ଦିଗପହଣ୍ଡିରେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରହସନ

ଦିଗପହଣ୍ଡି, ୫।୫(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଅଧୀନ ଅନେକ ଗ୍ରାମାଞ୍ଚଳରେ ରାଶନ କାର୍ଡ ପାଇବା ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ଅପେକ୍ଷା କରି ରହିଛନ୍ତି। ହେଲେ ସେମାନଙ୍କୁ ରାଶନ କାର୍ଡ ମିଳୁନାହିଁ। ଖାଦ୍ୟ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ବହୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ରାଶନ କାର୍ଡ ଥିଲେ ମଧ୍ୟ ଆଧାର କାର୍ଡରେ ସେମାନଙ୍କ ନାଁ ଭୁଲ ଥିବା ସହ ଫିଙ୍ଗର ପ୍ରିଣ୍ଟ ମିଶୁ ନଥିବାରୁ ସେମାନଙ୍କୁ ରାଶନ କାର୍ଡ ତାଲିକାରୁ ବାଦ୍‌ ଦିଆଯାଇଥିବା ଗୁରୁତର ଅଭିଯୋଗ ହୋଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତର ଅନୁସୂଚିତ ଜନଜାତି ବହୁଳ ଛଣବଗଡ, ତଡାସାହି, ନୂଆଗାଁ, ମଳକୁଟପଲ୍ଲି, କିଞ୍ଚରଡ଼ା, ଡଲି ମହୁଲପଡ଼ା, ବାଟ ମହୁଲପଡ଼ା ଗାଁର ପ୍ରାୟ ୩୨ରୁ ଊଦ୍ଧର୍‌ବ ପରିବାରଙ୍କ ରାଶନ କାର୍ଡ ଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଗତ ୬ ମାସରୁ ଊଦ୍ଧର୍‌ବ ହେଲା ଚାଉଳ ମିଳୁନଥିବା ସଙ୍ଗୀନ ଅଭିଯୋଗ ହୋଇଛି। ସରକାରୀ ଯୋଜନା ସେମାନଙ୍କ ପାଇଁ ବାଟବଣା ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀ ମାନଙ୍କ ଅଣଦେଖା କାରଣରୁ ରାଶନ କାର୍ଡଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମିଳିପାରୁନାହିଁ। ରାଶନ କାର୍ଡରେ ଚାଉଳ ପାଇବା ପାଇଁ ମଳକୁଟପଲ୍ଲି ଗାଁର ସୁବାସି ମଲ୍ଲିକ, ପଦ୍ମ ମଲ୍ଲିକ, ଯମୁନା ମଲ୍ଲିକ ପ୍ରଭୃତି ପରିବାର ମୁଖିଆ ମାନଙ୍କ ନାଁରେ ରାଶନ କାର୍ଡ ଥିଲେ ମଧ୍ୟ ସେମାନେ ଚାଉଳ ପାଇବାରୁ ବଞ୍ଚିତ ହେଉଥିବା ସାନଡୁମ୍ବୁଳା ଗ୍ରାମର ସାମାଜିକ କର୍ମୀ ଡ.ପ୍ରଫୁଲ୍ଲ ପ୍ରଧାନ ଅଭିଯୋଗ କରିଛନ୍ତି। ରାଶନ କାର୍ଡ ଥାଇ ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ପ୍ରାୟ ୩୨ ପରିବାରଙ୍କୁ ସେ ସୋମବାର ୨୦ କେଜି ଲେଖାଏ ଚାଉଳ ବଣ୍ଟନ କରିଛନ୍ତି। ପଞ୍ଚାୟତ ଅଧିନରେ ଥିବା ଗାଁ ଗୁଡିକରେ ବହୁ ଯୋଗ୍ୟ ହିତାଧିକାରୀ ରାଶନ କାର୍ଡରେ ଚାଉଳ ପାଇବା ପାଇଁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟର ଯୋଗାଣ ବିଭାଗ ଅଧିକାରୀ ଏବଂ ବ୍ରହ୍ମପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ଥିବା ବେଳେ ସେମାନଙ୍କୁ ଚାଉଳ ମିଳୁନାହିଁ। ଆଜି ଆସ କାଲି ଆସ ଯୋଗାଣ ବିଭାଗ ଲିଙ୍କ୍‌ ଖୋଲୁ ନାହିଁ ବୋଲି କହି ଅଧିକାରୀ ମାନେ ସେମାନଙ୍କୁ ବାରମ୍ବାର ଦୌଡ଼ାଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଦିଗପହଣ୍ଡି ଯୋଗାଣ ଅଧିକାରୀ ବ୍ରଜେଶରଏଙ୍କୁ ଏନେଇ ଯୋଗାଯୋଗ କରିବାରେ ବଡ଼ଡୁମ୍ବୁଳା ପଞ୍ଚାୟତର ଅନେକ ଗାଁରେ ରାଶନ କାର୍ଡ ସହ ଆଧାର କାର୍ଡ ଲିଙ୍କ୍‌ କରାଯିବା ପରେ ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ କାର୍ଡ ଥିବାରୁ ଅନେକ ରାଶନ କାର୍ଡ ହୋଲ୍ଡ ହୋଇଯାଇଛି। ଫଳରେ ଏସବୁ ଅସୁବିଧା ଉପୁଜିଛି। ସେ ଏନେଇ ପୂର୍ବରୁ ଅଭିଯୋଗ ପାଇବା ପରେ ତଦନ୍ତ କରିଥିଲେ। କିନ୍ତୁ ସରକାରୀ ସ୍ତରରେ ନୂଆ କାର୍ଡ ପାଇଁ ଟାର୍ଗେଟ ଆସିନଥିବା କାରଣରୁ ପ୍ରକୃତ ହିତାଧିକାରୀଙ୍କୁ ନୂଆ କାର୍ଡ ପ୍ରଦାନ କରାଯାଇପାରିବ ନାହିଁ। ଏ ସମ୍ପର୍କରେ ଅଧିକା ଯାଞ୍ଚ କରାଯିବ ବୋଲି ସେ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ପଞ୍ଚାୟତ ଯୋଗାଣ ସହାୟକ ଗୋପାଳ କୃଷ୍ଣ ପଣ୍ଡାଙ୍କୁ ଏ ନେଇ ପଚାରିବାରୁ ଆଧାର କାର୍ଡ ସହ ରାଶନ କାର୍ଡ ଲିଙ୍କ୍‌ କାରଣରୁ ଅନେକ ହିତାଧିକାରୀଙ୍କ ଆଧାର କାର୍ଡ ମିସ୍‌ ମ୍ୟାଚିଂ କାରଣରୁ ରାଶନ କାର୍ଡ ତାଲିକାରୁ ନାଁ କଟିଯାଇଥିବା କହିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ପାଉଥିବା ହିତାଧିକାରୀଙ୍କ ଚାଉଳ କ’ଣ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।