ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ କଳ୍ପିତ ବିଶ୍ୱକୁ ମନେରଖିଥିବେ। ପାଶ୍ଚାତ୍ୟ ଦେଶର ଲୋକମାନେ ଭାବୁଥିଲେ ଯେ ସେମାନେ ସେହି ମୁକ୍ତ ବିଶ୍ୱରେ ରହୁଛନ୍ତି ଏବଂ ପୂର୍ବ ୟୁରୋପୀୟ, ରୁଷୀୟ ଓ ଚାଇନାମାନେ ବିନା ସ୍ବାଧୀନତାରେ ପୃଥକ୍‌ ଭାବେ କମ୍ୟୁନିଷ୍ଟ ଦୁନିଆରେ ବାସ କରୁଛନ୍ତି। ଏହା ଆଂଶିକ ସତ୍ୟ ଥିଲା, କାରଣ ସେଠାରେ କଟକଣା ଥିଲେ ବି କମ୍ୟୁନିଷ୍ଟ ଦୁନିଆ ବାହାରେ ଏକ ପ୍ରକାର ସ୍ବାଧୀନତା ମଧ୍ୟ ଥିଲା। ଶେଷରେ ମୁକ୍ତ ବିଶ୍ୱରେ ଶାହଙ୍କ ଇରାନ, ଅଗଷ୍ଟୋ ପିନୋଚେଟ୍‌ଙ୍କ ଚିଲି ଏବଂ ଫ୍ରାନ୍ସିସ୍କୋ ଫ୍ରାଙ୍କୋଙ୍କ ସ୍ପେନ୍‌ ରହିଥିଲା। ଏହି ଦେଶଗୁଡ଼ିକ ଆଦୌ ମୁକ୍ତ ନ ଥିଲେ, ତଥାପି ସେମାନେ କମ୍ୟୁନିଷ୍ଟ ବିରୋଧୀ ହୋଇଥିବାରୁ ସେମାନଙ୍କୁ ଏହି ଗୋଷ୍ଠୀର ସଦସ୍ୟତା ଦିଆଯାଇଥିଲା। ଅନ୍ୟପଟେ ଏହି ଗୋଷ୍ଠୀର ନେତୃତ୍ୱରେ ଥିବା ଆମେରିକା ନିଜକୁ ସ୍ବାଧୀନ ବୋଲି ସବୁବେଳେ ପ୍ରଚାର କରୁଥିଲେ ମଧ୍ୟ ୧୯୬୫ ମସିହା ପର୍ଯ୍ୟନ୍ତ ଏହାର ଦକ୍ଷିଣ ଭାଗରେ ରହୁଥିବା କୃଷ୍ଣକାୟ ନାଗରିକଙ୍କୁ ଭୋଟ ଦେବାର ଅଧିକାରରୁ ବଞ୍ଚିତ କରିଥିଲା।
କହିବାକୁ ଗଲେ ମୁକ୍ତ ବିଶ୍ୱର କଳ୍ପନା ବିଶେଷକରି ଜନ୍‌ ଏଫ୍‌. କେନେଡିଙ୍କ ଠାରୁ ଆରମ୍ଭକରି ରୋନାଲ୍ଡ ରେଗାନଙ୍କ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତିମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସତ୍ୟ ପ୍ରକାଶ କରିବାରେ ସାହାଯ୍ୟ କରିଥିଲା। ସେମାନେ କହିଥିଲେ, ”ନୈତିକ ଦୃଷ୍ଟିରୁ ବର୍ଲିନ ପ୍ରାଚୀର ଏକ ଘୃଣାର ବିଷୟ ଥିଲା; ଏହା ଜୀବନର ଏକ ବାସ୍ତବତା ନୁହେଁ ଯାହାକୁ ଆମକୁ ବାଧ୍ୟହୋଇ ଗ୍ରହଣ କରିବାକୁ ପଡ଼ିବ ।“ ସେମାନେ ଠିକ୍‌ କହିଥିଲେ। ସେମାନେ ପୁନଶ୍ଚ କହିଥିଲେ, ”ମୁକ୍ତ ବିଶ୍ୱ ଆମ ପାର୍ଶ୍ୱର ସର୍ବୋତ୍ତମ ବ୍ୟକ୍ତିମାନଙ୍କୁ ସୋଭଏଟ୍‌ ବିଦ୍ରୋହୀ, ପୋଲାଣ୍ଡର ସଲିଡାରିଟି ଆନ୍ଦୋଳନର ନାୟକ ଏବଂ ଚେକୋସ୍ଲୋଭାକିଆର ଚାର୍ଟର ୭୭ ପଛରେ ଥିବା ବ୍ୟକ୍ତିମାନଙ୍କ ସମେତ ଅନ୍ୟପାର୍ଶ୍ୱର ସର୍ବୋତ୍ତମ ବ୍ୟକ୍ତିମାନଙ୍କ ସହ ଏକତାର ସମ୍ପର୍କ ଗଢ଼ିବାରେ ସାହାଯ୍ୟ କରିଥିଲା।“ ଭାକ୍ଲାଭ ହାଭେଲ ଚେକୋସ୍ଲୋଭାକିଆକୁ ଏକ ସାଧାରଣ ଦେଶରେ ପରିଣତ କରିବାକୁ ଚାହାନ୍ତି ବୋଲି ଯେତେବେଳେ କହିଥିଲେ, ସେତେବେଳେ ସେ କମ୍ୟୁନିଷ୍ଟ ଦେଶର ଲୋକମାନେ ଉପଭୋଗ କରୁଥିବା ସ୍ବାଧୀନତାକୁ ଇଙ୍ଗିତ କରିଥିଲେ।
୧୯୭୦ ଏବଂ ୧୯୮୦ ଦଶକରେ ପର୍ତ୍ତୁଗାଲ, ସ୍ପେନ୍‌ ଏବଂ ଗ୍ରୀସ୍‌ର ଲୋକମାନେ ଜାଣିଗଲେ ଯେ ମୁକ୍ତ ବିଶ୍ୱର ପରିକଳ୍ପନା ମିଛ, କାରଣ ନାଟୋ ଓ ଆମେରିକା ସେମାନଙ୍କ ଶାସକମାନଙ୍କ ସହ ମିଶି ସେମାନଙ୍କୁ ସ୍ବାଧୀନତାରୁ ବଞ୍ଚିତ କରିଥିଲେ। ଏହିସବୁ ଦେଶର ଲୋକମାନେ ଅତ୍ୟାଚାରୀ ଶାସନକୁ ହଟାଇ ଦେଇଥିଲେ। କାରଣ ଶାସକମାନେ ମୁକ୍ତ ବିଶ୍ୱରେ ସାମିଲହେବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପରେ ପ୍ରତ୍ୟାଖ୍ୟାନ କରିଥିଲେ। ।
ସେହିଭଳି, ତାଇୱାନ୍‌, ଦକ୍ଷିଣ କୋରିଆ ଏବଂ ଫିଲିପାଇନ୍ସର ଲୋକମାନେ ଆମେରିକା ସମର୍ଥିତ ସେମାନଙ୍କର ଅତ୍ୟାଚାରୀ ଶାସକଙ୍କୁ ଗାଦିଚ୍ୟୁତ କରିଥିଲେ। ଯେତେବେଳେ ୧୯୮୯ରେ ବର୍ଲିନ ପ୍ରାଚୀର ଭାଙ୍ଗିଲା, ସେତେବେଳେ ମୁକ୍ତ ବିଶ୍ୱ ଆଉ ଏକ ଦୂର ସ୍ବପ୍ନ ପରି ମନେହେଲାନାହିଁ। ସେହି ଆନନ୍ଦର ଦିନଗୁଡ଼ିକ ଏବେ ଦୂର ଅତୀତର ସ୍ମୃତି ହୋଇଯାଇଛି। ଆମେ ଶୋକାକୁଳ ବ୍ୟକ୍ତିଙ୍କ ଭଳି ରହୁଛୁ। ମୁକ୍ତ ବିଶ୍ୱର ମୃତ୍ୟୁ ୧୯୮୯ ପରେ ଆରମ୍ଭ ହୋଇଯାଇଥିଲା। ପତନ ପ୍ରକ୍ରିୟାରେ ବଲ୍‌କାନର ଲୋକମାନେ ସାମିଲହେବାକୁ ବ୍ୟାକୁଳଥିଲେ। କିନ୍ତୁ ଯେତେବେଳେ ୧୯୯୦ ଦଶକରେ ଏହି ସୁଯୋଗ ଆସିଲା, ସେମାନଙ୍କର ଜାତୀୟତାବାଦୀ ଆଭିଜାତ୍ୟ ଶ୍ରେଣୀ ସେମାନଙ୍କୁ ସଂଖ୍ୟାଗରିଷ୍ଠ ଜାତିର ଶାସନ ତଥା ସଂଖ୍ୟାଲଘୁଙ୍କୁ ବିତାଡ଼ିତ କରିବାର ବିକଳ୍ପ ଦେଲେ। ସେହିଭଳି ୧୯୯୦ ଦଶକ ପ୍ରାରମ୍ଭରେ ରୁଷିଆର ଆଭିଜାତ୍ୟ ଶ୍ରେଣୀ ସୋଭିଏଟ୍‌ ସାମ୍ରାଜ୍ୟର ପତନର ଫାଇଦା ଉଠାଇ ନିଜକୁ ସମୃଦ୍ଧ କରିବାରେ ଲାଗିଲେ। ଫଳରେ ଅରାଜକତା, ସଂସ୍ଥାଗତ ପତନ ଏବଂ ବ୍ୟାପକ ଦୁର୍ନୀତି ମଧ୍ୟରେ ଗଣତନ୍ତ୍ରର ମୃତ୍ୟୁ ହୋଇଗଲା। ଯେତେବେଳେ ଭ୍ଲାଡିମିର ପୁଟିନ କ୍ଷମତାକୁ ଆସିଲେ, ସେ ସ୍ବାଧୀନତାର ଶିଖାକୁ ଲିଭାଇଦେଲେ। ୨୫ ବର୍ଷ ପରେ ୟୁକ୍ରେନ୍‌କୁ ମୁକ୍ତ ବିଶ୍ୱରେ ସାମିଲହେବାରୁ ରୋକିବା ପାଇଁ ସେ ଯୁବ ରୁଷୀୟମାନଙ୍କୁ ଯୁଦ୍ଧକୁ ଠେଲିଦେଉଛନ୍ତି।
ଏହି ଗଣତାନ୍ତ୍ରିକ ବ୍ୟବସ୍ଥାଗୁଡ଼ିକ ବିଫଳହେବା ସହ ବିଶୃଙ୍ଖଳା କିମ୍ବା ଏକଚ୍ଛତ୍ରବାଦ ଆଡ଼କୁ ଗତିକରିବା ପରେ ମଧ୍ୟ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ଙ୍କଠାରୁ ଆରମ୍ଭକରି ଜୋ ବାଇଡେନ୍‌ଙ୍କ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତିମାନେ ଏବଂ ସେମାନଙ୍କର ୟୁରୋପୀୟ ମିତ୍ରମାନେ ନିଜକୁ ମୁକ୍ତ ବିଶ୍ୱର ନେତା ବୋଲି ବିଶ୍ୱାସ କରୁଥିଲେ। ଆମେରିକାର ବକ୍ତବ୍ୟ ଅନେକ ଇରାକୀ ଏବଂ ଆଫ୍‌ଗାନୀଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲା ଯେ, ବାହ୍ୟ ସାହାଯ୍ୟ ଦ୍ୱାରା ସେମାନେ ମୁକ୍ତ ବିଶ୍ୱରେ ସାମିଲ ହୋଇପାରିବେ। କିନ୍ତୁ ସେହି ସ୍ବପ୍ନ ଇରାକ ଶାସନର ପତନ ଏବଂ ଆଫଗାନିସ୍ତାନକୁ ଅବ୍ୟବସ୍ଥିତ ଭାବେ ଆମେରିକା ଛାଡ଼ିଦେବା ଯୋଗୁ ଶେଷ ହୋଇଗଲା।
ଏବେ ମୁକ୍ତ ବିଶ୍ୱ ମୃତ୍ୟୁଶଯ୍ୟାରେ ଏବଂ ଜଣେ ଆମେରିକୀୟ ରାଷ୍ଟ୍ରପତି ତାହାକୁ ମୃତ୍ୟୁର ଆଘାତ ଦେଇଛନ୍ତି। ଦୁନିଆରେ ଅତ୍ୟାଚାରୀ ଶାସକ କିମ୍ବା ଏକଚ୍ଛତ୍ରବାଦୀଙ୍କୁ ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରୁଛନ୍ତି। ଆମେରିକାର ମିତ୍ର ଦେଶଗୁଡ଼ିକୁ ସେ ଶୋଷଣ କରିବାକୁ ଚେଷ୍ଟା କରୁଛନ୍ତି। ସେ ଉତ୍ତର କୋରିଆର ଜଣେ ଅତ୍ୟାଚାରୀ ଶାସକଙ୍କ ସହ ବନ୍ଧୁତ୍ୱ ବଢ଼ାଉଛନ୍ତି। ଅନ୍ୟପଟେ ଦକ୍ଷିଣ କୋରିଆ ଭଳି ଆମେରିକାର ପୂର୍ବତନ ଗଣତାନ୍ତ୍ରିକ ମିତ୍ର ଦେଶ ସହ ମିଳିତ ସାମରିକ ଅଭ୍ୟାସକୁ ହ୍ରାସ କରୁଛନ୍ତି। ସେ ୟୁକ୍ରେନ୍‌ର ନେତାଙ୍କୁ ପ୍ରକାଶ୍ୟରେ ଅପମାନିତ କରୁଛନ୍ତି, ଏପରିକି ରାତିରେ ହେଉଥିବା ଆକ୍ରମଣରୁ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେଇପାରୁଥିବା ମିଶାଇଲ୍‌ ପ୍ରତିରକ୍ଷା ବ୍ୟବସ୍ଥା ଦେବାକୁ ବି ମନା କରୁଛନ୍ତି।
ଆମେରିକା ସ୍ବାଧୀନ ଲୋକଙ୍କ ସପକ୍ଷରେ ଠିଆହେବା ଉଚିତ ବୋଲି ସେହି ଦେଶର ନାଗରିକଙ୍କ ଧାରଣା ରହିଛି। ହେଲେ ଏହି ଚିନ୍ତାଧାରା ଆମେରିକାର ଜନମତରେ ଏତେ ମାତ୍ରାରେ ହ୍ରାସ ପାଇଛି ଯେ ମିତ୍ରଦେଶଗୁଡ଼ିକ ପ୍ରତି ଟ୍ରମ୍ପ୍‌ଙ୍କ ପ୍ରକାଶ୍ୟ ବିଶ୍ୱାସଘାତକତା କଂଗ୍ରେସ କିମ୍ବା ଭୋଟରଙ୍କ ମଧ୍ୟରେ କୌଣସି ଅସନ୍ତୋଷ ସୃଷ୍ଟି କରୁନାହିଁ। ନଭେମ୍ବରରେ ହେବାକୁ ଥିବା ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଆମେରିକାର ବିଶ୍ୱାସଘାତକତା ଦ୍ୱାରା ନୁହେଁ,ବରଂ ତେଲ ଦର ଦ୍ୱାରା ନିର୍ଦ୍ଧାରଣ ହେବ। ମଧ୍ୟମ ଶକ୍ତିସମ୍ପନ୍ନ କାନାଡା ଏବଂ ୟୁରୋପୀୟ ଦେଶଗୁଡ଼ିକ ଏବେ ମଧ୍ୟ ନିଜ ସୀମା ବାହାରେ ସ୍ବାଧୀନତାକୁ ସମର୍ଥନ କରୁଛନ୍ତି । ଆମେରିକା ଦୂରେଇଯାଉଥିବା ବେଳେ ସେମାନେ ୟୁକ୍ରେନ୍‌ ପ୍ରତି ନିଜର ପ୍ରତିବଦ୍ଧତାକୁ ବଜାୟ ରଖୁଛନ୍ତି। କିନ୍ତୁ ବର୍ତ୍ତମାନ ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା ହେଉଛି ନୀତିହୀନ ହିଂସ୍ରମାନଙ୍କ ଦୁନିଆରେ ନିଜର ଅସ୍ତିତ୍ୱ ରକ୍ଷାକରିବା।
ଆମେରିକାର ମିତ୍ରଦେଶମାନଙ୍କ ମଧ୍ୟରୁ କାନାଡା ହେଉଛି ପ୍ରଥମ ଦେଶ ଯିଏ ବାସ୍ତବତାକୁ ବୁଝିଛି। ସେଥିପାଇଁ ଟ୍ରମ୍ପ୍‌ ପ୍ରଶାସନ ସହ ବାଣିଜି୍ୟକ ଆଲୋଚନାରୁ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଓହରିଗଲେ। କାରଣ ସେ ଆମେରିକାର ବାହ୍ୟ ଅର୍ଥନୈତିକ ନୀତି ସହ କାନାଡାର ନୀତିକୁ ସମନ୍ବିତ କରିବା ପାଇଁ ଆତ୍ମସମର୍ପଣ କରିବାକୁ ଚାହିଁଲେ ନାହିଁ। ୟୁରୋପୀୟମାନେ କାନାଡାର ସାହସକୁ ପ୍ରଶଂସା କରୁଛନ୍ତି। ବେଳେବେଳେ ବାସ୍ତବତାକୁ ବୁଝିବାର କ୍ଷମତା ରହିଲେ ସାହସ ଆସେ। ଏହି ନୂତନ ବାସ୍ତବତାରେ ପ୍ରତ୍ୟେକ ଦେଶର ନିଜସ୍ବ ଦାୟିତ୍ୱ ରହିଛି। ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ତିଷ୍ଠିରହିବା ପାଇଁ ଆବଶ୍ୟକ ଭିତ୍ତିଭୂମିରେ ବିପୁଳ ସମ୍ବଳ ବିନିଯୋଗ କରିବା ସହ ପ୍ରତ୍ୟେକ ଦେଶକୁ ବାହ୍ୟ ପ୍ରତିଯୋଗିତାରୁ ନିଜର ମୁଖ୍ୟ ଶିଳ୍ପଗୁଡ଼ିକୁ ରକ୍ଷା କରିବାକୁ ହେବ। ସବୁ ପ୍ରକାର ନିର୍ଭରଶୀଳତାକୁ ଅନ୍ୟମାନେ ଅସ୍ତ୍ର ଭାବେ ବ୍ୟବହାର କରିପାରନ୍ତି। ତେଣୁ ସମସ୍ତ ଯୋଗାଣ ଶୃଙ୍ଖଳା ଏବଂ ସମ୍ବଳ ଉପରେ ନିର୍ଭରକରିବା ହେଉଛି ଦୁର୍ବଳତା।
ଟ୍ରମ୍ପ୍‌ଙ୍କ ସଂରକ୍ଷଣବାଦୀ ବା ମନମୁଖି ମନୋଭାବ ମୁକ୍ତ ବିଶ୍ୱକୁ ଶେଷ କରିଦେଇଛି। ଏହା ଆମେରିକାର ସାମ୍ରାଜ୍ୟବାଦୀ ପତନକୁ ରୋକିବା ବଦଳରେ ତ୍ୱରାନ୍ବିିତ କରିବ। ୟୁରୋପ, କାନାଡା ଏବଂ ଆଫ୍ରିକା, ଏସିଆ ଓ ଲାଟିନ ଆମେରିକାର ଗଣତାନ୍ତ୍ରିକ ଦେଶଗୁଡ଼ିକ ପୁରୁଣା ଆଦର୍ଶକୁ ଧରି ରଖିଛନ୍ତି। ଏହାକୁ ଜୀବନ୍ତ ରଖିବାର ଦାୟିତ୍ୱ ସେମାନଙ୍କ ଉପରେ ହିଁ ଅଛି। ଶୀତଳ ଯୁଦ୍ଧ ସମୟରେ, ଏଭଳି ଆହ୍ବାନ ଆମକୁ ଏକ ଉତ୍ତମ ବିଶ୍ୱର କଳ୍ପନା କରିବାକୁ ସକ୍ଷମ କରିଥିଲା। ଏହା ପୁଣି ଥରେ ସେମିତି କରିପାରିବ ଏବଂ ଆମକୁ ମନେ ପକାଇଦେବ ଯେ, ଆମ ମଧ୍ୟରେ କେବଳ ଅର୍ଥନୈତିକ ସ୍ବାର୍ଥ ନୁହେଁ, ବରଂ ସ୍ବାଧୀନତା ଏବଂ ଗଣତନ୍ତ୍ର ଭଳି ସାଧାରଣ ମୂଲ୍ୟବୋଧ ମଧ୍ୟ ରହିଛି।

ମାଇକେଲ ଇଗନାଟିଫ୍

-ସେଣ୍ଟ୍ରାଲ ୟୁରୋପିଆନ୍‌ ୟୁନିଭର୍ସିଟିର
ଅବସରପ୍ରାପ୍ତ କାଉନସିଲ ମୁଖ୍ୟ

 

Dharitri – Odisha’s No.1 Odia Daily