷୁଦ୍ର ପରିସରରେ ସୀମିତ, ଶ୍ରୀମନ୍ଦିର ଭଳି ବିଶ୍ୱପ୍ରସିଦ୍ଧ ଦେବାଳୟରେ ଯେଉଁଠିକୁ ପୃଥିବୀର ବିଭିନ୍ନ ଦେଶରୁ ଶ୍ରଦ୍ଧାଳୁମାନେ ଆସନ୍ତି ସେମାନଙ୍କୁ ଅଡୁଆରେ ପକାଇବ। ଆରବ ମରୁଭୂମି, ମଙ୍ଗୋଲିଆ ବା ସାଇବେରିଆ ବା ଇଣ୍ଡୋନେସିଆର ବାଲି ଦ୍ୱୀପରୁ ଆସୁଥିବା ଭକ୍ତଙ୍କ ପାଇଁ କ’ଣ ବାରଣ କରିବା ନା ପୋଷାକ ଯୋଗାଇବାର ଗୋଦାମ ତିଆରି କରିବା। ସେ ତ ଜଗତରନାଥ, କେବଳ ପୁରୀ ବା ଓଡ଼ିଶାର ନାଥ ନୁହନ୍ତି। ପୋଷାକ ଭିିତରେ ବାରଣ ଜଗନ୍ନାଥ ସଂସ୍କୃତିର ପରିଚୟ ନୁହେଁ।
ପ୍ରାଚୀନ କାଳରେ ଭୌଗୋଳିକ ପ୍ରତିବନ୍ଧକ ଯୋଗୁ ବିଭିନ୍ନ ଅଞ୍ଚଳ ମଧ୍ୟରେ ପରସ୍ପର ସମ୍ପର୍କ ନ ଥିଲା, ଧର୍ମପ୍ରବର୍ତ୍ତକମାନେ ନିଜ ଆଖିଆଗରେ ଥିବା ଲୋକଙ୍କ ବେଶଭୂଷାକୁ ଧର୍ମର ଚିହ୍ନ ରୂପେ ଗ୍ରହଣ କରିନେଇଥିଲେ, ନୂଆ ଆଚରଣବିଧି ସହ ଏକାପ୍ରକାରର ପୋଷାକ ଲାଗୁ କରିବା ଆଞ୍ଚଳିକ ଶୃଙ୍ଖଳା ଆଣିବାର ଉପାୟ ଥିଲା। ନିଜ ଜ୍ଞାନର ବାହାରେ ଯେ ଅନେକ ସ୍ଥାନ ଅଛି ଓ ସେଠାରେ ଭିନ୍ନ ପ୍ରକାରର ଧର୍ମ ଥିବ ତାହା ପ୍ରାଚୀନକାଳର ଧର୍ମପ୍ରଚାରକ ଜାଣି ନ ଥିଲେ। ନିଜ ଦୃଷ୍ଟିର ଦିଗ୍‌ବଳୟ ଭିତରେ ଥିବା ସମାଜରେ ଥିବା ଦୁଃଖ ଓ ହତାଶଭାବକୁ ସହନୀୟ କରିବା ଲାଗି ଅବତାରୀ ପୁରୁଷମାନେ ଧର୍ମ ବା ଆଚରଣବିଧି ପ୍ରବର୍ତ୍ତନ କରିଥାନ୍ତି।
ପୋଷାକ ଧାରଣ ବା ଅନୁକରଣ ଆନୁଗତ୍ୟର ଉତ୍ତମ ପ୍ରମାଣ, ତେଣୁ ରାଜା ଓ ମହାରାଜାମାନେ ନୂତନ ଅଞ୍ଚଳକୁ ଅଧିକାର କଲେ ସେଠାକାର ଲୋକମାନଙ୍କ ଉପରେ ନିଜ ମୂଳ ରାଜ୍ୟର ପୋଷାକ ଢାଞ୍ଚା ଲଦି ଦିଅନ୍ତିି। ମୁସଲମାନ ମହିଳା ବୁର୍ଖା ପିନ୍ଧିବା ବା ଶିଖ୍‌ ପୁରୁଷ ପଗଡ଼ି ବାନ୍ଧିବା ଉପରେ ପାଶ୍ଚାତ୍ୟ ସରକାରମାନେ ନିରାପତ୍ତା ଦୃଷ୍ଟିରୁ କିଛି କଟକଣା ଜାରି କଲେ ତା’ ଧର୍ମବିରୋଧୀ ବୋଲି ସମ୍ପୃକ୍ତ ସମ୍ପ୍ରଦାୟର ଲୋକେ ପ୍ରତିବାଦ କରନ୍ତି। ଧର୍ମର ଉପତ୍ତ୍ତି ସ୍ଥଳର ପୋଷାକପତ୍ର ଧର୍ମର ଚିହ୍ନଟ ବୋଲି କହିବା ପୃଥିବୀର ଜଳବାୟୁର ବିଭିନ୍ନତାକୁ ଭୁଲିଯିବା ସାଙ୍ଗେ ସମାନ। ବଦମାସ୍‌ ଯେପରି ପୋଲିସ୍‌ ପୋଷାକରେ ପୋଲିସକୁ ଠକେ, ଭକ୍ତର ପୋଷାକ ଲାଗୁହେଲେ ଭକ୍ତିହୀନ ଅପରାଧ-ମନୋଭାବ ଥିବା ଲୋକେ ବି ଦେବାଳୟରେ ପ୍ରବେଶ କରିପାରିବେ – ଭକ୍ତି ନୁହେଁ ପୋଷାକ ହିଁ ପିନ୍ଧାଳିର ଭକ୍ତି ସୂଚାଇବ। ସବୁଠୁ ବଡ଼ ଅସୁବିଧା ହେବ ଯେ ଅର୍ଦ୍ଧଲକ୍ଷ ଯାଏ ପୋଷାକ ପ୍ରସ୍ତୁତ କରିବା, ମହଜୁଦ କରି ରଖିବାର ଗୋଦାମ ଗଢ଼ିବା ଓ ବଣ୍ଟନ କରିବାର ଆବଶ୍ୟକ କର୍ମଚାରୀ ଯୋଗାଇବା- ଏଥିପାଇଁ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ପ୍ରସ୍ତୁତ ତ!
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri